Unknown

 

 

 

 

 

 

 

 

 

 

 

ଜୀବନର ଛନ୍ଦ

ଜ୍ଞାନୀନ୍ଦ୍ର ବର୍ମା

 

 

ଦୀର୍ଘ ସାତବର୍ଷର କାହାଣୀ । ଆଜି ଗୋଟିଏ ମୁହୂର୍ତ୍ତରେ ଅଞ୍ଜଳିର ଗୋଟି ଗୋଟି ହେଇ ସବୁ ମନେ ପଡ଼ିଯାଉଛି । ବିବାହ ପରେ ସ୍ୱାମୀ ସହ ମୋଟେ ସାତଟି ଦିନର ସାକ୍ଷାତ । ତା’ପରେ ଦୀର୍ଘ ପନ୍ଦରଦିନ ପରେ ଯେଉଁ ସାକ୍ଷାତ ଘଟିଲା ତାହା ସମ୍ପୂର୍ଣ୍ଣ ଅଶରୀରୀ । ଚିଠି ଦେଇ ସେ ସ୍ୱାମୀଠାରୁ ଯେଉଁ ଉତ୍ତର ପାଇଥିଲା ସେଇ ତା’ପକ୍ଷରେ ଦ୍ୱିତୀୟ ଥରର ସାକ୍ଷାତ କହିଲେ ଚଳେ । କେତେଥର ଯେ ଅଞ୍ଜଳି ସେଇ ଚିଠିଖଣ୍ଡକୁ ପଢ଼ିଚି ତା’ର ସୀମା ନାଇଁ । ସେସବୁ ଆଜି ତା ଆଖିରେ ସ୍ପଷ୍ଟ ହେଇ ଖେଳି ଯାଉଚି । ଆଉ ପ୍ରାୟ ପନ୍ଦରଦିନ ପରେ ସ୍ୱାମୀ ତା’ର ପହଁଞ୍ଚିଲେ ଯାଇଁ ଗାଁରେ । ସେଦିନର ସନ୍ଧ୍ୟା, ସେଦିନର ରାତି, ସବୁ ଭାବି ଭାବି ଅଞ୍ଜଳି ସମ୍ପୂର୍ଣ୍ଣ ରୂପେ ତାର ଅତୀତ ଭିତରେ ବୁଡ଼ିଗଲା ।

 

‘‘ଜାଣିଲ ଅଞ୍ଜଳି, ତମର ସେଇ ପହିଲି ଚିଠିଟା କି ସୁନ୍ଦର । ସେସବୁ କଥା ତମର ମନେ ଅଛି ? କ’ଣ ଗୋଟାଏ କବିତା ମଧ୍ୟ ସେଥିରେ ତମେ ଲେଖିଥିଲ !’’

 

ଦୁଇଦିନର ମନାନ୍ତର ପରେ ହଠାତ୍‌ ସ୍ୱାମୀଙ୍କର କଥା ଶୁଣି ଅଞ୍ଜଳି ଚମକି ପଡ଼ିଲା । ଗାଁରେ ତାର ଚଳିବାର ଅସୁବିଧା ଯୋଗୁ ବହୁଦିନ ହେଲା ସେ ଆସି ସ୍ୱାମୀ ପାଖରେ କଟକରେ ରହିଛି । ଦାମ୍ପତ୍ୟ ଜୀବନ କେବଳ ମଧୁ ନୁହେଁ, ସେଥିରେ ଅମ୍ଳର ମୂର୍ଚ୍ଛନା ମଧ୍ୟ ସଞ୍ଚାରିତ ହୁଏ, ସ୍ୱାମୀ ସହ ତାର ଦୀର୍ଘକାଳ ରହିବା ଭିତରେ ସେତକ ଅଭିଜ୍ଞତା ଅଞ୍ଜଳିର ହେଇଯାଇଛି । କିନ୍ତୁ ସେଇ ଅମ୍ଳର ମୂର୍ଚ୍ଛନାଟା ଏଡ଼େ ତୀବ୍ର ହେଇ ମନାନ୍ତରରେ ପରିଣତ ହେବ ବୋଲି ସେ କେବେହେଲେ କଳ୍ପନା କରି ନଥିଲା । ଅତି ସାମାନ୍ୟ କାରଣରୁ କଥାର ଧାରା ଘୂରିଯାଇ ଏଡ଼େ ବଡ଼ ଅଶାନ୍ତି ଯେ ସୃଷ୍ଟି ହେଇଯିବ ତାହା ସେ ଭାବି ପାରିନଥିଲା । କଥା ହେବା ଭିତରେ ସେ ରାଗି ଯାଇଥିଲା ବେଶୀ । କିନ୍ତୁ ସ୍ୱାମୀ ତାକୁ ଆଗେ କଥା କହିବାର ଦେଖି ସେ ଆଶ୍ଚର୍ଯ୍ୟ ହେଇ ଅନେଇ ରହିଲା । ହଁ, କଣ ସେ ପଚାରୁଛନ୍ତି ତାକୁ, ପ୍ରଥମ ଚିଠି କଥା ? କଣ ଲେଖିଥିଲା ସେ ସେଥିରେ ?

 

‘‘ତମର ହୁଏତ ମନେ ନାଇଁ ସେସବୁ ଅଞ୍ଜଳି ?’’

 

ସ୍ୱାମୀ ପୁଣିଥରେ ପଚାରିବା ପରେ ମଧ୍ୟ ଅଞ୍ଜଳି ପୂର୍ବପରି ନିରୁତ୍ତରା ରହିଲା । ହଁ, ସ୍ୱାମୀ ତାକୁ ସେଇ ବିବାହ କାଳର ପ୍ରଥମ ଚିଠି କଥା ପଚାରୁଛନ୍ତି ! ସେଥିରେ ସେ ମଧ୍ୟ ସତେ ଗୋଟିଏ କବିତା ଲେଖିଥିଲା । କିନ୍ତୁ ସେ ପ୍ରଶ୍ନ ଆଜି କାହିଁକି ? କବିତା, ପୁଣି ସେ କବିତାର ଆଜି ଆଉ ପ୍ରୟୋଜନ କଣ ? ବିବାହଟା ଗୋଟା କବିତା, ଆଉ ଦାମ୍ପତ୍ୟ ଜୀବନ ସେଇ କବିତାର ଅଶେଷ ଛନ୍ଦ ବୋଲି ତାର ସେତେବେଳେ କେତେଥର ଧାରଣା ହେଇଥିଲା । କିନ୍ତୁ ସେ ଛନ୍ଦ ଆଜି କାହିଁ ? ବର୍ତ୍ତମାନର ଏଇ ଦାମ୍ପତ୍ୟ ଜୀବନକୁ କଣ ଆଉ କବିତାର ଛନ୍ଦ ବୋଲି କୁହାଯିବ ?

 

‘‘ଅଞ୍ଜଳି, ତମେ ହୁଏତ ଏ ପର୍ଯ୍ୟନ୍ତ ମୋ ଉପରେ ରାଗ କରି ରହିଚ । ସେଥିଯୋଗୁ କିଛି ଉତ୍ତର ଦେଇ ପାରୁନା । କିନ୍ତୁ ମୁଁ ଦୋଷ ସ୍ୱୀକାର କରୁଛି । ଆଜିର ଏ ଅଶାନ୍ତି ପାଇଁ ମୁଁ ସଂପୂର୍ଣ୍ଣ ଦାୟୀ ।’’

 

କହି କହି ଅଞ୍ଜଳିର ହାତ ଧରି ପକେଇଲା ନିରଞ୍ଜନ । ଚମକି ପଡ଼ିଲା ଅଞ୍ଜଳି । ଏ ପର୍ଯ୍ୟନ୍ତ ସେ ସ୍ୱାମୀଆଡ଼କୁ ମଧ୍ୟ ଅନେଇ ନଥିଲା । ମୁହଁ ବୁଲେଇ ବସି କଣ ଗୋଟିଏ ବହି ଖେଳେଇବାରେ ଲାଗିଥିଲା । ସେ ବହିଟିକୁ ତା ହାତରୁ ଛଡ଼େଇ ନେଇ ପାଖ ଟେବୁଲ ଉପରେ ରଖି ନିରଞ୍ଜନ ନିଜର କୋଳ ଭିତରକୁ ଟାଣି ନେଲା ଅଞ୍ଜଳିକି ।

 

‘‘ଜାଣିଲ ଅଞ୍ଜଳି, ଏଇଟା ଜୀବନର ଛନ୍ଦ । ଖଟା ଆଉ ମିଠା ଦୁଇଟିଯାକ ମିଶି ଜୀବନର ଛନ୍ଦ ତିଆରି ହେଇଚି । ଏହାକୁ ହୁଏତ କବି ଭାଷାରେ କୁହାଯାଇ ପାରେ ମଧୁ-ଅମ୍ଳର ଛନ୍ଦ । ସେଥିରୁ ଆମେ ଆଜି ବା ପଡ଼ି ପାରିଲେନି, ଏଥିରେ ବିଚିତ୍ରତା ଆଉ କଣ ? ମୋଠାରୁ ତମେ ଯେଉଁ ପ୍ରେମ ପାଉଥିଲ, ତା ହୁଏତ ସୃଷ୍ଟିରେ ଦୁର୍ଲ୍ଲଭ ବୋଲି ତମେ ଥରେ ଥରେ ଭାବିଥିବ । କିନ୍ତୁ ସେସବୁ ଆଜି ପୋଡ଼ି ପାଉଁଶ ହେଇ ଯାଇଚି । ବାସ୍ତବିକ୍‌ ମୁଁ ତମକୁ ଏତେ କଡ଼ା କଥା କହିଲି କେମିତି ଭାବି ଆଶ୍ଚର୍ଯ୍ୟ ଲାଗୁଚି । ମତେ ସେଥିପାଇଁ କ୍ଷମା ଦେଇ ପାରିବନି ଅଞ୍ଜଳି ?’’

 

ଏତେ କଥା ପରେ ମଧ୍ୟ ଅଞ୍ଜଳିର ଓଠରେ ପଦେ ହେଲେ ଭାଷା ନାହିଁ । ହଠାତ୍‌ ତାର ଆଖି କୋଣରୁ ଅଶ୍ରୁ ପଡ଼ିବାକୁ ଲାଗିଲା । ସେତେବେଳକୁ ବଳିଷ୍ଠ ହାତ ଦୁଇଟିରେ ଅଞ୍ଜଳିର ପାତଳ ଦେହଟିକୁ ସଂପୂର୍ଣ୍ଣ ରୂପେ ଟେକି ତୋଳି ଧରିଛି ନିରଞ୍ଜନ । ସତର ବର୍ଷରେ ଅଞ୍ଜଳି ବିଭା ହୋଇଥିଲା, ସାତ ବର୍ଷର ବିବାହିତ ଜୀବନ ପରେ ଆଜି ତାକୁ ତେଇଶ ବର୍ଷର ବୟସ ଅତିକ୍ରମ କରିବାକୁ ପଡ଼ିଛି । ଏ ପର୍ଯ୍ୟନ୍ତ ଅପ୍ରସବା । ଦେହ ଯଷ୍ଟିର କେତେକ ଅଂଶ ସେଥିଯୋଗୁ ଆହୁରି ପରିପୃଷ୍ଟ ହୋଇ ଉଠିଛି । କିନ୍ତୁ କ୍ଷୀଣକଟିର କୌଣସି ପରିବର୍ତ୍ତନ ଏବେ ମଧ୍ୟ ହୋଇନି । ନିରଞ୍ଜନର ହାତ ଭିତରେ ଗୋଟିଏ ଅର୍ଦ୍ଧକୁଣ୍ଡଳି ହୋଇ ରହିଛି ଅଞ୍ଜଳି । ତାର ଆଖି ଉପରେ ଦୃଷ୍ଟି ପଡ଼ିଲାକ୍ଷଣି ନିରଞ୍ଜନ ଅତି ବିବ୍ରତ ହୋଇ ପଡ଼ିଲା ।

 

‘ତମେ କାନ୍ଦିଲ ଅଞ୍ଜଳି ?’

 

ଏ ପ୍ରଶ୍ନରେ ଅଞ୍ଜଳି ଆହୁରି କାନ୍ଦିଲା । ନୀରବ ଅଶ୍ରୁ ଓଠରେ କେତୋଟି ଅସ୍ପଷ୍ଟ ଶବ୍ଦ ଫୁଟେଇ ଦେହଟାକୁ ତାର ଦୋହଲାଇ ଦେଲା । ବିମୂଢ଼ ହେଇ ଅଞ୍ଜଳିକି ଆଣି ଖଟ ଉପର ବିଛଣାରେ ଶୋଇ ଦେଇ ନିରଞ୍ଜନ ଠିଆ ହେଲା । କିଛିକ୍ଷଣ ସେ ଅବାକ୍‍ ହେଇ ଚାହିଁ ରହିଲା ଅଞ୍ଜଳିକି ।

 

‘ତମେ ପୁଣି କାନ୍ଦିଲ କାହିଁକି କହିଲ ?’

 

କର ବୁଲେଇ ତକିଆରେ ମୁହଁ ମାଡ଼ିଦେଲା ଅଞ୍ଜଳି । ସୁନ୍ଦର ଗୋଟିଏ ଦୃଶ୍ୟ ଫୁଟି ଉଠିଲା ନିରଞ୍ଜନର ଆଖିରେ। କିନ୍ତୁ ତାକୁ ଅନୁଭବ କରିବା ନିରଞ୍ଜନ ପକ୍ଷରେ ବର୍ତ୍ତମାନ ଏକ ବିଡ଼ମ୍ବନା । ଯେଉଁ ନାୟିକାର ସୌନ୍ଦର୍ଯ୍ୟ ତାର ଆଖିରେ, ସେଇ ନାୟିକା ଆଖିରେ ବର୍ତ୍ତମାନ କେବଳ ଅଶ୍ରୁର ଝରଣା । ସେଠାରେ ସ୍ୱାମୀର ସୌନ୍ଦର୍ଯ୍ୟାନୁଭବ ଏକ ପୈଶାଚି ବ୍ୟବସାୟ । ନିରଞ୍ଜନ କେବଳ ନୀରବରେ ଠିଆ ହେଇ ରହିଲା ।

 

‘ମୋର ଭୁଲ ମୁଁ ସ୍ୱୀକାର କରୁଚି ଅଞ୍ଜଳି, ତମେ ଆଉ କାନ୍ଦନା ।’

 

ହଠାତ୍‍ ବୁଲି ପଡ଼ିଲା ଅଞ୍ଜଳି । ସ୍ୱାମୀର ହାତକୁ ଟାଣି ଧରି ତାକୁ ଖଟ ଉପରେ ବସେଇ ଦେଲା । ତକିଆ ଉପରୁ ଜୁଳୁଜୁଳୁ କରି ଚାହିଁ ରହିଲା ।

 

‘ଜୀବନର ଛନ୍ଦ ପରା ତମେ ବ୍ୟାଖ୍ୟା କରି ବୁଝେଇ ଦେଲ ? ସେଠି କଣ ଅଶ୍ରୁ ନାହିଁ ?’

 

କଥାଗୁଡ଼ିକରେ ଯେମିତି ଲୁହର ହାତ ବାଜିଚି । ସେଥିଯୋଗୁ ସେସବୁ ନିରଞ୍ଜନ ପକ୍ଷରେ ଅଧିକ ଉପଭୋଗ୍ୟ ହୋଇ ପଡ଼ିଲା ।

 

‘ହଁ ଜୀବନ ଛନ୍ଦରେ ଅଶ୍ରୁ ଅଛି ଅଞ୍ଜଳି । କିନ୍ତୁ ତାହା କାମ୍ୟ ନୁହେଁ । ଆମେ କେବଳ ଜୀବନରେ ହସର ଛନ୍ଦ କାମନା କରୁଥିଲେ । ଦୁର୍ଭାଗ୍ୟକୁ ଆଜି ସେଠି ଅଶ୍ରୁର ଉଚ୍ଛ୍ୱାସ ଉଠିଚି । ଏ ଛନ୍ଦଟାକୁ ଭୁଲିଯିବାକୁ ହେବ ଯେଉଁଟାକୁ ନ ଖୋଜିଲେ ମଧ୍ୟ ସେ ଆପେ ଆସି ଧରା ଦିଏ, ତାହାର ଆବାହନ ପାଇଁ ଆମ ଭିତରୁ କେହିହେଲେ ଚେଷ୍ଟା କରିବା ଉଚିତ ନୁହେଁ । ବିଶେଷତଃ ଦୁନିଆରେ ଅଶ୍ରୁ ଭରପୁର ହେଇ ରହିଚି । କାନ୍ଦିବାକୁ ବହୁତ ଆଖି ରହିଛି । ଶତକଡ଼ା ଅନେଶତ ଅଧେ ଲୋକଙ୍କ ଆଖିରେ ଅଶ୍ରୁ । ଅଶ୍ରୁଟା ସାରା ପୃଥିବୀରେ ଗଣତାନ୍ତ୍ରିକ ପ୍ରାଧାନ୍ୟ ଲାଭ କରିଚି । ସେଠି ଅଧିକ ଅଶ୍ରୁ ଆଉ ଅନାବଶ୍ୟକ । ତମେ ସବୁ ପରିସ୍ଥିତିରେ ଯଦି ହସି ପାରନ୍ତ କିମ୍ବା ସବୁ ପରିସ୍ଥିତିକୁ ହର୍ଷମୁଖର କରିବାର ଅବସ୍ଥା ସୃଷ୍ଟି କରନ୍ତ ତା ହେଲେ ତମେ ବୈଜୟନ୍ତି ଉଡ଼ାଇ ଦିଅନ୍ତ...’

 

‘ଆଉ ତମେ ?’

 

‘ମୁଁ ? ତମେ ହସିଲେ ମୁଁ ତାଳି ମାରିବି ।’

 

ଠୋ ଠୋ ହେଇ ହସି ଉଠିଲା ଅଞ୍ଜଳି ।

 

 

ସେଦିନ ରାତି ଦୁଇଟାବେଳକୁ ଅଞ୍ଜଳିର ନିଦ ଭାଙ୍ଗିଗଲା । କେତେବେଳେ ସେ ଶୋଇ ପଡ଼ିଥିଲା ତାର ଆଉ ମନେ ନାଇଁ । ଏତିକି ମନେ ଅଛି, ସ୍ୱାମୀ ତାର ସେତେବେଳ ପର୍ଯ୍ୟନ୍ତ ଶୋଇ ନ ଥିଲେ, ଆଉ ସବୁଦିନ ଭଳି ସେ ସ୍ୱାମୀଙ୍କ ସହ ଏକାଠି ଶୋଇ ନଥିଲା । ସ୍ୱାମୀ ତାର ଟେବୁଲ ଉପରେ ଆଲୁଅ ଜାଳି କଣ ଖଣ୍ଡେ ବହି ପଢ଼ିବାରେ ଲାଗିଥିଲେ ।

 

ବର୍ତ୍ତମାନ ନିଦ ଭାଙ୍ଗିଯିବାରୁ ଅଞ୍ଜଳି ଦେଖିଲା, ଘରସାରା ପୂର୍ବପରି ସେମିତି ଆଲୁଅ ବିଞ୍ଛାଡ଼ି ହେଇ ପଡ଼ିଛି । ସ୍ୱାମୀ ଦୀର୍ଘ ତିନି ଘଣ୍ଟା ତଳର ନିବିଷ୍ଟତା ଧରି ସେହିଭଳି ବହି ପଢ଼ିବାରେ ଲାଗିଛନ୍ତି । ଆଉ କିଛି ନ ଭାବି ଅଞ୍ଜଳି ପାଖକୁ ଘୁଞ୍ଚି ଯାଇ ନିରଞ୍ଜନ ପଢ଼ୁଥିବା ବହି ଖଣ୍ଡକୁ ବନ୍ଦ କରିଦେଲା ।

 

‘କାଲି କଣ କିଛି ପରୀକ୍ଷା ଦେବାକୁ ଅଛି ନା କଣ ?’

 

ନିରଞ୍ଜନ କେବଳ ନୀରବରେ ଥରେ ହସି ଦେଲା । ତାହାର କିଛିକ୍ଷଣ ପରେ କହିଲା–

 

‘ପରୀକ୍ଷା ନୁହେ ଯେ, ତମେ ପଢ଼ୁଥିଲେ ବହିଟାକୁ ମଧ୍ୟ ଛାଡ଼ି ପାରି ନ ଥାନ୍ତ । ଗୋଟା ଚରମ ସୀମାରେ ପହଞ୍ଚିଲା ପୂର୍ବରୁ ତମେ ବହିଟାକୁ ବନ୍ଦ କରିଦେଲ । ଭାରି ଦୁଷ୍ଟ...’

 

ଏଥିରେ ଉତ୍ତେଜିତ ହୋଇ ଅଞ୍ଜଳି ସରସ କଣ୍ଠରେ କହିଲା, ‘କଣ ସେଇ ଚରମ ସୀମାଟା କହିଲ ? ବିରହ ନା ମିଳନରେ ଚରମ, ନା ଆଉ କିଛି ଟ୍ରାଜେଡ଼ି ?’

ନିରଞ୍ଜନ ହସି ହସି କହିଲା, ‘ମୁଁ ଆଉ ସେ ସୀମାଟା ପାର ହେଲି କୋଉଠି । ଦୀର୍ଘ ପାଞ୍ଚ ବର୍ଷର ବିଚ୍ଛେଦ ପରେ ମିଳନର ସୂତ୍ରପାତ ହେଉଥିଲା । ତା ପରେ ହଠାତ୍‌ ଆରମ୍ଭ ହେଇଗଲା ତମର ଦୁଷ୍ଟାମି । ଭାବିଥିଲି ତମେ ଆହୁରି କିଛି ଅଧିକ ସମୟ ଶୋଇ ପଡ଼ିବ, ଆଉ ତା ଭିତରେ ମୁଁ ସେଇ ଚରମ ସୀମାଟା ପାର ହେଇଯିବି; କିନ୍ତୁ ତା ଆଉ ହେଲାନି । କିନ୍ତୁ ଚରମର ଆୟୋଜନଟା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ହେଇଚି...’

‘ସତେ, କଣ ହେଇଚି ଟିକେ କହିଲ ?’

‘ବାସ୍ତବିକ ଅଞ୍ଜଳି, ଏ ଉପନ୍ୟାସର ନାୟିକା ସରସୀ ଅତି ଦୁର୍ଭାଗିନୀ । ଇଂଲିଶରେ ପ୍ରଥମ-ଶ୍ରେଣୀରେ ଏମ. ଏ. ପାଶ୍‌ କରି ସରକାରୀ କଲେଜରେ ଲେକ୍‌ଚରର ହେଇ ପାରିଚି, କିନ୍ତୁ ଜୀବନରେ ସ୍ୱାଧୀନତା ଲାଭ କରି ପାରିନି । ସାଧାରଣତଃ କୁହାଯାଏ, ଅର୍ଥନୈତିକ ପରାଧୀନତା ଯୋଗୁ ନାରୀ ଜୀବନରେ ସ୍ୱାଧୀନତା ଲାଭ ନକରି ପୁରୁଷର ଦାସୀ ହୋଇଯାଇଛି; ମାତ୍ର ଏ ସରସୀର ଜୀବନରୁତ ତାର କୌଣସି ପ୍ରମାଣ ମିଳୁନି ।’

‘ସରସୀ ଅପାର କଣ ହେଇଛି କହିଲ ?’

‘ସରସୀ ଅପା ? କିହୋ ଏ ଉପନ୍ୟାସର ନାୟିକା ତମର ଅପା ହେଲା କେମିତି ? କଣ ସବୁ ଦୁଃଖିନୀ ନାରୀଯାକ ତମର ଅପା ହୁଅନ୍ତି କି ?’

‘ହଁ ମ, ସିଏ ମୋର ଅପା । ତମେ କଣ ପଢ଼ିଛ ଆଗେ କୁହ । ମୁଁ ପଛେ ସରସୀ ଅପା କଥା କହିବି !’

 

ନିରଞ୍ଜନ ଏ କଥାରେ ଅତି ବିସ୍ମିତ ହେଇ ଅନେଇ ରହିଲା ଅଞ୍ଜଳିର ମୁହଁକୁ ।

 

‘କଣ କହୁଚ ଅଞ୍ଜଳି, ତାହେଲେ ଏ ଉପନ୍ୟାସଟା କାଳ୍ପନିକ ନୁହେଁ, ଗୋଟା ଜୀବନ୍ତ ଘଟଣା । ଆଉ ସେ ଘଟଣା ସହ ପୁଣି ତମର ସଂପର୍କ ରହିଛି ?’

 

ଅଞ୍ଜଳି ଦରଦମିଶା ସ୍ୱରରେ କହିଲା, ‘ତମ କଥାରୁତ ମତେ ସେଇପରି ଜଣାଯାଉଛି । ତାପରେ ଆଉ କଣ ଘଟିଲା କହିଲ ?’

 

‘ନା, ତମେ ଆଗେ ତମ ସରସୀ ଅପା କଥା କୁହ । ତମ କଥା ମୋ ପାଖରେ ଅଧିକ ଆଗ୍ରହ ସୃଷ୍ଟି କରିଛି । କୁହ, କିଏ ସେଇ ସରସୀ ଅପା ?’

 

‘ମୋର ମାଉସୀ ଝିଅ ଭଉଣୀ ନାଁ ସରସୀ । ସେ ମୋ’ଠାରୁ ପାଞ୍ଚବର୍ଷ ବଡ଼ ହବ । ଖୁବ୍‌ ପାଠ ମଧ୍ୟ ପଢ଼ିଛି । ବଡ଼ ଚାକିରି ମଧ୍ୟ କରିଚି । କିନ୍ତୁ ଗୋଟିଏ ଅସୁନ୍ଦର ପୁରୁଷ ସାଙ୍ଗରେ ତାର ବା’ଘର ହେଇଥିଲା । ସେଇ ଅସୁନ୍ଦର ପୁରୁଷ ପୁଣି ତାକୁ ମାଡ଼ ଦିଏ ବୋଲି ମୁଁ ଶୁଣିଥିଲି । ସେ ବହିରେ ସେଇକଥା ସବୁ ଲେଖା ହେଇଚି ନା...’

 

ଉଲ୍ଲସିତ ହେଇ ନିରଞ୍ଜନ କହି ଉଠିଲା, ‘ତମ କଥା ବିଲକୁଲ ସତ ଅଞ୍ଜଳି, ଏ ଉପନ୍ୟାସର ନାୟିକା ତମର ସରସୀ ଅପା । କିନ୍ତୁ ସରସୀ ନିଜେ ନିଜେ ଏପରି ପରାଧୀନତା ବରଣ କଲା କାହିଁକି ?’

 

ଅଞ୍ଜଳି ପ୍ରଶ୍ନ କଲା, ‘ଆଉ କଣ ବା’ହେଇ ନ ଥାନ୍ତା ?’

 

ନିରଞ୍ଜନ ଉତ୍ତର ଦେବାକୁ ଯାଇଁ ପ୍ରଶ୍ନ କରି କହିଲା, ‘ତମେ କାହିଁକି ବା’ ହେଇଚ କହିଲ ଅଞ୍ଜଳି ?’

 

‘ଆଲୋ, ସବୁ ଝିଅତ ବା’ ହୁଅନ୍ତି । ବାହା ନହୋଇ ଝିଏ ଆଉ କରିବେ କଣ ?...ଆଉ ମୋ କଥା ପଚାରୁଚ, ମୁଁ ବା’ ହେଇଥିଲି...’

 

ଅଞ୍ଜଳିର ଶେଷ କଥାତକ ଶୁଣି ଅନେଇ ରହିଲା ଉତ୍ସୁକ ଆଖିରେ ନିରଞ୍ଜନ । ଅଞ୍ଜଳି ହସି ଉଠି କହିଲା, ‘ମୁଁ କିଛି ଜାଣିନି... ହେଲେ ତମେ ଜାଣିଥିବ ଯେ...’

 

ନିରଞ୍ଜନ ହସି ଉଠିଲା । ଅଳ୍ପ ସମୟ ବ୍ୟବଧାନ ପରେ ଗମ୍ଭୀର ହୋଇ କହିଲା, ‘କେବଳ ସେହି ଆଦିମ ପିପାସା ଲାଗି ଅଞ୍ଜଳି ? ଆଉ କିଛି ଲକ୍ଷ୍ୟ ନାହିଁ ?’

 

ଅଞ୍ଜଳି ନିଃସଙ୍କୋଚରେ କହିଲା, ‘ଆଉକଣ, ଛୁଆପିଲା କରି ସଂସାର ଗଢ଼ିବା...

 

‘କିନ୍ତୁ ଆମ ଜୀବନରେ ସେ ଆଶା ପ୍ରାୟ ବ୍ୟର୍ଥ ହେଇଚି ତମେ ଜାଣ !’

 

ଚକିତା ହେଇ ଅଞ୍ଜଳି କହି ଉଠିଲା, ‘ବ୍ୟର୍ଥ ? ମୋଟେ ସାତ ବର୍ଷର ସଂଗ୍ରାମ ଭିତରେ ତମେ ବ୍ୟର୍ଥତା ସଂଗ୍ରହ କରି ବସିଲଣି । ତମ ତୁଣ୍ଡ ଭାରି ଖରାପ...ନା, ତମ ସାଙ୍ଗରେ ମୁଁ ଆଉ କଥା ହେବିନି...’

 

ନିରଞ୍ଜନ ଟିକେ ଅପ୍ରତିଭ ହେଲା ଅଞ୍ଜଳିର ଏ ଅଭିମାନରେ । କଥା କହୁ କହୁ ନିଜର ଭୁଲ ହେଇଚି ବୋଲି ସେ ବର୍ତ୍ତମାନ ଅନୁଭବ କଲା । ତାହାପରେ କଥାର ଗତି ବଦଳେଇ ସେ ପୁଣି କହିଲା–

 

‘ଜାଣିଲ ଅଞ୍ଜଳି, ଆମେ ଆଲୋଚନା କରୁଥିଲେ ସରସୀ କଥା, ଆମ ଜୀବନର କଥା ସେଠି ଆସି ପ୍ରକ୍ଷିପ୍ତ ଭାବରେ ପଡ଼ି ଯାଇଚି । ଆମେ ପୁଣି ମୂଳକଥା ପାଖକୁ ଫେରିଯିବା ଚାଲ । କିନ୍ତୁ ତମେ ଯେ ସମ୍ଭୋଗକୁ ସଂଗ୍ରାମର ଆଖ୍ୟା ଦେଲ, ମୁଁ ତାକୁ ସମର୍ଥନ କରି ପାରୁନି...’

 

ହଠାତ୍‌ ପ୍ରତ୍ୟୁତ୍ତର ଦେଇ ଅଞ୍ଜଳି କହିଲା, ‘ସଂଗ୍ରାମ ନୁହେଁ, ତପସ୍ୟା ବା ସାଧନା କହିବାକୁ ହେବ, କିନ୍ତୁ ମୁଁ ତାକୁ ସମ୍ଭୋଗ କହିବିନି...’

 

ତା’ହେଲେ ତମର ସରସୀ ଅପା ତପସ୍ୟା କରିବାକୁ ସେହି ଅସୁନ୍ଦର ପୁରୁଷ ସାଙ୍ଗରେ ଆସି ଜୁଟିଛନ୍ତି ? ...ଚମତ୍‌କାର, ଶିକ୍ଷାର ସାଧନାରେ ସିଦ୍ଧିଲାଭ କରି ତମର ଅପା ଯେଉଁ ତପସ୍ୟା ଆରମ୍ଭ କରିଛନ୍ତି ସେଥିରେ ଦୁଃଖକଷ୍ଟ ଭୋଗ କରିବାତ ସ୍ୱାଭାବିକ, ଆମର ସେଥିରେ ଚିନ୍ତା କରିବାର କଣ ଅଛି ?’

 

‘କିନ୍ତୁ ତାର ଏ ତପସ୍ୟାରେ ଯେ ସିଦ୍ଧିଲାଭ ହେଉଚି । ଗୋଟିଏ ପୁଅ ଆଉ ଗୋଟିଏ ଝିଅ ହେଇଚି ତାର ।’

 

ଅଞ୍ଜଳିର କଥା ଶୁଣି ନିରଞ୍ଜନ ଠୋ ଠୋ ହସି ଉଠିଲା । ହସ ଶେଷରେ ତା ମୁହଁରୁ ହଠାତ୍‌ ବାହାରି ପଡ଼ିଲା, ‘ଧନ୍ୟରେ ନାରୀ, ପୁରୁଷ ହାତରୁ ମାଡ଼ ଖାଇ ତମେ ପୁଣି ତାକୁ ତପସ୍ୟା କହୁଚ । ସେହି ପୁରୁଷର ସନ୍ତାନକୁ ଗର୍ଭରେ ଧରି ତମେ ପୁଣି ତାରି ବଂଶ ରକ୍ଷା କରି ଦେଇ ଯାଉଚ... ? ବିଚିତ୍ର !’

 

ଆଦର ମିଶା ଅସହିଷ୍ଣୁତା ସହ ଅଞ୍ଜଳି କହିଲା, ‘ଥାଉ ଥାଉ ଏତେ ଅର୍ଥ ଆଉ ତମେ କରନା । ସବୁ କଥା ଜାଣି କରି ପୁଣି ଚତୁରା ହେଉଚ । ସରସୀ ଅପା ବା’ ନ ହେଇ ରହିଥାନ୍ତା କେମିତିମ ?’

 

‘ଆଉ ତପସ୍ୟା ସାଧନା ଏସବୁ କଥା କାହିଁକି କହୁଚ ।’ ଏ ମନ୍ତବ୍ୟ ପରେ ନିରଞ୍ଜନ ଅଞ୍ଜଳିକି ପଚାରିଲା, ‘ସରସୀର ସ୍ୱାମୀ କଣ କରେ ତମେ ଜାଣିଚ ?’

 

‘ନା’

 

‘ସ୍ୱାମୀ ତାର ଜଣେ ଓକିଲ । ଦେଶରେ ନ୍ୟାୟ ପ୍ରତିଷ୍ଠା ପାଇଁ ଯେଉଁସବୁ ନିୟମ ଆଉ ଆଇନକାନୁନ୍ ଗଢ଼ାଯାଇଛି ତାକୁ ରକ୍ଷା କରିବା ପାଇଁ ଲଢ଼େଇ କରିବା ଓକିଲମାନଙ୍କର କାମ । ଏହିଭଳି ଜଣେ ଓକିଲ ହେଉଚି ସରସୀର ସ୍ୱାମୀ । ଆଉ ଏହିଭଳି ସ୍ୱାମୀର ସ୍ତ୍ରୀ ହେଉଚି ଜଣେ ଅଧ୍ୟାପିକା, ପୁଣି ଏହିଭଳି ସ୍ତ୍ରୀ ତାହାର ସ୍ୱାମୀ ହାତରୁ ପାଏ ନିଷ୍ଠୁର ପ୍ରହାର । ଆକୁ ତମେ ପୁଣି ତପସ୍ୟା କହିବ ଅଞ୍ଜଳି ? ଆଉ ତମେ ପୁଣି ମୋ ଉପରେ ଅଭିଯୋଗ କରିଚ–ମୁଁ ଜାଣିକରି ଚତୁରା ହେଉଚି...ଏଥିରେ ନ ଜାଣିବାର ଆଉ କଣ ଅଛି...ସେହି ଯୌନମିଳନଟାକୁ ତମେ ଲକ୍ଷ୍ୟ କରି ଏକଥା କହିଚ । ମୁଁ ଶିଷ୍ଟତା ରକ୍ଷାକରି ଆଗରୁ କହିଚି ‘ଆଦିମ ପିପାସା’; ସେ ଯା’ ହେଉ । ସେତକ ପାଇବା ପାଇଁ କଣ ସରସୀର ଅନ୍ୟ ଗତି ନଥିଲା ?’

 

ଏକାଥରକେ ନିରଞ୍ଜନ ବହୁତଗୁଡ଼ିଏ କଥା କହି ଅଞ୍ଚଳି ମୁହଁକୁ ଅନେଇ ରହିଲା । ନିଜର ସ୍ତ୍ରୀଠାରୁ ଏସବୁ ଦୁରୂହ ପ୍ରଶ୍ନ ଉପରେ ସେ ଉତ୍ତର ପାଇବ ବୋଲି ଆଶା କଲା । ମାତ୍ର ସମ୍ପୂର୍ଣ୍ଣ ନିରୁତ୍ତରା ହେଇ ଅଞ୍ଜଳି ଚାହିଁ ରହିଲା ସ୍ୱାମୀର ମୁହଁକୁ । କି ଉତ୍ତର ସେ ଦେବ ! ସତେ ଏ ବିବାହର ଉଦ୍ଦେଶ୍ୟ କଣ ? ମାଡ଼, ପ୍ରହାର, ନିର୍ଯାତନା–ଏସବୁ କଣ ଜୀବନର ସୁନ୍ଦର ଏକ ଏକ ଉପାଦାନ ?

 

କିଛି ସମୟ ପରେ କଥାର ମୋଡ଼ ଘୂରେଇ ନିରଞ୍ଜନ ପୁଣି କହିଲା, ‘‘ଯଦି ଆମର ସନ୍ତାନ ନ ହୁଏ ତାହେଲେ କଣ ଆମର ବିବାହ ବ୍ୟର୍ଥ ହୋଇଚି ବୋଲି ତମେ କହିବ ?’’

 

‘ଯଦି ଆମର ସନ୍ତାନ ନ ହୁଏ.......’

 

ଅଞ୍ଜଳି ହଠାତ୍‌ ଉତ୍ତର ଦେଇ କହିଲା, ‘‘ବ୍ୟର୍ଥ ହେଇଚି ସରସୀ ଅପାର ବିବାହ । ଆମର କାହିଁକି ହବ ? ତମ ଭଳି ସ୍ୱାମୀ...’’

 

ପ୍ରତିବାଦ କରି ଯେପରି କହିଲା ନିରଞ୍ଜନ, ‘‘ଥାଉ ଥାଉ, ସ୍ୱାମୀର ପ୍ରଶଂସା ଆଉ ତମେ ଗାଅନା, ଏହି ସ୍ୱାମୀ ଲାଗି ତମେ ଆଜି କାନ୍ଦୁଥିଲ ଯେ ପୁଣି...ସେହି ଲୋକକୁ ପୁଣି ପ୍ରଶଂସା...’’

 

‘‘ସେଇଟା ମୋର ଭୁଲ, ତମେ ଅଧିକ ଭଲପାଇ ମତେ ସେପରି କରି ଦେଇଚ । ନହେଲେ ସରସୀ ଅପାଠାରୁ ମୁଁ କୋଉ ଗୁଣରେ ବଡ଼ ? ସେ ପୁଣି ସ୍ୱାମୀ ହାତରୁ ମାଡ଼ ଖାଉଚି...ଆଁ ...ସତ କହିଲ, ସରସୀ ଅପା କେତେ କାନ୍ଦୁ ନଥିବ... ଆଉ ସେତେବେଳେ ତା’ ଛୁଆଗୁଡ଼ାକ ପୁଣି କେତେ ବିକଳ ହଉ ନଥିବେ...’’

 

ନିରଞ୍ଜନ ଅନେଇ ଦେଖିଲା । ଅଞ୍ଜଳିର ଆଖି ଲୁହ ଛଳଛଳ ହେଇ ଯାଇଚି । ନିଜର ଦୁଃଖ ଭୁଲିଯାଇ ଅନ୍ୟର ଗୁରୁତର ଦୁଃଖର ଚିନ୍ତାରେ ବିଲକୁଲ କାତର ହୋଇ ପଡ଼ିଛି ଯେମିତି । ସେ ପ୍ରବୋଧନା ଦେଇ କହିଲା, ‘‘ଥାଉ ଅଞ୍ଜଳି, ସେଥିପାଇଁ ଯେତେ ଚିନ୍ତା କଲେବି ଆମେ ହୁଏତ କିଛି କରି ପାରିବାନି । ଏଇଟା ଅନ୍ୟର ବ୍ୟକ୍ତିଗତ ଆଉ ପାରିବାରିକ ସମସ୍ୟା । ଯେତେ ଭାବିଲେ ବି ଆମେ ସେଥିରେ ହସ୍ତକ୍ଷେପ କରି ପାରିବାନି । କିନ୍ତୁ...’’

 

ଅଞ୍ଜଳି ସଚକିତ ହୋଇ କହିଲା, ‘‘ଆଉ କଣ ତମେ କହୁଚ ?’’

 

ନିରଞ୍ଜନ ରହି ରହି ଧୀରେ ଧୀରେ କହିଲା, ‘‘ମନଟା ଏସବୁ ସାଧାରଣସ୍ତର କଟେଇ, ବଡ଼ ଯୁକ୍ତିବାଦୀ ହେଇ ପଡ଼ିଚି...ପୁଣି ସେ ଦିଗରେ ନିଜର ଦୁର୍ବଳତା ଅଛିନା...’’

 

“ଦୁର୍ବଳତା ଆଉ କଣ ?”

 

‘‘ନା ଅଞ୍ଜଳି, ସେ କିଛି ନୁହେଁ । ମୁଁ କହୁଥିଲି କି, ତମେ ତମକଥାରେ ପ୍ରମାଣ କରି ଦେଇଛ ଯେ, ସନ୍ତାନ ଲାଭ ବିବାହର ସାର୍ଥକତା ନୁହେଁ । ବିବାହ କିମ୍ବା ଦୈହିକ ମିଳନର ଆନନ୍ଦ ସାଙ୍ଗରେ ସନ୍ତାନ ଲାଭର ସମ୍ପର୍କ ହୁଏତ ମୁଖ୍ୟ ନୁହେଁ...”

 

ଅଞ୍ଜଳି ଚମକି ଉଠି କହିଲା, ‘‘ସତେ, ମୋ କଥାର ଏଇ ଅର୍ଥ ବାହାରିଲା ? ହଁ ହୁଏତ ବାହାରିଥିବ, ସରସୀ ଅପାର କଥା ମତେ କେମିତି ଅସୁଖୀ କରି ଦେଇଚି । କେତେ ପାଠ ପଢ଼ିଲା, କେଡ଼େ ବଡ଼ ଚାକିରି କଲା, ଶେଷକୁ ଏଇୟା ହେଲା, ଯେଉଁ ଅସହାୟାନାରୀ କି ସେଇ ଅସହାୟା...ଏଥିରେ ସନ୍ତାନ ଲାଭକୁ ବିବାହର ସାର୍ଥକତା ବୋଲି ମୁଁ ଆଉ କେମିତି କହିବି ?’’

 

‘‘ଇଏ କଣ ? କିଏ ଏମିତି ଚିତ୍କାର କରି କାନ୍ଦୁଚି ?’’

 

ଅଞ୍ଜଳିର ସବୁ ଚିନ୍ତା ଥପ୍‌ କରି ବନ୍ଦ ହୋଇଗଲା । ନିରଞ୍ଜନର କଥାରେ ସେ କାନ ଡେରି ଶୁଣିଲା, ସତକୁସତ ନାରୀ କଣ୍ଠର କରୁଣ ବିଳାପ ପବନକୁ ମନ୍ଥି ଚକଟି ଭାସି ଆସିବାରେ ଲାଗିଚି । ସେ ଥରିଥରି କହିଲା, ‘‘ଶୁଣିଲଣି, ଆହୁରି କେତେ ଲୋକ କାନ୍ଦିଲେଣି.. କିଏ ମରିଗଲାନା କଣ ? କାନ୍ଦଣା ଯେମିତି ସେ ଆର ସାହିରୁ ଭାସି ଆସୁଚି...ସେ ସାହିରେ କିଏ ବେମାର ପଡ଼ିଥିଲାକି ?’’

 

ନିରଞ୍ଜନ ବିଚଳିତ ହୋଇପଡ଼ି ପାଟିକରି କହିଲା, ‘‘ଆରେ...ଦଧିଆତ ମରିଗଲା ! ବିଚରା ମାସେ ହବ ବେମାର ପଡ଼ିଥିଲା...ଆଜି ସକାଳେ ମୁଁ ତାକୁ ଦେଖି ଆସିଥିଲି...’’

 

‘‘ଦଧିଆ ଯିଏ ଭଲ ବାଜା ବଜାଏ ? ଆମ ଏଠିକି ଯିଏ ଆସି ଥରେ ତବଲା ନା କଣ ବଜଉ ଥିଲା ?’’

 

‘‘ହଁ...ଅଞ୍ଜଳି, ସେଇ ଦଧିଆ, ଜୀବନର ଛନ୍ଦର ଏକ ଉତ୍‌କୃଷ୍ଟ ବିକାଶ ସଙ୍ଗୀତର ଛନ୍ଦକୁ ଆଙ୍ଗୁଠିର ଟିପ ଛୁଇଁ ଯିଏ ଅଧିକ ରସମୟ କରୁଥିଲା, ସେଇ... ସେଇ ଦଧିଆ ମରିଗଲା...ତମେ ଥା, ମୁଁ ଆସେ ଅଞ୍ଜଳି-ଦଧିଆ ମୋର ଭାରି ସାଙ୍ଗ–ମୁଁ ଏଇକ୍ଷଣି ସଙ୍ଗୀତ ଚର୍ଚ୍ଚା ଛାଡ଼ି ଦେଇଚି ସିନା, ଆଗେ ମୁଁ ସେଥିରେ ପାଗଳ ରହିଥିଲି । ମୁଁ ଗୀତ ଗାଇଲେ, ଦଧିଆ ବାଜା ବଜାଏ–ଆଉ ଦଧିଆ ତବଲା ନ ଧରିଲେ ମୁଁ ଗୀତ ଗାଉ ନଥିଲି–ତାକୁ ଥରେ ଶେଷ ଦେଖା ଦେଖି ଆସେ–’’

 

‘‘କିନ୍ତୁ ଶୀଘ୍ର ଆସିବ ନା ?’’ ଅତିଶୟ ଭୟମିଶା ସ୍ୱରରେ କହିଲା ଅଞ୍ଜଳି । ତାର ସେ କଥା ଶୁଣି ନିରଞ୍ଜନ ଠୋ ଠୋ ହସି ଉଠିଲା ।

 

‘‘ମୃତ୍ୟୁର ଏ ଅଭିଯାନ ଭିତରେ ତମେ ପୁଣି ଏକୁଟିଆ ରହିବାକୁ ଡରୁଚ ଅଞ୍ଜଳି ? ହଉ, ହଉ, ମୁଁ ଆରଖଞ୍ଜାରୁ ନୂଆବୋଉଙ୍କୁ ଡାକି ଦେଇ ଯାଉଚି ।’’ କହି ନିରଞ୍ଜନ ଚାଲିଗଲା ।

 

 

ନିରଞ୍ଜନ ନୂଆବୋଉ ବିଧବା । ବୟସ ତିରିଶ ଭିତରେ ହେବ । ଗତ ଛ’ମାସ ହେଲା ସେ ଆସି ନିରଞ୍ଜନ ପାଖରେ ରହିଛି । ପ୍ରାୟ ଚାରି ବର୍ଷ ତଳେ ସ୍ୱାମୀ ତାର ମରିଯାଇଛି ବୋଲି ଶୁଣା ଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେ ସମ୍ବାଦ ରହସ୍ୟାବୃତ ହୋଇ ରହି ଥିଲେବି ସ୍ୱାମୀ ଆଉ ଫେରି ନାହିଁ । ପୂର୍ବ ବଙ୍ଗଳାର ଦୂର ଚାନ୍ଦିପୁରର କଥା । ସେଠି କଣ ଗୋଟିଏ ଭଲ ଫାଇଦା ସେ କରୁଥିଲା । ଚାନ୍ଦିପୁର ପାକିସ୍ଥାନର ଅନ୍ତର୍ଗତ ହେଲେ ମଧ୍ୟ ନିଜର ପ୍ରତିପତ୍ତି ଯୋଗୁ ସେ ସେଠାରେ ଭଲରେ ତିଷ୍ଠି ରହିଥିଲା ବୋଲି ଶୁଣା ଯାଉଥିଲା । କିନ୍ତୁ ପ୍ରାୟ ଚାରିବର୍ଷ ତଳେ ଦିନେ ଡାକଯୋଗେ ହଠାତ୍‌ ତାର ମୃତ୍ୟୁ ସମ୍ବାଦ ଆସି ପହଞ୍ଚିଲା । ପରେ ସେଠାରୁ ଅନ୍ୟାନ୍ୟ କେତେକ ଓଡ଼ିଆ ପ୍ରବାସୀ ଫେରିବାରୁ ସେମାନଙ୍କଠାରୁ ତା’ ବିଷୟରେ ଅନ୍ୟପ୍ରକାର ଘଟଣା ଶୁଣାଯାଇଥିଲା । ସେମାନେ ପ୍ରକାଶ କଲେ ଯେ, ଥରେ ଚାନ୍ଦିପୁର ବଜାରରେ ହିନ୍ଦୁ-ମୁସଲମାନଙ୍କ ଭିତରେ ଗଣ୍ଡଗୋଳ ଲାଗିଲା ଓ ସେଥିରେ ନିରଞ୍ଜନର ଭାଇ ନିତ୍ୟାନନ୍ଦର ସମସ୍ତ ସମ୍ପତ୍ତିପତ୍ର ଲୁଟ ହେଇଗଲା । ଘଟଣାକ୍ରମରେ ନିତ୍ୟାନନ୍ଦ ନିଜର ସମସ୍ତ ପ୍ରତିପତ୍ତି ହରାଇ ମୁସଲମାନମାନଙ୍କ ବିଷଚକ୍ଷୁରେ ପଡ଼ିଲା ଏବଂ ସେଥିରୁ ଉଦ୍ଧାର ପାଇବାର ଉପାୟ ନଦେଖି ଶେଷକୁ ନିରୁର୍ଦ୍ଦିଷ୍ଟ ପଥର ଯାତ୍ରୀ ହେଲା । ଆଉ କେହି କେହି କହନ୍ତି ଯେ ମୁସଲମାନମାନେ ତାକୁ ରାତିରେ ହରଣଚାଲ କରିନେଇ ହତ୍ୟା କରିଛନ୍ତି । ଯେଉଁମାନେ ଏହି ଶେଷ ଘଟଣାରେ ବିଶ୍ୱାସ କରନ୍ତି ସେହିମାନେ ଗାଁକୁ ନିତ୍ୟାନନ୍ଦର ମୃତ୍ୟୁସମ୍ବାଦ ଦେଇଥିଲେ ଓ ସେହି ଅନୁସାରେ ତାହାର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଛି ଆଉ ସ୍ତ୍ରୀର ବୈଧବ୍ୟଦଶା ମଧ୍ୟ ଘଟିଛି ।

 

ଏହିପରି ଏକ ରହସ୍ୟାବୃତ ପରିସ୍ଥିତି ଭିତରେ ବୈଧବ୍ୟଦଶା ଲାଭ କରିଥିବା ନୂଆବୋଉର କଥା ଅନେକ ସମୟରେ ନିରଞ୍ଜନ ପକ୍ଷରେ ଗଭୀର ଚିନ୍ତାର ବିଷୟ ହୋଇଛି । କୋଳରେ ତାର ଗୋଟିଏ ବୋଲି ପୁଅ । ବାପ ମରିବାର ବର୍ଷକ ଆଗରୁ ତାର ଜନ୍ମ ହୋଇଥିଲା । ଅଞ୍ଜଳି ମଧ୍ୟ ଯାଆର ଦଶାରେ ବେଳେବେଳେ ଅତିଶୟ ଅଧୀରା ହୁଏ । ଯାଆର ରୂପ ଯୌବନ ଏପର୍ଯ୍ୟନ୍ତ ସେମିତି ଅବିକୃତ ରହିଛି । ତାକୁ ବିକୃତ ଆଉ ମଳିନ କରିବା ପାଇଁ ଅବଶ୍ୟ ତାହାର ଅଧିକାରିଣୀ ପକ୍ଷରୁ ବହୁ ଉଦ୍ୟମ ଚାଲିଛି । କିନ୍ତୁ ମାଂସରେ କି ଜୀବନୀ ଶକ୍ତି ଅଛି କେଜାଣି ସବୁ ଅବହେଳାକୁ ଅଖାତିର କରି ସେ ଯେମିତି ରୂପ ଓ ଯୌବନର ବୈଜୟନ୍ତି ତୋଳିବାକୁ ବଦ୍ଧ ପରିକର । ବିଧବାର ସେହି ନିର୍ମାଖୀ ଜୀବନ ଭିତରୁ ଅଞ୍ଜଳି ଯେମିତି ଗୋଟିଏ ବିଷୟରେ ଯଥେଷ୍ଟ ସାହସ ପାଏ । ଯାଆ ତାର ଚାଲି ଯାଉଥିଲାବେଳେ ସେ ପଛରୁ ଅନେଇ ଅନେଇ ଭାବେ–ଅପାଙ୍କୁ ଆସି ତିରିଶବର୍ଷ ହେଲାଣି, ଆଉ ପୁଅକୁ ପାଞ୍ଚବର୍ଷ–ଅର୍ଥାତ୍‌ ପଚିଶ ବର୍ଷ ତଳେ ଅପାଙ୍କର ପୁଅ ହେଇଥେଲା । ଏହାପରେ ଅଞ୍ଜଳି ଆଉ କିଛି ଭାବି ପାରେନା । ନିଜର ବୈଧବ୍ୟ ବିଧୂରା ଯାଆଠାରୁ ସେ ଯେମିତି ସାହସର ପ୍ରେରଣା ପାଇ ଆତ୍ମ-ସନ୍ତୋଷରେ ମସଗୁଲ୍‌ ହୋଇଉଠେ ।

 

ତେଣେ ପୁଅ ଏକୁଟିଆ ଶୋଇଚି । ସେଥିଲାଗି ନୂଆବୋଉ ରତ୍ନମଣି ଅଞ୍ଜଳି ପାଖରେ ନରହି ତାକୁ ନିଜର ଶୋଇବା ଘରକୁ ଡାକି ନେଇଗଲେ ।

 

ତିନୋଟି ଲେଖାଏଁ ବଖରାରେ ଦୁଇଟି ଖଞ୍ଜା । ବଖରାଗୁଡ଼ିକୁ ବିଭକ୍ତ କରି ଘର ଗଢ଼ୁ ଗଢ଼ୁ ଦୁଇଟି ଖଞ୍ଜାର ଉତ୍‌ପତ୍ତି ହୋଇପଡ଼ିଛି । ତା’ଛଡ଼ା ସ୍ୱତନ୍ତ୍ର ଖଞ୍ଜା କହିବାର ଆଉ କୌଣସି ମୂଲ୍ୟ ନାହିଁ । ନିରଞ୍ଜନ ରହୁଥିବା ଖଞ୍ଜାରେ ଅଛି ଖଣ୍ଡିଏ ବୈଠକ ଘର ଓ ଅନ୍ୟ ଖଞ୍ଜାଟିରେ ଖଣ୍ଡିଏ ରୋଷେଇଘର । ରୋଷେଇଘର ଓ ଗାଧୁଆ ସ୍ଥାନ ମଝିରେ ଥିବା ଖାଲି ସ୍ଥାନରେ ଖଣ୍ଡିଏ ଚାଳ ଛାଉଁଣି କରାଯାଇ ତାକୁ ଗାଈ ଗୁହାଳରେ ପରିଣତ କରାଯାଇଛି । ଅଗଣା ମଝିରେ କୂଅ ।

 

ରତ୍ନମଣିଙ୍କ ସଙ୍ଗରେ ସେହି ତଳ ଖଞ୍ଜାକୁ ଗଲା ଅଞ୍ଜଳି । ଯିବାବେଳେ ସ୍ୱାମୀ ପଢ଼ୁଥିବା ସେହି ବହିଖଣ୍ଡକ ସେ ହାତରେ ଧରି ଚାଲିଗଲା । ଦୁଇ ଯାଆଙ୍କ ଭିତରେ କିଛି ସମୟ କଥା ହେବାପରେ ଅଞ୍ଜଳି କହିଲା, ‘‘ଜାଣିଲ ଅପା ଏ ବହିଟି ମୋର ମାଉସୀ ଝିଅ ଭଉଣୀ ବିଷୟରେ ଲେଖା ହେଇଚି । ଆକୁ ପଢ଼ିଲେ ତମେ ନ କାନ୍ଦି ରହି ପାରିବନି । କେତେ ପାଠ ପଢ଼ିଛି...ବଡ଼ ଚାକିରି କରିଚି...କିନ୍ତୁ ସ୍ୱାମୀଠାରୁ ସୁଖ ପାଇନି...ଭାରି ହତଭାଗୀ...’’

 

ରତ୍ନମଣି ଜିଜ୍ଞାସୁ ହୋଇ କହିଲା, ‘‘କଣ ସେ ବିଧବା ? ବୟସ କେତେ ?’’

 

ଅଞ୍ଜଳି କଣ୍ଠରେ ଉତ୍ତେଜନା ଧରି କହିଲା, ‘‘ନାଇଁମ, ବିଧବା କାହିଁକି ହବ, ମୋଟେ ଚବିଶ କି ପଚିଶ ହବ ବୟସ, ସ୍ୱାମୀ ପୁଣି ଗୋଟା ଓକିଲ...ପୋଡ଼ି ଯାଉତା ଓକିଲାତି । ଶୁଣୁଚ ଅପା, ଏତେ ବଡ଼ ପାଠପଢ଼ା ସ୍ତ୍ରୀଟାକୁ ସେ ପୁଣି ହାତ ପୂରେଇ ମାଡ଼ମାରେ...’’

 

ରତ୍ନମଣି ଆଖିରୁ ସେତେବେଳକୁ ଦୁଇଧାର ଅଶ୍ରୁ ବହିଗଲାଣି । ସେ ଧୀର କଣ୍ଠରେ ସଂକ୍ଷେପରେ କହିଲା, ‘‘ଯା ହେଉ, ସ୍ୱାମୀ ତ ଅଛି........ ସେହି ଢେର........’’

 

‘‘ତମେ କଣ କହୁଚ ଅପା, ଏମିତି ସ୍ୱାମୀ ନ ଥିବା ଆହୁରି ଢେର ଭଲ । ତାର ଛୁଆ ପିଲା ହେଇଛନ୍ତି...ପୁଣି ନିଜେ ଟଙ୍କା ରୋଜଗାର କରୁଚି କୁହନି ଅପା, ସେ ପ୍ରଫେସର ଚାକିରି କରୁଚି, କେତେ ଲୋକଙ୍କ ସାଙ୍ଗରେ ତାର କାରବାର । ସେଥିରେ ସେ ଆଉ କାହାରି ସାଙ୍ଗରେ କଥାଭାଷା ହବନି ! ଏଥିରେ ତୁ ଶିକ୍ଷିତ ଲୋକଟା ତାକୁ ହାତ ପୂରେଇ ମାଡ଼ ମାରିବୁ । ସେ ମରିଗଲେ ଆହୁରି ସରସୀ ଅପା ଢେର ଭଲରେ ରହନ୍ତା ।’’

 

ଅଞ୍ଜଳିର ଏ ଭଳି କଥା ଶୁଣି ରତ୍ନମଣି ଚିତ୍କାର କରି ଉଠିଲା, ‘‘ଅଂଜୁ ?’’

 

ସ୍ୱରରେ କଣଥିଲା କେଜାଣି, ସେଥିରେ ଚମକି ଉଠିଲା ଅଞ୍ଜଳି । ସେ ଆଖି ଉଠେଇ ଦେଖିଲା, ତାର ବିଧବା ଯାଆ ରତ୍ନମଣିର ଆଖିରେ ଦୁଇଧାର ଅଶ୍ରୁ । ସେ ଆଉ କିଛି କହି ପାରିଲାନି । କେତେବେଳକେ ରତ୍ନମଣି କହିଲା, ‘‘ଯେତେହେଲେ ସ୍ୱାମୀତ ! ସେ ଆପେ ଦିନେ ନିଜ ଭୁଲ ବୁଝି ପାରିବ । ଆଉ...’’

 

ଏହାପରେ ଯାଆ ତାର କଣ କହିବାକୁ ଚାହୁଁଛନ୍ତି ଅଞ୍ଜଳି ବୁଝି ପାରିଲା । ତାର ମନେ ହେଉଥାଏ, ସେ କୁହନ୍ତା, ଆଉ ସ୍ୱାମୀ ତାର ଭୁଲ ବୁଝି ନ ପାରିଲେ ବି ସ୍ତ୍ରୀ କି କଣ ମାଡ଼ ଖାଇ ଖାଇ ରହିବାକୁ ପଡ଼ିବ । ସେ କେବେ ଭୁଲ ବୁଝିବ କିଏ କହିବ, ତାହାର କି ନିଶ୍ଚିୟତା ଅଛି । କିନ୍ତୁ ଏତେ କଥା ଭାବିଲେ ବି ସେ ମୁହଁଖୋଲି କିଛି କହିଲାନି । ସେ ବୁଝି ପାରିଲା ବୈଧବ୍ୟ ଦଶାରେ ଅପା ତାର ଯେଉଁ ଦୁଃଖ ଭୋଗୁଛନ୍ତି ତାର ସେହି କଥା କେଇ ପଦରେ ତାହା ଅଧିକ ଘାରି ହୋଇ ଉଠିଛି । ହଁ ଅପା ଆଉ କିଛି କଥା ପକାନ୍ତେ କି । ସେ କେତେବେଳେ ଯାଇ ଫେରିବେ...

 

ଏତିକିବେଳେ ପୁଅ କଡ଼ ଲେଉଟେଇ ନିଦରେ ବୋଉର କୋଳ ଖୋଜିବାକୁ ଲାଗିଲା । ପିଠିରେ ତାର ହାତ ଥାପୁଡ଼େଇ ଥାପୁଡ଼େଇ ରତ୍ନମଣି କହିଲା, ‘‘ଗୋବିନ୍ଦକୁ ଆସି ପାଞ୍ଚ ବର୍ଷ ଚାଲିଲା । ଏବର୍ଷ ତାର କାନଫୋଡ଼ା ଆଉ ଖଡ଼ିଛୁଆଁ ହବାର କଥା । ନିରଞ୍ଜନକୁ ତୁ କହିବୁତିଲୋ ଅଞ୍ଜଳି ! ଦିନ ଧରି ଏସନ ଗାଁକୁ ଯାଇ ସେ କାମ ବଢ଼େଇ ଆସିବା । ତାର ଆଉ କିଏ ଅଛି...’’

 

ଏତିକି କହିବା ସଙ୍ଗେ ସଙ୍ଗେ ରତ୍ନମଣିର ଆଖିରେ ଅଶ୍ରୁ ଆଉ ବାଧା ମାନିଲାନି । ସେ ପିଲାଟି ପରି ଯେମିତି କଇଁ କଇଁ ହୋଇ କାନ୍ଦି ଉଠିଲା । ସେହି କାନ୍ଦିବା ଭିତରେ ସେ କହିବାକୁ ଲାଗିଲା–

 

‘‘ଗୋବିନ୍ଦ ବର୍ଷକର ହେଲାପରେ ସେ ଥରେ ଆଇଥିଲେ । ପୁଅର କାନଫୋଡ଼ାଠଉଁ ପାଠ ପଢ଼ାଯାଏ ଦିନେ ଶୋଇ ଶୋଇ କେତେ କଥା ଗପିଗଲେ । ପୁଣି ପୁଅର ବା’ଘର କେମିତି କରିବେ ସେ କଥାବି କହୁଥିଲେ । କିନ୍ତୁ ଶେଷକୁ କିଛି ଦେଖିବାକୁ ରହିଲେନି ।’’

 

ଶେଷ କଥାତକ କହି ଅତି ଅଧୀର ହୋଇ ପଡ଼ିଲା ରତ୍ନମଣି । ଅଞ୍ଜଳି ଏ ଘଟଣାରେ ବିଶେଷ ଭାବରେ ବିମୂଢ଼ା ହୋଇପଡ଼ିଲା । ସବୁ ଦୋଷ ତା’ରି । ସେ ସରସୀ ଅପା କଥା ପକେଇ ଏତେ କଥା ବାହାର କଲା । ସେ ଅତି କଷ୍ଟରେ ସାହସ ବାନ୍ଧି କହିଲା–‘‘ଗୋବିନ୍ଦ ଛଡ଼ା ଆମର ଆଉ କିଏ ଅଛି ଅପା ! ସେ ଆମର ସବୁ । ସିଏ ବି ମତେ ସବୁଦିନ ସେଇକଥା କହନ୍ତି । ପୁଅର କାନଫୋଡ଼ା ଆଉ ଖଡ଼ିଛୁଆଁ ପେଇଁ ଢେର ଟଙ୍କା ଖର୍ଚ୍ଚ କରିବ । କଅଣ ହବ ଆମର ଟଙ୍କା । ଦିଅର ତମର ମାସକୁ ପାଁ ଶ’...ସାତ ଶ’ କମଉଛନ୍ତି...ଗାଁରେ ପୁଣି ଏତେ ସମ୍ପତ୍ତିବାଡ଼ି...ଗୋବିନ୍ଦ ପେଇଁ ଖର୍ଚ୍ଚ ହବନି ସେ ସବୁ ଆଉ କ’ଣ ହବ ? ସେସବୁ ଲାଗି କିଛି ଭାବନା ଅପା । ଗୋବିନ୍ଦ ପାଠପଢ଼ାରେ ଯେତେ ଟଙ୍କା ଲାଗିବ ସବୁ ଖର୍ଚ୍ଚ କରାଯିବ ।’’

 

ଏତକ କହି ସାରିଲା ପରେ ଅଞ୍ଜଳିର ପୁଞ୍ଜି ଶେଷ ହୋଇଗଲା । ଲୁହ ପୋଛି ତା ମୁହଁକୁ ଅନେଇ ରହିଲା ରତ୍ନମଣି । ଯେମିତି ଅଞ୍ଜଳି ତାର ଏକା ମା’ ପେଟର ଭଉଣୀ । ସେ ଭାବିଲା, ଅଞ୍ଜଳି ଏମିତି ଢେର ଢେର କଥା କୁହନ୍ତାକି, କିଛି ଦୁଃଖ ସେ ଆଉ ଯେମିତି ଅନୁଭବ କରନ୍ତାନି । କିନ୍ତୁ...କିନ୍ତୁ...ଅଞ୍ଜଳି ଆଉ କଣ କହିବ...କହି ପାରିବ ଯମପୁରର କଥା...ସେ ମରିଚନ୍ତି କି ନାହିଁ କହି ପାରିବ....

 

ଅଞ୍ଜଳି...

 

ରତ୍ନମଣି ଆଶ୍ଚର୍ଯ୍ୟ ହୋଇ ଶୁଣିଲା ତାରି ପାଟିରୁ ଅଜାଣତରେ ଏ କଥା ବାହାରି ପଡ଼ିଛି-। ଆଉ ଅଞ୍ଜଳି ଉତ୍ସୁକ ଆଖିରେ ତା ମୁହଁକୁ ଚାହିଁ ରହିଛି । ସେ ଆଉ କଣ କହିବ ? କିଛି ଭାବି ପାରିଲାନି ରତ୍ନମଣି । କଥା ଖୋଜି ଖୋଜି କହିଲା–

 

‘ହଁ... ମୁଁ କହୁଥିଲିକି ନିରଞ୍ଜନ କଟକରେ ଖଣ୍ଡେ ଘର କରନ୍ତେନି ସବୁଦିନେ କଣ ଏମିତି ଭଡ଼ା ଘରେ ରଇଥିବ...’

 

ମନେ ମନେ ନିଜକୁ ଖୁବ୍‍ ଧନ୍ୟବାଦ ଦେଲା ରତ୍ନମଣି । ସେ ଆଉ କ’ଣ କହି ପାରିଥାନ୍ତା.... ଆଉ ମନ୍ଦ କଥାତ କିଛି କହିନି ।

 

ରତ୍ନମଣି ଯେ ଗୋଟିଏ ସମସ୍ୟାରେ ପଡ଼ି ଏସବୁ କହିଛି ସେକଥା ଅଞ୍ଜଳି ଆଦୌ ବୁଝି ପାରିଲାନି । ବରଂ ଏ କଥାର ଆଲୋଚନାର ଗତିଟା ଘୂରି ଯାଇଥିବାରୁ ସେ ଯତ୍‌ପରୋନାସ୍ତି ଖୁସି ହେଲା । ଉତ୍ତର ଦେବାକୁ ଯାଇ ସେ ଉତ୍ସାହିତ ହେଇ କହିଲା, ‘ଏ ସହରରେ ତମେ ଘର ତିଆରି କରିବା କଥା ବହୁଚନା ଅପା...ଝକ ମାରି କାମ...ଭାରି ଜଂଜାଳ...ଆଙ୍କର ପୁଣି ସେଥିକି ବେଳ କାହିଁ...ଆଉ ଜାଣିଛ ଅପା, ଏ ଘରଟା ଆମର ନିଜର ହେଇ ଗଲାଣି । କଣ୍ଟ କବଲା କରି ଘର ମାଲିକ ତମ ଦିଅରଙ୍କଠଉଁ ତିନି ହଜାର ଟଙ୍କା ନେଇଥିଲା । ଛ’ମାସ ହେଲା ମିଆଦ ତାର ପୂରି ଗଲାଣି । ଏବେ ଏ ଘର ଖାସ ଆମର ହେଇଛି...ମାନେ ଏ ଘରର ମାଲିକ ହେଇଚି ଆମର ଗୋବିନ୍ଦ....’

 

ଗୋଟିଏ ଫାଙ୍କା କଥା ଭିତରୁ ଏତେଗୁଡ଼ିଏ ସନ୍ତୋଷ ମିଳିଯିବ ବୋଲି ରତ୍ନମଣି ଆଶା କରି ନଥିଲା । ଅପାର ଦୁଃଖ ଭୁଲେଇ ତାକୁ ଭିନ୍ନ ଦିଗକୁ ନେଇ ପାରିଥିବାରୁ ଅଞ୍ଜଳି ମଧ୍ୟ ଯଥେଷ୍ଟ ଆଶ୍ୱସ୍ତ ହୋଇଚି ।

 

ପୁଣି ନୀରବତା ଭଙ୍ଗ କରି କହିଲା ରତ୍ନମଣି, ‘ଆଲୋ କିଏ ମଲାକି, ତାକୁ ଦେଖିବାକୁ ଏତେ ରାତିରେ ନିରଞ୍ଜନ ବାହାରକୁ ବାହାରିଗଲେ । ଏସବୁରେ ତୁ ଟିକେ ତାଙ୍କୁ ଆକଟ କରିବୁ ଲୋ ଅଞ୍ଜୁ, ଏସବୁ କି କଥା...’

 

ହଁ...ହଁ... ଠିକ୍‌ କହିଲ ! ମୁଁ ଆକଟ କରିବି ଅପା...କିନ୍ତୁ ସେ ଦଧିଆ ମରିଗଲା ପରା...

 

ହଠାତ୍‍ ଭୁଲ ବୁଝିପାରି ଭାବ ବଦଳେଇଦେଇ ଅଞ୍ଜଳି କହିଲା–‘ମୁଁ କଣ ସେକଥା ଜାଣିଚି ନା ଶୁଣିଚି...ସେଇତ ସବୁ କହୁଥିଲେ, କୁଆଡ଼େ ସେ ଭଲ ବାଜା ବଜଉଥିଲା... କହିଲ ଅପା, ଆମକୁ ସେ ବାଜା ବଜେଇବାରୁ କଣ ମିଳିବ...ଆପେ ଭଲତ ଜଗତ ଭଲ । ହଁ ଅପା, ମୁଁ ଏଥର ତାଙ୍କୁ ଆକଟ କରିବି ।’ କହି ଭିତରେ ଭିତରେ ହସି ଉଠିଲା ଅଞ୍ଜଳି ।

 

 

ଦଧିଆର ଆଉ କେହି ସେମିତି ନଥିଲେ । କେବଳ ଆଠବର୍ଷର ପୁଅଟିଏ ଆଉ ସ୍ତ୍ରୀ । ଚାଳିଶ ବର୍ଷରେ ଦଧିଆର ମୃତ୍ୟୁ ହୋଇଗଲା । ପ୍ରତିଭାଶାଳୀ ଦଧିଆର ଅକାଳ ମୃତ୍ୟୁ ପଛରେ ଯେ ଖାଦ୍ୟାଭାବ ପ୍ରଧାନ କାରଣ ତାହା ନିରଞ୍ଜନ ଭଲରୂପେ ବୁଝିପାରିଛି । ପୁଅକୁ ଆଠବର୍ଷ ହେଲେ ମଧ୍ୟ ସାରହୀନ ସ୍ୱାସ୍ଥ୍ୟଧରି ସେ ଚାରିବର୍ଷର ଶିଶୁଭଳି ଦିଶୁଛି । ଯେମିତି ମୁମୂର୍ଷୁ ଲତାର ଗୋଟିଏ କରମା ଫଳ । ସ୍ତ୍ରୀର ଅବସ୍ଥା ମଧ୍ୟ ତଦ୍ରୂପ । ଅଭାବ ଅସୁବିଧାରେ ପଡ଼ି ଅନେକ ଡେରିରେ ଦଧିଆ ବିବାହ କରିଥିଲା ପ୍ରାୟ ତିରିଶ ବର୍ଷରେ । ସେତେବେଳକୁ ସ୍ତ୍ରୀକୁ ମୋଟେ ପନ୍ଦରବର୍ଷ । ବହୁ କଷ୍ଟରେ ଦି’ କୋଡ଼ି ଟଙ୍କା ସଂଗ୍ରହ କରି ସହରତଳି ଅଞ୍ଚଳର ଗୋଟିଏ ରାଣ୍ଡ ସ୍ତ୍ରୀ ଲୋକର ଝିଅକୁ ଖରିଦ କରି ଆଣିଥିଲା । ସେହି ଚାଳିଶଟି ଟଙ୍କା ରାଣ୍ଡ ସ୍ତ୍ରୀ ଲୋକଟିର ଭାଗ୍ୟ ପରିବର୍ତ୍ତନ କରି ଦେଇଚି । ଗାଁର ଜଣେ ତାଲବର ଲୋକ ନିଜର ବୁଢ଼ୀ ଗାଈଟିଏ କଂସେଇକି ବିକି ଦେବାକୁ ସ୍ଥିର କରିଥିଲେ । ମାତ୍ର ପାଞ୍ଚଟି ଟଙ୍କାରେ ଦଧିଆର ଶାଶୁ ବୃଦ୍ଧା ଗୋମାତାର ଜୀବନ ରକ୍ଷା କରି ସେଥିସହ ନିଜର ଜୀବନ ମଧ୍ୟ ରକ୍ଷା କରି ପାରିଛି । ସଯତ୍ନ ପାଳନ ଓ ନିୟମିତ ଖାଦ୍ୟ ପାନୀୟର ବ୍ୟବସ୍ଥା ଫଳରେ ବୁଢ଼ୀ ଗାଈ କଅଁଳେଇ ଗୋଟିଏ ଅଣ୍ଡିରା ପିଲା ଜନ୍ମ କଲା । ଦୁଧ ଦହି ବିକି ବୁଢ଼ୀ କିଛି କାଳ ବଞ୍ଚିଯିବା ପରେ ଅଣ୍ଡିରାଟିକୁ ଉଚ୍ଚ ଦରରେ ବିକି ବୁଢ଼ୀ ଆଜି ଘର ଆଗରେ ଯୋଡ଼ିଏ ଦୁଧିଆଳୀ ଗାଈ ବାନ୍ଧିଛି । ଅବଶ୍ୟ କଂସେଇ ହାତରୁ ଉଦ୍ଧାର ପାଇଥିବା ସେହି ବୁଢ଼ୀ ଗାଈଟି ଆଜି ଆଉ ନାହିଁ । ଦୁଇ ବର୍ଷ ହେଲା ସେ ଯମ ହାତରେ ପଡ଼ିଛି । କିନ୍ତୁ ସେହି ଗତାସୁ ବୃଦ୍ଧା ଗୋମାତାର ପ୍ରସାଦରୁ, ବୁଢ଼ୀର ହାତ ଭଲ ତେଲନ୍ତିଆ ହୋଇଛି ବୋଲି ଗାଁରେ କଥାଭାଷା ହୁଅନ୍ତି ।

 

ଦଧିଆର ଜାତି କଣ ତାହା କେହି ସଠିକ ଜାଣନ୍ତିନି । କିଏ କହେ ମାସ୍ତାନ, କିଏ କହେ ନାହାକ, କିଏ କହେ ବଇଷିମ । ସେଥିଯୋଗୁଁ ତା’ର ଶବ ସତ୍କାରରେ ବଡ଼ ଅସୁବିଧା ଦେଖାଦେଲା-। ତାକୁ ପଞ୍ଚରେ ଦେଇ ମଶାଣିରେ ନେଇ ପକେଇ ଦେବାକୁ ସାହିରଲୋକେ ପ୍ରସ୍ତାବକଲେ-। ସେହିପରି ଏକ କରୁଣ ପରିସ୍ଥିତି ଭିତରେ ଦଧିଆର ବିଧବା ସ୍ତ୍ରୀଠାରୁ ତାର ଘର ଖଣ୍ଡକ କେମିତି ଖରିଦ କରାଯାଇ ପାରିବ କେତେକ ତାହାର ମସୁଧା କରିବାରେ ମଧ୍ୟ ଲାଗିଗଲେ-। ନିରଞ୍ଜନ ପହଞ୍ଚିଯିବା ଯୋଗୁ ଅବସ୍ଥା ସମ୍ଭଳା ପଡ଼ିଗଲା ।

 

ସେ ଚିତ୍କାର କରି କହି ଉଠିଲା, ‘‘ଦଧିଆ କାହାକୁ ଆନନ୍ଦ ନ ଦେଇଚି ? କୋଉ ପଡ଼ାର ଲୋକେ ଦଧିଆ ବାଜାରେ ହାତ ଦେଲେ ତା’ର ତାନମାନରେ ମୁଗ୍‌ଧ ନ ହେଇଚନ୍ତି କୁହ ? ସେତେବେଳେ ତାର ଜାତି ଖୋଜୁ ନଥିଲେ କେହି ? ଏଡ଼େବଡ଼ ପ୍ରତିଭାର ପୁଣି ଜାତି ଖୋଜୁଚ ତମେ ? ଆଉ ତା’ର ଶବକୁ ପଞ୍ଚରେ ଦେଇ ମଶାଣିରେ ଫୋପାଡ଼ି ଦବାକୁ ଭାବୁଚ ତମେ ?’’

 

ଶେଷକୁ ଶବ ସତ୍‌କାର ସବୁ ଖର୍ଚ୍ଚର ଭାର ବହନ କଲା ନିରଞ୍ଜନ । ପୁରୁଖା ଲୋକମାନେ ଫୁସ୍‌ଫାସ୍‌ ହେଲେ । ରାଣ୍ଡୀର ଢିଅ ଖଣ୍ଡକୁ ହାତ କରିବା ପାଇଁ ବାବୁଙ୍କର ଏସବୁ ଯୋଗାଡ଼ । ଶେଷରେ ସେମାନଙ୍କର ସେ ଫୁସ୍‌ଫାସ୍‌ ନିରର୍ଥକ ହେଲା । କେତେଜଣ ଯୁବକ ନିରଞ୍ଜନ ପାଖରେ ଆସି ଠିଆହେଲେ । ଲାଇଟ୍ ଆସିଲା । ବାଜା ମଧ୍ୟ ବାଜିଲା । ଆଡ଼ମ୍ବର ଭିତରେ ବାଦକ ଦଧିଆର ଶବ ପଟୁଆର ଚାଲିଲା, ଆଉ ସତ୍‌କାର ମଧ୍ୟ ହେଲା ।

 

ସେତେବେଳକୁ ରାତି ଆସି ପାହିଗଲାଣି । ରତ୍ନମଣି ଆଉ ଅଞ୍ଜଳି ଅଧିକ ଗଳ୍ପ ରଚନାର ଆଉ କିଛି ସୂତ୍ର ନପାଇ ଶେଷକୁ ତନ୍ଦ୍ରାଚ୍ଛନ୍ନ ହୋଇ ପଡ଼ିଲେଣି । ଏତିକିବେଳେ ଦରଜାର କଡ଼ା ଖଡ଼ଖଡ଼ ସହ ଦାଣ୍ଡ ଦୁଆରେ ନିରଞ୍ଜନର ପାଟି ଶୁଭିଲା । ଉଠିପଡ଼ି କବାଟ ଖୋଲିବାକୁ ଗଲା ରତ୍ନମଣି । ଅଞ୍ଜଳି ସେପର୍ଯ୍ୟନ୍ତ ଢୋଳଉଚି ।

 

‘‘ମତେ ଖଣ୍ଡେ ଶୁଖିଲା ଲୁଗା ଦିଅ ନୂଆବୋଉ !’’

 

ନିରଞ୍ଜନର କଥାଶୁଣି ଚମକି ପଡ଼ିଲା ରତ୍ନମଣି । ସେ ଆଖି ଉଠେଇ ଦେଖିଲା–ନିରଞ୍ଜନର ଲୁଗାପଟା ସବୁ ଓଦା ସରସର । ଦିଅରକୁ ସେ ଏବେ କ୍ୱଚିତ୍‌ କିଛି କହେ । କିନ୍ତୁ ଏ ଦୃଶ୍ୟ ଦେଖି ସେ ଚିତ୍କାର କରି ଉଠିଲା, ‘ତମେ କଣ କଲ ନିର ? କିଏ ବୋଲି କିଏ–ତମେ ତା’ ଲାଗି ମଶାଣିକି ମୁର୍ଦ୍ଦାର ପୋଡ଼ି ଆସିଲ ନା କ’ଣ ? ଅଂଜୁ ! ଅଂଜୁ ! ଲୋ ଅଂଜୁ....... !’’

 

କହି କହି ସେ ଘର ଭିତରକୁ ଚାଲିଗଲା । ଫେରି ଆସି ନିରଞ୍ଜନ ହାତକୁ ଖଣ୍ଡେ ଗାମୁଛା ପକେଇ ଦେଲା । ‘‘ଗାମୁଛା ବଦଳି ଲୁଗାପଟା ପିଣ୍ଡାରେ ପକେଇ ଦେଇ ଆସ–ଧୋବଣୀ ଆସି ନବ–ହବନେଇଁ–ହବନେଇଁ–କେମିତି ତମ ସାଙ୍ଗରେ ଏଠି ଅଞ୍ଜୁ ରହିଚି କେଜାଣି–ବାର ଅନ୍ୟାଚାର, ସେଥିରେ ଅଂଜୁକୁ ଦୋଷ ଦଉଚନ୍ତି ଗାଁରେ–’’

 

ସେତେବେଳକୁ ଅଞ୍ଜଳି ଆସି ସେଠାରେ ପହଞ୍ଚିଗଲାଣି । ତା ବିରୁଦ୍ଧରେ ଅପା ମୁହଁରେ ଅଭିଯୋଗର ସ୍ୱର ଶୁଣି ସେ ହସି ହସି ପଚାରିଲା–‘‘କ’ଣ, ଅପା ! ଗାଁରେ ମୋ ଦୋଷ କ’ଣ ଦଉଚନ୍ତି ? ମୁଁ କ’ଣ କଲିକି–’’

 

ନିରଞ୍ଜନ ମୁହଁରେ ହସ । ସେ ଯେମିତି ନୂଆବୋଉଙ୍କ କଥାର ରହସ୍ୟ ଧରି ପାରିଲାଣି-। ଅଞ୍ଜଳିର ପ୍ରଶ୍ନ ଶୁଣି ରତ୍ନମଣି କମ୍ପି ଉଠି କହିଲା, ‘‘ତୁ ଗୋଟା ଦୁଧଖିଆ ପିଲା–କିଛି ସତିକା ଜାଣିନଉଁ–ସହରରେ ଖାଲି ରୂପଯୌବନ ଖେଳେଇ ବୁଲୁଥା–କୋଠାରେ ଗୋଟା ଛୁଆପିଲା ତ କାନ୍ଦିଲା ନେଇଁ–ସ୍ୱାମୀଟାକୁ ଟିକେ...’’

 

ଥପ୍‌କରି ବନ୍ଦ ହୋଇଗଲା ରତ୍ନମଣିର କଥା । କାହିଁକି, ହଠାତ୍ ଏମିତି କ’ଣ ହେଲା ତା’ର କେହି ବୁଝିପାରିଲେ ନାହିଁ । ରତ୍ନମଣି ନିଜେ ଭିତରେ ଭାବିଲା, ଅଞ୍ଜଳି ସ୍ୱାମୀଙ୍କି ଆକଟ କରୁନେଇଁ ବୋଲି ସେ ତ ତାକୁ କହିବାକୁ ଯାଉଥିଲା ପଦେ କଥା । ସେଥିରେ ଓଲଟି ସେ କାହିଁକି ବିଷେଇଗଲା । ଓଃ–ଏଇ ସ୍ୱାମୀ ଶବ୍ଦଟା ତା’ ପକ୍ଷରେ ବଡ଼ ସାଘାଂତିକ, ମର୍ମନ୍ତୁଦ । କିଛି ନ କହି ସେମିତି ଛିଡ଼ା ହୋଇ ରହିଲା ରତ୍ନମଣି ।

 

ହଠାତ୍‌ ସେଠୁ ଚାଲିଯାଇ ଶେଯରୁ ଗୋବିନ୍ଦକୁ ଧରି ଫେରି ଆସିଲା ଅଞ୍ଜଳି । ତାକୁ ଦି’ଥର ତଳେ ନଚାଇ ଦେଇ କହିଲା, ‘‘କାନ୍ଦ୍‌ରେ ଗୋବିନ୍ଦ କାନ୍ଦ୍‌–ଏ କୋଠାରେ ପରା ପିଲା କାନ୍ଦୁନେଇଁ ବୋଲି ତୋ ବୋଉ କହୁଛି–ତୁ ନିତି ଏଥର ସକାଳୁ ଉଠି କାନ୍ଦିବୁ–’’

 

ଗାମୁଛା ବଦଳି ଘର ଭିତରକୁ ପଶି ଆସିଲା ନିରଞ୍ଜନ । ଅଞ୍ଜଳିର ଏ ଅଭିନୟକୁ ସେ ଖୁବ ଅନୁମୋଦନ କଲା ଯେମିତି ମନେ ମନେ । ଅଳିନ୍ଦରେ ଟିକେ ଠିଆ ହୋଇ ପଡ଼ି ସେ କହିଲା, ‘‘ନାଇଁରେ ଗୋବିନ୍ଦ, ସକାଳୁ ଉଠି ତୁ ଖୁବ ହସିବୁ । ତୋ’ରି ହସରେ ଆମରି ନିଦ ଭାଙ୍ଗିବ । ବୋଉ ତୋର କେଡ଼େ ସୁନ୍ଦର ଦେଖ୍‌ନି–ତୁ ପୁଣି କାନ୍ଦିବୁ କାଇଁକି ସତେ ନୂଆବୋଉ, ଗୋବିନ୍ଦ ବିଲ୍‌କୁଲ୍‌ ତମରି ଚେହେରା ନେଇଚି ।’’

 

କହି କହି ଭିତରକୁ ଚାଲିଗଲେ ନିରଞ୍ଜନ ।

 

ରତ୍ନମଣିର ଦେହ ସାରା ଲାଜରେ ଲାଲ୍‌ ହେଇଗଲା ଯେମିତି । ସବୁ ଅଙ୍ଗକୁ ଥରେଇ ଗୋଟା ଶିହରଣ ଖେଳିଗଲା । ଉଷାର କନକ ଆଭାରେ ଝଟକି ଉଠୁଚି ରତ୍ନମଣିର ରୂପ । ତାକୁ ଏକ ଆଖିରେ ଅନେଇ ରହିଲା ଅଞ୍ଜଳି । ଗୋବିନ୍ଦକୁ କୋଳକୁ ଟେକି ନେଇ କହିଲା, ‘‘ତୋର, ବୋଉ ଭଲ ନା ଖୁଡ଼ୀ ଭଲ, କହିଲୁ ? ସକାଳୁ ସତ କହିବୁ !’’

 

ଗୋବିନ୍ଦ ହସି ହସି କହିଲା, ‘‘ତୁ ।’’

 

ଏତେବେଳକେ କ୍ଷୀଣ ହସଟିଏ ହସି ରତ୍ନମଣି ଚାଲିଗଲା ତଳ ଖଞ୍ଜାକୁ ।

 

 

ଖରାବେଳେ ବିଛଣାରେ ପଡ଼ି ପଡ଼ି ନିରଞ୍ଜନ କେତେ କଥା ଭାବୁଥାଏ । ପ୍ରଥମେ ଚାକିରି ଜୀବନ କଥା ତା’ର ମନେ ପଡ଼ିଲା । ଗୋଟିଏ ସରକାରୀ ଅଫିସ୍‌ରେ କିରାନି ଚାକିରି ସେ କରୁଥିଲା । ଷାଠିଏ ଟଙ୍କା ଦରମା । ଦୀର୍ଘ ପାଞ୍ଚବର୍ଷ ହେଲା ସେଇ କିରାନି ଚାକିରି ସେ ଛାଡ଼ି ଦେଇଛି । ଏଇ ପାଞ୍ଚବର୍ଷ ଭିତରେ ତାର ନିଜର ଅବସ୍ଥା ଯଥେଷ୍ଟ ବଦଳି ଯାଇଥିଲେ ମଧ୍ୟ ସେହି ଚାକିରି ଅବସ୍ଥାରେ କିଛି ପରିବର୍ତ୍ତନ ହୋଇନି । ଆଜି ଶହ ଶହ ଲୋକ ସେହିଭଳି ଷାଠିଏ ଟଙ୍କାର ଖଣ୍ଡେ ଚାକିରିକି ସତୃଷ୍ଣ ଆଖିରେ ଅନେଇ ରହିଛନ୍ତି । ବଜାରର ସଦର ରାସ୍ତା ଉପରେ ତାର ନିଜର ଖଣ୍ଡେ ଅଫିସ ଅଛି । ସ୍ୱାଧୀନତା ପାଇବା ପରେ ଭାରତ ଭୂମିରେ ଯାନ୍ତ୍ରିକ ଯୁଗ ପାଦ ସ୍ପର୍ଶ କରୁଛି । ସେଥିଯୋଗୁ କଳକବ୍‌ଜା ବିକିବାର ଏଜେନ୍‌ସି ନେଇ ନିରଞ୍ଜନ ଏହା ଭିତରେ ନିଜର ଭାଗ୍ୟ ପରିବର୍ତ୍ତନ କରିପାରିଛି ।

 

କିନ୍ତୁ ଯେତେବେଳେ ବ୍ୟବସାୟରେ ପ୍ରତିଷ୍ଠା ଜମାଇବା ପରେ ବଜାରରେ ଅଫିସ ଖଣ୍ଡେ ଖୋଲିଲା, ସେହି ସମୟର କଥା ତାର ବେଶି ମନେ ପଡ଼ିଯାଉଚି । ଅଫିସର କିରାନି ଓ ଚପରାଶିର ଦରମା ଆଉ ଅଫିସ ଘରପାଇଁ ଭଡ଼ା ସବୁ କମ୍ପାନୀ ପକ୍ଷରୁ ମିଳିବ । ସେ କେବଳ ନିଜର ସୁବିଧା ଓ ଦାୟିତ୍ୱରେ ସେ ସବୁର ବ୍ୟବସ୍ଥା କରିନେବ । ଘର ଠିକ ହେଲା । ବଢ଼େଇକି ବରାଦ ଦେଇ ଅଫିସ ପାଇଁ ଆସବାବ ପତ୍ର ତିଆରି ହୋଇଗଲା । ବାକି ରହିଲା କିରାନି ଓ ଚପରାଶିର ନିଯୁକ୍ତି । ଏଥିପାଇଁ ସେ ବଡ଼ ଭୁଲ କରି ବସିଲା । ତାର ପ୍ରଧାନ ଭୁଲ ହେଲା ଯେ, ଏ ଦୁଇଟି କାମ ପାଇଁ ଖବରକାଗଜରେ ସେ ବିଜ୍ଞାପନ ପ୍ରକାଶ କରିଦେଲା ।

 

ନିରଞ୍ଜନର ଆଜି ମନେ ପଡ଼ୁଛି, କିରାନି ଚାକିରି ପାଇଁ ତିନିଶହ ଦରଖାସ୍ତ ଆସିଥିଲା । ଏହି କିରାନି ଚାକିରି ଲାଗି ଦରମା ରଖିଥିଲା ଅଶି । ଚପରାଶି ପାଇଁ ଚାଳିଶ । ଏସବୁ ଟଙ୍କା ଯୋଗାଇବେ ବଡ଼ବଡ଼ ଶିଳ୍ପ ଅନୁଷ୍ଠାନ । ହୁଏତ କଟକ ଛଡ଼ା ଅନ୍ୟ ସହରରେ ଏଥିପାଇଁ ସେମାନେ ଯଥେଷ୍ଟ ଅଧିକ ଟଙ୍କା ଖର୍ଚ୍ଚ କରୁଥିବେ । ସେଥିରେ ସେ କମ୍ପାନୀକି ପୋଷିବା ପାଇଁ କମ୍‌ ଟଙ୍କା ଦେଇ କିରାଣି ଆଉ ଚପରାସୀର ଜୀବନ ମାରିବ କାହିଁକି ? ସେତେବେଳେ ଜଣେ ବନ୍ଧୁଙ୍କ କଥା ତାର ମନେ ପଡ଼ିଥିଲା । ବଂଧୁଟି ତାକୁ କହିଥିଲେ ତାଙ୍କ ନିଜ ଦୁର୍ଦ୍ଦଶାର କାହାଣୀ… ଗୋଟିଏ ଛୋଟ ଖବରକାଗଜ ଅଫିସରେ ସେ ସାମ୍ବାଦିକ କାର୍ଯ୍ୟ କରନ୍ତି । ଜଣେ ମାରୁଆଡ଼ି ଧନପତି ଘଟଣାକ୍ରମେ ସେହି ଖବରକାଗଜର ମାଲିକ ହୋଇଥାନ୍ତି । ଆଉ ଘଟଣା କ୍ରମେ ଓଡ଼ିଶାର ଜଣେ ଯୁବକ ସେହି ଖବରକାଗଜର ହେଲେ ସଂପାଦକ । ମାରୁଆଡ଼ି ଧନପତିକି ଯେଉଁ ଆଖ୍ୟା ଦିଆଯାଉ ପଛକେ, ସେ ବିଚରା ସାମ୍ୱାଦିକ ଚାକିରି ପାଇଁ ସର୍ବନିମ୍ନ ଦରମା ପଚସ୍ତରୀ ଟଙ୍କା ରଖିଥିଲେ । କିନ୍ତୁ ସଭା ମଞ୍ଚ ଉପରେ ଯେଉଁ ଯୁବକ ନିଜକୁ ନେତା ବୋଲି ଆଖ୍ୟାତ କରି ବେତନ ବୃଦ୍ଧି ଓ ଶ୍ରମିକ ମଙ୍ଗଳ ପାଇଁ ଗଳା ଫଟେଇ ଭାଷଣ ଦେଇଥାନ୍ତି, ସେ ପୁଣି ନିଜକୁ ତୈଳାକ୍ତ କରିବା ପାଇଁ ହଠାତ୍‌ ମୁଖା ବଦଳେଇ ଦେଇ ବସିଲେ…… ଆଜ୍ଞା, ଚାଳିଶ ଟଙ୍କାରେ ଢେର ସାମ୍ୱାଦିକ ମିଳିବେ । ମାରୁଆଡ଼ି ଧନପତି ଚାହିଁଲେ ଯୁବକ ସଂପାଦକଙ୍କ ମୁହଁକୁ । ଭାରତସାରା ତାଙ୍କର ଅନେକ ଅଫିସ, ଅନେକ ଶିଳ୍ପ ଅନୁଷ୍ଠାନ ଅଛି । ଏତେ ଶସ୍ତାରେ ଶିକ୍ଷିତ ଲୋକ, ପୁଣି ସାମ୍ୱାଦିକ ମିଳିବା କଥା କେଉଁଠି ଶୁଣି ନାହାନ୍ତି । ପୁଣିଥରେ ଚାହିଁଲେ ଯୁବକର ମୁହଁକୁ ।

 

‘‘ହାଁ… ହାଁ… ଓଡ଼ିଆ ଲୋଗ୍‌ ମିଲଜାୟେଗା । କଟକ୍‌ମେ ତୋ ଘରକା କିରାୟାଭି ବହୁତ୍‌ କମ୍‌ ହୈ ।’’

 

ଅଦ୍ଭୁତ ଯୁକ୍ତି । କିନ୍ତୁ କଣ କରିବେ ସେ । ନିଜର ସଂପାଦକଙ୍କ ପ୍ରସ୍ତାବକୁ ସମର୍ଥନ କରିବା ଲାଗି କିଛି ଯୁକ୍ତି ତ ପୁଣି ଦେବେ ।

 

ହଁ…ବନ୍ଧୁଟି ପୁଣି କହୁଥିଲେ, ଏତେ ଚେଷ୍ଟା ପରେ ମଧ୍ୟ ସେ ସଂପାଦକଙ୍କ ଆସନ ସୁଦୃଢ଼ ହେଲାନି । ସେ ବିଦାୟ ଘେନିବା ପରେ ସଂପାଦକମଣ୍ଡଳୀର ସାମ୍ବାଦିକମାନଙ୍କୁ ମାଲିକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଯାଇ ସୁବିଧା ମିଳିଲା । ବହୁ କଷ୍ଟରେ ମୂଳ ଦରମା ପଚାଶ ହୋଇ ପାରିଲା । କିନ୍ତୁ ସେଥିପାଇଁ ପଶ୍ଚାତ୍‌ ବିଚାରର ସୁବିଧା ରଖାଗଲା ନାହିଁ । ଅର୍ଥାତ୍‍ ଯେଉଁ ଦିନଠାରୁ ନୂଆ ମୂଳ ଦରମା ଧାର୍ଯ୍ୟ କରାଗଲା, କେବଳ ସେହି ଦିନଠାରୁ ସେମାନେ ତାହା ପାଇବାକୁ ହକଦାର ହୋଇପାରିଲେ ।

 

ପ୍ରଥମେ ସେହି ବନ୍ଧୁଟିକୁ ଆଣି ଅଫିସ କାମରେ ନିଯୁକ୍ତ କରିବବୋଲି ନିରଞ୍ଜନ ସ୍ଥିର କରିଥିଲା । ସେ ଯୋଗଦେଲେ ତାଙ୍କ ପାଇଁ ଅଶି ସ୍ଥଳେ ଶହେଟଙ୍କା ଦରମା କରିଦେବ ବୋଲି ମଧ୍ୟ ନିରଞ୍ଜନ ଭାବିଥିଲା । କିନ୍ତୁ ବନ୍ଧୁଟି ସ୍ୱଇଚ୍ଛାରେ ଆସିଲେ ନି । ସାମ୍ୱାଦିକତା ଭିତରେ ସାହିତ୍ୟ-ସାଧନା ହୋଇ ପାରିବ ବୋଲି ସେ ଇଚ୍ଛାପ୍ରକାଶ କଲେ । ଏ କଥାରେ ନିରଞ୍ଜନ ଯତ୍‌ପରୋନାସ୍ତି ଚେଷ୍ଟା କରି ଥରେ ହସି ଦେଇଥିଲା ମାତ୍ର । ଦୁଃଖର କଥା ସେ ପଚାଶ ଟଙ୍କିଆ ସାମ୍ୱାଦିକତାରେ ଚାଲୁଥିବା ମାରୁଆଡ଼ି ମାଲିକାନାର ସମ୍ବାଦପତ୍ର ଏବେ ଆଉ ନାହିଁ । ବହୁଦିନୁ ତାର ସମାଧି ହୋଇ ଯାଇଛି । କିନ୍ତୁ ସେହି ସାମ୍ୱାଦିକ ଓ ସାହିତ୍ୟ-ସାଧକ ବନ୍ଧୁଟିକୁ ନିରଞ୍ଜନ ଏବେ ମଧ୍ୟ କଟକର ରାସ୍ତାରେ ଦେଖେ । ବଗଲରେ ପାଣ୍ଡୁଲିପି ଯାକି ସେ ସେତେବେଳେ ପ୍ରକାଶକଙ୍କ ଦ୍ୱାରକୁ ଛୁଟିଥାଏ-। ତାଳିପକା ଜାମାରେ ବୋତାମ ନାହିଁ । ଗୋଡ଼ ଚଟିର ଛିଣ୍ଡା ଫିତା ନାଲି ଧୂଳିର ସ୍ୱାଧୀନତାକୁ ଯେମିତି ସ୍ୱାଗତ କରୁଚି ।

 

ଏ ଦେଶର ସାହିତ୍ୟ-ସାଧକ…! ପଛରୁ ଅନେଇ ଅନେଇ ନିରଞ୍ଜନ ବେଳେବେଳେ ଭାବିବାକୁ ବାଧ୍ୟ ହୋଇପଡ଼େ । ଆଜି ତା’ ସାଙ୍ଗରେ ଜୁଟିଯାଇଚି ଦଧିଆର କଥା । ଏ ଦେଶର ସଙ୍ଗୀତକଳାର ସାଧକ ଖାଦ୍ୟାଭାବରେ ସେ ଆଜି ମୃତ । ଗତ ରାତିରେ ସେ ତାହାର ଶବ ସତ୍କାର କରି ଆସିଛି ।

 

ହାତରେ ପାନ ଦି’ଖଣ୍ଡ ଧରି ଏହି ସମୟରେ ଗୋବିନ୍ଦ ଘର ଭିତରକୁ ଠୁକୁଠୁକୁ ହୋଇ ପଶି ଆସିଲା । ପୁଅକୁ ଦେଖି ଆନନ୍ଦରେ ଉଲ୍ଲସି ଉଠି ଆଗ କଥା ସବୁ ଭୁଲିଗଲା ନିରଞ୍ଜନ । ତଳୁ ଟେକି ନେଇ ତାକୁ ନିଜର ଛାତି ଉପରେ ବସେଇ ଦେଲା । ସେ ଆଁ କଲାରୁ ତା ପାଟିରେ ଖଣ୍ଡେ ପାନ ପୁରେଇ ଦେଲା ଗୋବିନ୍ଦ । ତାପରେ କିଛି କ୍ଷଣ ଧରି ଗୋବିନ୍ଦକୁ ନିର୍ନିମେଷ ଆଖିରେ ଚାହିଁ ରହିଲା ନିରଞ୍ଜନ । ତାର ଭାଇଙ୍କର ଏକମାତ୍ର ସନ୍ତାନ । ବଂଶର ଏକମାତ୍ର ପୁତ୍ର । ତାର ପିତାଙ୍କର ବଂଶରକ୍ଷା କରିବ ଏହି ଗୋବିନ୍ଦ । କିଛିକ୍ଷଣ ପରେ ଯେମିତି ଶିଶୁ ଗୋବିନ୍ଦ ଭିତରେ ତାର ଭାଇଙ୍କର ରୂପ ଫୁଟି ଉଠିଲା । ଗୋବିନ୍ଦ ସତେ କଣ ତା ମା’ର ଚେହେରା ଆଣିଚି ନା ତାର ଭାଇଙ୍କର ? ବର୍ତ୍ତମାନ ଏଇ ଗୋବିନ୍ଦର ମୁହଁରେ ତା ମାଆର ସତ୍ତା କାହିଁ ? ସକାଳେତ ସେ ଠିକ୍‍ ତାର ମା’ର ଚେହେରା ଆଣିଲା ଭଳି ଦିଶୁଥିଲା ? ତେବେ…ଏଇକ୍ଷଣି ସେ ଚେହେରା କାହିଁ ? ସେ କଣ ତା ହେଲେ ମିଛ କହି ଭାଉଜର ଚାଟୁ କଲା ସେତେବେଳେ ?

 

ନିଜ ଭିତରେ ଏମିତି କେତେ ପ୍ରଶ୍ନ କଲା ନିରଞ୍ଜନ । କିଛି କୂଳକିନାରା ପାଇଲାନି । କେବଳ ଆଖି ଆଗରେ ସେ ଗୋବିନ୍ଦକୁ ଦେଖିଲା…ଆଉ ତା ଭିତରେ ଦେଖିଲା କେଉଁ ସୁଦୂର ଭୂଇଁରେ ଏକାନ୍ତ ନିରାଶ୍ରୟ ଭାବରେ ନିହତ ହୋଇଥିବା ତାର ଅଗ୍ରଜଙ୍କର ରୂପ । ଭାଇ…ତମର ସ୍ତ୍ରୀ ଅଛି, ପୁତ୍ର ଅଛି, ଭାଇ ଅଛି, ଆଉ ଗୋଟାଏ ବିରାଟ ବଂଶ ଅଛି । କିନ୍ତୁ ତମର ଅନ୍ତିମ କାଳରେ ତମ ପାଖରେ କେହି ଠିଆ ହେଲେନି…କାହାରି ମୁହଁ ଦେଖିଲନି ତମେ…ତମକୁ କଣ ସେମାନେ ଟିକିଟିକି ହାଣିଦେଲେ… କେତେ ଆକୁଳ ହେଇ ସେତେବେଳେ ତମେ ଆମକୁ ସବୁ ଖୋଜିଥିବ…

 

ନିରଞ୍ଜନର ସକଳ ଅଙ୍ଗପ୍ରତ୍ୟଙ୍ଗ ଥରି ଉଠିଲା । ଭିତରେ ଗର୍ଜି ଉଠିଲା ଚରମ ନିରାଶ୍ରୟତାର ଚିତ୍କାର । ଆଖିକୋଣରୁ ଦୁଇଧାର ଅଶ୍ରୁ ବହି ଗଲା । ସେଥିରେ ଗୋବିନ୍ଦର ରୂପ କ୍ରମେ ଅସ୍ପଷ୍ଟ ହୋଇ ଉଠିଲା । କିନ୍ତୁ ଗୋବିନ୍ଦର ସତ୍ତା ତା ମନରେ ଅତି ଦୃଢ଼ ହୋଇ ରହିଛି । ...ଏଇ ଗୋବିନ୍ଦର ନାଁତ ତମର ସେତେବେଳେ ମନେ ପଡ଼ିଥିବ...ନାମହିଁ ବ୍ରହ୍ମ... ଗୋବିନ୍ଦର ନାଁ ତଳେତ ଅଛନ୍ତି ଭଗବାନ; କାହିଁ...କେହିତ ଶୁଣିଲେ ନି ଆଉ..

 

ଭାବି ଭାବି ନିରଞ୍ଜନର ମୁଣ୍ଡଟା ଗରମ ହେଇଗଲା ଯେମିତି । ଭୁଲ...ଭୁଲ..ସବୁ ଭୁଲ । ଭଗବାନ ଅଛନ୍ତି କି ନା ସନ୍ଦେହ । ହିନ୍ଦୁ-ମୁସଲମାନ ହଣାକଟାରେ କେତେ ନିରାଶ୍ରୟ ଶିଶୁ ମଧ୍ୟ ନିହତ ହେଲେ । ସେମାନେ ସମସ୍ତେ କଣ ପାପ କରିଥିଲେ । ଆଉ ଯେଉଁମାନେ ଏ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଲେ ସେମାନେତ ଆନନ୍ଦରେ ବଞ୍ଚି ପାରିଛନ୍ତି....

 

କ୍ଷଣକ ପାଇଁ ଆଉ କିଛି ଭାବି ପାରିଲାନି ନିରଞ୍ଜନ । ସେହି ଅଶରୀରୀ ସତ୍ତା ବିରୁଦ୍ଧରେ ତା ଭିତରେ ନିଷ୍ଠୁର କ୍ରୋଧ ଯେମିତି ପୁଂଜିଭୂତ ହେବାକୁ ଲାଗିଲା । ସେ ମନେ କଲା, ଭଗବାନଙ୍କ ଅସ୍ତିତ୍ଵ ଅପେକ୍ଷା ନାସ୍ତିତ୍ଵରେ ବିଶ୍ୱାସ କରିବା ଆହୁରି ଅଧିକ ଶ୍ରେୟ । ସେଥିରେ ଆଶ୍ୱସ୍ତି ଅଛି । ମଣିଷର ଶକ୍ତିର ସୀମା ଉପରେ ଦୃଢ଼ ପ୍ରତ୍ୟୟ ଜନ୍ମିବା ଭିତରେ ଯେଉଁ ଆଶ୍ୱସ୍ତି ତାହାଅନ୍ୟ କେଉଁଥିରୁ ମିଳି ପାରିବନି... । ଅନ୍ତରରେ ତାର କିଏ ଯେମିତି ଗୋଟାଏ ବିରାଟ ଚିତ୍କାର କରି କହି ଉଠିଲା ସବୁ ମିଥ୍ୟା ।

 

ଯେଉଁଦିନ ହିରଣାକ୍ଷର ମୃତ୍ୟୁ ସମ୍ବାଦ ପାଇଲା ହିରଣ୍ୟକଶିପୁ, ସେ ହୁଏତ ଏମିତି ଚିତ୍କାର କରି ଉଠିଥିଲା ସ୍ରଷ୍ଟାକୁ ଅସ୍ୱୀକାର କରି । କିନ୍ତୁ ଅମିତ ଶକ୍ତିସମ୍ପନ୍ନ ହିରଣ୍ୟକଶିପୁ ଆଉ କଳକବ୍‌ଜା କମ୍ପାନୀର ଏଜେଣ୍ଟ ନିରଞ୍ଜନ ଭିତରେ ଆକାଶ ପାତାଳ ପ୍ରଭେଦ । ସ୍ରଷ୍ଟାର ମୁହାଁମୁହିଁ ଛିଡ଼ା ହେବାର ତାର ଶକ୍ତି କାହିଁ ? ଗୋବିନ୍ଦକୁ ଛାତିରୁ ଉଠେଇ ଧରି ନୀରବରେ ଉଠି ଚାଲିଗଲା ଆଗର କାନ୍ଥ ପାଖକୁ । ସେଠି କୌଣସି ବଡ଼ କମ୍ପାନୀର ଗୋଟା କ୍ୟାଲେଣ୍ଡର ଟଙ୍ଗା ହୋଇଛି । କ୍ୟାଲେଣ୍ଡର ଦେହରେ ଚକ୍ରଧାରୀ ଏକ ବିଷ୍ଣୁମୂର୍ତ୍ତିର ଛବି ।

 

ସେହି ଛବିଟିକୁ ଭଲ କରି ତାନେ ନିରୀକ୍ଷଣ କଲା ନିରଞ୍ଜନ । ତାପରେ କ୍ୟାଲେଣ୍ଡରକୁ ଗୋଟେଇ ଆଣି ଧରିଲା ହାତରେ । ଖେଳନାର ସାମଗ୍ରୀ କରିବା ଉଦ୍ଦେଶ୍ୟରେ ଗୋବିନ୍ଦ ହାତ ବଢ଼େଇଲା ସେଖଣ୍ଡକୁ ନେବାପାଇଁ । କ୍ୟାଲେଣ୍ଡରଟି ତାକୁ ନୀରବରେ ଦେଇଦେଲା ନିରଞ୍ଜନ । କାଖରୁ ଖସିପଡ଼ି ଠୁକୁଠୁକୁ ହୋଇ ଘରୁ ବାହାରିଗଲା ଗୋବିନ୍ଦ ।

 

ପଛରୁ ଚାହିଁ ରହିଲା ନିରଞ୍ଜନ ଗୋବିନ୍ଦକୁ । ଭାଇଙ୍କର ପୁଅ...ଏ ବଂଶର ଏକମାତ୍ର ରକ୍ଷକ ଏଇ ପିଲାଟି । କେବଳ ବଞ୍ଚିରହୁ ।

 

 

ଅଞ୍ଜଳି ଓ ରତ୍ନମଣି ଗପ କରି କରି ବସି ସିଲେଇ କରୁଥାନ୍ତି । କଣ ଗୋଟିଏ ସିଲେଇ ରତ୍ନମଣି ବଢ଼େଇ ଦେଉଥାଏ ଅଞ୍ଜଳିକି । ଦୁଇଜଣଯାକ ତଥାକଥିତ ଖାନ୍‌ଦାନି ଘରୁ ଆସିଛନ୍ତି । ମଧ୍ୟବିତ୍ତ ବୁନିଆଦି ଘରର ଝିଅ । ହାତରେ କ୍ୟାଲେଣ୍ଡର ଖଣ୍ଡକୁ ଧରି ଗୋବିନ୍ଦ ‘ଠାକୁର ଠାକୁର’ କହି ସେଠାରେ ଯାଇ ପହଞ୍ଚିଲା । କ୍ୟାଲେଣ୍ଡର ଖଣ୍ଡକୁ ଦେଖି ଚମକି ଉଠିଲା ଅଞ୍ଜଳି, ‘‘ଆରେ ରଖିଦେଇଆ, ରଖିଦେଇଆ, ଦାଦା ଗାଳି ଦେବେ... । ଗୋବିନ୍ଦ ତତେ ମୁଁ ଗୋଟା ଭଲ ଛବିଦେବି, ଯା...ତାକୁ ରଖି ଦେଇଆ...’’

 

ରତ୍ନମଣି ଅନେଇଲା ଗୋବିନ୍ଦକୁ । ସତେତ ହାତରେ ତାର ନିରଞ୍ଜନଙ୍କ ଘରର ସେହି ସୁନ୍ଦର ଛବିଟି । ଟିକି ଟିକି ହେଇ ଚିରିଯିବା ଛଡ଼ା ଗୋବିନ୍ଦ ହାତରେ ସେ ସୁନ୍ଦର ଛବିର ପରିଣତି ଆଉ କଣ ହେବ । ତାକୁ କେମିତି ପାଇଲା ଇଏ । ନିରଞ୍ଜନତ ନିଶ୍ଚେ ରାଗିବେ... । ହାତର ସିଲେଇ ରଖିଦେଇ ଭାବି ଭାବି ଉଠି ପଡ଼ିଲା ରତ୍ନମଣି । କିନ୍ତୁ ଏ ସବୁରେ ଗୋବିନ୍ଦର କୌଣସି ପରିବର୍ତ୍ତନ ହେଲାନି । ମୁହଁରେ ତାର ନିର୍ବିକାର ଆନନ୍ଦର ହସ ସେମିତି ଲାଗି ରହିଚି । ସେ ହସି ହସି କହିଲା, ଦାଦା ତ ମତେ ଆକୁ ଦେଲେ । କହିଲେ ଯା ଖେଳିବୁ...

 

ଆଖିକି ତାଳୁ ଉପରକୁ ଟେକି ଦେଇ ଚାହିଁ ରହିଲା ଅଞ୍ଜଳି । ତାର ଆରାଧନାର ଛବି ଏଇଟି...ସେ ମଧ୍ୟ ସେ କଥା ଜାଣନ୍ତି । ଆଉ ସେ ନ ଦେଇଥିଲେ ଏତେ ଉପରକୁ ପିଲାଟାର ହାତ ପାଇଥାନ୍ତା କେମିତି ?

 

ଉଠି ପଡ଼ିଲା ଅଞ୍ଜଳି । ଡଗ୍‌ ଡଗ୍‌ କରି ଚାଲିଗଲା ଆର ଖଞ୍ଜାକୁ । ଘର ଭିତରେ ନିରଞ୍ଜନ ସେ ପର୍ଯ୍ୟନ୍ତ ବୁଲୁଚି । ଭିତରେ ଯେପରି ସଂଗ୍ରାମଶୀଳ ମନୋଭାବ । ଛାତି ଉପରେ ଦୁଇ ହାତ ଛନ୍ଦା ହେଇଚି । ଯେମିତି କାହା ସାଙ୍ଗରେ ମୁକାବିଲା କରି ନେଉଚି ସିଏ ।

 

‘‘କାନ୍ଥରୁ ଏ ଛବିଟା କଣ ହେଲା ?’’

 

ଅଞ୍ଜଳିର ଉପସ୍ଥିତିକି ନିରଞ୍ଜନ ସେପର୍ଯ୍ୟନ୍ତ ଲକ୍ଷ୍ୟ କରି ନଥିଲା । ଟିକେ ଅପ୍ରତିଭ ହୋଇ ସେ ଚାହିଁଦେଲା ଅଞ୍ଜଳିକି । ତାପରେ ପୁଣି ବୁଲିବାକୁ ଲାଗିଲା ।

 

ଏଥିରେ ଅଞ୍ଜଳି ଯଥେଷ୍ଟ ଅପମାନିତ ମନେ କଲା । ସ୍ୱାମୀର ଏପରି ପରିବର୍ତ୍ତନର ହେତୁ ସେ କିଛି ଅନୁମାନ କରି ପାରିଲାନି । ଆଖି ପଛରେ ତାର ଲୁହ ଜମି ଉଠିବାର ଉପକ୍ରମ ହେଲାଣି । ମୁହଁ ଥନଥନ କରି ସେ ପୁଣି ପ୍ରଶ୍ନ କଲା–

 

‘‘ତମେ ତାକୁ ଗୋବିନ୍ଦକୁ ଦେଇ ଦେଇଛ ?’’

 

ଏଥର ଉତ୍ତର ଦେଇ ନିରଞ୍ଜନ ଏକ ନିଶ୍ୱାସରେ କହିଗଲା, ‘‘ଏଠି ଛବି ନଥିଲା, ଗୋଟା କ୍ୟାଲେଣ୍ଡର ଥିଲା । ଗୋଟା ଲୁହା ଲକଡ଼ କମ୍ପାନୀର କ୍ୟାଲେଣ୍ଡରରେ ଚକ୍ରଧାରୀ ଗୋଟା ନେଳିଆ ଲୋକର ଛବି ।’’

 

‘‘ତମେ କଣ କହୁଚ ?’’

 

‘‘ମୁଁ ଠିକ୍‌ କହୁଚି ଅଞ୍ଜଳି ! ଗୋଟା ଲୁହାଲକଡ଼ କମ୍ପାନୀର କି ଅଧିକାର ଅଛି ଏପରି ଛବି ତିଆରି କରିବାରେ ?’’

 

ଅଞ୍ଜଳି ଖୁବ୍‌ ଅସହିଷ୍ଣୁ ହୋଇ ପଡ଼ିଲା । ତା ଅପେକ୍ଷା ନିରଞ୍ଜନର ଏପରି ଆକସ୍ମିକ ପରିବର୍ତ୍ତନରେ ସେ ଅତିଶୟ ବିସ୍ମିତ ହେଲା । ଅବଶେଷରେ ବୀଣାର ସବୁ ତାରଗୁଡ଼ାକ ଯେମିତି ଛିଡ଼ିଗଲା, ସେ ସେହିଭଳି ସ୍ୱରରେ ଚିତ୍କାର କରି କହିଲା–

 

‘‘ସେ ଛବିକି ମୁଁ କେତେ ଭଲପାଏ ତମେତ ଜାଣ ?’’

 

ହସି ଉଠିଲା ନିରଞ୍ଜନ ।

 

‘‘ତମର ଭଲ ପାଇବାର ମୁଁ କିଛି ଅମର୍ଯ୍ୟାଦା କରିନି ଅଞ୍ଜଳି । ଆମର ସବୁଚାହି ଆନନ୍ଦର ପାତ୍ର ଗୋବିନ୍ଦକୁ ମୁଁ ତମର ଭଲପାଇବା ସମର୍ପି ଦେଇଚି । ଯେଉଁ ଅଶରୀରୀ ଠାକୁର ହାତରେ ଗୋବିନ୍ଦର ବାପା ଗୋଟିଏ ଖେଳନା ଭଳି ଖଣ୍ଡଖଣ୍ଡ ହୋଇଯାଇଚି, ସେହି ଅଶରୀରୀ ଠାକୁର ଆଜି ଗୋବିନ୍ଦ ହାତରେ ହେଇଚି ଖେଳନା ।’’

 

ଆଉ ସମ୍ଭାଳି ପାରିଲାନି ଅଞ୍ଜଳି । ଗୋଟିଏ ଅସହାୟ ଶିଶୁ ଭଳି ଭୋ କରି କାନ୍ଦି ଉଠିଲା । ନିରଞ୍ଜନ ନିରୁପାୟ ହୋଇ ଚାହିଁ ରହିଲା ତା ମୁହଁକୁ ।

 

‘‘ଆଉ ତମେ କଣ କଲନା, ବାପ ଛେଉଣ୍ଡ ସେଇ ଗୋଟିଏ ବୋଲି ପିଲା ମୁଣ୍ଡରେ ସବୁଯାକ ଅନ୍ୟାୟ ଲଦି ଦେଲ ।’’

 

ଏତକ କହି ସାରି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ଅଞ୍ଜଳି । ଆଉ କିଛି ଉପାୟ ନ ପାଇ ନିରଞ୍ଜନ ସେହି ପୁରୁଣା କଥା ପଦକ କହିଲା, ତମେ କାନ୍ଦିଲ ଅଞ୍ଜଳି !’

 

‘ସେଥିପାଇଁ ଏତେ ଯୋଗାଡ଼ କରି ପୁଣି ମତେ ଏକଥା ପଚାରୁଚ । ଖରାବେଳ ଯାକ ଶୋଇ ଶୋଇ ତମେ କଣ ମୋରି ଅଶାନ୍ତି ସୃଷ୍ଟି ପାଇଁ ଖାଲି ଚିନ୍ତା କରୁଥିଲ ।’

 

ଅତି ନିର୍ମମ ପ୍ରଶ୍ନ । ନିରଞ୍ଜନ ଅନୁଭବ କଲା, ତା ମୁଣ୍ଡରେ ବଜ୍ର ଖସି ପଡ଼ିଥିଲେବି ସେ ଏତେ ଆଶ୍ଚର୍ଯ୍ୟ କିମ୍ବା ବ୍ୟଥିତ ହୋଇ ନ ଥାନ୍ତା । ପଦେହେଲେ କଥା ନ କହି ନିରଞ୍ଜନ ବାହାରିଗଲା ପଦାକୁ । ଯାଇ ତଳ ଖଞ୍ଜାରେ ପହଞ୍ଚିଲା । ଦେଖିଲା ମା ପାଖରେ ବସି କେତୋଟି ଟଗର ଫୁଲ ଆଣି ଥୋଇଚି ସେହି ଛବି ଉପରେ ଗୋବିନ୍ଦ । ଆଉ ଖେଳନାର ଛୋଟ ଛୋଟ ଗିନି ହଳେ ଧରି ତା ଆଗରେ ବଜାଉଚି । ପୁଣି ନୂଆବୋଉ ସିଲେଇ କରୁଚନ୍ତି ଗୋଟିଏ ଆଣ୍ଠୁଆ ଗୋପାଳର ଛବି ।

 

ନିରଞ୍ଜନକୁ କେହି ଦେଖି ନାହାନ୍ତି । ମାଆ ଆଉ ପୁଅ ଉଭୟେ ନିଜ ନିଜ କାମରେ ନିବିଷ୍ଟ । ସ୍ୱାମୀ ଆଉ ପିତାର ମୃତ୍ୟୁ ଲାଗି ସେମାନେ କେହି ଭଗବାନଙ୍କୁ ଅଭିଯୁକ୍ତ କରୁ ନାହାନ୍ତି । କହିବାକୁ ଗଲେ, ମୃତ୍ୟୁ ହାତରୁ ରକ୍ଷା ପାଇବା ପାଇଁ ସେମାନେ ଓଲଟି ସେହି ଭଗବାନଙ୍କୁ ଯେମିତି ଆରାଧନା କରୁଛନ୍ତି । ଅହେତୁକ ଆସ୍ତିକ ଦୁନିଆରେ ନିରଞ୍ଜନର ହେତୁବାଦ ନାସ୍ତିକତା ନିଷ୍ଠୁର ଭାବରେ ପରାଜିତ ହୋଇପଡ଼ିଲା ଯେମିତି । ସେମାନଙ୍କ ପାଖରେ ନିଜର ଅସ୍ତିତ୍ୱର କୌଣସି ସୂଚନା ନ ଦେଇ ଫେରି ଆସିଲା ପୂର୍ବସ୍ଥାନକୁ ।

 

ସେ ଫେରି ଆସି ଦେଖିଲା, ବିଛଣାରେ ପଡ଼ି ରହିଛି ଅଞ୍ଜଳି । ହାତରେ ଗୋଟିଏ ସିଲେଇର ଫ୍ରେମ୍‌ ଧରା ହୋଇଚି । ସିଲେଇରେ ଲେଖା ହୋଇଛି ‘‘ଓଁ ତତ୍‌ସତ୍‌ ।’’ ଉପରେ ଗୋଟିଏ ପ୍ରଜ୍ଜ୍ୱଳିତ ପ୍ରଦୀପର ଅଙ୍କନ ।

 

‘‘ତା ହେଲେ ମୁଁ ଏଠି ଏକା ।’’

 

ନିଜର ସ୍ୱରରେ ନିଜେ ଚମକି ପଡ଼ିଲା ଆଜି ନିରଞ୍ଜନ । ସେ ମନେକଲା, ସେ ଆଉ କିଛି ବିଦ୍ରୋହ କରନ୍ତା । ସତ୍ୟ ନାମରେ ଦୃକ୍‌ସିଦ୍ଧି ଅସତ୍ୟର ଯେଉଁ ଶୋଭାଯାତ୍ରା ଚାଲିଛି ତାକୁ ପୋଡ଼ି ଜାଳି ଧ୍ୱଂସ କରି ଦିଅନ୍ତା ।

 

ଭାବନା ଭିତରେ ଗୋଟା ଚୌକି ଟାଣି ନିରଞ୍ଜନ ବସି ପଡ଼ିଲା । ପ୍ରାୟ ତିରିଶ ମିନିଟ ତଳର ଅଞ୍ଜଳି ଏବେ ବଦଳିଯାଇଚି । ତାର ସ୍ୱାମୀ ଦେବତା ନୁହେଁ, ଯେମିତି ଦୈତ୍ୟ । ତାକୁ ନ ଅନେଇ ସେ ଅନେଇ ରହିଚି ଚାଳକୁ । ବାହାର ଦୃଷ୍ଟିକି ଅନୁଧାବନ କରି ନିରଞ୍ଜନ ମନରେ ଦୁଷ୍ଟ କଳ୍ପନା ଖେଳିଯିବାକୁ ଲାଗିଲା । ଚାଳରେ ନିଆଁ ଲାଗି ଯାନ୍ତାକି ଏଇକ୍ଷଣି... ଜିଭ କାମୁଡ଼ି ପକେଇଲା ନିରଞ୍ଜନ । ଚୌକିଟାକୁ ଖଟ ପାଖକୁ ଟାଣି ନେଇ ବିନା ବାକ୍ୟରେ ଚାହିଁଲେ ଥରେ ଅଞ୍ଜଳିକି । ଅଞ୍ଜଳିର ଦୃଷ୍ଟିରେ ପରିବର୍ତ୍ତନ ନାହିଁ । କୌଣସି ଦ୍ୱିଧା ନ କରି ଢଳି ପଡ଼ିଲା ସେ ଅଞ୍ଜଳିର ଛାତି ଉପରେ । ସେହିପରି ଅବସ୍ଥାରେ ତାରି ପାଟିରୁ ପଦେ କଥା ଶୁଭିଲା–‘‘ତମେ ଆଉ କାନ୍ଦୁଚ ଅଞ୍ଜଳି !’’

 

(୭)

 

କିଛିଦିନ ଗତ ହୋଇ ଯାଇଛି । ଏହା ଭିତରେ ନିରଞ୍ଜନ କଟକରେ ନଥିଲା । କେତେକ ଜାଗାରେ ‘ଓପନ୍‌ ଡେଲିଭରି’ ପାଇଁ ଦାବି ଥିବାରୁ ସେ ସବୁକାମ ଶେଷ କରିବା ଉଦ୍ଦେଶ୍ୟରେ ନିରଞ୍ଜନ କଟକ ବାହାରକୁ ଚାଲି ଯାଇଥିଲା । ତା ସତ୍ତ୍ଵେ କେତେକ କଳକବ୍‌ଜା ସମ୍ୱନ୍ଧରେ ଜଣେ ଦି’ଜଣ ବ୍ୟବସାୟୀଙ୍କ ପକ୍ଷରୁ ଆପତ୍ତି ମଧ୍ୟ ହୋଇଛି । ସେସବୁ ଅସୁବିଧା ଦୂର କରିଦେବା ପାଇଁ ନିରଞ୍ଜନ କମ୍ପାନୀକି ଜଣେଇ ଦେଇଚି । କମ୍ପାନୀ ପକ୍ଷରୁ ମିସ୍ତ୍ରୀ ଆସିଲେ ନିରଞ୍ଜନକୁ ପୁଣି ବାହାରକୁ ଯିବାକୁ ପଡ଼ିବ ।

 

କଟକ ଫେରିବାପରେ ଘରେ ପହଞ୍ଚି ହଠାତ୍‌ ଦାଣ୍ଡଦ୍ୱାର ମୁହଁରେ ଆଖି ତାର ଅଟକିଗଲା । ଦରଜାର ଦୁଇ ପାଖରେ ‘ମୀନ ମିଥୁନ’ର ଚିତ୍ର । ଉପର ବନ୍ଧ ଉପରକୁ ନବଗ୍ରହଙ୍କ ଛବି । ସେସବୁ କଟକର ଚିତ୍ରକାର ସାହିର କାରିଗର ହାତର ଅଙ୍କା । ଭଲ, ଭଲ, କୋଣାର୍କର ନବଗ୍ରହ ଫଳକ ପୃଥିବୀର ଶିଳ୍ପକଳା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛି । ବୌଦ୍ଧ ଯୁଗରେ ଧର୍ମକୁ ଆଶ୍ରୟ କରି ଭାରତରେ ଯେଉଁ ଶିଳ୍ପକଳାର ପ୍ରାଚୁର୍ଯ୍ୟ ଘଟିଥିଲା ସେ ସମ୍ୱାଦ ମଧ୍ୟ ନିରଞ୍ଜନ କିଛି କିଛି ରଖିଛି । କିନ୍ତୁ ଯେକୌଣସି ଚିତ୍ର ହେଉ ତାହା କଳାପୂର୍ଣ୍ଣ ହେବା ଉଚିତ ।

 

ଦ୍ୱାରବନ୍ଧ ଉପରେ ନବଗ୍ରହ ଚିତ୍ର ଦେଖି ସେ ଏତିକି କେବଳ ଭାବିଲା । ସେଥିରେ ନିଜକୁ ଅଧିକ ଆଉ ସଂକ୍ରାମିତ କଲା ନାହିଁ ।

 

ତାପରେ ଅଫିସକୁ ଯାଇ କାଗଜପତ୍ର ଦେଖି ଆସିବା ପରେ ତା ଭିତରେ ଅନୁଶୋଚନା ଦେଖାଦେଲା । ଏହା ଭିତରେ ସେ ଦଧିଆ ଘରକଥା ମୋଟେ ଭାବିନି । କୌଣସିମତେ ଶୁଧ ହେଇ ପଡ଼ିବାକୁ ସେ ମୋଟେ ଦଶଟି ଟଙ୍କା ଦେଇଥିଲା । ପନ୍ଦରଦିନ ଗତ ହୋଇ ଗଲାଣି । ସତେ ସେମାନେ ଚଳୁଛନ୍ତି କେମିତି । ଅଫିସରୁ ଫେରି ସିଧା ସଳଖେ ସେ ଯାଇ ଦଧିଆ ଘରେ ପହଞ୍ଚିଲା-

 

ଏଇ ଘରତ ! ଏ କଣ ! ଆଗରେ ଦିଟା ଗାଈ ! କିଏ ଏଇ ବୁଢ଼ୀ ? ଏ ତିଳକଧାରୀ ମହାରାଜ ପୁଣି କିଏ ?

 

‘‘ଆରେ ନିଧି, ନିଧି, ଆରେ ନିଧି ଅଛୁ ?’’

 

ତେଲ ଜୁକୁଜୁକୁ ଦିହରେ ବୁଢ଼ୀ ଖଣ୍ଡେ ନେଳୀ କସ୍ତା ପିନ୍ଧିଛି । ନିରଞ୍ଜନର ଏ ଜିଜ୍ଞାସାରେ ସେ ଅତିଷ୍ଠ ହୋଇ କହି ଉଠିଲା–

 

‘ମଲା, ଆମେ ତ ଏଠି ବଇଚୁ । କଣ କଥା କହୁନା, ଆଉ ନିଧି ନିଧି ହଉଚ କାହିଁକି ?

 

ବୁଢ଼ୀର ଏ ସ୍ୱରରେ ଅର୍ଥନୈତିକ ଝଙ୍କାର ରହିଛି । ନିରଞ୍ଜନ ମଧ୍ୟ ସେକଥା ଅନୁଭବ କରି ପାରିଲା । ହୁଏତ କେହି ଗରାଖ ଆସି ମାୟାବୀ ରୂପରେ ଦଧିଆର କୁଡ଼ିଆ ଖଣ୍ଡକୁ ଗ୍ରାସ କରିବାକୁ ଉପକ୍ରମ କଲେଣି । ସେସବୁର ରହସ୍ୟ ଭେଦ କରିବା ଉଦ୍ଦେଶ୍ୟରେ ବୁଢ଼ୀର କଥାକୁ ନିର୍ବିକାରରେ ହଜମ କରିନେଲା ନିରଞ୍ଜନ ।

 

କିନ୍ତୁ ହଠାତ୍‌ ଘର ଭିତରୁ ନାରୀ କଣ୍ଠରେ ଅନର୍ଥ-ନୈତିକ ଝଙ୍କାର ଭାସି ଆସିଲା ।

 

‘‘ତୁ କାହାକୁ କଣ କହୁଚୁ, ମା’ ! ନିଧିଆ, ରେ ନିଧିଆ, ବାବୁ ଆଇଚନ୍ତି, ମସିଣା ନେଲୁ ପକେଇଦବୁ ପିଣ୍ଡାରେ । ବସିବାକୁ କ’ ଆଉ କହିବୁ ମା’ ଦଣ୍ଡବତ ହଉଚି...’’

 

ନିରଞ୍ଜନ ଆଶ୍ୱସ୍ତ ହେଲା, ଏମାନେ ତା ହେଲେ ଭଲରେ ଅଛନ୍ତି । ଏ ବୁଢ଼ୀ ତା ହେଲେ ଦଧିଆର ଶାଶୁ । ଭଲ ଶାଶୁଟିଏତ ! ବୁଢ଼ୀର ଅଣ୍ଟି କରାଟରେ ପଇସାବି କିଛି ଅଛି । ଭଲ, ଭଲ ।

 

ବୁଢ଼ୀ ଟିକେ କାଇଲ ହୋଇଗଲା । ମସିଣା ବିଛେଇ ଦେଇ ନିଧି ନିରଞ୍ଜନକୁ ନମସ୍କାର କରୁ କରୁ ଭୂଇଁରେ ତାର ମୁଣ୍ଡ ବାଡ଼େଇ ହେଇଗଲା । ତାକୁ ଉଠେଇ କୋଳକୁ ଟାଣିନେଲା ନିରଞ୍ଜନ । ମା’ର ଦଣ୍ଡବତ କଥା ନିଧିକୁ ଆଉ କହିବାକୁ ହେଲାନି । ମା’ ନିଜେ ସେ କାମଟା ପ୍ରକାରାନ୍ତରେ ସାରି ଦେଇଥିଲା । ପିଣ୍ଡାରେ ବସି ପଡ଼ିଲା ନିରଞ୍ଜନ ।

 

ନିଧିର ପିଠି ଥାପୁଡ଼େଇ ଥାପୁଡ଼େଇ ନିରଞ୍ଜନ କହିଲା–‘ବାପାର ବାଜା ଫାଜା ସବୁ ରଖିଚନା । ରଖିଥିବ, ଯତ୍ନକରି ରଖିଥିବ । ତୁ ଦିନେ ବାପା ଭଳି ବଡ଼ ବାଏକ ହବୁ । ବୁଝିଲୁ ?’

 

ନିଧି ମୁଣ୍ଡ ହଲେଇ ସମ୍ମତି ଜଣେଇଲା ।

 

ଏକା ବଇଁଶୀଗୁଡ଼ାକ ନାଇଁ । ବାପା ବେଳେବେଳେ ବଜଉଥେଲା ରାତିରେ । ମତେ ଶୁଣି ଶୁଣି ନିଦ ନାଗି ଯାଉଥେଲା... ମୁଁ ଶୋଇପଡ଼ୁଥେଲି । ସେଗୁଡ଼ାକ କ’ଣ ଆଉ ଅଛି... ମା’ ତାକୁ ସେଦିନ ଜାଳି ଦେଲା ପରା.....

 

’ଦଧିଆ ବଇଁଶୀ ବଜଉଥିଲା ?’

 

‘ହଁ ବାବୁ ।’

 

’ଆଉ ମା’ କାହିଁକି ପୋଡ଼ି ଦେଲା ?’

 

କହିଲା–‘‘ଘର ଅଳିଆ ହଉଚି । ସେଦିନ ବି ଯୋଗକୁ ଚୁଲି ଜଳିଲା ନେଇଁ... ଦୋକାନରେ ଖାଲି କଞ୍ଚା କାଠ ବିକୁଚନ୍ତି... ତମେ ଏତେ ଆଡ଼େ ଯାଉଚ... ତାଙ୍କ ନାଗି କିଛି କରୁନା ବାବୁ !’’

 

ନିଧିର ଏ କଥାରେ ସମସ୍ତେ ହସି ଉଠିଲେ । କିନ୍ତୁ ପିଲାଟିର କହିବା ଭଙ୍ଗୀ ଓ ନିଃସଙ୍କୋଚତା ଦେଖି ନିରଞ୍ଜନ ଖୁବ ଖୁସିହେଲା । ଚେଷ୍ଟାକଲେ ଆକୁ ମଣିଷ କରାଯାଇ ପାରିବ ।

 

ନିରଞ୍ଜନ କହିଲା–‘‘ସେ ତ ଯା ହେଇଚି ହେଇଚି । ମା’କୁ କହିବୁ ବାଜା ହେରିକା ଯେମିତି ଜାଳି ନ ଦିଏ ।’’

 

‘‘ତା ଆଙ୍ଗୁଠି ଭାଙ୍ଗି ଦେବିନି । ତାକୁ ମୁଁ ପା’ ବେଳେବେଳେ ବସି ବଜଉଚି ବାବୁ....

 

ନିରଞ୍ଜନ ହସି ହସି କହିଲା–‘‘ବାପ୍‌କା ବେଟା । ଆରେ ନିଧି ! ଆଜି କ’ଣ ଖାଇଚୁ ?’’

 

ନିଧି ଖୁସି ହେଇ କହିଲା–‘‘ଆଉ କିଛି ଅସୁବିଧା ହଉନି ବାବୁ । ହେଇ, ଇଏ ମୋ ଆଈ-। ସେ ଆସି ଆମ ପାଖରେ ପହଞ୍ଚି ଯାଇଚି । ଆଉ ସେ ଦି’ଟା ଗାଈ ଆଣିଚି... ହେଇ ପା’ ବନ୍ଧା ହେଇଛନ୍ତି ବାବୁ... ମୁଁ ଏଥର ଦୁଧ ଖାଉଚି... ଦୁଧ ତ ଦୁଧ... ଶଳା ଗାଈ ଦି’ଟା କେତେ ଗୋବର ହଗୁଚନ୍ତି ବାବୁ... ଆମେ ତ ଘସି କରି କେତେ ବିକିଲୁଣି... ନାଇଁ ବାବୁ ସେ ଦୋକାନୀକି ତମେ କିଛି କହିବନି... ଭାରି ବଦମାସ.. ଆମେ କ’ଣ ଆଉ ଜାଳ କିଣୁଛୁ ଯେ... ତାଠଉଁ କଞ୍ଚାକାଠ ଆଣୁଚୁ.... ଆଃ... ଗାଈ ଦି’ଟାକୁ ଆଈ ଯଦି ଆଗରୁ ଆଣିଥାନ୍ତା, ମା ଆଉ ସେ ବଇଁଶୀଗୁଡ଼ା ଜାଳି ଦେଇ ନଥାନ୍ତା...

 

ଲତାର କରମା କଷିଫଳ ପରି ଦିଶୁଥିବା ନିଧିଆ ଦିନେ ଏତେ କଥା କହିବ ବୋଲି ନିରଞ୍ଜନ ଆଶା କରି ନଥିଲା । ଦଧିଆ ପରେ ସେ ହୁଏତ ଅକାଳରେ ହଠାତ୍‌ ଦିନେ ଝଡ଼ିପଡ଼ିବ ବୋଲି ସେ ଆଶଙ୍କା କରି ରହିଥିଲା । କିନ୍ତୁ କେଞ୍ଚୁଡ଼ି ପିଲାଟି ଭିତରେ ଆଜି ଅପୂର୍ବ ଜୀବନୀ ଶକ୍ତି ଦେଖି ସେ ଖୁବ୍‍ ବିସ୍ମିତ ହେଲା । ନିରଞ୍ଜନ ଆହ୍ଲାଦଭରା କଣ୍ଠରେ କହିଲା–‘‘ସାବାସ ତୁ ଯେ ବାପର ନାଁ ରଖିବୁ...’’

 

‘‘ମୁଁ ନିଶ୍ଚେ ରଖିବି ବାବୁ । ତମେ ଆମ ପଛରେ ଠିଆ ହେଇଚ, ଆଈ ଆଇଚି, ଆମର ଆଉ କି ଡର । ’’ କିଛିକ୍ଷଣ ରହି ନିଧିଆ ପୁଣି କହିଲା–‘‘ଆଉ ଆମ ସାଙ୍ଗରେ ସବୁ ନଚେଇଛନ୍ତି, ଏ ଘର ବିକି ଦେଇ ଯାଇଁ ଆଈ ଘରେ ରୁହ । ଆମେ କାହିଁକି କଟକ ସହର ଛାଡ଼ିବୁ ବାବୁ...ଏଇ ହରିବୋଲିଆ ବୁଢ଼ା ତ ମା’କୁ ବେଶି ଶିଖଉଚି ।’’

 

‘‘ହୋ ଧରମ ! ଆରେ ତୁ ଏତେ କଥା କହି ଜାଣିଲୁଣି ନିଧିଆ । ହଇହୋ, ତମ ଭଲ ପେଇଁ ଆମେ ଏଠିକି ଆସିବା କଥା... ଜଣେ ଉଦରନୋକ ବସିଛନ୍ତି.... ତୁ ଓଲଟି ମୋ ଦିହରେ ବାଟିଆ ନଗେଇ ଦଉଚୁ....’’

 

କହି କହି ଉଠି ପଡ଼ି ଲୁଗାରୁ ଧୂଳି ଝାଡ଼ିଲା ହରିବୋଲିଆ ବୁଢ଼ା । ଏଇ ନାଁଟା ତାକୁ ସାହିର ପିଲାମାନେ ଦେଇଛନ୍ତି । ହାତରେ ଗିନି ହଳେ ବଜେଇ ‘ହରିବୋଲ’ ‘ହରିବୋଲ’ କହି ଭିକ୍ଷା କରୁଥିଲା ଆଗେ । କପାଳରେ ପ୍ରଶସ୍ତ ହରିମନ୍ଦିର ଚିତା । ପଛରେ ଚୁଟି ବାଳ କେରାକରେ ତେଲ ଚିକଣା ଗୋଟିଏ ଗଣ୍ଠି ପଡ଼ିଚି । ପୁଅ ଏବେ ତାର ପାରି ଗଲାଣି । କଚେରି ଆଉ ବଜାରରେ ବୁଲି ନାନା ଜାତିର ମଲମ ଆଉ ଉକୁଣି ମାରି ଔଷଧ ବିକ୍ରି କରେ । ବୁଢ଼ା ମଧ୍ୟ ବ୍ୟବସାୟ ବଦଳେଇ ଦେଇଚି । ଏବେ ଚୋରାରେ ଗଞ୍ଜେଇ ଅଫିମ ବିକ୍ରି କରି ବେଶ ଟଙ୍କା ପଇସା କମେଇ ପାରିଛି । କଣ୍ଟ୍ରୋଲ ବଜାରରେ ମଧ୍ୟ ଭିକ୍ଷାବୃତ୍ତି ସାଙ୍ଗରେ ଆଉ କିଛି ଚୋରା ଫାଇଦା ଜମେଇ ବସିଥିଲା । ଏବେ ଚୋରି ଆଉ ଚୋରା ଭିତରେହିଁ ଲକ୍ଷ୍ମୀଙ୍କ ଆଗମନଟା ଅଧିକ ସହଜ ହେଇଚି । ସେଥିଯୋଗୁ ହରିବୋଲିଆ ବୁଢ଼ା ଆଜି ଲକ୍ଷ୍ମୀଙ୍କ ବରପୁତ୍ର ରୂପେ ପରିଚିତ ହେବାକୁ ବସିଚି । କିନ୍ତୁ ଯେଉଁମାନେ ବୁଢ଼ାର ପଦାଙ୍କ ଅନୁସରଣ ନକରି କଳ୍ପିତ ନ୍ୟାୟ ଆଉ ସତ୍‌ପଥର ଆଶ୍ରୟ ଗ୍ରହଣ କରିଛନ୍ତି ସେମାନେ ଆଜି ଲକ୍ଷ୍ମୀଛଡ଼ା ଦଳର ଅନ୍ତର୍ଭୁକ୍ତ । ସେଥିଯୋଗୁ ସମାଜରେ ହରିବୋଲିଆ ବୁଢ଼ାର କାର୍ଯ୍ୟ ଉଦ୍‌ଯୋଗରେ ଗଣ୍ୟ ହେଇଯାଉଛି । ଏହାପରେ ସେ ହୁଏତ ‘ପୁରୁଷ ସିଂହ’ ରୂପେ ଆଖ୍ୟାତ ହେବ । କାରଣ, ଆମର ଋଷି ବାକ୍ୟ ଅଛି ‘ଉଦ୍‌ଯେଗୀନାଂ ପୁରୁଷସିଂହ ।’ ଯେଉଁ କାର୍ଯ୍ୟ ହରିବୋଲିଆ ବୁଢ଼ାକୁ ଲକ୍ଷ୍ମୀଙ୍କ ପଦଚ୍ଛାୟା ତଳେ ଦୃଢ଼ ଆଶ୍ରୟ ଦେଇଚି ତାକୁ ଅର୍ଥନୈତିକ ସମାଜରେ ଉଦ୍‌ଯୋଗ ବୋଲି ଅସ୍ୱୀକାର କରାଯିବାର ଆଶଙ୍କା କାହିଁ ?

 

ହରିବୋଲିଆ ବୁଢ଼ାର ତମ୍ୱିରେ ନିରଞ୍ଜନ ଆଦୌ ବିସ୍ମିତ ହେଲାନି । ଓଲଟି ଆଗ୍ରହ ପ୍ରକାଶ କରି ବୁଢ଼ାକୁ ବସିବାକୁ ଅନୁରୋଧ କଲା । ନିଧିଆର ଆଈ ବୁଢ଼ୀ ସେତେବେଳୁ ଆଉ ପଦେହେଲେ କଥା କହିନି । ନିରଞ୍ଜନର ଅଯାଚିତ ଉଦାରତାର କାହାଣୀ ସେ ନିଜର ଝିଅଠାରୁ କିଛି ଶୁଣିଥିଲା । ସେହି ସଦାଶୟ ବ୍ୟକ୍ତିକୁ ଯେ ନିଜ ବ୍ୟବହାରରେ ଅବମାନନା କରିଛି ତାହା ବୁଝି ପାଇଲା ପରେ ବୁଢ଼ୀର ମନ ଖୁବ୍‍ ଦବି ଯାଇଥିଲା । ବର୍ତ୍ତମାନ ସେ ତାହାର କ୍ଷତିପୂରଣ କରିବାର ସୁବିଧା ପାଇଲା ଯେମିତି । କଥାରେ ନିଜ ଚେଷ୍ଟାରେ ଯଥେଷ୍ଟ ଉତ୍ସାହ ପ୍ରକାଶ କରି ସେ କହିଲା... ‘ଜଇଁ ମୋର କେତେ ନାଁ କରିଥେଲା । ଏଇ ଦୁଆରେ କେଡ଼େ କେଡ଼େ ଲୋକ ପାଦ ପଡ଼ିଚି ମୋ ଜଇଁନାଗି । ଆଜି ବାବୁ ତ ପୁଣି ଆସି ବସିଚନ୍ତି... ଯେତେହେଲେ ଏ ଘର ଢିଅକୁ ମୋ ଝୁଅ ବିକିବ... ମୁଁ ଆଉରି ମୋ ଘରଦୁଆର ବିକି ଦେଇ ଆସି ଏଇଠି ମୋ ଝୁଅ ପାଖରେ... କି କଥା କହୁଚ... ଇଏ କଟକ ସହର... ଏଠି ମାଟି ବିକିଲେ ପଇସା... ଆକୁ ଛାଡ଼ି ଦେଇ ଗାଁକୁ ଯାଇ କଣ ମୋ ନାତି ଗୋରୁ ଚରେଇବ.... ’

 

ନିରଞ୍ଜନ କେବଳ ଶୁଣୁଥାଏ, ଆଉ ଲକ୍ଷ୍ୟ କରୁଥାଏ ବୁଢ଼ୀର କଥା କହିବାର ଛଟକ । କେତେ ଘାଟରେ ପାଣି ପିଇ ପିଇ ବୁଢ଼ୀର ଓଠ ଯେମିତି ଦୋରସ୍ତ ହେଇ ଯାଇଚି । କିନ୍ତୁ ହଠାତ୍‌ କଥା କାଟି ହରିବୋଲିଆ ବୁଢ଼ା କହି ବସିଲା–

 

‘ତମେ ଏଠି ରୁହ କି, ଏଠୁ ଢିଅ ବିକି ଯାଇ ଗାଁରେ ରୁହ, ସେଥିରେ ମୋର ଯାଏ ଆସେ କେତେହୋ । ଆଉ ତମେ ଯେଉଁ ଗାଈ ଚରେଇବା କଥା କହିଲ ନା ସମୁନ୍ଧୁଣୀ, ସେ କଥା ଢେର ଢେର ଲୋକଙ୍କ ପିଲା କରୁଚନ୍ତି । ତମେ ଦୁଧ ଦହି ଘିଅ ଲହୁଣି ଛେନା ଆଦି କରି ସକଳ ଦରବ ବିକିବ, ଆଉ ନିଜେବି ମନେ କଲେ ଖାଇ ଯିବ ସେଥିରୁ, ଏବେ ହାତରେ ଗାଈ ଚରେଇବା କଣ ନାକରା କଥା । ...ଆଉ ଦଧିଆତ ତବଲା ପିଟିପିଟି ଯାହା କଲା ଆମେ ଦେଖିଚୁ... କାଇଁ.….ଦିନେ ଗଞ୍ଜେଇ କି ଅଫିମ ଦିଅଣାରେ ମୋଠଉଁ କିଣିବାରତ ମୁଁ ଦେଖି ନେଇଁ...’

 

ହଠାତ୍‌ ମୁହଁ ଟେକି ଅନେଇଲା ନିରଞ୍ଜନ ତା’ଆଡ଼କୁ । ବୁଢ଼ା ଛେପ ଢାକି ନେଲା ।

 

‘‘ନାଇଁ ଆଜ୍ଞା, ମୁଁ କହୁଥେଲିକି ସଙ୍ଗତ କରିବା ନୋକ ଟିକେ ମନ ଖୁସ୍‌ ଜିନିଷ ଖଇବା ଭଲ । ଆଉ ସେ ମହମଦିଆବଜାର ଅବକାରୀ ଦୋକାନ ପାଖରେ ମୋ ଘର କିନା...ବାବୁ, ମୁଁ ବି ଖାସା ସଙ୍ଗତ କରୁଥେଲି ଆଗେ ....ଆପଣ ଚୌଧୁରୀ ବଜାର ଛକରେ ମୋ ପୁଅକୁ ଆଗେ ଦେଖି ନଥିବେ କି ! ଟୋକାଟା ବିଗିଡ଼ି ଗଲା....ଏବେ ଯାଇ କଚିରିରେ ମଇଲମ ବିକୁଚି । ଆପଣ ଶୁଣିଥିବ ନେଇଁକି ବାବୁ, ହାରମାନି ବଜେଇ ନାବକେଳି ଗୀତ ଯୋଉ ବଢ଼ିଆ ଗାଉଥେଲା....’’

 

ବୁଢ଼ାର କଥା ଶୁଣିବାକୁ ନିରଞ୍ଜନର ଧୈର୍ଯ୍ୟ ଆଉ କୁଳେଇଲା ନାହିଁ । ସେ ଉଠିବାର ଉପକ୍ରମ କରୁଚି ଏତିକିବେଳେ ବୁଢ଼ା ପୁଣି କହି ଉଠିଲା–

 

‘‘କିନ୍ତୁ ଟୋକାକୁ ଆକଟ କରି ଦିଅ ବାବୁ... ଭାରି ମୁହଁଖୋର ହେଇ ଯାଉଚି । ହଇହୋ ସମୁନ୍ଧୁଣି, ଏ ଘର ବିକିବା କଥା ମୁଁ ତମକୁ କିଛି କହୁଚି... ରାଣ୍ଡି ନୋକୁଟା ପରା ନିଜେ ମତେ ଡକେଇ ଥେଲା... ଆରେ ନିଧିଆ, ମୁଁ ଛିଡ଼ା ହେଇ ନ ଥେଲେ ସେଦିନ ତୋ ବାପ ମଡ଼ା ଉଠି ଥଆନ୍ତା... ’’

 

ନିଧିଆ ବଡ଼ ପାଟିରେ ହୋ ହୋ ହସି ଉଠି କହିଲା, ‘ହରିବୋଲ ।’

 

ନିରଞ୍ଜନ ମଧ୍ୟ ନ ହସି ରହିପାରିଲା ନି । ସେଦିନ ରାତିରେ ଏ ବୁଢ଼ା ଏଠି ଥିଲା ? ଭଲକରି ଥରେ ଅନେଇଲା ସେ ବୁଢ଼ା ମୁହଁକୁ । ଗୋଟା ଦୋ’ସିଆଁ ମାଠ ଢାଙ୍କି ହେଇ ମୁଣ୍ଡରେ ଚାଦର ଗୁଡ଼େଇ ଏଇ ବୋଧେ ସେଦିନ ବସିଥିଲା । ନିରଞ୍ଜନର ମନେ ପଡ଼ିଲା । ଏଇ ବୁଢ଼ା ଦଧିଆର ଜାତି କଥା ଉଠେଇ ଶବକୁ ପଞ୍ଚରେ ଦେଇ ଫୋପାଡ଼ି ଦେଇ ଆସିବାକୁ ପ୍ରସ୍ତାବ କରୁଥିଲା ।

 

ତାହାପରେ ନିରଞ୍ଜନ ପଚାରିଲା, ‘ତମେ ସେଦିନ ଦଧିଆର ଜାତି କଥା ଉଠାଉଥିଲ ନା-?’

 

‘ଆଜ୍ଞା, ଠିକ୍‍ ଚିହ୍ନିଚନ୍ତି ଆଜ୍ଞା, ମୁଁ ସେ କଥା ନ ଉଠେଇ ଥେଲେ, ଦଧିଆ ଭଳିଆ ନୋକ ଆପଣଙ୍କ ହାତରୁ ନିଆଁ ପାଇଥାନ୍ତା !’

 

‘ଆଉ ମୁଁ ନ ଥିଲେ ତମେ ନିଶ୍ଚେ ବାହାରିଥାନ୍ତ... ନୁହେଁ ?’

 

ବୁଢ଼ା ଦମ୍‌ ରୋକି ନେଲା । କିଛି କହିବା ପାଇଁ ଆଉ କିଛି ଉପାୟ ଖୋଜିଲା ଯେମିତି । ନିରଞ୍ଜନ ଉଠି ପଡ଼ିଲା ଘରକୁ ଫେରିବା ପାଇଁ । ପାଖରେ ଛିଡ଼ା ହେଇଚି ପ୍ରତିଭାର ଭାବୀ ସରକିଦାର ନିଧିଆ । ନିରଞ୍ଜନଠାରୁ ସେ କଣ ପାଇଁ ଖୁବ୍‌ କୌଶଳରେ ହାତକୁ ମୁଠା କରି ନେଲା । ବୁଢ଼ୀ ଏତେବେଳକେ ପାଟି କରି କହିଲା, ‘ଆରେ ନିଧି, ବାବୁ ଏତେବେଳ ବସିଲେ ଘରୁ ପାନ ଦିଖଣ୍ଡ ଆଣି ଦେଲୁ ନେଇଁ !’

 

ହରିବୋଲିଆ ବୁଢ଼ା ଛଡ଼ା ଏ କଥା ଆଉ ଯେମିତି କାହା କାନରେ ବାଜିଲାନି । ଶେଷକୁ ଶୁଣେଇ ଶୁଣେଇ ସେ ନିରଞ୍ଜନକୁ କହିଲା, ‘କଣ ଆଜ୍ଞା, ନିଧିଆ ମା ପେଇଁ ପାନ ଖର୍ଚ୍ଚା ଦେଲେକି-?’

 

ନିରଞ୍ଜନର ମୁହଁ ଲାଲ ପଡ଼ିଗଲା । ଛୋଟ ଧୂଳିଆ ନାଗ ପରି ଫାଏଁ କରି ଅନେଇଲା ନିଧିଆ । ପାଟିରୁ ପାନପିକର ଥୁକ ପକେଇ ଦେଇ ଗାଈ ପିଠିରୁ ଜୋର୍‌ରେ ଡାଆଁସଟାଏ ମାରିଲା ବୁଢ଼ୀ । ଅତି ଘୃଣ୍ୟ ଲୋକ ଏଇ ବୁଢ଼ା ।

 

(୮)

 

ରାତି କେତେବେଳୁ ପାହିଗଲାଣି । କିନ୍ତୁ ଅନେକ ବେଳଯାଏ ବିଛଣାରେ ପଡ଼ି ସେଦିନ କଣ ଭାବୁଥାଏ ନିରଞ୍ଜନ । ତାର ଭାବନା ଭିତରେ କାନରେ ମୃଦୁ ଗୁଞ୍ଜନ ଆସି ଲାଗିଲା । ସେହି ଗୁଞ୍ଜନ ଭିତରେ ସେ ଶୁଣିଲା ଭାସି ଆସୁଚି ନବଗ୍ରହ ସ୍ତୋତ୍ର । କିଏ ଗାଉଚି ?

କାନରେ ତାର କ୍ରମେ ସ୍ପଷ୍ଟହୋଇ ଶୁଭିଲା...

ଜବା କୁସୁମ ସଙ୍କାଶଂ କାଶ୍ୟପେୟ ମାଂ ଦ୍ୟୁତିଂ

ଧ୍ୱନ୍ତାରୀଂ ସର୍ବ ପାପଘ୍ନଂ ପ୍ରଣତୋସ୍ମି ଦିବାକର...

ଅନେକ ଦିନ ତଳେ ସେ ପଢ଼ିଥିଲା, କବି ରବୀନ୍ଦ୍ରନାଥ ଥରେ ବିଲାତ ଯାଉଥିଲାବେଳେ ଜାହାଜରେ ଏହିଭଳି ସ୍ତୋତ୍ର ଗାଇ ଉଦୟ ସୂର୍ଯ୍ୟର ବନ୍ଦନା କରି ବିଦେଶୀ ଜଳଯାତ୍ରୀଙ୍କ ଭିତରେ ହିନ୍ଦୁ ସଭ୍ୟତାର ମହିମା କୀର୍ତ୍ତନ କରିଥିଲେ । ଆଉ ସେହି ରବୀନ୍ଦ୍ରନାଥ ତାରୁଣ୍ୟର ସ୍ୱପ୍ନ ଦେଖି ସବୁଜ ଓ ଅବୁଝ ନବୀନମାନଙ୍କୁ ଆହ୍ୱାନ କରି ‘ଆଧମରାଦେର ଘା ମେରେ ତୁଇ ବାଁଚା’ ବୋଲି କହିଛନ୍ତି । କିନ୍ତୁ ଆଜି ଏଠି ଅର୍ଦ୍ଧମୃତ ହେଇ ରହିଚି କିଏ । ଉଦୟ ସୂର୍ଯ୍ୟର ଅଭିନନ୍ଦନ ଭିତରେ ଆଜି କାହାର ଜାଗୃତି ଏଠି ଆବଶ୍ୟକ ପଡ଼ିଚି.... ।

ନିରଞ୍ଜନର ଚିନ୍ତାକୁ ବ୍ୟାହତ କରି ପୁଣି ଭାସି ଆସିଲା ସ୍ତୋତ୍ର । କ୍ରମେ ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଭୃଗୁ, ଶନିଶ୍ଚର ମହାଗ୍ରହ ଏବଂ ତା ସାଙ୍ଗରେ ଦ୍ୱିଖଣ୍ଡିତ ଗ୍ରହ ରାହୁ ଓ କେତୁର ମଧ୍ୟ ଆବାହନ ହେଇଗଲା । ତାର ମନେପଡ଼ିଲା, ତାର ବାପା ଏହିଭଳି ସ୍ତୋତ୍ର ଗାଉଥିବାର ସେ ପିଲାଦିନେ ବରାବର ଶୁଣିଚି । କିନ୍ତୁ ତାର ବାପା କିମ୍ୱା ରବୀନ୍ଦ୍ରନାଥ କେହି ଏ ମର୍ତ୍ତ୍ୟମଣ୍ଡଳରେ ଆଜି ନାହାନ୍ତି । ତେବେ ଆଜି ତାରି ଘରେ ସେହି ପ୍ରାଚୀ ହିନ୍ଦୁ ସଂସ୍କୃତିର ପ୍ରତିନିଧିତ୍ୱ କରୁଚି କିଏ ? ନୂଆବୋଉ ? ନା... ଏ ସ୍ୱରରେ ନବୀନ ବୟସର ସ୍ପର୍ଶ ଲାଗିଛି... ତେବେ କଣ ତାରି ଅର୍ଦ୍ଧାଙ୍ଗିନୀ ଅଞ୍ଜଳି ? ଅଞ୍ଜଳି, କାହିଁକି ତମର ପାଗଳାମି... ଏ ସ୍ତୋତ୍ର ଗାଇ ତମେ ଜୀବନର କି ଛନ୍ଦ ତିଆରି କରି ପାରିବ ? ହଉ, ଗାଅ, ଗାଅ, ମୁଁ ମନ ଦେଇ ତାକୁ ଶୁଣେ... ଆଉ, ତମ ହୃଦୟରେ ସେଥିରେ ହୁଏତ ସନ୍ତୋଷ ଆସିବ ।

ଏହିପରି ଭାବନା ଭିତରେ ନିରଞ୍ଜନ ପୁଣି କାନ ଡେରି ବିଛଣାରେ ପଡ଼ି ରହିଲା । ନବଗ୍ରହ ସ୍ତୋତ୍ର ପରେ ପବନରେ ପୁଣି ସ୍ୱର ଲହରୀ ଭାସି ଆସିଲା...

ଭବାନୀ ଭବାନୀ ଭବାନୀତି ବାଣୀ ଉଦାରା ମୁଦାରା ସଦା ଯଃ ଜପନ୍ତି

ନରୋଗଂ ନଶୋକଂ ନ ଦୁଃଖଂ...

ସୁନ୍ଦର ! କି ପରିଷ୍କାର ଉଚ୍ଚାରଣ କରି ଗାଉଚି ପୁଣି ଅଞ୍ଜଳି ଏଇ ସ୍ତୋତ୍ରଗୁଡ଼ାକ ! ଏତ ଦିନକର ଆୟାସ ନୁହେଁ । ନିଶ୍ଚୟ କେତେଦିନର ପ୍ରୟାସ ପରେ ଅଞ୍ଜଳି ଏ ଆବୃତ୍ତି ସବୁ ଆୟତ୍ତ କରି ପାରିଚି । ତାର ଘର ଖଣ୍ଡିକ ଏବେ ଯେମିତି ପରିପୂର୍ଣ୍ଣ ହିନ୍ଦୁ ସଂସ୍କୃତିରେ ଭରି ଉଠିଛି । ନିରଞ୍ଜନ ମନେମନେ ଆନନ୍ଦ ଅନୁଭବ କଲା ସେଥିପାଇଁ । ଏହା ଭିତରେ ଘରର ଆଉ ସବୁ ଯେଉଁ ପରିବର୍ତ୍ତନ ଘଟିଚି ତାର ସେସବୁ ଗୋଟି ଗୋଟି ହେଇ ମନେ ପଡ଼ିଲା । ମନେ ପଡ଼ିଲା ଦ୍ୱାର ମୁହଁରେ ‘ମୀନ ମିଥୁନ’ ଆଉ ନବଗ୍ରହ ଚିତ୍ରର କଥା । ତୁଳସୀ ଚଉରାଟା ଏହା ଭିତରେ ମଧ୍ୟ ଆକାର ବଢ଼େଇ ଦେଇ ସାରିଚି । ଘରର ଅଙ୍ଗନ, ଅଳିନ୍ଦ ଏପରିକି ଛୋଟ ଉଦ୍ୟାନ ଖଣ୍ଡିକ ମଧ୍ୟ ପରିଷ୍କାର ପରିଚ୍ଛନ୍ନ । ଯେପରିକି କାହରି ଆଗମନ ଉଦ୍ଦେଶ୍ୟରେ ସମଗ୍ର ପରିସ୍ଥିତିଟା ଅପେକ୍ଷା କରି ରହିଚି । କିଏ ଆଉ ଆସିବ ? ଆସିଚି ଗୋବିନ୍ଦ, ସେହି କ’ଣ ଯଥେଷ୍ଟ ନୁହେଁ ! ଗଛର ପ୍ରତ୍ୟେକ ଶାଖାରେ କ’ଣ ଫଳ ନ ଧରିଲେ ହେବନି ! ତେବେ ତାକୁ ଗୋପନ ରଖି ଅଞ୍ଜଳିର ଏ ଆୟୋଜନ କାହିଁକି ? ପୁଣି ଦିନ ରାତି ଗୋବିନ୍ଦ ପଛରେ ଏତେ ନିବିଡ଼ ହେଇ ଲାଗି ରହିବାର ଉଦ୍ଦେଶ୍ୟ ମଧ୍ୟ କ’ଣ ? ...ସେ କଣ ଅଞ୍ଜଳିର ଏଇ ସୌଭାଗ୍ୟ ଲାଭ ଚାହେଁନା....ସେଥିଲାଗି କଣ ଏଇ ଗୋପନତା...

 

ଆଗର କାନ୍ଥରେ ନିରଞ୍ଜନର ଦୃଷ୍ଟି ପଡ଼ିଲା । ପୁଣି କଣ ସେଠି ଟଙ୍ଗା ହେଇଚି... ସେଦିନ ସେ ସେଇଠୁ ସେଇ ଚକ୍ରଧାରୀ ନେଳିଆ ଲୋକର ଚିତ୍ର ଥିବା ଲୁହା ଲକଡ଼ କମ୍ପାନୀ କ୍ୟାଲେଣ୍ଡରଟା କାଢ଼ି ଦେଇଥିଲା । ତାକୁ ନେଇ ଗୋବିନ୍ଦ ଚିରି ନ ଦେଇ ଓଲଟି ପୂଜା କରୁଥିବା ସେଦିନର ଦୃଶ୍ୟ ତାର ମନେ ପଡ଼ିଲା । ପୁଣି ସେଠି ଆସି କଣ ଟଙ୍ଗାହେଲା । ତା’ ଉପରେ ପୁଣି ଖଣ୍ଡେ ପାଟ କନା ଢଙ୍କା ହେଇଚି କାହିଁକି...କଣ ତାହେଲେ ସିଏ...

 

ଉଠି ପଡ଼ିଲା ନିରଞ୍ଜନ । ରହସ୍ୟ ଉଦ୍‌ଘାଟନ ପାଇଁ ମନରେ ଉତ୍ସୁକତା ଧରି ସେ କାନ୍ଥ ପାଖକୁ ଯିବାକୁ ବସିଚି ଏହି ସମୟରେ ଘର ଭିତରକୁ ଅଞ୍ଜଳି ପଶିଆସିଲା । ନିରଞ୍ଜନର କାର୍ଯ୍ୟକୁ ଅଞ୍ଜଳିର ଲକ୍ଷ୍ୟ ନାହିଁ । ସେ କାନ୍ଥ ପାଖକୁ ଯାଇ ପାଟକନା ଖଣ୍ଡକ ଟେକି ଦେଇ ହାତରେ ବହି ଆଣିଥିବା ଧୂପଧୂନାରେ ନିରାଜନା କରିବାରେ ଲାଗିଗଲା ।

 

ନିରଞ୍ଜନ ପକ୍ଷରେ ଯାହା ରହସ୍ୟାବୃତ୍ତ ଥିଲା, ତାହାକୁ ବର୍ତ୍ତମାନ ଅଞ୍ଜଳି ନିଜ ହାତରେ ଉନ୍ମୋଚନ କରି ଦେଇଚି । ନିରଞ୍ଜନ ଦେଖିଲା, ସେହି କ୍ୟାଲେଣ୍ଡରର ଛବିଟା । ଏହା ଭିତରେ ଦାମିକା ସୁନେଲି ଫ୍ରେମରେ ବନ୍ଧା ହୋଇ ଆସି ଖୁବ ମୂଲ୍ୟବାନ ହେଇ ଉଠିଛି ।

 

ଅଞ୍ଜଳିର ହାବଭାବ ଲକ୍ଷ୍ୟ କରି ନିରଞ୍ଜନ ସେ ପର୍ଯ୍ୟନ୍ତ ଖଟ ଧାରରେ ବସି ରହିଚି । ଠାକୁରଙ୍କ ପାଖରେ ବନ୍ଦପନା କରି ସାରି ପ୍ରସନ୍ନ ହୃଦୟରେ ନିରଞ୍ଜନ ଆଗରେ ଧୂପଧୂନା ବୁଲେଇ ନେଲା ଅଞ୍ଜଳି ।

 

ସେଥିରେ ନିରଞ୍ଜନର ଅନ୍ତରରେ ଯେମିତି ସୁବାସ ଭରି ହୋଇଗଲା । ସେ ଖୁସି ହେଇ କହି ଉଠିଲା, ‘ତମର ନିଷ୍ଠା ଓ କର୍ମ ନିପୁଣତାରେ ମୁଁ ବିଭୋର ହୋଇଯାଇଚି ଅଞ୍ଜଳି । ତମକୁ ଧରି ପକେଇବାକୁ ମୋର ଇଚ୍ଛା ହଉଚି, ତମର ପବିତ୍ରତା ମାରା ହେଇ ଯିବନିତ ?’

 

ଅଞ୍ଜଳି ଥକା ହେଇ ଚାହିଁଲା ନିରଞ୍ଜନକୁ । ବାସ୍ତବିକ ସ୍ୱାମୀର ମୁହଁ ତାର ଆନନ୍ଦରେ ଭରି ଯାଇଚି । ତେବେ କଣ ଏ ତପସ୍ୟା ତାର ସାର୍ଥକ ହେଇଚି !!

 

ସେ ହସି ହସି ଆନନ୍ଦରେ ବିଭୋର ହେଇ କହିଲା, ‘ପବିତ୍ରତା କାହିଁ, ତମରି ହୃଦୟର ସ୍ପର୍ଶ ପାଇବା ଲାଗି ଏ ଖାଲି ଆୟୋଜନ ମାତ୍ର । ତମରି ସ୍ପର୍ଶ ପାଇଲେ ଯାଇ ଏସବୁ ପବିତ୍ର ହେବ...’

 

‘ତମେ କଣ କହୁଚ ଅଞ୍ଜଳି, ଏସବୁ କଣ ସତ ? ମୋର ଧାରଣା ଯେ ଜୀବନରେ ଯେଉଁ ଛନ୍ଦ ଆମେ ତିଆରି କରୁଥିଲେ ତାକୁ ମୁଁ ଓଲଟପାଲଟ କରି ଦେଇଛି... ଆଉ ସେଥିଯୋଗୁ ତମେ ଚାଲି ଯାଉଚ ଦୂରକୁ... ହୁଏତ ତମର ଏଇ ନୈଷ୍ଠିକତା ଭିତରେ ମୋର ସ୍ଥାନ ନାହିଁ ବୋଲି ମୁଁ ଭୟ କରେ... ’

 

ଅଞ୍ଜଳି ସ୍ତମ୍ଭୀତ ହୋଇ ପଡ଼ିଲା । ତାକୁ ଭୟ କରନ୍ତି ତାର ସ୍ୱାମୀ ? ଆଉ ଏଣେ କି ସାଧନା ସିଏ ବସି କରୁଚି । ହାତରୁ ତାର ଦୀପ ଓ ଧୂପଦାନୀ ଖସି ପଡ଼ିଲା । ଧୀରେ ଧୀରେ ଘୁଞ୍ଚିଗଲା ସେ ନିରଞ୍ଜନ ପାଖକୁ ।

 

‘ମୁଁ କିଛି ଅନ୍ୟାୟ କରୁଚି ବୋଲି ତମର ଧାରଣା ହେଇଚି ତା ହେଲେ...’

 

‘ଏ କି ପ୍ରଶ୍ନ ତମେ କଲ ଅଞ୍ଚଳି ?’ ଆଶ୍ଚର୍ଯ୍ୟ ହେଇ କହିଲା ନିରଞ୍ଜନ । ତାପରେ ହାତ ବଢ଼େଇ ଅଞ୍ଜଳିକି ଟାଣି ନେଲା ଖୁବ୍‍ ପାଖକୁ ।

 

ଖରାବେଳେ ଗୋବିନ୍ଦକୁ ନାନା କାହାଣୀ କହି ବାଁରେଇ ବାଁରେଇ ଅଞ୍ଜଳି ଶୋଇ ପକେଇଲା । ତାପରେ ଆସ୍ତେ ଆସ୍ତେ ଆସି ପହଂଚିଲା ନିରଞ୍ଜନ ପାଖରେ । ରତ୍ନମଣି ଖରାବେଳେ ବେଶି ଶୁଏନା । ଝୋଟକୁ ରଙ୍ଗ କରି କଣ ଗୋଟିଏ ଶିଳ୍ପ ରଚନା କରିବାର ଆୟୋଜନ କରୁଥାଏ । ତାର ଏପରି ପ୍ରଚେଷ୍ଟାରେ ଅଞ୍ଜଳିର ଆଗ୍ରହ ମଧ୍ୟ ବିଶେଷ ଭାବରେ ରହିଥାଏ । କିନ୍ତୁ ଅଞ୍ଜଳିର ମନ ଆଜି କେମିତି ଖାପଛଡ଼ା ଧରିଛି । ସେହି ଖାପଛଡ଼ା ଭାବ ଭିତରେ ଅଞ୍ଜଳି ଯେ ଆନନ୍ଦର ଶିହରଣରେ ବେପଥୁମତୀ ହେଇ ଉଠୁଚି ସେକଥା ରତ୍ନମଣି ଲକ୍ଷ୍ୟ କରିଛି ଓ ସେ ମଧ୍ୟ ସେଥିଲାଗି ଯେମିତି ତୃପ୍ତି ଅନୁଭବ କରୁଛି । ଗତ କେତେଦିନର ଘଟଣାରେ ସେ ଯେପରି ନିଜକୁ ଅପରାଧିନୀ ବିଚାରୁଥିଲା । ତାହାର କପାଳ ପୋଡ଼ି ଯାଇଛି । ସେହି ପୋଡ଼ା କପାଳର ହାଓ୍ୱା ବାଜି ଆଉ କାହାରି ଯେମିତି ଅନିଷ୍ଟ ନ ଘଟୁ ତାହା ସେ ଅନ୍ତର ସହ କାମନା କରେ-। ଭଗବାନ କରନ୍ତୁ, ଅଞ୍ଜଳି କୋଳରେ ପିଲାଟିଏ ଧରୁ–ଏ କଥା ସେ କାୟମନୋବାକ୍ୟରେ ମଧ୍ୟ ଅଭିଳାଷ କରେ ।

 

ଅଞ୍ଜଳି ଆର ଖଞ୍ଜାକୁ ଚାଲିଯିବାବେଳେ ଥରେ ଥରେ ପଛକୁ ବୁଲିପଡ଼ି ଚାହୁଁଥାଏ । କଣ ହେଲା କେଜାଣି ଥରେ ସେ ଅଧବାଟରୁ ଫେରି ଆସି ଗୋବିନ୍ଦ ପାଖରେ ପହଞ୍ଚିଲା । ଗୋବିନ୍ଦ ବିଲ୍‌କୁଲ ଶୋଇପଡ଼ିଚି । ତାକୁ ଭଲ କରି ନିରୀକ୍ଷଣ କରିନେବା ପରେ ଛୋଟ ପେଟରା ଖଣ୍ଡକ ଫିଟେଇ ପାନ ଭାଙ୍ଗି ବସିଲା । ଏସବୁ କଥା ରତ୍ନମଣିକି ଭଲ ଲାଗୁ ନଥାଏ । କିନ୍ତୁ ସେ କିଛି ନ କହି ନିଜ କାମରେ ନିବିଷ୍ଟ ରହିଥାଏ । ଶେଷକୁ ଦିଖଣ୍ଡ ପାନ ରତ୍ନମଣି ପାଖରେ ଥୋଇ ହାତରେ ଆଉ ଦିଖଣ୍ଡ ଧରି ଚାଲିଗଲା । ଖଞ୍ଜା ପାର ହେଇଯିବା ଆଗରୁ ପୂର୍ବ ଅଭ୍ୟାସ ତାର ଯେମିତି ପୁଣି ଥରେ ମନେପଡ଼ିଗଲା । ଫେରି ଚାହିଁଲା ସେ ପଛକୁ । ତାର ଏ ଢଙ୍ଗ ଦେଖି ରତ୍ନମଣି ସନ୍ଦିହାନ ହେଇ ତାକୁ ପଛରୁ ଚାହିଁ ରହିଛି । ହଠାତ୍‌ ଦୁଇଯାଆଙ୍କର ଆଖି ଏକ ହେଇଗଲା । ଫିକ୍‌ କରି ହସି ଦେଲା ଅଞ୍ଜଳି । କିନ୍ତୁ କିଛି ନ ଜାଣିଲାପରି ରତ୍ନମଣି ନିଜ କାମରେ ମନ ଦେଲା । କ୍ରମେ ଅଦୃଶ୍ୟ ହେଇଗଲା ଅଞ୍ଜଳି ।

 

(୯)

 

କ୍ରମେ ନିରଞ୍ଜନର ଛୋଟ ଘର ଖଣ୍ଡିକରେ ନାନା ପରିବର୍ତ୍ତନର ସୂତ୍ରପାତ ହେବାକୁ ଲାଗିଲା । ସେଥିପାଇଁ କାହାରି ଉଦ୍ୟମ ନ ଥାଇ ଯେପରି ଏକ ସ୍ୱୟଂଚାଳିତ ପ୍ରକ୍ରିୟାରେ ସେ ସବୁର ସଂଘଟନ ହେଇ ଯାଉଛି । ନିଜର ‘ଆଗ୍ନୋଷ୍ଟିକ୍‌’ ଭାବ ଦୂର ହେଇଚି କି ନା ନିରଞ୍ଜନ ତା ଆଉ ଭାବିବାକୁ ଚେଷ୍ଟା କରିନି । କିନ୍ତୁ ଘର ଖଣ୍ଡିକୁ ଏକ ବିଷ୍ଣୁଧାମ କରି ଗଢ଼ିବାରେ ସେ ଯେମିତି ପ୍ରବଳ ଉତ୍ସାହ ଅନୁଭବ କରୁଚି । ଏହା ଭିତରେ ବଜାରରୁ ସେ କେତେ ଦେବଦେବୀର ଛବି କିଣି ଆଣି ଘରଟିକୁ ସୁସଜ୍ଜିତ କରିଚି । କେବେ ବାହାରକୁ ଗଲେ ମଧ୍ୟ ସେ ସବୁଠାରୁ କେତେକ ଛବି ସଂଗ୍ରହ କରି ଆଣିଚି । ଆଉ ସବୁଠାରୁ ବଡ଼ କଥା, ବହୁ ଦିନରୁ ସେ ଯେଉଁ ସଙ୍ଗୀତ ସାଧନାକୁ ବିଦାୟ ଦେଇଥିଲା, ତାହାର ଏବେ ପୁନର୍ଜନ୍ମ ଲାଭ ହେଇଚି । ନୂଆ ହାରମୋନିୟମ ଖଣ୍ଡେ କିଣି ଆଣି ସନ୍ଧ୍ୟାବେଳେ ସେ ସଙ୍ଗୀତ ଚର୍ଚ୍ଚା ଆରମ୍ଭ କରି ଦେଇଚି । ସେହି ସଙ୍ଗୀତ ଚର୍ଚ୍ଚା ଭିତରେ ପ୍ରାର୍ଥନା ଓ ଭଜନର ଆଧିକ୍ୟ ବେଶି । ଦିନେ ଦିନେ ଅଞ୍ଜଳିଠାରୁ ବହି ମାଗି ‘ନବଗ୍ରହସ୍ତୋତ୍ର’କୁ ସେ ସୁରସଂଯୋଗରେ ଗାଇବାକୁ ମଧ୍ୟ ଚେଷ୍ଟା କରେ । ଥରେ ଥରେ ସେ ନିଧିଆକୁ ଯାଇ ଡାକି ଆଣେ-। ତା ପାଇଁ ହଳେ ଛୋଟ ଛୋଟ ବାୟାଁ ତବଲା ମଧ୍ୟ ସେ ଖରିଦ କରିଛି । ବାୟକ ଦଧିଆର ପୁଅ ନିଧିଆ, ନିରଞ୍ଜନର ବିଶ୍ୱାସ ସେ ଦିନେ ପ୍ରତିଭାଶାଳୀ ବାୟକ ହେବ । କିନ୍ତୁ ଅପୋଗଣ୍ଡ ନିଧିଆ ପ୍ରତିଭାର କୌଣସି କଳ୍ପନା କରି ପାରେନା । ନିରଞ୍ଜନ ଗୀତ ଗାଇଲେ ସେ ଆବୋଲ ତାବୋଲ ଭାବରେ ତବଲା ପିଟେ ।

 

ଦିନେ ଦିନେ ସନ୍ଧ୍ୟା ଗଡ଼ି ଅଧିକ ରାତି ହୋଇଯାଏ, କିନ୍ତୁ ନିରଞ୍ଜନର ସଙ୍ଗୀତ ସାଧନା ବନ୍ଦ ହୁଏନା । ଗୋବିନ୍ଦ ଆସି ବେଳେବେଳେ ସେଠି ବସିଯାଏ, ଆଉ ଭଜନ ମଧ୍ୟ ଗାଇବାକୁ ଚେଷ୍ଟାକରେ । ତା କଣ୍ଠରେ ଭଜନ ଶୁଣି ଅଞ୍ଜଳି ଆଉ ରତ୍ନମଣି ଯେମିତି ଅତି ସନ୍ତୋଷ ଲାଭ କରନ୍ତି । ଗୋବିନ୍ଦ ଭଜନ ଗାଇଲେ ନିଧିଆ ଭଲ କରି ତବଲା ପିଟିବାରେ ଲାଗିଯାଏ ।

 

କିନ୍ତୁ ନିରଞ୍ଜନ ମୁହଁରେ ସେତେବେଳେ ଅଦ୍ଭୁତ ପରିବର୍ତ୍ତନ ଦେଖାଦିଏ । ବହୁ ଚେଷ୍ଟା କରି ନିରଞ୍ଜନ ତାକୁ ଭୁଲିବାକୁ ଇଚ୍ଛା କରେ, ମାତ୍ର ପାରେନା । ଭଗବାନ ସବୁଠାରୁ ଅଧିକ ଯାହାର କ୍ଷତି କରିଛନ୍ତି, ସେହି ପୁଣି ଗାଉଚି ତାଙ୍କରି ପ୍ରଶସ୍ତି ? ନିରଞ୍ଜନର ପୁଣି ମନେ ପଡ଼ିଯାଏ ଯୀଶୁଖ୍ରୀଷ୍ଟଙ୍କ କଥା । ଯୀଶୁଖ୍ରୀଷ୍ଟ କହିଛନ୍ତି, କେହି ଗୋଟିଏ ଗାଲରେ ଥାପଡ଼ ମାରିଲେ ତାକୁ ଆର ଗାଲଟି ଦେଖେଇଦବ । ଏଇ ଗୋବିନ୍ଦ ଆଉ କଣ ସେଇ ଦୀକ୍ଷା ନେଇଚି । ଭାବି ଭାବି ବ୍ୟଥିତ ହେଇପଡ଼େ ନିରଞ୍ଜନ ହାରମୋନିୟମ ଉପରୁ ହାତ ତାର ବନ୍ଦ ହେଇଯାଏ । କଣ୍ଠ ବେସୁରା ହେଇ ଉଠେ । ଖାଲି ନିଧିଆର ତବଲା ପିଟାଟା ଉତ୍କଟ ହୋଇ ଶୁଭେ ।

 

ଦିନେ ସନ୍ଧ୍ୟାବେଳେ ବୈଠକଖାନା ଭିତରକୁ ଅଞ୍ଜଳି ପଶି ଆସି କହିଲା, ‘ଗୋବିନ୍ଦରେ-! ଆଜି ଖରାବେଳେ ଯୋଉ ଗୀତଟା ଶିଖେଇଥିଲି ଗାଇଲୁ.....ସେଇ.....ଅନୁସରିତ, ପ୍ରଭୁ କାଳଯାକ ଗଲା ସରିତ...’

 

ହଠାତ୍‌ ନିରଞ୍ଜନ ପାଟି କରି ଉଠିଲା, ‘‘ଭଗବାନଙ୍କର ସ୍ତୁତି କରିବାକୁ ଯାଇ ଗୋଟିଏ ନିରୀହ ପିଲା ମୁହଁରେ ତାଙ୍କର ନିନ୍ଦା ରଟାନା ଅଞ୍ଜଳି ! ଅନନ୍ତ କାଳର ସୃଷ୍ଟି ଭିତରେ ଭଗବାନ ଗୋଟାଏ ମିରିଗ, ଗୋଟିଏ ହାତୀ ଆଉ ଗୋଟିଏ ଭରତିଆ ଚଢ଼େଇକି ଉଦ୍ଧାର କରିଛନ୍ତି ବୋଲି କହିବା ତାଙ୍କର ନିନ୍ଦା ଛଡ଼ା ଆଉ କିଛି ନୁହେଁ... ଗୋବିନ୍ଦର ବାପା କଣ ତାଙ୍କୁ ଡାକି ନ ଥିଲା... ’’

 

ଏକ ନିଃଶ୍ୱାସରେ ଏତକ କହି ଦେଇ ପରମୁହୂର୍ତ୍ତରେ ଚମକି ଉଠିଲା ନିରଞ୍ଜନ । ଏଇ ଭଣ୍ଡାମୀ ଭିତରେ ଯଦି ଅଞ୍ଜଳି ସନ୍ତୋଷ ପାଉଥିବ ?

 

କିନ୍ତୁ ନିରଞ୍ଜନ ପରମୁହୂର୍ତ୍ତରେ ଆଶ୍ଚର୍ଯ୍ୟ ହେଇ ଦେଖିଲା ଅଞ୍ଜଳି ତା କଥାରେ ଖୁବ୍‍ ଖୁସି ହେଇଚି ଯେମିତି । ନିରଞ୍ଜନ ଆହୁରି ଶୁଣିଲା, ଅଞ୍ଜଳି ତାଙ୍କୁ ହସି ହସି କହୁଚି....

 

‘‘ତମ କଥା ଖୁବ୍‌ ଠିକ୍‌.... କିନ୍ତୁ ଗୀତର ସେଇ ପହିଲୁ ଧାଡ଼ିଟା ମତେ ଖୁବ୍‍ ଭଲ ଲାଗେ... ଆଉ ଦୁଃଖର କଥାଯେ, ସେଇ ଗୋଟିକ ଧାଡ଼ିର ଠିକ୍‌ ଲାଗି ବାକି ଭୁଲ ଧାଡ଼ିଗୁଡ଼ାକୁ ମଧ୍ୟ ଆମକୁ ଗାଇବାକୁ ପଡ଼ିବ.... ’’

 

ନିରଞ୍ଜନର ସେହି ମୁହୂର୍ତ୍ତରେ ଯେମିତି ଜନ୍ମାନ୍ତର ଘଟିଲା । ସେ ବିସ୍ମୟ ଓ ଆନନ୍ଦରେ ଅଧୀର ହେଇ ଅନେଇ ରହିଲା ଅଞ୍ଜଳି ମୁହଁକୁ । ଏତିକି ଯଥେଷ୍ଟ । ଆଉ କିଛି ଯୁକ୍ତି ଭିତରକୁ ଅଞ୍ଜଳିକି ଟାଣିବା ଅବ୍ୟାପାର ହେବ । ନିରଞ୍ଜନ ଉତ୍‌ଫୁଲ ହେଇ ଉଦାସ କଣ୍ଠରେ ଗାଇବାକୁ ଲାଗିଲା....

 

ଅନୁସରିତ....

ପ୍ରଭୁ କାଳଯାକ ଗଲା ସରିତ...

 

ଅଞ୍ଜଳିର ଆଖି ଅଶ୍ରୁସଜଳ ହେଇଉଠିଲା । ମଣିଷର ଏତେ ଆକୁଳ କ୍ରନ୍ଦନ ସତେ କିଏ ଶୁଣେ ! ନା, କେବଳ ନିଜର ବ୍ୟଥାକୁ ମହିମାମୟ କରିବାକୁ ଯୁଗଯୁଗ ଧରି ମଣିଷ ଏମିତି ପାଗଳ ହେଇ ଗାଉଚି....

 

ପାଞ୍ଚାଳି କି ଦୁଃଶାସନ ଘଞ୍ଚାଳିଲା

କୋଟି ବସ୍ତ୍ର ଥିଲ ଦେଇତ...

 

ଅଞ୍ଜଳିର ଭାବନାକୁ ଖଣ୍ଡିତ କରି ନିରଞ୍ଜନର କଣ୍ଠ ସ୍ୱର ପୁଣି ଗର୍ଜି ଉଠିଲା । ନା... ଏ ଅର୍ଥରେ ତା ଭାବନାରେ କୌଣସି ସାମଞ୍ଜସ୍ୟ ନାହିଁ... ଆବଶ୍ୟକତା ବି ନାହିଁ...ବାସ୍ତବିକ ଏ ସବୁ ଗାଇବାକୁ କହି ତାର ସ୍ୱାମୀଙ୍କୁ ସେ ଦୁଃଖ ଦେଉଚି... । ଭାବି ଭାବି ସେ ପାଟି କରି ଉଠି କହିଲା, ଏଭଳି ଗୀତ ଗାଇବାକୁ ମୁଁ ତମକୁ ଆଉ କହିବିନି... ଏ ସତ୍ୟଦ୍ରଷ୍ଟାର କଥା ନୁହେଁ... ଗୋଟା କାହାଣୀ ଉପରେ ଭଗବାନଙ୍କ ମହାମହିମାର କଳ୍ପନା...

 

‘କିନ୍ତୁ ଉପାୟ ?’

 

ଅଞ୍ଜଳି ଶୁଣିଲା, ଏ ନିରଞ୍ଜନର ପ୍ରଶ୍ନ । ସେ ଭାଙ୍ଗି ପଡ଼ିଲା ସେମିତି । ଗୋବିନ୍ଦକୁ ତଳୁ ଉଠେଇ ନେଇ ସେ ଜୋରରେ କାଖେଇ ଧରିଲା । ଆଖିରେ ତାର ସଜଳତା । ଏ ଘଟଣାକୁ ଭଲ ଭାବରେ ବୁଝି ପାରିଲା ନିରଞ୍ଜନ । ଗୋବିନ୍ଦ କଣ ପୁଅ ନୁହେଁ ? ତେବେ...

 

(୧୦)

 

ଏହିପରି ଆହୁରି କିଛିଦିନ ବିତିଗଲା । ନିରଞ୍ଜନ ସେହିପରି ଅଛି । ବ୍ୟବସାୟ କାର୍ଯ୍ୟରେ ଏଣିକି ଖୁବ୍‌ ମନ ଦେଇଥିଲେ ମଧ୍ୟ ସନ୍ଧ୍ୟାରେ ସଙ୍ଗୀତ ଚର୍ଚ୍ଚା ତାର ଅବାରିତ ଗତିରେ ଚାଲିଚି । ନିଧିଆ କ୍ରମେ ବାଜା ବଜେଇବାରେ ଉନ୍ନତି କରୁଚି ବୋଲି ମଧ୍ୟ ତାର ଧାରଣା ହେଇଚି । ମଝିରେ ସମସ୍ତଙ୍କୁ ଧରି ସେ ଗାଁକୁ ଯାଇ ସାତଦିନ କଟେଇ ଦେଇ ଆସିଚି । ଗୋବିନ୍ଦର କାନ ଫୋଡ଼ା ଓ ଖଡ଼ିଛୁଆଁ ପାଇଁ କଟକର ଜଣେ ଖଡ଼ିରତ୍ନ ଦିନ ଧରି ଦେଇଥିଲେ । ସେ ଅନୁସାରେ ଗାଁକୁ ଯାଇ ସେସବୁ ସଂପନ୍ନ କରି ଆସିଚି । ଗାଁରେ ଦାଦୀ, ବଡ଼ବାପା ପ୍ରଭୃତିଙ୍କ କୁଟୁମ୍ୱକୁ ମିଶାଇ ଏକ ବିରାଟ ପରିବାର ଭିତରେ ସାତଟି ଦିନ ସେମାନଙ୍କର ବଡ଼ ଆମୋଦପ୍ରମୋଦ ମଧ୍ୟରେ କଟି ଯାଇଚି । କିନ୍ତୁ ରତ୍ନମଣି ଗାଁରେ ଆନନ୍ଦ ଉପଭୋଗ ପାଇଁ ବିଶେଷ ଉତ୍ସାହ ପାଇ ପାରିଲା ନାହିଁ । ସବୁ କ୍ଷେତ୍ରରେ ତାର ବୈଧବ୍ୟ ଦଶା ଯେମିତି ଅତି ଉତ୍‌କଟ ଭାବରେ ସେ ଅନୁଭବ କଲା । କାନଫୋଡ଼ା ଦିନ ଉତ୍ସବର ବାଜଣା ଭିତରେ ଗୋବିନ୍ଦ ଯେତେବେଳେ ତା’ଠାରୁ ଅଞ୍ଜୁଳି ଧରି ପୂଜାପୀଠ ଉପରକୁ ଗଲା ସେତେବେଳେ ସେ ଆହୁରି ଅଧୀର ହେଇ ପଡ଼ିଲା । ପୁଅକୁ ବିଦାୟ ଦେଇ ସେ ଯେମିତି ଅଶ୍ରୁସାଗରରେ ବୁଡ଼ିଗଲା । ଆଜି ଥାଆନ୍ତେ କି ଗୋବିନ୍ଦର ବାପା ! କ୍ରମେ ରତ୍ନମଣିର କଣ୍ଠ ବାଷ୍ପରୁଦ୍ଧି ଭିତରେ ଦରଜ ହେଇ ଉଠିଲା । ଘରର ଗୋଟିଏ ଆଲମାରିରେ ଖଣ୍ଡେ ବଡ଼ ଧରଣର ଦର୍ପଣ ଜଡ଼ଉ କରିଥିଲେ ତାର ସ୍ୱାମୀ । ରତ୍ନମଣିର ପ୍ରତିଛବି ସେଥିରେ କେତେବେଳେ ଫୁଟି ଉଠିଛି ସେ ଜାଣିନି । ସମସ୍ତେ ପୁଅର କାନଫୋଡ଼ା ଦେଖିବାକୁ ଯାଇ ଦାଣ୍ଡରେ । ନିଜେ ଛାଇରେ ନିଜେ ଚମକି ପଡ଼ିଲା ରତ୍ନମଣି । ଦର୍ପଣ ଭିତରେ ତାରି ବିସ୍ରୁତ ଦେହର ଛବି । ଦେହର ସେଇ ଚମ୍ପାଫୁଲିଆ ରଙ୍ଗ ଏବେବି ସତେଜ ରହିଚି । ଦେହରେ ତାର କି ମାଂସ ଇଏ-!

 

କେତେକ ମୁହୂର୍ତ୍ତ ପାଇଁ ସବୁ ଭୁଲିଗଲା ରତ୍ନମଣି । ଚାହିଁ ରହିଲା କେବଳ ନିଜକୁ ଦର୍ପଣ ଭିତରେ । ନିଜ ଉପରୁ ନିଜେ ଯେମିତି ଆଖି ଫେରେଇ ପାରୁନି । ବେକ ତଳର ଚମପୁଳାକ କି ସଫା... ମାଂସ ପୁଣି ରୁନ୍ଧି ହେଇ ରହିଚି ସେଇ ଲୁଗା ତଳେ । ତାଙ୍କର ସେଦିନର ଭୋଗ୍ୟ ବସ୍ତୁ ଆଜିବି ଅବିକୃତ ରହିଚି... ଆଉ ସେ କେବଳ ନାହାଁନ୍ତି !

 

ରତ୍ନମଣିର ଇଚ୍ଛା ହେଲା ଗୋଟା ଚିତ୍କାର କରି ସେ ଏଇ ସୃଷ୍ଟିଟାକୁ ବିଦୀର୍ଣ୍ଣ କରି ଦିଅନ୍ତା-। ନିଜକୁ ଟିକିଟିକି କରି ମିଶେଇ ଦିଅନ୍ତା ଏଇ ମାଟିରେ । ଉତ୍ତେଜନା ଓ ବିକ୍ଷୋଭର ଅତିଷ୍ଠତା ଭିତରେ ସେ ଅସହାୟ ଭାବରେ ବସିପଡ଼ିଲା ତଳେ । ମୁଣ୍ଡଟାକୁ ଖୁବ୍‌ ଜୋରରେ ଭୂଇଁରେ ପିଟି ଦେବାକୁ ତାର ଇଚ୍ଛା ହେଲା । ଆଗରେ ଯେମିତି ଗୋବିନ୍ଦ ଆସି ଠିଆ ହେଇଗଲା । ହାତରେ ଆଶୀଷ-ଅଞ୍ଜଳି, ଦେହରେ ପାଟଲୁଗା ଆଉ ଚାଦର । ହଳଦି ଲଗେଇ ଗାଧେଇଚି । କପାଳରେ ବଡ଼ ସାଆନ୍ତଙ୍କ ଝିଅ ସେବତୀ ନାଇ ଦେଇଚି ଚନ୍ଦନ ପାଟିର ଚିତା । ପୁଅ... ବାପର ଗୋଟିକ ଯାକ ବିଗ୍ରହ ଧରି ଆସିଚି ଏଇ ଗୋବିନ୍ଦ । ଆଖି ପୋଛିଦେଲା ରତ୍ନମଣି । ତାର ଏ ନିଜର ଦେହ କିଛି ନୁହେଁ । ମନରେ ତାର ଭୂତ ପଶି ଯାଇଚି । ତାର ସର୍ବସ୍ୱ ଏଇ ଗୋବିନ୍ଦ... ସ୍ୱାମୀ ତାର ରହିଛନ୍ତି ତାରି ଭିତରେ । ଆଉ ନିରଞ୍ଜନ କହୁଥିଲେ ଗୋବିନ୍ଦ ବିଲ୍‌କୁଲ ତା ବୋଉର ଚେହେରା ଆଣିଚି । ପ୍ରକୃତରେ ଏ ଦେହ ତାର କିଛି ନୁହେଁ । ଅସଲ ଦେହ ତାର ଯାଇ ଗୋବିନ୍ଦ ଭିତରେ ।

 

ଆଗରେ ପୁରୁଣା ଦିନର ସେଇ ପଲଙ୍କଟା । ଏତେ ଅସ୍ୱୀକୃତି ପରେ ଆଖି ତାର ଓଟାରି ହେଇଗଲା ସେଠିକି । ଯେମିତି ଏ ଘରେ ଭାନୁମତୀର ନାଟ । ଉଠି ପଳେଇଗଲା ରତ୍ନମଣି ସେ ଘରୁ । ନା... ଏ ଘରେ ରହି ହବନି । ସମସ୍ତେ ଦାଣ୍ଡରେ, ଚାଲିଗଲା ସେ ସମସ୍ତଙ୍କ ଭିତରକୁ । ହେଇତ ମାହାପାତ୍ର ଘର ବଡ଼ବୋହୂ ଆସିଚି... ଏକା ବର୍ଷରେ ସେମାନଙ୍କର ବା’ଘର ହେଇଥିଲା । ହାତରେ କାଚ ତାର ଦାଉଦାଉ ହଉଚି । ନାଲି ପୋହଳା ଭିତରେ ଗୋଟା ଗୋଟା ସୁନାର ରୁଦ୍ରାକ୍ଷ ମାଳ ହେଇ ମଣିବନ୍ଧରେ ତାର ବନ୍ଧା ହେଇଚି । ସୀମନ୍ତ ଆଉ କପାଳରେ ସିନ୍ଦୂର । ଆଲୋ... କେତେ ସୁନ୍ଦର ଢାଳିଚି ସେ ମୁଣ୍ଡରେ ।

 

ନା, ସେଠିକି ଯାଇ ହବନି । ଏଠିବି ଭାନୁମତୀର ନାଟ । ମହାପାତ୍ର ଘରବୋହୂ ଭିତରେ ବି ଗୋବିନ୍ଦର ବାପା ! ନା, ଏ ଗାଁରେ ରହି ହବନି । କୁଆଡ଼େ ଗଲା ଅଞ୍ଜଳି । ଝଟ କଟକ ଫେରିଯିବାକୁ ହେବ । ଖୁବ୍‌ ଭଲ ଲାଗେ ସେଠି । ଅଞ୍ଜଳି ଯେମିତି ସେଠି ଆଶ୍ରମ ତିଆରି କରିଚି । ନା, ଭଲ ନୁହେଁ । ଅଞ୍ଚଳିର ସେଥିରେ ଲାଭ କଣ । ଅଞ୍ଜଳି ଏଇଠି ରହୁ...ହେଲେ ବାଦବୁଦିଆ ଭିତରେ... ନା, କଟକ ଫେରିଯିବା ସମସ୍ତେ... । ଭାବି ଭାବି ଘର ଭିତରକୁ ଫେରିଗଲା ରତ୍ନମଣି ।

 

ଫେରୁ ଫେରୁ ଅଗଣା ଭିତରେ ଅଞ୍ଜଳିକି ରତ୍ନମଣି ଭେଟିଲା । ସକାଳ ନ’ଟା ବେଳ । ଉଞ୍ଚ ମଥାନ ଡେଇଁ ଦୁଆରେ ଆସ୍ତେ ଆସ୍ତେ ଖରାମାଡ଼ୁଚି । ସେହି ଖରାର ଧାସ ଅଞ୍ଚଳିର ଗୋରାଚମ ଉପରେ ମାଖି ହେଇ ଯାଇଚି । ଅଞ୍ଜଳି ଭିତରେ ଯେମିତି ପୁଣି ଅଜଣା ପୁଲକ ଖେଳି ବୁଲୁଚି । ତାର ଆଭାସ ଫୁଟିଚି ଅଞ୍ଜଳିର ଓଠରେ । ତାକୁ ଅନେଇ ଅନେଇ ଖୁବ୍‌ ପାଖକୁ ଚାଲି ଆସିଲା ରତ୍ନମଣି ।

 

‘‘କୋଉଠି ଗାଲମାଡ଼ି ଶୋଇ ପଡ଼ିଥିଲୁ କି ?’’

 

ପ୍ରଶ୍ନ ପଚାରିଦେଲା ପରେ ପରେ ରତ୍ନମଣିର ଭୁଲ ଭାଙ୍ଗିଗଲା । ନା, ଗାଲରେ ମାଡ଼ି ହେଇଯିବାର ଦାଗ ନାହିଁ... ଚମର ରଙ୍ଗ ଆପେ ବଦଳି ଯାଇଚି । କିନ୍ତୁ ରତ୍ନମଣିର ପ୍ରଶ୍ନ ଶୁଣି ଅଞ୍ଜଳି ନିଜ ଗାଲକୁ ହାତରେ ଅଣ୍ଡାଳି ନେଲା।

 

ରତ୍ନମଣି ହସି ଦେଇ କହିଲା, ‘‘ଓଲି, ଆଲୋ ଉଣ୍ଡାଳୁଚୁ କଣ... ଆର୍ସିରେ ଦେଖିବୁ ଯା-।’’ କହି ସେ ପୁଣି ଥରେ ହସି ଦେଇ ଟାଣି ଟାଣି ଅଞ୍ଜଳିକି ସାଙ୍ଗରେ ନେଇଗଲା । ଭାରି ଲାଜ ଲାଗିଲା ଅଞ୍ଜଳିକି । ଅପା କଣ ଯା’ ଭାବୁଚନ୍ତି ସତ ! ଦେହରେ ତାର ସତରେ କଣ ପରିବର୍ତ୍ତନ ହେଇଚି । ଅନ୍ତର ଭିତରେ ତାର ଆହ୍ଲାଦର ଶିହରଣ ଖେଳିଗଲା ଯେମିତି ।

 

ଏବେ ବ୍ୟବସାୟ କାମରେ ନିରଞ୍ଜନ ଖୁବ୍‌ ମାତି ଯାଇଚି । ଯେମିତି ଭବିଷ୍ୟତ ପାଇଁ ତାର ଆହୁରି ଟଙ୍କା କମେଇବା ଦରକାର, ଏଇଭଳି ଗୋଟିଏ ସଚେତନତା ତା ଭିତରେ ଜାଗି ଉଠିଛି । ସେ ଭଲ ଭାବରେ ହିସାବ କରି ଦେଖିଚି ତାର ମାସିକ ଆୟ ଏଣିକି ଆଠଶହ ଟଙ୍କାରୁ କମ୍‌ ହେଉନି । ଏହା ଭିତରେ ତିନୋଟି କମ୍ପାନୀର ସେ କମିଶନ ଏଜେଣ୍ଟ ହେଇ ଯାଇଚି । ବେଶି ଉଦ୍ୟୋଗ ନ କରି ସେମିତି ଅଫିସ ଜମେଇ ବସିଲେବି ସେଥିଯୋଗୁ ଖୁସିରେ ପ୍ରାୟ ପାଁଶ ଟଙ୍କା ସେ ପାଇ ପାରିବ । ଏସବୁ ଭାବି ଏ ଯନ୍ତ୍ର-ଯୁଗପ୍ରତି ହୃଦୟ ତାର ଅଭିନନ୍ଦନ ଜଣେଇ ବସେ । ଓଡ଼ିଶାରେ ଏ ଯୁଗର ଅୟମାରମ୍ଭ ମାତ୍ର । କେଜାଣି ଆହୁରି କେତେ ସ୍ୱର୍ଣ୍ଣ ଦିବସ ତା ପାଇଁ ଅପେକ୍ଷା କରି ରହିଚି । ଭାବିଭାବି ନିରଞ୍ଜନ ନିଜ ଭିତରେ ବିଭୋର ହେଇଉଠେ । ତାର ନିଜର ସନ୍ତାନ ହୁଏତ ନିକଟ ଭବିଷ୍ୟତରେ ଏ ପୃଥିବୀର ଆଲୋକ ଦେଖିପାରେ... ଆହୁରି ଗୋବିନ୍ଦ, ତାକୁ ଖୁବ୍‍ ବଡ଼ ମଣିଷ କରିବାକୁ ହବ... ତାକୁ ବିଦେଶ ପଠେଇ ବଡ଼ ଇଞ୍ଜିନିୟରଟାଏ କରି ଗଢ଼ିବାକୁ ହବ...

 

କ୍ରମେ ତାର କଳ୍ପନା-ଚକ୍ଷୁରେ ଭାସି ଉଠେ ଚିତ୍ର-ବିଲାତି କି ଆମେରିକାରୁ ଗୋବିନ୍ଦ ମସ୍ତବଡ଼ ଇଞ୍ଜିନିୟର ହେଇ ଫେରିଚି–ନା–ନା ଆମେରିକା ନୁହେଁ, ବିଲାତ ନୁହେଁ–ଋଷିଆ ସାଙ୍ଗରେ ଭରତର ସମ୍ପର୍କ ଘନିଷ୍ଠ ହେଉଚି–ସେଠି ମଧ୍ୟ ଯନ୍ତ୍ର-ଦାନବ ଆଜି ସାରା ପୃଥିବୀକି ଡାକରା ଦେଇ ଛିଡ଼ା ହେଉଚି–ଗୋବିନ୍ଦ ଯିବ ଋଷିଆ–ଆଉ ଜୀବନର ନୂଆବାର୍ତ୍ତା ସେଠି ସେ ପାଇ ପାରିବ । ହଁ, ଗୋବିନ୍ଦ ଫେରିବ ବଡ଼ ଇଞ୍ଜିନିଅର ହେଇ ଋଷିଆରୁ । ପଛରେ ତାର ଛିଡ଼ା ହେଇଥିବେ ଅଞ୍ଜଳିର ପିଲା–କେତେ ପିଲା... ଏକ.. ଦୁଇ... ତିନ୍‌ । ଆଉ ଗଣି ପାରିଲାନି ନିରଞ୍ଜନ । ହଁ ସେତିକି ସେତିକି, ଅଞ୍ଜଳିର ହେବେ ତିନୋଟି ପିଲା । ଦୁଇଟି ପୁଅ, ଆଉ ଗୋଟିଏ ସୁନାଲାଖି ଝିଅ । ଢେର–

 

ନିରଞ୍ଜନର ସଂସ୍କାରଶୀଳ ମନ ଉପରେ ବ୍ୟବସାୟୀ ହିସାବର ପ୍ରଲେପ ନିପୁଣ ଭାବରେ ଲାଗିଚି । ଏହାପରେ ସେ ଫେରି ଆସିଲା ଦୋରସ୍ତି ହିସାବକିତାବ ଭିତରକୁ । ବୟସ ତାର ଏଇକ୍ଷଣି ପଇଁତ୍ରିଶ ବର୍ଷ ହେବ । ଆଉ ପଚିଶ ବର୍ଷ । ହଁ ସେଇ ପଚିଶ ବର୍ଷଯାଏ ହେବ । ଷାଠିଏରୁ ଅଧିକ ବର୍ଷ ବଞ୍ଚିବ ବୋଲି ସେ ଯେମିତି ଭାବିବାକୁ ସାହସ ପାଇ ପାରିଲାନି । ତେବେ ବାପା ତାର ମରିଥିଲେ ଚଉଷଠି ବର୍ଷରେ । ଛାଡ଼, ବାକି ଚାରି ବର୍ଷଟା ହୁଏତ ବିରାଟ ବାର୍ଦ୍ଧକ୍ୟ ଭିତରେ ଯିବ । ତା ହେଲେ ସେତେବେଳକୁ ଅଞ୍ଚଳିକି ହେଇଥିବ କେତେ ? ଏବେ ତାକୁ ତେଇଶ, ପୁଣି ଆଉ ପଚିଶ–ମୋଟେ ଅଠଚାଳିଶ–ନା ନା, ସେ ଆଉ କିଛି ଅଧିକ କାଳ ବଞ୍ଚି ରହିବା ଉଚିତ୍‌–ହଁ ହଁ, ଅଞ୍ଜଳି ପୂଜାପାଠ କରୁଚି... ତା’ର ଈଶ୍ୱର ଭକ୍ତି–

 

ଉଚ୍ଚହାସ୍ୟ କରି ଉଠିଲା ସେ ନିଜେ । ଆଉ ନିଜେ ଚମକି ପଡ଼ିଲା ସେ ସେଥିରେ । ତାର ହିସାବକିତାବ ଉପରେ ସଂସ୍କାରଶୀଳ ମନର ପାଞ୍ଚଣ ବାଜିଲା ଯେମିତି । ସବୁ ଭାବନା ଛାଡ଼ିଦେଇ ସେ କମ୍ପାନୀର ଚିଠି ପଢ଼ିବାକୁ ଲାଗିଲା । ପାଖ ମାରୁଆଡ଼ି ଦୋକାନରେ କିଏ ରେଡ଼ିଓ ଖୋଲି ଦେଇଚି । ତାର-ଯନ୍ତ୍ର କି କଣ୍ଠର ସ୍ୱର ନାହିଁ । ଖାଲି ବାୟାଁର ଚାଟି ଆଉ ତବଲାର ଟକ୍‌କାରେ ତାଳ ବିଶ୍ଳେଷଣ ଚାଲିଚି । ବଡ଼ ସୁନ୍ଦର ବଜଉଚିତ କିଏ । ମନେ ପଡ଼ିଗଲା ତାର ନିଧିଆର କଥା । ଦିନେ ଏମିତି ବଜେଇବ ନିଧିଆ । ତା ଆଖିରେ ନିଧିଆ ଆସି ଯେମିତି ଛିଡ଼ାହେଲା । ଏହା ଭିତରେ ଚେହେରାରେ ତାର ଢେର ପରିବର୍ତ୍ତନ ହେଇଚି । ଆଈ ଗାଈ ଆଣିଚି-। ଏବେ ଦୁଧ ଦହିଟିକେ ଖାଇବାକୁ ପାଇଚି ନିଧିଆ । ଖାଦ୍ୟାଭାବରୁ ଦିନେ ନିଧିଆ ମରିଗଲା-। ଭାବି ଭାବି ଅଫିସ କାଗଜ ଉପରୁ ଆଖି ଉଠେଇ ସେ ଅନେଇଲା ବାହାରକୁ । ଡାକି ଉଠିଲା ବଡ଼ ପାଟିରେ...

 

ଧନଞ୍ଜୟ... ଧନଞ୍ଜୟ...

 

ଆଗର ପିଚୁରାସ୍ତା ଉପରେ ଚାଲି ଯାଉଚି ନିରଞ୍ଜନର ସେହି ସାହିତ୍ୟସାଧକ ବନ୍ଧୁ । ନିରଞ୍ଜନର କଥା ଶୁଣୁଥିଲେ ବି ତାକୁ ଯେମିତି ସେ ଶୁଣିବାକୁ ଚାହେଁନା । ଧନଞ୍ଜୟ ଆଗକୁ ଚାଲିଲା । ବାହାରକୁ ଚାଲିଆସି ନିରଞ୍ଜନ ପୁଣି ଡାକ ଛାଡ଼ିଲା । ନିରଞ୍ଜନ ଜାଣେ ସହର ଭିତରେ ଏଡ଼େ ବଡ଼ ପାଟିରେ ଡାକିବା ମସ୍ତବଡ଼ ଅଭଦ୍ରତା । କିନ୍ତୁ ଉପାୟ ନାହିଁ । ଚପରାସି କୁଆଡ଼େ କାମରେ ଯାଇଛି । ଆଉ ଏଇ ଧନଞ୍ଜୟକୁ ତାର ଯେମିତି ଆଜି ଦରକାର ।

 

ଅବଶେଷରେ ଧନଞ୍ଜୟ ଫେରିଲା । ଗୋଟା ଦୀର୍ଘ ନମସ୍କାର କଲା ତାକୁ ନିରଞ୍ଜନ ଅଭ୍ୟର୍ଥନା କରି । ଧନଞ୍ଜୟର ବେଶଭୂଷାରେ ସେହିପରି ଉଦାସୀନତା ଓ ଦୈନ୍ୟ । ନିରଞ୍ଜନ ଦେହରେ ଫିନ୍‌ଫିନ୍‌ ରେଶମ କନାର ପଞ୍ଜାବୀ । ଛାତିରେ ସୁନା ବୋତାମ । ଆଙ୍ଗୁଠିରେ ଦୁଇ ତିନିଟି ପଥରବସା ସୁନାମୁଦି ଚକ୍‌ଚକ୍‌ ହେଉଚି । ଏଥିରେ ବଡ଼ ଲଜ୍ଜିତ ହେଲା ନିରଞ୍ଜନ । କଥାଭାଷା ଭିତରେ ହାତର ମୁଦିଗୁଡ଼ାକୁ ଖୋଲି ପକେଇବାକୁ ଚେଷ୍ଟା କଲା ।

 

‘ତୋର ପିଲାପିଲି କଣରେ ?’

 

ଧନଞ୍ଜୟ ଟିକେ ହସିଦେଲା । ନିରଞ୍ଜନ ତାକୁ ଏ ପ୍ରଶ୍ନ କରୁଚି କାହିଁକି । ନିରଞ୍ଜନର ମୁହଁକୁ ଚାହିଁଲା ସେ । ବାଳଗୁଡ଼ାକର ପରିପାଟୀ ଅତି ସୁନ୍ଦର, ପୋଷାକ ପରିଚ୍ଛଦ ସବୁ ସୁନ୍ଦର, ଯେମିତି ସିନେମାର ବେଶଘରୁ ସେ ବାହାରି ଆସିଚି । ନିଜ ମୁଣ୍ଡରେ ଧନଞ୍ଜୟ ଥରେ ହାତ ମାରିଦେଲା । ଅଲରାବଲରା ବାଳ । କିଛିକ୍ଷଣ ପରେ ଉତ୍ତର ଦେଇ କହିଲା, ‘‘ଆଗେ ପୂର୍ବବର୍ତ୍ତୀ କଥାଟା ସିନା ପଚାରିବା ଦରକାର ।’’

 

ଏହାପରେ ଦୁଇବନ୍ଧୁଙ୍କ ଆଲୋଚନା ଭିତରେ କ୍ରମେ ପ୍ରକାଶ ପାଇଲା ଯେ ଧନଞ୍ଜୟ ଏପର୍ଯ୍ୟନ୍ତ ବିବାହ କରିନି। ନର୍ମଦା ବୋଲି ଗୋଟିଏ ଝିଅ ସାଙ୍ଗରେ ଏ ପ୍ରସ୍ତାବ ଟିକେ ଆଗେଇ ଥିଲା । କିନ୍ତୁ ସେତିକିରେ ତାହା ସମାପ୍ତ ହୋଇଚି । ଅନ୍ତର ମିଳନ ପୂର୍ବରୁ ବାହାରର ମିଳନ ପାଇଁ ଧନଞ୍ଜୟ କୌଣସି ଆବଶ୍ୟକତା ପୂରଣ କରି ପାରିଲାନି । ଅପେକ୍ଷା ପରେ ଅପେକ୍ଷା, କିନ୍ତୁ ଅନନ୍ତକାଳର ଅପେକ୍ଷା ନାରୀ ପକ୍ଷରେ ଅକାମ୍ୟ । ସେଠି ଜୁଆରର ଭଟ୍ଟା ଖୁବ୍‍ କ୍ଷିପ୍ର । ଜୁଆରଭଟ୍ଟାର ଫେଡ଼ାଣ ମିଶାଣ ଭିତରେ ଆଉ କାହାର ନର୍ମଦାୟିନୀ ହେଇ ଚାଲିଗଲା ନର୍ମଦା । କିନ୍ତୁ ଧନଞ୍ଜୟର ସାହିତ୍ୟସାଧନାରେ ସେଥିଯୋଗୁଁ ଗୋଟିଏ ଢେଉ ଉଠିଥିଲା । ତାହାର ସଦ୍‌ବ୍ୟବହାର କରିଚି ସେ କବିତା ଗାଇ ।

 

‘‘ହଁ... ଆଉ ଆଜି ଏ ଯାତ୍ରା କୁଆଡ଼େ ?’’

 

ଧନଞ୍ଜୟ ତରବର ହୋଇ ଉତ୍ତର ଦେଲା, ‘‘କବି ପଦ୍ମଚରଣ ମରି ଯାଇଚନ୍ତି, ତୁ ଜାଣିନୁ-?’’

 

Unknown

‘‘ହଁ, କଣ ହେଲା ? ସେ କବି ବୋଲି ଆଉ କଣ ମରିବେନି ?’’

 

‘‘କିନ୍ତୁ ବଡ଼ ଦୁଃଖରେ ମଲେ !’’

 

ଧନଞ୍ଜୟର ଏ କଥା ଶୁଣି ତାକୁ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଲା ନିରଞ୍ଜନ । ଆଉ ଏ ସାହିତ୍ୟ ସାଧକ ବିଚରାଟି କଣ ସୁଖରେ ଅଛି ବୋଲି ବିଶ୍ୱାସ କରୁଚି ।

 

ନିରଞ୍ଜନ ଭାବ ବଦଳେଇ ସମବେଦନା ପ୍ରକାଶ କରି କହିଲା–‘ହଁ ବଡ଼ ଦୁଃଖରେ ମଲେ । ତାଙ୍କ ଶୋକସଭା କରିବା ପାଇଁ କାଗଜରେ ତୁ ଗୋଟା ନୋଟିସ ଦେଇଚୁ ମୁଁ ଦେଖିଚି । କିନ୍ତୁ ତାଙ୍କ ଦୁଃଖ ଦୂର କରିବାକୁ ତମେ ସବୁ ଆଗରୁ କଣ କରିଥିଲ । ସାହିତ୍ୟିକ ଭିତରୁ ଯେ କେତେଜଣ ଧନ ଅର୍ଜି ପାରିଚନ୍ତି ସେମାନେ କିଛି ହେଲେ କରିଚନ୍ତି ।’

 

ଏଥିପାଇଁ ଧନଞ୍ଜୟର କିଛ ଉତ୍ତର ନ ଥିଲା । ସାହିତ୍ୟିକ ପୁଣି ସାହିତ୍ୟିକର ଦୁଃଖ ଦୂର କରିବେ କଣ ? ସରକାର ଆଉ ପୁଞ୍ଜିପତିମାନଙ୍କ ଉପରେ ସେମାନଙ୍କର ଅଭିଯୋଗ... ଆଉ ଏ ଦିଗଟାତ ସେ କେବେ ଭାବିନି । ହଁ... ଆମ ଭିତରୁ କେତେ ଜଣତ ଆଜି ବେଶ ଧନ କମଉଚନ୍ତି... ହଁ ହଁ... ସେମାନେ ନିଶ୍ଚେ ସାହାଯ୍ୟ କରିଥିବେ ସେକଥା କଣ ଆଉ ସେମାନେ ଅଶିଷ୍ଟ ହେଇ ପ୍ରକାଶ କରିଥାନ୍ତେ । ଉତ୍ସାହିତ ହେଇ ଧନଞ୍ଜୟ କହିଲା, ‘ତୁ କୋଉଠୁ ଜାଣିବୁ ସେକଥା ।’

 

ନିରଞ୍ଜନ ଟିକେ ତାଚ୍ଛଲ୍ୟର ହସ ହସି ଦେଲା । ଯେଉଁ ଅନୁଷ୍ଠାନ ସହ ସେ ଘନିଷ୍ଠ ଭାବରେ ସଂପୃକ୍ତ ସେ ଅନୁଷ୍ଠାନ ପକ୍ଷରୁ ଦିଆ ଯାଇଥିବା ସାହାଯ୍ୟର ଚାନ୍ଦାଦାତାମାନଙ୍କ ତାଲିକା ଏ ପର୍ଯ୍ୟନ୍ତ ତା ପାଖରେ ରହିଛି । କିନ୍ତୁ ତାକୁ ଧନଞ୍ଜୟକୁ ଦେଖେଇବାକୁ ସେ ଆଉ ଉଚିତ ମନେ କଲାନି ।

 

କିଛି ସମୟ କଥାଭାଷାରେ ସେ ଧନଞ୍ଜୟକୁ ସାଙ୍ଗରେ ଧରି ନିଜ ଘରକୁ ନେଇଗଲା । ନିରଞ୍ଜନର ଛୋଟ ବୈଠକଖାନାଟି ଧନଞ୍ଜୟକୁ ଖୁବ୍‍ ଭଲ ଲାଗିଲା । କାନ୍ଥରେ ଦେବ ଦେବୀଙ୍କ ଛବି ଦେଖି ସେ ଅସହିଷ୍ଣୁ ହେଉଥିଲେ ମଧ୍ୟ ମୁହଁରେ କିଛି ପ୍ରକାଶ କଲାନି । ନିରଞ୍ଜନ ଆଜି ଭାଗ୍ୟବାନ ହେଇଚି... ତାର କାର୍ଯ୍ୟକୁ ସମାଲୋଚନା କରିବା ପାଇଁ ଧନଞ୍ଜୟ ସାହସ ସଂଗ୍ରହ କରି ପାରିଲାନି । ହୁଏତ ତାର କାର୍ଯ୍ୟକୁ ସମର୍ଥନ କରିବାକୁ ହେବ । ଏଁ.... ସମର୍ଥନ ? ଧନଞ୍ଜୟର ମନରେ ବିଦ୍ରୋହ ଉଁକି ମାରିଲା ।... ମାରୁଓ୍ୱାଡ଼ି ପଟିରେ ଢେର ଭାଗ୍ୟବାନ ଅଛନ୍ତି... ତାଙ୍କୁ କିଏ...

 

‘‘ଗୋବିନ୍ଦ, ହେଇ ଇଏ ତୋର ମାଷ୍ଟ୍ରେ । ତତେ ଏଥର ନିତି ପାଠ ପଢ଼େଇବେ । ତାକୁ ନମସ୍କାର କର ।’’

 

ନିଜର ଭାବନା ବ୍ୟାହତ ହେବା ଭିତରେ ଅନ୍ୟର ଭାବନାର ଧକାରେ ଧନଞ୍ଜୟ ଚହଲି ଉଠିଲା । ତାର ଆଖି ପଡ଼ିଲା ଗୋବିନ୍ଦ ଉପରେ । କାନରେ ସୁନାଫାଶିଆ, ଗୋରା ଗୁଲୁଗୁଲୁ ସୁନ୍ଦର ପିଲାଟିଏ । ମୁଣ୍ଡର କଳା ଘୂମର କୁଞ୍ଚୁକୁଞ୍ଚିଆ ବାଳ ଝୁଲ୍‌ଝୁଲ୍‌ ହେଉଚି । ଅନେଇ ଅନେଇ ତାକୁ ପ୍ରତିନମସ୍କାର କଲା ଧନଞ୍ଜୟ ।

 

ନିରଞ୍ଜନର କଥା ପୁଣି ଧନଞ୍ଜୟ ଶୁଣିବାକୁ ପାଇଲା, ‘‘ମୋର କଥା ତୁ କେବେ ରଖିନୁ ଧନଞ୍ଜୟ, ସେତେବେଳେ ରାଜି ହୋଇଥିଲେ ତୁ ଆଜି ଦେଢ଼ ଶ’ ଟଙ୍କା ପାଉଥାନ୍ତୁ । ଆଉ ତୁ କି ଅବସ୍ଥାରେ ଚଳୁ ମୁଁ ଜାଣିଚି... ତୁ ଯୋଉ ଘରେ ରହିଚୁ ମୁଁ ତାକୁ ମଧ୍ୟ ଦେଖିଚି । ଗୋବିନ୍ଦକୁ ପାଠ ପଢ଼ାଇବା ଭାର ତୋତେ ଗ୍ରହଣ କରିବାକୁ ହେବ ।’’

 

ମନେ ମନେ ଧନଞ୍ଜୟ ଭାବିଲା, କଣ କହୁଚି ଏ ନିରଞ୍ଜନ, ଗୋଟା ଲୁହା ଲକଡ଼ କମ୍ପାନୀର ଏଜେଣ୍ଟ... ସେ ମତେ କିଛି ଟଙ୍କା ଦେଇ କିଣି ନେବାକୁ ପ୍ରସ୍ତାବ କରୁଚି ? ଦେଶରେ ସାହିତ୍ୟ ସାଧନାର ଆଦର୍ଶ ତା ହେଲେ କଣ ରହିବ। ଓଡ଼ିଆ ସାହିତ୍ୟର ବିକାଶ ପାଇଁ ସରକାର ମଧ୍ୟ ପାଣ୍ଠି ଖଞ୍ଜି ଦେଲେଣି । ଆଉ କଣ ଅସୁବିଧା ରହିବ । କିନ୍ତୁ ଏଇ ପିଲାଟି... ନିରଞ୍ଜନ କଣ କହିଲା ତା ନାଁ... ଗୋବିନ୍ଦ, ହଁ... ଭଲ ପିଲାଟି... ତାକୁ ପାଠ ପଢ଼େଇଲେ ଆନନ୍ଦ ଲାଗି ପାରେ... ସିଏ ବା ହେଇଥିଲେ ତାର ମଧ୍ୟ ଏଡ଼େ ପୁଅଟିଏ ହୁଅନ୍ତାଣି...

 

ଧନଞ୍ଜୟ ନୀରବ ରହିଲା ।

 

୧୧

 

ଏହା ଭିତରେ ଅନେକ ଦିନ ଗତ ହୋଇଯାଇଛି । ନିଧିଆର ବୟସ ଏହା ଭିତରେ ଦଶବର୍ଷ ପୂରିଗଲାଣି । ତାର ପୂର୍ବର ଚେହେରା ମଧ୍ୟ ଯଥେଷ୍ଟ ବଦଳି ଯାଇଚି । ପ୍ରାୟ ବର୍ଷେ ହେଲା ଗୋଟିଏ ସଙ୍ଗୀତ ଶିକ୍ଷା ଅନୁଷ୍ଠାନରେ ନିରଞ୍ଜନ ତାକୁ ଭର୍ତ୍ତି କରି ଦେଇଥିଲା । ସେହି ଶିକ୍ଷା ଭିତରେ ନିଧିଆ ସତକୁସତ ନିରଞ୍ଜନର ଆକାଂକ୍ଷାକୁ ସଫଳ କରି ପ୍ରତିଭାର ପରିଚୟ ଦେଇଚି । ତଥାପି ସେ ଶିଶୁ । କିନ୍ତୁ ତା’ ଭିତରେ ଦଧିଆର ଆର୍ବିଭାବ ଘଟୁଚି ବୋଲି ନିରଞ୍ଜନର ବିଶ୍ୱାସ ହେଇଚି । ନିଧିଆର ବିଦ୍ୟାଶିକ୍ଷା ଆଉ ବାଦ୍ୟଶିକ୍ଷା ଏକ ତାଳରେ କିନ୍ତୁ ଗତି କରି ପାରିନି । ପାଠ ଦିଗରେ ନିଧିଆ ନିପଟ ମୂର୍ଖ ଥିଲା, ସେଥିଯୋଗୁ ନିରଞ୍ଜନ ବେଳେବେଳେ ଭାବେ, ନିଧିଆ ପାଠ ଦିଗରେ ହୁଏତ ଉଧେଇ ପାରିବନି । ସଂସ୍କୃତି ଅଭାବରୁ ସେଥିପାଇଁ ବୋଧହୁଏ ନିଧିଆ ଭିତରେ ଆଗ୍ରହ ଦେଖା ଦେଉନି । ହଉ ହଉ, ସେତିକି ଢେର, ଟିକିଏ ଲେଖିପଢ଼ି ଜାଣିଚି ନିଧିଆ... ଢେର... ରସିଦରେ ଦସ୍ତଖତ୍‌ ଦେଇ ଟଙ୍କା ଆଣି ପାରିବ । ତାର ମନେ ପଡ଼ିଯାଏ ରେଡ଼ିଓରେ ସେଇ ତବଲାବାଦକର କଥା; ସେଠି ଯେମିତି ନିଧିଆ ଦିନେ ବସିବ... ଆଉ ରେଡ଼ିଓ ଭାଉଚର୍‌ରେ ଦସ୍ତଖତ୍‌ ଦେଇ ଟଙ୍କା ରୋଜଗାର କରିବ । ସେମିତି ଭାବିବା ଭିତରେ ନିରଞ୍ଜନ ଯଥେଷ୍ଟ ଆଶ୍ୱସ୍ତି ପାଏ । ଗୋଟିଏ ଅରକ୍ଷ ପିଲା ମଣିଷ ହେବା ଭିତରେ ପ୍ରତିଭାର ଉଜ୍ଜୀବନ ମଧ୍ୟ ଘଟିବ ଆଉ ଏକ ଜୀବନ୍ତ ସ୍ମାରକ ରହିଯିବ ଦଧିଆର ।

 

ନିଜର ଉନ୍ନତିରେ ମଧ୍ୟ ନିରଞ୍ଜନ ଆହୁରି ଆଶାନ୍ୱିତ ହେଇଚି । ବର୍ଷକରୁ କିଛି ଅଧିକ ହେବ ଅଞ୍ଚଳିର ପୁଅଟିଏ ହେଇଚି । ଯେମିତି ପୃଥିବୀରେ ପରମ ଆଶ୍ଚର୍ଯ୍ୟ ଘଟଣା ଭିତରୁ ତାହା ଗୋଟିଏ । ନିରଞ୍ଜନର ସେ କଥା ଆଜି ଟିକେ ଦେହସୁହା ହେଇଗଲାଣି । କିନ୍ତୁ ଏବେ ମଧ୍ୟ ପୁଅକୁ ଅନେଇ ସେ ଯଥେଷ୍ଟ ବିସ୍ମୟାବିଷ୍ଟ ହେଇ ରହେ । ଅଞ୍ଜଳି ନିଜ କୋଳରେ ପୁଅକୁ ଧରିଥିଲାବେଳେ ସେ ଥରେ ଥରେ ଆଖି ଫେରେଇ ପାରେନା । କୋଉଠି ଥିଲା ଏଇ ଛୁଆ...ସେ କିଛି ଭାବି ପାରେନା...ଗୋବିନ୍ଦକୁ ଯଥେଷ୍ଟ ନିରୀକ୍ଷଣ କଲେ ମଧ୍ୟ ତାର ସେ ଭ୍ରାନ୍ତି ଦୂର ହୁଏନା । ଆଶ୍ଚର୍ଯ୍ୟତା ଯେମିତି ସବୁଆସି ରୁଣ୍ଡ ହେଇଚି ଅଞ୍ଜଳିର ଏଇ କୋଳର ଲାବଣ୍ୟମୟୀ ଶିଶୁଟି ଦେହରେ ।

 

ବାଟଘାଟରେ କେତେ ଶିଶୁ ନିରଞ୍ଜନ ଦେଖିଚି । ଛୁଆ କାଖେଇ କେତେ ଅନାଥିନୀ ଭିକ ମାଗୁଥିବା ମଧ୍ୟ ସେ ଦେଖିଚି । ସେଦିନ କାଠଯୋଡ଼ି କୂଳରେ ସୁନ୍ଦର ସଦ୍ୟଜାତ ପୁଅଟିକୁ ତାର ମା ହୁଏତ ମାରିପକେଇ ଦେଇଥିଲା । ସକାଳେ ନଈକୂଳେ ବୁଲିବାବେଳେ ଅନ୍ୟମାନଙ୍କ ଭିତରେ ନିରଞ୍ଜନ ମଧ୍ୟ ତାକୁ ଦେଖିଚି । ହୁଏତ ସେଇଟି ଅବୈଧ ସନ୍ତାନ, ଆଉ ସେଥିଯୋଗୁଁ ତାର ଜୀବନର ପରିଣତି ଏପରି ଶୋଚନୀୟ ହେଲା । କିନ୍ତୁ ସେହି ଅବୈଧ ସନ୍ତାନର ଜନ୍ମରେ ମଧ୍ୟ ସୃଷ୍ଟିକ୍ରିୟାର ଠୁଳୀଭୂତ ଆଶ୍ଚର୍ଯ୍ୟତା ରହିଚି । ନିରଞ୍ଜନ ସେସବୁ କିନ୍ତୁ ବର୍ତ୍ତମାନ ସ୍ମରଣ କରି ପାରେନା । ମାରୁଆଡ଼ିପଟିର ଶହ ଶହ ଟଙ୍କା ଗଣା ଆଉ ନିଜ ହାତର ଦଶଟି ଟଙ୍କା ଭିତରେ ଯଥେଷ୍ଟ ପାର୍ଥକ୍ୟ ରହିଚି । ନିରଞ୍ଜନର ଏଇ ଆଶ୍ଚର୍ଯ୍ୟାନୁଭୂତିରୁ ତାହା ଯେମିତି ସହଜରେ ପ୍ରମାଣିତ ହେଇଯାଏ । ବେଳେବେଳେ ଅଫିସର ବ୍ୟବସାୟୀ କାମରେ ତାର ମନ ଲାଗେନା । ଘରକୁ ପଳେଇଆସି ପୁଅକୁ ଟିକେ କୋଳରେ ଧରି ପକାଏ । ଗେଲ କରିବାକୁ ଇଚ୍ଛା, କିନ୍ତୁ ଅନାଡ଼ି ହାତରେ ସେଥିପାଇଁ ସେ ସାହସ ଯେମିତି ପାଏନା । ପୁଣି ନେଇ ଝୁଲାରେ ଶୋଇଦିଏ । ଅଞ୍ଜଳି ଶିଶୁକୁ କୋଳରେ ଧରିଥିଲାବେଳେ ସେ ଯେମିତି ଖୁବ୍‌ ସାହସ ପାଏ । ଆନନ୍ଦରେ ମନ ତାର ପୂର୍ଣ୍ଣ ହୋଇଯାଏ । ତାକୁ ନିର୍ନିମେଷ ଆଖିରେ ଅନେଇବାର ଦେଖି ଅଞ୍ଜଳି ହସି ଦେଇ କୁହେ–‘‘ଆଖି ତମର ଘୋଳେଇ ହଉନି ! ନୂଆ ନୂଆ ସିନା, ଆଉ ବର୍ଷକୁ ମନ ଛାଡ଼ିଯିବ ଯେ....’’

 

ପଛକଥା ପଦକ କହି ଅଞ୍ଜଳି ଅତିମାତ୍ରାରେ ଲଜ୍ଜିତ ହେଇ ପଡ଼ିଲା । ବୁଲିପଡ଼ି ପଛକୁ ଅନେଇଲା ଆଉ କେହି ନାହାନ୍ତି । ନିରଞ୍ଜନ ଜାଣେ, ଅଞ୍ଜଳି ପୁଣି ଅନ୍ତଃସତ୍ତ୍ୱା ହେଇଚି । ଆଉ ବର୍ଷକୁ ସେ ପୁଣି ଆଉ ଏକ ସନ୍ତାନର ଜନନୀ ହେବ । ଜୀବନର ଛନ୍ଦରେ ସୃଷ୍ଟିର ଛନ୍ଦ କ୍ରମେ ପ୍ରଗାଢ଼ ହୋଇ ମିଶିବାକୁ ଯାଉଚି । ଆଉ ସେ ଛନ୍ଦକୁ ସେ ଆଗରୁ ଗଣନା କରିଚି ନିଜ କଳ୍ପନା ଭିତରେ । ହସି ହସି ସେ ଅଞ୍ଜଳିର କାନ ପାଖରେ କହିଲା, ‘‘ବେଶି ଫୁଲ ଫୁଟିଲେ ଗଛ ସୁନ୍ଦର ଦିଶିବ ଆହୁରି ।’’

 

ଦୂରରେ ରତ୍ନମଣିର ପାଦଶବ୍ଦ ଶୁଭିଲା । ଉଠିଯାଇ ବିଛଣାରେ ପଡ଼ି ଖଣ୍ଡେ ବହି ଖେଳେଇଲା ନିରଞ୍ଜନ । ରତ୍ନମଣି ଘରେ ପହଞ୍ଚି ଅଞ୍ଜଳି କୋଳରୁ ପୁଅକୁ ନେଇ ଗେଲ କରିବାକୁ ଲାଗିଲା ।

 

ବହୁ ଚେଷ୍ଟା ସତ୍ତ୍ୱେ ଧନଞ୍ଜୟକୁ କିନ୍ତୁ ନିରଞ୍ଜନ ବାଗକୁ ଆଣି ପାରିନି । ଦି’ ବର୍ଷ ତଳର କଥା, ବନ୍ଧୁର ଅନୁରୋଧ ରକ୍ଷା କରି ଧନଞ୍ଜୟ କିଛି ଦିନ ଗୋବିନ୍ଦକୁ ପାଠ ପଢ଼େଇବାକୁ ଆସିଥିଲା-। କିନ୍ତୁ ପାରିଲାନି, ଛାଡ଼ି ଦେଇ ଚାଲିଗଲା । ବିଶେଷ କଥା ଗୋବିନ୍ଦକୁ ଅ ଆ କ ଖ ପଢ଼େଇବା ପାଇଁ ତାର ସୃଜନକାରୀ ମନ ଭିତରେ ତିଳେହେଲେ ପ୍ରେରଣା ପାଇଲାନି । ଦୈନ୍ୟର କଷାଘାତ ମଧ୍ୟ ତାକୁ ଏ ଦିଗରେ ଅନୁବର୍ତ୍ତୀ କରିବାରେ ବିଫଳ ହେଲା । ନିରଞ୍ଜନକୁ ସେ ନିଃସଙ୍କୋଚରେ କହିଦେଲା, ‘‘ଗୋବିନ୍ଦ ଅକ୍ଷର ଚିହ୍ନି କିଛି ପାଠ ପଢ଼ିଯାଉ, କିଛିଦିନପରେ ମୁଁ ତାକୁ ଆସି ଶିକ୍ଷାଦେବି-।’’

 

ସାହିତ୍ୟ-ସାଧକ ବନ୍ଧୁକୁ ଆଉ କିଛି କହି ପାରିଲାନି ନିରଞ୍ଜନ । ଗୋବିନ୍ଦ ପାଇଁ ତାକୁ କଣ ମାଷ୍ଟର ମିଳିବେନି... ହୁଏତ କୋଡ଼ିଏ ଟଙ୍କାରୁ କମ୍‌ରେ ମଧ୍ୟ ମିଳିବେ । ସେ ମନେ ମନେ ଭାବିଲା, କିନ୍ତୁ ଏତକ କାମପାଇଁ ତାକୁ ପଚାଶ ଟଙ୍କାରୁ କମ ଦେଇ ନ ଥାନ୍ତା... ହଁ, ଧନଞ୍ଜୟର ସାହିତ୍ୟସାଧନା ଦିନେ ଏ ଜାତିର ଗୌରବ ବୃଦ୍ଧି କରି ପାରେ । ମାତ୍ର ପଚାଶଟି ଟଙ୍କା ଦେଇ ସେ ସେହି ଜାତୀୟ ଶକ୍ତିର ଅପଚୟ କରିବ କାହିଁକି ? ସେ ବିନା ବାକ୍ୟରେ ଅପସରି ଗଲା ଧନଞ୍ଜୟର ବାଟରୁ ।

 

ସେ ସବୁ ଦୁଇ ବର୍ଷ ତଳର ଘଟଣା । ଗୋବିନ୍ଦ ପାଇଁ ଅନ୍ୟ ମାଷ୍ଟର ରହିଚି । ଗୋବିନ୍ଦକୁ ଏହା ଭିତରେ ଆଠ ବର୍ଷ ହେଲାଣି । ପାଠପଢ଼ା ତାର ଆଗେଇ ଚାଲିଚି । ଧନଞ୍ଜୟର କଥା ଆଉ ନିରଞ୍ଜନର ପ୍ରାୟ ମନେ ନାହିଁ । ଏହା ଭିତରେ ସେ ତାକୁ ଦେଖିନି କି ତାର ଖବର ମଧ୍ୟ ରଖିନି । କେବଳ ଦିନକ ତଳେ ହଠାତ୍ ଧୂମକେତୁ ଭଳି ସେ ଆସି ନିରଞ୍ଜନ ପାଖରେ ଉଭା ହୋଇଗଲା । କାମର ଜଞ୍ଜାଳ ମଧ୍ୟରେ ବୁଡ଼ି ରହିଥିଲେ ମଧ୍ୟ ସେ ଧନଞ୍ଜୟକୁ ଭଲଭାବରେ ଥରେ ଅନାଇଲା । ଅଫିସର ଗୋଟିଏ ଚୌକିରେ ଆପେ ବସି ପଡ଼ିଲା ଧନଞ୍ଜୟ । ଗୋଡ଼ରେ ଛିଣ୍ଡାଚଟି ମଧ୍ୟ ନାହିଁ । ପିଚ୍ ରାସ୍ତାକୁ ଉଠିବା ପୂର୍ବରୁ ଗଳି ରାସ୍ତାରେ ବୁଲି ବୁଲି ପାଦରେ ଲାଲ ଧୂଳି ବହଳ ହେଇ ଜମି ରହିଚି । ଜାମା ଖଣ୍ଡକର ଅବସ୍ଥା ଆହୁରି ଶୋଚନୀୟ । ଗାଲରେ ପ୍ରାୟ ପନ୍ଦର ଦିନ ହେବ ଖୂର ବାଜିନି । ବାଳଗୁଡ଼ା ବିଲକୁଲ୍ ବିପର୍ଯ୍ୟସ୍ତ । ତାକୁ ଦେଖି ଯେମିତି ଭିତରେ ଭୟ କରିଗଲା ନିରଞ୍ଜନ । ମୁଣ୍ଡର ଉପର ବିଜୁଳି ପଙ୍ଖାର ଗତି ବଢ଼େଇ ରେଗୁଲେଟର ଘୂରେଇ ଦେଲା ଚପରାଶି ।

 

ସେଦିନ ମାସର ପ୍ରଥମ ସପ୍ତାହର ଗୋଟିଏ ଦିନ । କିରାନି ଓ ଚପରାସିର ଦରମା ଦେବାପାଇଁ....ନିରଞ୍ଜନ ପ୍ରସ୍ତୁତ ହେଉଛି । ଏହା ଭିତରେ କାମ ପଡ଼ିବା ଫଳରେ ଆଉ ଜଣେ କିରାନି ନିଯୁକ୍ତ ହୋଇଚି । ପୂର୍ବ କିରାନିଟି ଅଧୂନାସୃଷ୍ଟି ହେଡ଼୍ କିରାନି ପଦକୁ ଉନ୍ନୀତ ହେଇଚି । ଆଗେ ତଳଆଡ଼ୁ ଦରମା ଟଙ୍କା ଦେବାକୁ ନିରଞ୍ଜନ ଆରମ୍ଭ କଲା । ବାବୁ ହାତରୁ ନେଇ ଚପରାସି ଆଠଖଣ୍ଡ ଦଶଟଙ୍କିଆ ନୋଟ ଗଣିଲା ।

 

ଧନଞ୍ଜୟ ସ୍ଥିର ଆଖିରେ ଚାହିଁଚି । ହଁ ଆଠଖଣ୍ଡ ନୂଆ ଦଶଟଙ୍କିଆ ନୋଟ୍ । ଏଇ ଚପରାସିଟି ଏତକ ଟଙ୍କା ପାଉଚି ମାସକୁ । ସେ ଆଉ କିଛି ଚିନ୍ତା କରି ପାରିଲାନି । ଗତ ପାଞ୍ଚବର୍ଷ ଭିତରେ ତାର ସାହିତ୍ୟ-ସାଧନାର ସ୍ମୃତି ସ୍ତମ୍ଭ ରଚନା କରି ମୋଟେ ଦୁଇଖଣ୍ଡ ବହି ପ୍ରକାଶ ପାଇଛି । କିନ୍ତୁ ଆୟ ଘରେ ଶୂନ୍ । କେତେଥର ସେ ପ୍ରକାଶକ ଦ୍ୱାରକୁ ଟଙ୍କା ପାଇବାକୁ ଦୌଡ଼ିଛି ତା ଧନଞ୍ଜୟ ଆଉ ମନେ ରଖି ପାରିନି । ଆଶାରେ ମଣିଷ ବଞ୍ଚେ, ତାହାକୁ ସାର୍ଥକ କରିଚି ଧନଞ୍ଜୟ ନିଜ ଜୀବନରେ । ବର୍ତ୍ତମାନ ସେ ଗୋଟିଏ ମେସ୍‌ରେ ମୁଣ୍ଡ ଗୁଞ୍ଜିଚି । କିନ୍ତୁ ସେଠି ତା ପାଇଁ ଆହାରର ବ୍ୟବସ୍ଥା ନ ଥାଏ । କେତେବେଳେ ସେ କେଉଁ ଦୋକାନରେ କି ହୋଟେଲରେ ବସି ଖାଏ ତା କେହି ଦେଖିଛି ବୋଲି ମଧ୍ୟ କହି ପାରିବନି । କିନ୍ତୁ ସେ ନ ଖାଇ ବସିଚି ବୋଲି କହିଲେ ମଧ୍ୟ ପ୍ରଚୁର ଅତିଶୟୋକ୍ତି ହେବ । ହୁଏତ ଅନଶନରେ ସେ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ବଳିଯାଇଛି ବୋଲି ସାହିତ୍ୟ-ସାଧକ ସହ ସେ ଆଉ ଏକ ବିରାଟ ବିଶେଷଣର ଅଧିକାରୀ ହେଇ ବସିବ । କିନ୍ତୁ ପ୍ରକୃତରେ ସେ ତାହାର ଅଧିକାରୀ ନୁହେଁ । ସେ କିଛି ଖାଏ । ମାତ୍ର କଣ କେତେବେଳେ ଖାଏ, ସେ କଥା ନିଜେ ମଧ୍ୟ ସେ କହିପାରିବ କିନା ସନ୍ଦେହ ।

 

କିରାନି ଦୁଇଜଣଙ୍କ ଦରମା ହିସାବ କରି ଅଢ଼େଇଶହରୁ ଊର୍ଦ୍ଧ୍ୱଟଙ୍କା ଚପରାସୀ ହାତକୁ ବଢ଼େଇ ଦେଲା ନିରଞ୍ଜନ । ଦରମା ଖାତା ଓ ଟଙ୍କାତକ ଧରି ଆର କୋଠରୀକି ଚାଲିଗଲା ଚପରାସୀ । କିଛି ସମୟ ପରେ ଆଗର ଟେବୁଲ ଉପରେ ଦୁଇ ଗ୍ଲାସ ସରବତ ଆଣି ଚପରାସୀ ଥୋଇଦେଲା । ନିରଞ୍ଜନ ଗୋଟିଏ ଗ୍ଲାସ ଧରିଲା । ଆର ଗ୍ଲାସଟି ଉଠେଇବାପାଇଁ ଆଖିରେ ଇଙ୍ଗିତ ଦେଲା ବନ୍ଧୁକୁ । ନିରଞ୍ଜନ ଆଙ୍ଗୁଠିରେ ସୁନାମୁଦିର ଦାମିକା ପଥରଗୁଡ଼ା ଝକ୍ ଝକ୍ କରୁଛି । ମୁଦିର ସଂଖ୍ୟା ଆହୁରି ବଢ଼ି ଯାଇଛି ଏହା ଭିତରେ । ସବୁଗୁଡ଼ିକରେ ପଥରର ଝଲକ ।

 

ଧନଞ୍ଜୟ ଭାବିଲା, ଏଥିରୁ ଗୋଟିଏ ଦୁଇଟି ମୁଦି ହେଲେ ସେ ହୁଏତ ଗୋଟିଏ ପ୍ରକାଶନ ସଂସ୍ଥା ଛିଡ଼ା କରି ଦେଇ ପାରନ୍ତା । ଦୁରାଶା ମାତ୍ର । ଭାବନା ଭିତରେ ସେ ସରବତ ଗ୍ଲାସକ ଏକ ନିଃଶ୍ୱାସରେ ଶେଷ କରିଦେଲା । ଚୂର୍ଣ୍ଣୀଭୂତ ବରଫ ଖଣ୍ଡରେ ସେ ଟିକେ ଦନ୍ତ ସ୍ପର୍ଶ କରିବାକୁ ମଧ୍ୟ ଭୁଲିଗଲା ।

 

ଆଉ କଣ...ହଁ ସେ କଣ ଆଜି କହିବାକୁ ଆସିଥିଲା ନିରଞ୍ଜନକୁ । କିନ୍ତୁ ନିରଞ୍ଜନ ଏପରି ନୀରବ କାହିଁକି । ଭାବି ଭାବି ପିନ୍ଧା କାନିରେ ମୁହଁପୋଛି ଟିକେ ହସ ଟାଣିବାକୁ ଚେଷ୍ଟାକଲା ନିରଞ୍ଜନ ।

 

‘ମୁଁ ଗୋବିନ୍ଦକୁ କାଲିଠଉଁ ପାଠ ପଢ଼େଇବାକୁ ଯିବି ନିରଞ୍ଜନ !’

 

ସମ୍ପୂର୍ଣ୍ଣ ଅଭାବିତ ପ୍ରସ୍ତାବ । ଦୀର୍ଘ ଦୁଇବର୍ଷ ପରେ ମଧ୍ୟ ଧନଞ୍ଜୟ ତାହେଲେ ପାଦେ ହେବ ଆଗକୁ ଯାଇନି ? ହୃଦୟରେ ତାର ଦୟାର ଉଦ୍ରେକ ହେଲେ ମଧ୍ୟ ନିରଞ୍ଜନ ତାହାକୁ ମୁହଁରେ ସ୍ୱୀକାର କରି ପାରିଲାନି । ତାର କଣ୍ଠସ୍ୱର ଗମ୍ଭୀର ହେଇ ଶୁଣାଗଲା–

 

‘ଦି ବର୍ଷ ଭିତରେ ଗୋବିନ୍ଦ ଢେର ଆଗେଇ ଯାଇଛି । ଜଣେ ଗ୍ରାଜୁଏଟ୍ ତାକୁ ପଢ଼ଉଛନ୍ତି । ତୋ’ଠାରୁ ଶିକ୍ଷା ପାଇବାକୁ ତାର ଆଉ ଦରକାର ହବନି..’

 

ଏତେ ଦୁଃଖ ଭିତରେ ତା ପାଇଁ ଆହୁରି ଦୁଃଖ ଭୋଗ ଥିଲା ବୋଲି ଧନଞ୍ଜୟ କଳ୍ପନା କରିନଥିଲା । ଆରଓଳି ପାଇଁ ଆହାରର ସଂସ୍ଥାନ ନାହିଁ, ଆହୁରି କେତେଓଳି ଲାଗି ମଧ୍ୟ ସଂସ୍ଥାନ କରିବାର କୌଣସି ସମ୍ଭାବନା ନାହିଁ । ତଥାପି ଏ ଦୁଃଖ ଧନଞ୍ଜୟ ପକ୍ଷରେ ଅତି ଅସହ୍ୟ ହେଇ ପଡ଼ିଲା । ଯେମିତି ବଜ୍ରାଘାତରେ ଛୋଟ ଗୁଳ୍ମ ଗୋଟିଏ ଜଳିଗଲା । ନିଜର ଅସ୍ତିତ୍ୱ ଅନୁଭବ କରି ପାରିଲାନି ଧନଞ୍ଜୟ । ସେ ଏଠୁ ଉଠିବ କେମିତି, କେତେବେଳକେ ସେ ତାହାହିଁ ଚିନ୍ତା କରିବାକୁ ଲାଗିଲା । ସେତେବେଳକୁ ନିରଞ୍ଜନ ବସି ସିଗାରେଟ୍ ଟାଣୁଚି । ଏହି ବାରବୁଲା ସାହିତ୍ୟ ସାଧକଠାରୁ ସେ ଯେଉଁ ପ୍ରତ୍ୟାଖ୍ୟାନ ପାଇଥିଲା ଆଜି ସିଗାରେଟ୍‌ର ଧୂଆଁରେ ସେ ଯେମିତି ତାର ବିଜୟ ଘୋଷଣା କରୁଚି । ଧୂଆଁର କୁଣ୍ଡଳୀ ଗୁଡ଼ାକ ପଙ୍ଖାର ପବନରେ ପିଟିହେଇ ବାହାରକୁ ଭାସି ଭାସି ଯାଉଚି ।

 

ଧନଞ୍ଜୟ ଉଠିବାକୁ ଚେଷ୍ଟା କଲା । ଧୂଆଁର କୁଣ୍ଡଳୀଗୁଡ଼ାକ ଗୋଟାଏ ଅସ୍ତରଣ ସୃଷ୍ଟି କରିଚି । ନିରଞ୍ଜନର ମୁହଁ ତାକୁ ଦେଖାଯାଉନି ଯେମିତି । ବନ୍ଧୁକୁ ଆଘାତ ଦେଲା ପରେ ନିରଞ୍ଜନ ମଧ୍ୟ ଜୋରରେ ଧୂଆଁ ଛାଡ଼ି ତାରି ଭିତରେ ଆତ୍ମଗୋପନ କରିବାକୁ ଚେଷ୍ଟା କଲା ।

 

୧୨

 

ଧନଞ୍ଜୟ ଚାଲିଗଲା ପରେ ନିରଞ୍ଜନ ଭିତରେ ଆତ୍ମଗ୍ଲାନିର ଧୂଆଁ ଭରି ଯିବାକୁ ଲାଗିଲା-। ଆମ ଦେଶର ସାହିତ୍ୟ-ସାଧକଙ୍କ ପ୍ରତୀକ ଏଇ ଧନଞ୍ଜୟ । ଅଭୁକ୍ତ କିମ୍ବା ଅର୍ଦ୍ଧଭୁକ୍ତ, ଛିନ୍ନବାସ–ଯେମିତି ସର୍ବହରା ଶ୍ରେଣୀର ଏକ ଜାଗ୍ରତ ପ୍ରତିନିଧି । ଶେଷରେ ତାହାକୁ ମଧ୍ୟ ଅତି ଅବହେଳା ସହ ପ୍ରତ୍ୟାଖ୍ୟାନ କଲା ନିରଞ୍ଜନ । ପୁଣି ଧନଞ୍ଜୟ ତାର ବନ୍ଧୁ । ଭାବି ଭାବି ନିରଞ୍ଜନ କ୍ଷୋଭ ଓ ଆତ୍ମବିଶ୍ରଦ୍ଧାରେ ମ୍ରିୟମାଣ ହୋଇ ପଡ଼ିଲା । ଧନଞ୍ଜୟକୁ କଣ ପାଇହେବନି ବର୍ତ୍ତମାନ ? ପ୍ରାୟ ଦଶମିନିଟ ହେବ ସେ ଏଠୁ ଯାଇଛି...ଗଲାବେଳେ ତା ମୁହଁକୁ ଚାହିଁ ପାରିନି ନିରଞ୍ଜନ...ଓଃ ସିଗାରେଟର ଧୂଆଁଗୁଡ଼ାକ କି ଦୁଷ୍ଟ...ଆତ୍ମପ୍ରବଞ୍ଚନାର ଏଇ ଭାବନାଟା ଆପଣାଛାଏଁ ଉଙ୍କି ମାରି ଉଠିଲା ନିରଞ୍ଜନର ମନ ଭିତରେ । ଯେମିତି ମଣିଷର ଜୀବନଟା କେବଳ ଫିସାଦିରେ ପରିଣତ ହେଇଗଲାଣି । ତଳେ ହୁଦସ୍ତ ଗୋଡ଼ଟାକୁ ବାଡ଼େଇ ଦେଇ ପ୍ରବଞ୍ଚନାକୁ ପଦାଘାତ କରି ହଠାତ୍ ଉଠିପଡ଼ି ନିରଞ୍ଜନ ଛିଡ଼ା ହେଲା । ହଁ ରାସ୍ତାରେ ଯାଉଥିବ ଧନଞ୍ଜୟ....ତାକୁ ଧରି ହେବ ନିଶ୍ଚୟ…

 

ଅଫିସରେ ନିଜର କାମ ବନ୍ଦ କରି ଦେଇ ନିରଞ୍ଜନ ରାସ୍ତାକୁ ବାହାରି ପଡ଼ିଲା । ତାହାର ନିଜ କାମ ପାଇଁ କାହାକୁ କୈଫିୟତ ଦେବାର କିଛି ନାହିଁ । କିରାଣି ଓ ଚପରାସି ନିରଞ୍ଜନର ଗତିବିଧିରେ ବିସ୍ମିତ ହେଇ ଅବଶ୍ୟ ଚାହିଁ ରହିଲେ, କିନ୍ତୁ କୌଣସି ପ୍ରଶ୍ନ ଉଠାଇବାକୁ ସେମାନଙ୍କର ଅଧିକାର ନାହିଁ । ପକ୍ଷମାନଙ୍କର ଟଙ୍କା ଏପର୍ଯ୍ୟନ୍ତ ଅଫିସରେ ପହଞ୍ଚି ନାହିଁ । ଦୁଇତିନି ଦିନ ଭିତରେ କଳକବ୍‌ଜାର ପାର୍ସଲ ନ ମୁକୁଳାଇଲେ ଡିମୋରିଜ୍ ପଡ଼ିଯିବ । ଅଫିସର କାର୍ଯ୍ୟ ଭିତରେ କିରାନିମାନଙ୍କ ପକ୍ଷରୁ ସେତକ ନିରଞ୍ଜନ ସହ ପରାମର୍ଶ କରିବାର ଥିଲା । କିନ୍ତୁ ସେ ଏପରି ଆକସ୍ମିକ ଭାବରେ ଚାଲିଯିବ ବୋଲି କେହି ଚିନ୍ତା କରି ନ ଥିଲେ । ଅନ୍ୟ ଉପାୟ ନ ଦେଖି ଦ୍ୱିପ୍ରହରବେଳେ ଚପରାସି ହାତରେ ସେସବୁ କାଗଜପତ୍ର ବାବୁଙ୍କ ଘରକୁ ପଠାଇ ଦେବାକୁ ହେଡ଼ କିରାନି ଠିକ୍ କରି ନିଶ୍ଚିନ୍ତ ରହିବାକୁ ଚେଷ୍ଟା କଲା ।

 

ବାଲୁବଜାର ଛକ ଉପରେ ପହଞ୍ଚି ନିରଞ୍ଜନ ନିଜର ଗନ୍ତବ୍ୟ ଆଉ ସ୍ଥିର କରି ପାରିଲା ନାହିଁ । କୁଆଡ଼େ ଯାଇଥିବ ଧନଞ୍ଜୟ । ହଁ, ଆଗରେ ଦୁଇ ଚାରିଟା ବହି ଦୋକାନ ଆହୁରି ରହିଚି । କିନ୍ତୁ କେଉଁ ଦୋକାନ ଧନଞ୍ଜୟର ବହି ଛାପିଚି ସେ କଥା ନିରଞ୍ଜନ ଜାଣେନା । ଆଉ ଏଇ ସକାଳଓଳି ତାକୁ କୋଉ ଦୋକାନୀ ପୁଣି ଟଙ୍କା ଦବ–ଧନଞ୍ଜୟ ହୁଏତ କାଲିଠଉଁ କିଛି ଖାଇନି–ତାର ଟଙ୍କାରେ ଖୁବ୍ ଦରକାର–ସେଥିପାଇଁ କୋଉ ଦୋକାନକୁ ସେ ହେଲେ ଉଠି ଯାଇଥିବ । ପକେଟରେ ହାତ ମାରିଲା ନିରଞ୍ଜନ, ମନିବ୍ୟାଗଟା ଅଛି । ସେ ପୁଣି ଆଗକୁ ଚାଲିବାକୁ ଲାଗିଲା ।

 

‘‘କୁଆଡ଼େ ଏମିତି ଧାଇଁଚନ୍ତି ନିରଞ୍ଜନ ବାବୁ ?’’

 

କିଏ ? ନିରଞ୍ଜନ ମୁହଁ ବୁଲେଇ ଅନେଇଲା । ସେ ଦେଖିଲା, ଭଲ କରି ଦୃଷ୍ଟି ନ ଦେଇ ଗୋଟା ବହି ଦୋକାନ ସେ ଅତିକ୍ରମ କରି ଚାଲି ଯାଉଥିଲା, କିନ୍ତୁ ଏ ଦୋକାନ ଭିତରୁ ତାକୁ ଡାକିଲା କିଏ ?

 

ଫେରିପଡ଼ି ନିରଞ୍ଜନ ଦୋକାନ ଆଡ଼କୁ ଆସିଲା । ଦୋକାନରୁ ବାହାରି ଆସି ଜଣେ ତରୁଣୀନାରୀ ତାକୁ ନମସ୍କାର କରି କହିଲା, ‘‘ମତେ ଚିହ୍ନିପାରୁ ନାହାନ୍ତି, ମୋ’ ନା ସରସୀ, ସେଇ ଅନେକ ଦିନ ତଳେ ଥରେ ଟ୍ରେନ୍‌ରେ ଦେଖା ହୋଇଥିଲା–’’

 

ହଁ ହଁ ସତେତ ! ନିରଞ୍ଜନର ସ୍ମୃତିକୋଷରେ ଆଘାତ ଆସିଲା । ‘ନମସ୍କାର–ନମସ୍କାର–ହଁ ଆପଣ କୋଉ ଗୋଟିଏ କଲେଜର ସାଂସ୍କୃତିକ ସପ୍ତାହରେ ଭାଷଣ ଦେବାକୁ ଯାଉଥିଲେ–ଆଉ ମୁଁ ଯାଉଥିଲି ଗୋଟା ଧାନକୁଟା କଳ ଡେଲିଭରି ଦେବାକୁ–ବୋଧହୁଏ ଦୁଇଟି ଷ୍ଟେସନ ଆମେ ଏକାଠି ଯାଇଥିଲେ–

 

‘‘ହଁ–ଆପଣଙ୍କର ଠିକ୍ ମନେ ଅଛି । କିନ୍ତୁ ଆପଣଙ୍କୁ ମୁଁ ମୋର ଠିକଣାଟା ଦେଇଥିଲି–କାହିଁ ଆପଣତ ଥରେ ହେଲେ ଆସିଲେନି କି ଅଞ୍ଜଳିକି ମଧ୍ୟ ଥରେ ଆଣିଲେନି !’’

 

ପ୍ରାୟ ଏକବର୍ଷ ତଳର କଥା । ନିରଞ୍ଜନ ଏ ଦିଗରେ ପ୍ରକୃତରେ କିଛି କରିନି । ଯେପରି ଏଥିପାଇଁ କିଛି ହେଲେ ସେ କରିବାକୁ ଚାହିଁ ନଥିଲା । ଅଞ୍ଜଳିକି ସେ ଏସବୁ କଥା ମଧ୍ୟ କିଛି କହିନି-। ଅନେକ ଦିନ ତଳେ ସେ ଖଣ୍ଡିଏ ଉପନ୍ୟାସ ପଢ଼ିଥିଲା ସରସୀ ନାମ୍ନୀ ଜଣେ ଉଚ୍ଚ ଶିକ୍ଷିତା ତରୁଣୀ ବିଷୟରେ । ଅଞ୍ଜଳିର ତଥ୍ୟ ଅନୁଯାୟୀ ସେ ତାହାର ମାଉସୀ ଝିଅ ଭଉଣୀ । କିନ୍ତୁ ସେ ବିଷୟରେ କୌଣସି ସତ୍ୟତା ନିରଞ୍ଜନ ଏ ପର୍ଯ୍ୟନ୍ତ ଉଦ୍‌ଘାଟନ କରିନି । ସେହି ସନ୍ଦେହ ଦୋଳାରେ ଝୁଲି ନିରଞ୍ଜନ ପୁଣି ଏ ଦିଗରେ ଆଗେଇ ଯିବାକୁ ଉତ୍ସାହିତ ହେଇ ପାରିନି । ଯାହାର ସ୍ୱାମୀ ବୃଥା ସନ୍ଦେହର ବଶବର୍ତ୍ତୀ ହେଇ ନାନା ଅପକର୍ମ କରିପାରେ, ସେଠିକି ପାଦ ପକେଇବାକୁ ପ୍ରକୃତରେ ନିରଞ୍ଜନ ସାହସ ପାଇ ପାରିନି । ପୃଥିବୀରେ ଚିରଦିନ ଏହିପରି ଭଲମନ୍ଦର ସଂଗ୍ରାମ ଲାଗି ରହିଥିବ । ସରସୀ ନିଜର ସଂସାର ଆଉ ଭାଗ୍ୟ ଧରି ରହିଥାଉ, ସେଠି ପୁଣି ସେ ନିମିତ୍ତ ହେବାକୁ ଯିବ କାହିଁକି ।

 

ସରସୀ ପାଖରେ କ୍ଷମାଭିକ୍ଷା କରି ନିରଞ୍ଜନ କହିଲା, ‘‘କାମର ଚାପାରେ ମୁଁ ସବୁ ଭୁଲି ଯାଇଚି । ଏଥିରେ ଆଉ କୌଣସି କାରଣ ନାହିଁ ।’’ ଏତକ ଅତି ବିନୟ ସହକାରେ କହି ବହି ଦୋକାନର ବେଞ୍ଚ ଉପରେ ନିରଞ୍ଜନ ଟିକେ ବସି ପଡ଼ିଲା । ବଜାର ଉପରେ ସରସୀ ମଧ୍ୟ ଏ ବିଷୟରେ ଆଉ କିଛି କହିବାକୁ ଇଚ୍ଛାକଲାନି । ସରସୀର କେତେକ ବହି ଏ ଦୋକାନ ପକ୍ଷରୁ ପ୍ରକାଶ ପାଇଚି । ଦୁଇଖଣ୍ଡି ସେଥିରୁ ପାଠ୍ୟପୁସ୍ତକ ମନୋନୀତ ହେଇ ବହୁ ସଂଖ୍ୟାରେ ବିକ୍ରି ହେଇଛି । ସେଥିଯୋଗୁଁ ଦେକାନରେ ସରସୀର ଖୁବ୍ ଖାତିର । କିଛିକ୍ଷଣ ପରେ ନିରଞ୍ଜନର ଆଖି ପଡ଼ିଲା ଖଣ୍ଡିଏ ବହି ଉପରେ । ଗ୍ରନ୍ଥାକାର ରୂପେ ଧନଞ୍ଜୟର ନାଁ ସେଥିରେ ଛାପା ହେଇଛି । ନିରଞ୍ଜନ ଦେଖିଲା ଖଣ୍ଡିଏ କବିତା ବହି, ଅଦ୍ଭୁତ ଭାବନାରେ ପୂର୍ଣ୍ଣ । ତାରି ବନ୍ଧୁ ଧନଞ୍ଜୟ ସେସବୁ ଲେଖିଛି । ବହି ଖଣ୍ଡିକ କିଣିନେଲା ନିରଞ୍ଜନ ।

 

‘‘ଏ ଲେଖକଙ୍କର ଆଉ କିଛି ବହି ଅଛି ?’’

 

ଆଗରେ ଚଉକିମାଡ଼ି ବସିଥିବା ମୁଖ୍ୟ ବ୍ୟବସାୟୀଟି ଉତ୍ତର ଦେଇ କହିଲେ, ‘‘ନା, ପ୍ରକାଶ ପାଇନି । ପ୍ରାୟ ଦଶମିନିଟ ଆଗରୁ ଖଣ୍ଡିଏ ପାଣ୍ଡୁଲିପି ତାଙ୍କର ପାଇଛୁ ।’’

 

ସରସୀ ହଠାତ୍ କହି ଉଠିଲା, ‘‘ଖୁବ୍ ଶସ୍ତାରେ ।’’

 

ନିରଞ୍ଜନ ଚମକି ଉଠିଲା । ନିଶ୍ଚୟ ଜୀବନ ରକ୍ଷା କରିବାକୁ ଧନଞ୍ଜୟ ଏ କାଣ୍ଡ କରି ଚାଲି ଯାଇଛି ! ଆଉ କିଛି କଥାଭାଷା କରି ନିରଞ୍ଜନ ଜାଣି ପାରିଲା, ମାତ୍ର ଦଶଟି ଟଙ୍କାରେ ଧନଞ୍ଜୟ ସେ ପାଣ୍ଡୁଲିପିଟି ଦେଇ ଚାଲି ଯାଇଚି । କିନ୍ତୁ ଏଥିପାଇଁ ସେ ନିଜେ ଦାୟୀ । ପୂର୍ବର ଆତ୍ମଗ୍ଲାନିରେ ପୁଣି ଘାରି ହେଇ ପଡ଼ିଲା ନିରଞ୍ଜନ । ଦୋକାନରୁ ଉଠି ପଡ଼ି ନିରଞ୍ଜନ ପୁଣି ଆଗକୁ ଚାଲିଲା । ସରସୀ ମଧ୍ୟ ଠିଆ ହେଲା ଆସି ରାସ୍ତାରେ । ସେ ମଧ୍ୟ ଆଗକୁ ଚାଲିଲା । ନିରଞ୍ଜନ ବିସ୍ମିତ ହେଇ ଅନେଇଲା ପଛକୁ । ହଁ, ସରସୀ ଚାଲୁଛି ତା’ ପଛରେ ।

 

କିଏ ଏଇ ସରସୀ ? ଉପନ୍ୟାସର ନାୟିକା, ନା କଲେଜର ଅଧ୍ୟାପିକା, ନା ଅଞ୍ଜଳିର ମାଉସୀଝିଅ ଭଉଣୀ । ସତେ ରହସ୍ୟମୟୀ ଏଇ ନାରୀ....କାହିଁକି ଚାଲୁଚି ତା ପଛରେ ଏଇ ରାସ୍ତାରେ । ଗୋଟାଏ ବିରାଟ ପ୍ରଶ୍ନ ଉଠିଲା ନିରଞ୍ଜନର ମନରେ ।

 

ଧନଞ୍ଜୟ ଆଜି ଆଉ ମରିଯିବନି କେଭେଁ । ନିତାନ୍ତ ପକ୍ଷରେ ଦଶଟଙ୍କା ତା ହାତରେ ଅଛି । ବୃଥାରେ ଏ ରାସ୍ତାରେ ଘୂରି ଲାଭ ନାହିଁ । ପାଖରେ ଜୋତା ଦୋକାନକୁ ଉଠିଗଲା ନିରଞ୍ଜନ-। ହଁ, ହଳେ ସ୍ୟାଣ୍ଡଲ ନେବାକୁ ଅଞ୍ଜଳି କୋଉଦିନୁ କହିଥିଲା । ଗୋବିନ୍ଦ ପାଇଁ ବି ହଳେ ଜୋତା ନେବାକୁ ହେବ ।

 

ଆରେ ସୁନ୍ଦର ସ୍ୟାଣ୍ଡଲ ! ଅନେଇ ଅନେଇ ଦୋକାନ ଭିତରକୁ ପଶିଗଲା ସରସୀ ମଧ୍ୟ-

 

ଦୁଇଜଣ ବିଶିଷ୍ଟ ଗ୍ରାହକଙ୍କୁ ଦେଖି ଦୋକାନୀ ସ୍ୱିଚ୍‍ଟିପି ପଙ୍ଖା ଘୂରେଇ ଦେଲା । ପବନର ଭଉଁରୀ ଭିତରେ ସରସୀର ପଣତଟା ଖସି ଯାଇ ପିଟି ହେଇଗଲା ନିରଞ୍ଜନର ଦେହରେ-। ଯେମିତି ଦେହରେ ତାର ସାପକାତି ଲାଗିଗଲା । ଚିହିଁକି ଉଠି ନିରଞ୍ଜନ ପଛକୁ ଚାହିଁ ଦେଖିଲା, ସରସୀ ଆସି ଠିଆ ହେଇଚି ହାତରେ ଭ୍ୟାନିଟି ବ୍ୟାଗ୍‌ଟା ଯାକି, ପଣତ ଖସି ଯାଇଚି ପବନରେ-। ବସ୍ତ୍ରର ଆବରଣରୁ ମୁକ୍ତ ହେଇ ଆକାଶୀ ନୀଳରଙ୍ଗର ପତଳା ବ୍ଲାଉଜ୍ ତଳେ ଧଳା ବଡ଼ିଶ୍‌ର ସତ୍ତା ଫୁଟି ଦିଶୁଚି । ତା ତଳର ରୁନ୍ଧିତ ମାଂସର ଉଚ୍ଚତାରେ ଆଖି ଠୋକର ଖାଇ ଯାଉଚି-

 

‘‘ମୋର ହଳେ ଜୋତା ନବାର କଥା । ଆପଣଙ୍କ ଗୋଡ଼ର ମାପରେ ନେଲେ ବୋଧେ ହେଇଯିବ ନିରଞ୍ଜନ ବାବୁ... ।’’ ପଣତଟା ଗୋଟେଇ ନେଉ ନେଉ ଏତକ କହିଲା ସାରସୀ ।

 

ଆରେ ସତେତ...ଅଞ୍ଜଳିର ସ୍ୟାଣ୍ଡଲ ପାଇଁ ମାପ କାହିଁ । ଦୋକାନର ଗୋଟିଏ ଚଉକିରେ ବସି ପଡ଼ି ସରସୀର ପାଦକୁ ଅନେଇଲା ନିରଞ୍ଜନ । କିନ୍ତୁ ସରସୀ ପ୍ରକୃତରେ କଣ ଜୋତା କିଣିବ । ହୁଏତ ତାର ସ୍ୱାମୀ ପାଇଁ କିଣିବ । ଏଇ ସରସୀ କଣ ସେଇ ଉପନ୍ୟାସର ନାୟିକା । ଭାବୁ ଭାବୁ ଆଖି ତାର ଯାଇ ସରସୀ ମୁହଁରେ ଲାଗିଗଲା । ସରସୀର ଆଖି ହଳେ ସୁନ୍ଦର ଦାମିକା ଜୋତା ଖୋଜିବାରେ ଲାଗିଛି ।

 

ଦେଖି ଦେଖି ହଳେ ସୁନ୍ଦର ଜୋତା ପସନ୍ଦ କଲା ସରସୀ । ତାହାର ନିର୍ଦ୍ଦେଶରେ ଦୋକାନୀ ଜୋତା ଯୋଡ଼ାକ କାଚ ଆଲମାରି ଭିତରୁ ବାହାର କରି ଆଣି ଟେବୁଲ ଉପରେ ଥୋଇଲା । ସରସୀର ଅନୁରୋଧରେ ନିରଞ୍ଜନ ଜୋତାରେ ଗୋଡ଼ ପୂରେଇ ମାପ ପରୀକ୍ଷା କରିବାକୁ ଲାଗିଲା । ଜୋତାରେ ପାଦ ଭର୍ତ୍ତିକରି ନିରଞ୍ଜନ ପଚାରି ବସିଲା, ‘‘କିନ୍ତୁ ମୋ ଗୋଡ଼ର ମାପ କଣ ଆଉ କାହା ଗୋଡ଼ର ସମାନ ହବ ?’’

 

ନିରଞ୍ଜନକୁ ଉତ୍ତର ନ ଦେଇ ସରସୀ ଦୋକାନୀକି ପ୍ରଶ୍ନ କଲା, ‘‘ଜୋତାର ଦାମ କେତେ କହିଲେ ?’’

 

ଦୋକାନୀ ସଂକ୍ଷେପରେ କହିଲା, ‘‘ପଚିଶ ଟଙ୍କା ।’’

 

ସରସୀ ଆଖି ଟେକି ଦେଖିଲା, ଆଲମାରି ଦେହରେ ଲେଖା ହେଇଛି–‘ଫିକ୍‌ସଡ଼ ରେଟ’ ମାନେ ଦରରେ ହଲଚଲ ନାହିଁ । ତାପରେ ହସି ହସି ନିରଞ୍ଜନକୁ ଅନେଇ ସେ କହିଲା, ‘‘ଜୋତା ଯୋଡ଼ାଟା ଖୁବ୍ ଭଲ ହେଇଚି...ଆପଣଙ୍କ ଗୋଡ଼କୁ ବିଲକୁଲ ଫିଟ୍ କରିଚି । ଆପଣ ଏ ଯୋଡ଼ାକ ପିନ୍ଧନ୍ତୁ ନିରଞ୍ଜନବାବୁ । ମୁଁ ଯାହାଙ୍କ ପାଇଁ ନବାକୁ ଭାବିଥିଲି ସେ ହୁଏତ ଏ ଜୋତାକୁ ପସନ୍ଦ କରିବେନି...’’

 

ଆରପାଖରେ ଏତିକିବେଳେ ଅନ୍ୟ ଖରିଦ୍‌ଦାର ପହଞ୍ଚିଲେ । ତାଙ୍କ କଥା ବୁଝିବାକୁ ଦେକାନୀ ଆର ପାଖକୁ ଆଗେଇ ଗଲା । ଏହି ଅବସରରେ ନିରଞ୍ଜନ ପଚାରି ଉଠିଲା ସରସୀକି, ‘‘ଆପଣ କାହାପାଇଁ ନବାକୁ ଭାବିଥିଲେ ?’’

 

ସରସୀ ଏତେବେଳଯାଏ ଛିଡ଼ା ହୋଇଥିଲା । ଗୋଟିଏ ଚଉକି ଉପରେ ବସି ପଡ଼ି କହିଲା, ‘‘ମୁଁ ବିଭା ହେଇଚି ବୋଲି ଆପଣ କଣ ଜାଣି ନାହାନ୍ତି ?’’

 

ନିରଞ୍ଜନ ହଠାତ୍ ସାହସ ସଞ୍ଚୟ କରି ଦ୍ୱିଧାହୀନ ଭାବରେ କହିଗଲା, ‘‘ଖାଲି ସେତିକି ନୁହେଁ, ଆପଣ ଏକାଧିକ ସନ୍ତାନର ଜନନୀ ବୋଲି ମଧ୍ୟ ମୁଁ ଜାଣିଚି––’’

 

‘‘ମୁଁ ? ଜନନୀ ?’’ ପରମ ବିସ୍ମୟର ସହ ନିରଞ୍ଜନ ମୁହଁକୁ ଚାହିଁଲା ସରସୀ । ନିରଞ୍ଜନ ବିମୂଢ଼ ହୋଇ ପଡ଼ିଲା । ସରସୀର ମୁଖ ଓ ବକ୍ଷମଣ୍ଡଳରେ ସେ ପର୍ଯ୍ୟନ୍ତ ତାର ଦୃଷ୍ଟି ନିବଦ୍ଧ ହେଇ ରହିଛି । କିନ୍ତୁ ଓଠରେ ସମାଧିସ୍ଥ ଜଡ଼ତା । ଏ କଣ ସେହି ଉପନ୍ୟାସର ନାୟିକା ସରସୀ ନୁହେଁ । ଜାମା ଭିତରୁ ସରସୀର ଉନ୍ନତ ସ୍ତନାଗ୍ର ଯେମିତି ନିରଞ୍ଜନ ଆଖିରେ ବିଦ୍ଧ ହେଇ ଯାଉଛି । ଏ ସରସୀ ତା’ହେଲେ କଣ ଜନନୀ ନୁହେଁ । ଅବଶେଷରେ ନିରଞ୍ଜନ ନିଜର ଜଡ଼ତା ଭାଙ୍ଗି କହିବାକୁ ଚେଷ୍ଟାକଲା–‘‘ଗୋଟା ଉପନ୍ୟାସରୁ ମୁଁ ଆପଣଙ୍କ ବିଷୟରେ ଏସବୁ ଜାଣିବାକୁ ପାଇଥିଲି...ହୁଏତ ସେସବୁ ଭୁଲ୍...’’

 

ସରସୀ ହସି ଉଠିଲା । ଆଶ୍ଚର୍ଯ୍ୟ, ଗୋଟିଏ ଉପନ୍ୟାସର ଲେଖାକୁ ବିଶ୍ୱାସକରି ଜଣେ ଶିକ୍ଷିତ ଯୁବକ ତା’ର ଜୀବନର ଇତିହାସ ସଂଗ୍ରହ କରିଚି । ସେ ସେମିତି ହସି ହସି କହିଲା, ‘‘ମୋ ବିଷୟରେ ସେଥିରେ ଆଉ କ’ଣ ଲେଖା ହେଇଚି ?’’

 

ନିରଞ୍ଜନ ଧୀରେ ଧୀରେ ଅଥଚ ରୋକ୍‍ଠୋକ୍ ଭାବରେ କହିଗଲା, ‘‘ଆପଣ ଅଧ୍ୟାପିକା-। ଆପଣ ଏକାଧିକ ସନ୍ତାନର ଜନନୀ । ଆଉ ସ୍ୱାମୀଠାରୁ ଆପଣ ଯଥେଷ୍ଟ ନିର୍ଯ୍ୟାତନା ପାଆନ୍ତି । ଆପଣଙ୍କ ସ୍ୱାମୀ ଜଣେ କୁତ୍ସିତ ଦର୍ଶନ ଯୁବକ ଆଉ ଆଇନଜୀବୀ ।’’

 

ଏସବୁ ଶୁଣି ସରସୀ ବିଚଳିତ କିମ୍ବା କୌତୂହଳୀ ହେବାର ଦେଖା ଗଲାନି । ସେ ପୁଣି ହସି ଉଠି କହିଲା–‘‘ଭାବିଥିଲି ଏମିଲି ଜୋଲା ଖାଲି ସମସାମୟିକ ଜୀବନ ସମ୍ପର୍କରେ ନଭେଲ ଲେଖୁଥିଲେ, ଆମ ସାହିତ୍ୟରେ ବି ଏ ଧାରା ପ୍ରବେଶ କରିଗଲାଣି । ମୋର ଜୀବନ କଥା ବର୍ତ୍ତମାନ ସାହିତ୍ୟର ସାମଗ୍ରୀ ହେଇଚି ଜାଣି ମତେ ଖୁବ୍‍ ସୁଖ ଲାଗୁଚି ନିତଞ୍ଜନ ବାବୁ । ....କିନ୍ତୁ ଆପଣ ଗୋଟା ଉପନ୍ୟାସକୁ ଜଣେ ନାରୀର ଜୀବନୀ ବୋଲି ବିଶ୍ୱାସ କରୁଚନ୍ତି ଦେଖି ମତେ ବଡ଼ ବିସ୍ମୟ ଲାଗୁଚି...’’

 

ନିରଞ୍ଜନ ମନରେ ଏତେବେଳେ ଅଞ୍ଜଳି କଥା ମନେ ପଡ଼ିଲା । ଅଞ୍ଜଳି ହିଁ ତାର ଏ ଭୁଲ୍ ପାଇଁ ଦାୟୀ । ଉପନ୍ୟାସର ନାୟିକା ଭିତରେ ସେ ହିଁ ତା’ର ମାଉସୀ ଝିଅ ଭଉଣୀକି ଆଣି ସାମିଲ କରି ଦେଇଚି । ତା’ ହେଲେ...

 

‘‘ଆପଣ କ’ଣ ଅଞ୍ଜଳିର ମାଉସୀ ଝିଅ ଭଉଣୀ ନୁହନ୍ତି ?’’

 

ନିରଞ୍ଜନର ପ୍ରଶ୍ନ ଶୁଣି ସରସୀ ପୁଣି ହସି ଉଠି କହିଲା–‘‘ନିଶ୍ଚୟ, ନିଶ୍ଚୟ । ଏ ନିରାଟ ସତ୍ୟଟା ଆଉ ଉପନ୍ୟାସର ବସ୍ତୁ ହବ କେମିତି ? ଆପଣ ବିଶ୍ୱାସ କରନ୍ତୁ ନିରଞ୍ଜନ ବାବୁ, ମୁଁ ଅଞ୍ଜଳିର ଭଉଣୀ । ଆଉ ଯାହା ଆପଣ ସେ ଉପନ୍ୟାସ ବିଷୟ କହିଲେ ସେଥିରୁ କେତେକ ବିଷୟ ସତ । ସବୁ ସତ ଲେଖିଥିଲେ ଲେଖକ ଆଉ ଉପନ୍ୟାସ ଲେଖିଥାନ୍ତା କାହିଁକି ? ....କିନ୍ତୁ ମୁଁ ଜନନୀ ନୁହେଁ । ଏପର୍ଯ୍ୟନ୍ତ ମୁଁ ଅସନ୍ତାନା । ମଝିରେ କେତୋଟି ଅରକ୍ଷ ପିଲାଙ୍କୁ ଆଣି ପାଳିଥିଲି । ଏହା ଭିତରେ ତାଙ୍କୁ ମୁଁ ଅନାଥାଶ୍ରମରେ ଛାଡ଼ି ଦେଇଚି ।...ଆଉ ଗୋଟିଏ କଥା, ପ୍ରାୟ ଛ ମାସ ହେଲା ମୁଁ ମୋର ସ୍ୱାମୀଙ୍କୁ ଡାଇଭର୍ସ କରିଚି । କିନ୍ତୁ ବେଳେବେଳେ ସେକଥା ମୋର ମନେ ରହେନା । ସେଥିଯୋଗୁ ତାଙ୍କ ପାଇଁ ଜୋତା କିଣିବାକୁ ଭାବିଥିଲି । ତେବେ ଆପଣ ଏ ଜୋତା ଯୋଡ଼ାଟା ପିନ୍ଧନ୍ତୁ...ମୁଁ ଟଙ୍କା ଦେଇ ଦଉଚି ।’’ କଥା ଶେଷରେ ସରସୀର ମୁହଁ ଥମଥମ ହେଇ ଈଷତ୍ ଲାଲ୍ ପଡ଼ି ଆସିଲା ।

 

ନିରଞ୍ଜନ ଏକ ଦୃଷ୍ଟିରେ ଅନେଇ ରହିଲା ସେ ମୁହଁକୁ । ‘ଦୁଧରେ ଅଳତାର ଆଭା’ କହି ବଙ୍ଗାଳୀ ଲେଖକମାନେ ଉପମା ଦିଅନ୍ତି । ବର୍ତ୍ତମାନ ସରସୀର ମୁହଁଟା ଠିକ୍ ସେମିତି ଦିଶୁଛି ବୋଲି ନିରଞ୍ଜନ ମନେ କଲା ।

 

କିନ୍ତୁ ଅଞ୍ଜଳି ପାଇଁ ଚପଲ କିଣା ଆଉ ହେଲାନି । ଚପଲ କିଣି ତାକୁ ସରସୀକି ଦେଇଦେବା ପାଇଁ ନିରଞ୍ଜନ ମଧ୍ୟ ନିଜ ଭିତରୁ ବିଚାର ସମର୍ଥନ ପାଇ ପାରିଲାନି । ନିଜ ଗୋଡ଼ରେ ସରସୀର ଦାନ ପଚିଶଟଙ୍କିଆ ଜୋତା । ସେ ସ୍ଥଳରେ ଚପଲ ଯୋଡ଼ାକରେ ତାକୁ ସେ କି ପ୍ରତିଦାନ ଦେଇ ପାରିବ । ନା, ପ୍ରତିଦାନର ଏଠି ଦରକାର ନାହିଁ । ସରସୀ ବିଷଣ୍ଣ ହେଇ ପଡ଼ିଚି । ପ୍ରତିଦାନର ଆଘାତରେ ସେ ହୁଏତ ସବୁ ଦମ୍ଭ ହରେଇ ବସିବ । ଦୁନିଆରେ କାହାକୁ କିଛି ଦେବାପାଇଁ କଣ ତାର ଅଧିକାର ନାହିଁ ? ନିଜର ସ୍ୱାମୀକି ସେ ବହିଷ୍କାର କରି ଦେଇଛି । ତାର ବିବାହ-ବିଚ୍ଛେଦ ଘଟିଛି । କଣ ଭୁଲ କରିଛି ଆଉ ସରସୀ । ଜୀବନର ଶ୍ରେଷ୍ଠ ଆନନ୍ଦ ଉପଭୋଗ ପାଇଁ ଯେଉଁ ବିବାହର ସୃଷ୍ଟି, ତାହାର ପରିଣତି ଯଦି ବିପରୀତ ହୋଇଯାଏ, ସେଠି ଆଉ ବିବାହର ଆବଶ୍ୟକତା କ’ଣ ?

 

କିନ୍ତୁ ବିବାହକୁ ବହିଷ୍କାର କରି ସରସୀ ପୁଣି ତ ଆନନ୍ଦ ପାଇବା ଉଚିତ । ଭାବିବା ଭିତରେ ସରସୀର ମୁହଁକୁ ଅନେଇଦେଲା ନିରଞ୍ଜନ । ଧନ୍ୟ ସରସୀର ସାହସ । ନାରୀ ଭିତରେ ଏହିଭଳି ସାହସ ସେ ଆଗେ କାମନା କରୁଥିଲା । ନା, ନା, ଅଞ୍ଜଳି ମନ୍ଦ ନୁହେଁ, ବିନା ଦୋଷରେ ଅଞ୍ଜଳି କ’ଣ ଆଉ ତାକୁ ଡାଇଭର୍ସ କରନ୍ତା । ତେବେ ସରସୀ ଭଳି ଅଞ୍ଜଳିର ଆର୍ଥିକ ସ୍ୱାଧୀନତା କାହିଁ । ନା, ନା, ଅଞ୍ଜଳି ମନ୍ଦ ନୁହେଁ, ଆର୍ଥିକ ସ୍ୱାଧୀନତା ଥିଲେ ବି... । ଅଞ୍ଜଳି ବର୍ତ୍ତମାନ ପୁତ୍ରବତୀ, ପୁଣି ଆଗାମୀ ସନ୍ତାନର ସୃଷ୍ଟି ଚାଲିଛି ତାର ଜଠରରେ । ଖାଲି ଅତିମାତ୍ରାରେ ସଂସ୍କାରଗ୍ରସ୍ତ ହେଇ ପଡ଼ିଛି । ପୂଜା....ନବଗ୍ରହ ସ୍ତୋତ୍ର...ସେ କ’ଣ ତାହା ଭିତରୁ ପାଇଛି... ନିଜର ଜନନୀତ୍ୱ । ଆଉ କିଛି ସ୍ତୋତ୍ର ନାହିଁ ସ୍ୱାମୀ ଲାଭ ପାଇଁ...ଏଇ ସରସୀ ସକାଶେ । ହଁ..ପୁରାଣ କାଳରେ କୁନ୍ତୀ ଏଇଭଳି ଗୋଟା ସ୍ତୋତ୍ର ପାଇଥିଲେ....କ’ଣ ସେ ସ୍ତୋତ୍ରଟା ବିଲକୁଲ ହଜି ଯାଇଛି ।

 

‘‘ହଁ....ଆପଣଙ୍କ ପୁଅ ନାଁ କ’ଣ ରଖିଲେ ନିରଞ୍ଜନ ବାବୁ ?’’

 

ସରସୀର ପ୍ରଶ୍ନରେ ନିରଞ୍ଜନର ଚିନ୍ତା ଠୋକର ଖାଇଥିଲା । ଭ୍ୟାନିଟି ବ୍ୟାଗ୍‌ଟା ଫିଟେଇ ସରସୀ ଟଙ୍କା ଦେଉଚି ଦେକାନୀକି । ଦୋକାନୀ ଖୁସି ମନରେ ଦୁଇଟଙ୍କା କାଟି ଦେଲା । ଏମାନେ ହୁଏତ ପୁଣି ନିକଟରେ ଆସିବେ । କିଛି ନୂଆ ପାଲାର ସୂତ୍ରପାତ ହେଲାପରି ଜଣାଯାଉଚି-। ଆଗରେ ଠିଆ ହେଇଚି ସରସୀ । ହୃଷ୍ଟପୁଷ୍ଟ ଶରୀର, ପଶ୍ଚାତ୍‌ଭାଗ ରହିଛି ନିରଞ୍ଜନଆଡ଼କୁ । ନିତମ୍ବର ବିପୁଳ ପରିଧି ଭେଦ କରି ଝୁଲି ପଡ଼ିଚି ବେଣୀ, ପଙ୍ଖାର ପବନରେ ଶାଢ଼ୀର ଅଞ୍ଚଳଟା ଝିରିଝିରି ହେଇ ଉଡ଼ୁଛି ।

 

ମାଂସର ଶୋଭାଯାତ୍ରା ଭିତରେ ନିରଞ୍ଜନ ଅନ୍ୟମନସ୍କ ରହି ସରସୀକି ଉତ୍ତର ଦେବା କଥା ଭୁଲିଗଲା । କାମ ସାରି ବୁଲିପଡ଼ିଲା ସରସୀ । ବକ୍ଷର ଗୋଟାଏ ପାଖରେ ଶାଢ଼ିର ଆବରଣ ନାହିଁ, କେବଳ ବ୍ଲାଉସ ଆଉ ବଡ଼ିଶର ସତ୍ତା । ନାଭିବନ୍ଧରେ କଟୀର ପରିଧେୟ ଓ ଛାତିର ବ୍ଳାଉସ ମଧ୍ୟରେ ଚାରି ଆଙ୍ଗୁଳି ଫାଙ୍କ୍ । ମାଂସର ଲାବଣ୍ୟ ସେଠି ଝଲମଲ ହେଉଚି...ନା, ଅଞ୍ଜଳି ଏଭଳି ପରିପାଟୀରେ ସାଜି ପାରେନା...ଆଉ କିଛି ଭାବି ପାରିଲାନି ନିରଞ୍ଜନ । ଅଞ୍ଜଳି ଓ ସରସୀର ସଂସ୍କୃତି ଓ ଶିକ୍ଷା ଭିତରେ କେତେ ପାର୍ଥକ୍ୟ ରହିଛି ତା ମଧ୍ୟ ସେତେବେଳେ ସେ ଚିନ୍ତା କରି ପାରିଲାନି ।

 

‘‘କଣ କହିଲେନି ତ ?’’

 

ହସ ଭିତରେ ପୁଣି କେତୋଟି କଥା ଝରି ପଡ଼ିଲା ସରସୀର ଓଠରୁ ।

 

ହଁ, ତା ପୁଅର ନାଁ ପଚାରୁଚି ସରସୀ । ନିରଞ୍ଜନ ଆଖିରେ ନୂତନ ଶିଶୁର ମୁହଁଟି ଜଳଜଳ ହେଇ ଭାସି ଉଠିଲା । ସ୍ୱର୍ଗୀୟ କାନ୍ତି । ସେଥିରେ ଘର ତାର ଆନନ୍ଦ-ଉଜ୍ଜ୍ୱଳ ହେଇ ଉଠିଚି-। ଆଉ ଭାସି ଉଠିଲା ଅଞ୍ଜଳିର ଜନନୀର ରୂପ । ସେଠି ଅତି ନିଷ୍ପ୍ରଭ ହେଇ ପଡ଼ିଲା ସରସୀର ମାଂସ ଆଉ ବେଶଭୂଷାର ପରିପାଟ୍ୟ । ନିରଞ୍ଜନର ମନରେ ଗର୍ବ ଭରିଗଲା ଯେମିତି । ଉଠିପଡ଼ି ସେ ଦମ୍ଭର ସହ ଟିକେ ହସି ଦେଇ କହିଲା, ‘‘ଆପଣତ ସଂସାର ଛାଡ଼ିଛନ୍ତି...ତାର ଖବର ରଖି ଆଉ ଲାଭ କଣ ?’’

 

ଏ ଅବଶ୍ୟ ସରସୀ ପକ୍ଷରେ ଗୋଟାଏ ଆଘାତ, କିନ୍ତୁ ସେଥିରେ ସେ ଅନାହତ ହେଇ ଚାହିଁଲା ନିରଞ୍ଜନ ମୁହଁକୁ । କିଛିକ୍ଷଣ ପରେ ଟିକେ ହସିଦେଲା । ତାହାର ପରମୁହୂର୍ତ୍ତରେ ଧୀର କଣ୍ଠରେ କହିଲା–

 

‘‘ମୁଁ ସଂସାର ଛାଡ଼ିଚି ନିରଞ୍ଜନ ବାବୁ ? ଆଉ ଆପଣ ଯଦି ଆଜି ଦୁଶ୍ଚରିତ୍ରା ସ୍ତ୍ରୀକି ବହିଷ୍କାର କରିଥାନ୍ତେ ସେଇଟା ହେଇଥାନ୍ତା ଖୁବ୍ ନ୍ୟାୟ । ଖାଲି ନାରୀର କାର୍ଯ୍ୟଟା ସମର୍ଥନ ଯୋଗ୍ୟ ନୁହେଁ । ଆପଣ ଏଇୟା ଜଣେଇ ଦବାକୁ ଚାହାନ୍ତି...ନା ?’’

 

ଏତିକି କହିବାପରେ ଦୋକାନରୁ ଓହ୍ଲେଇ ଆସି ସରସୀ ରାସ୍ତାରେ ଛିଡ଼ାହେଲା । ଜୋତାର ପ୍ୟାକେଟଟା ଧରି ନିରଞ୍ଜନ ମଧ୍ୟ ବାହାରି ଆସିଲା ପଦାକୁ । ବାଧ୍ୟ, ବିନମ୍ର ତାର ଭଙ୍ଗୀ–ଯେମିତି ବୁଦ୍ଧି ବିବେକ ତାର ସବୁ ଦେବାଳିଆ ହେଇ ଯାଇଚି । ବିଂଶ ଶତାବ୍ଦୀର ଏଇ ନାରୀ-ପ୍ରତିନିଧି ପାଖରେ ସେ ଆଜି ଅପରାଧୀ ପାଲଟି ଯାଇଚି । ପରିସ୍ଥିତି ସଂପର୍କରେ ବିଚାର ନ କରି ସରସୀର ଖୁବ୍ ପାଖକୁ ଲାଗି ଆସି ନିରଞ୍ଜନ ଆତ୍ମରକ୍ଷା ପାଇଁ ଚେଷ୍ଟା କରି କହିଲା, ‘‘ଭାଇଙ୍କର ପୁଅ ନାଁ ଗୋବିନ୍ଦ । ତା ସହିତ ସାମଞ୍ଜସ୍ୟ ରକ୍ଷା କରି ପୁଅର ନାଁ ମୁଁ ଅରବିନ୍ଦ ରଖିଚି ।’’

 

‘‘ଆପଣଙ୍କ ନାମ ନିର୍ବାଚନକୁ ପ୍ରଶଂସା କରିବାର କଥା ।’ ଏତିକି କହି ପାଖରେ ଯାଉଥିବା ଗୋଟିଏ ଖାଲି ସାଇକେଲ ରିକ୍‌ସା ଅଟକେଇ ସରସୀ ଯାଇ ବସି ପଡ଼ିଲା । ରିକ୍‌ସା ଆଗକୁ ମାଡ଼ି ଚାଲିଲା, କିନ୍ତୁ ନିର୍ବାକ ହେଇ ନିରଞ୍ଜନ ସେଇ ଗୋଟିଏ ଜାଗାରେ ଛିଡ଼ା ହେଇ ରହିଲା । ପ୍ରାୟ ଦଶଗଜ ଚାଲିଯିବା ପରେ ରିକ୍‌ସା ପର୍ଦ୍ଦା ଟେକି ପଛକୁ ଚାହିଁଲା ସରସୀ । ହାତ ହଲେଇ ସେ କଣ ପୁଣି ଜଣେଇବାକୁ ଚେଷ୍ଟା କଲା । କିନ୍ତୁ ନିରଞ୍ଜନ ସେଥିରୁ କିଛି ହେଲେ ଜାଣି ପାରିଲାନି ଯେମିତି । କେତେବେଳକେ ସେ ଚାଲିବାକୁ ଆରମ୍ଭ କଲା ।

 

ତାକୁ ଆଉ ଡାକୁଥିଲା କି ସରସୀ । ମନରେ ଭାବନା ଉଠିଲେ ବି ସେଥିଲାଗି ନିରଞ୍ଜନ କୌଣସି କାର୍ଯ୍ୟ କରି ପାରିଲାନି । ସରସୀର ସୁଫଳିତ ତନୁଲତା ମଧ୍ୟ ତା ଆଖିରେ ବେଳେବେଳେ ଭାସିଯିବାକୁ ଲାଗିଲା । ପକେଟରୁ ରୁମାଲ କାଢ଼ି ମୁହଁଟାକୁ ସେ ପୋଛିଦେଲା । ଆରେ, ରୁମାଲରେ ଅନେକଦିନ ତଳେ ଅଞ୍ଜଳି ଅତର ମାରି ଦେଇଥିଲା, ଆଜିବି ତାର ବାସ୍ନା ଲାଗି ରହିଚି-। ରୁମାଲଟାକୁ ଆଉ ଥରେ ମୁହଁରେ ବୁଲେଇ ନେଲା ନିରଞ୍ଜନ ।

 

୧୩

 

ଘରେ ପହଞ୍ଚି ନିରଞ୍ଜନ ନିବିଡ଼ ଭାବରେ ଅଞ୍ଜଳି ସହ ମିଶିବାକୁ ଚେଷ୍ଟାକଲା । କିନ୍ତୁ ସରସୀର କଥା ତାକୁ କିଛି କହିଲାନି । କାନ୍ଥରେ ଦେବାଦେବୀଙ୍କ ଛବିର ସଂଖ୍ୟା ସାଙ୍ଗରେ ଅଞ୍ଜଳିର ଫଟୋ ସଂଖ୍ୟା ମଧ୍ୟ ପ୍ରତିଯୋଗିତାରେ ଯୋଗ ଦେଇଛି । ଅଞ୍ଜଳିର ପ୍ରତ୍ୟେକ ଫଟୋକୁ ଗୋଟି ଗୋଟି କରି ଅନେଇଲା ନିରଞ୍ଜନ । ନୂତନ ଶିଶୁ ଅରବିନ୍ଦର ଫଟୋ ମଧ୍ୟ ଏହା ଭିତରେ ସଂଖ୍ୟାଗରିଷ୍ଠତା ଦାବି କରିବାକୁ ଚେଷ୍ଟା କରିଛି । ହେଇ ସେଠି ଅଞ୍ଜଳିର କୋଳରେ ବସିଛି ଅରବିନ୍ଦ । ମାତୃତ୍ୱର ଆନନ୍ଦରେ ଅଞ୍ଜଳିର ମୁଖମଣ୍ଡଳ ଉଜ୍ଜ୍ୱଳ ହେଇ ରହିଚି । ଆଉ ହେଇ ସେଠି ଟଙ୍ଗା ହେଇଚି ଅଞ୍ଜଳିର ବଧୂବେଶରେ ଗୋଟିଏ ଫଟୋ । ଜଣେ ବନ୍ଧୁଠାରୁ କ୍ୟାମେରା ଆଣି ନିରଞ୍ଜନ ନିଜ ହାତରେ ସେ ଫଟୋଟି ଉଠେଇ ଥିଲା । ଅଞ୍ଜଳି ପାଖରେ ନ ଥିବାରୁ ଆଉ ମଫସଲ ଗାଁରେ ସୁବିଧା ନ ଥିବାରୁ ବିବାହର ପ୍ରଥମ ଦୁଇବର୍ଷ ଭିତରେ ନିରଞ୍ଜନ ପ୍ରିୟାର କୌଣସି ପ୍ରତିଛବି ରଖି ପାରିନଥିଲା । ପରେ ଅଞ୍ଜଳିକି ବଧୂବେଶରେ ସଜାଇ ତାହାର ଆଲୋକଚିତ୍ର ଗ୍ରହଣ କରି ନିରଞ୍ଜନ ନିଜର ସେ କାମନା ଚରିତାର୍ଥ କରି ନେଇଚି । ଛନଛନ ମୁହଁ, କପାଳର ଚନ୍ଦନ ବିନ୍ଦୁର ବକ୍ର ପରିଧିମାଳାକୁ ଆଘାତ କରି ଚୂର୍ଣ୍ଣକୁନ୍ତଳ ଝୁଲି ପଡ଼ିଚି । କଜଳ ରେଖାରେ ଚକ୍ଷୁ କୋଣରେ ମୃଗ ନୟନର ଭ୍ରାନ୍ତି ସୃଷ୍ଟି କରାଯାଇଚି । ଚାହାଣିରେ ଗ୍ରାମ୍ୟ ସରଳତା । ଓଠରେ ଦରହାସ । ଗଣ୍ଡମଣ୍ଡଳରେ କେବଳ ନବ ଯୌବନର ପ୍ରଲେପ ।

 

ଛବିଟିକୁ ଚାହିଁ ଚାହିଁ ନିରଞ୍ଜନ ନିସ୍ପନ୍ଦ ଭାବରେ ଛିଡ଼ା ହେଇ ରହିଲା । ଯେମିତି ଅଞ୍ଜଳିର ଏସବୁ ସମ୍ପଦ ଆଜି ମଧ୍ୟ ତାର ଦରକାର । ସରସୀ ଯେମିତି ସଂଗ୍ରାମ ଘୋଷଣା କରିଛି, ସେଥିରେ ଝାସ ଦେବାକୁ ହେଲେ ସେଗୁଡ଼ିକ ହେବ ତାର ଆୟୁଧ । ଆଉ ଅଞ୍ଜଳିର ମାତୃତ୍ୱ କଣ ଆୟୁଧ ନୁହେଁ । ନିଜର ଚିନ୍ତା ବିଦ୍ରୋହୀ ହେଇ ଗର୍ଜି ଉଠିଲା ନିରଞ୍ଜନର ମୁଣ୍ଡ ଭିତରେ । କିଏ ଏଇ ସରସୀ ? ଗୋଟାଏ ବଜାରୀ ଉପନ୍ୟାସର ନାୟିକା, ସେ ପୁଣି ଆଜି ଜୀବନର ସ୍ୱାତନ୍ତ୍ର୍ୟ ଘୋଷଣା କରି ଛିଡ଼ା ହେଇଚି । ତାର ସ୍ୱାମୀଟା କଣ ନଂପୁସକ ନା ସୈତାନ...

 

ଶେଷ କଥାଗୁଡ଼ିକ ନିରଞ୍ଜନ ପାଟି କରି କହି ଉଠିଲା । ପଲଙ୍କ ଉପରେ ମଶାରି ଭିତରେ ଶୋଇ ରହିଥିଲା ଅରବିନ୍ଦ, ଚମକି ପଡ଼ି ଚିର ଚିର ହେଇ କାନ୍ଦି ଉଠିଲା । ଶେଯରୁ ଟେକି ଆଣି ତାକୁ କାନ୍ଧରେ ପକେଇ ନିରଞ୍ଜନ ବୋଧ କରିବାକୁ ଚେଷ୍ଟା କଲା । ପୁଅର କାନ୍ଦ ଶୁଣି ତଳ ଖଞ୍ଜାରୁ ଅଇଁଠା ହାତରେ ଦୌଡ଼ି ଅସିଲା ଅଞ୍ଜଳି । ତା ପଛରେ ଗୋବିନ୍ଦ ମଧ୍ୟ ଆସି ପହଞ୍ଚିଲା । ସେମାନଙ୍କ ଆସିବାର ପଦଶବ୍ଦ ନିରଞ୍ଜନ ଆଗରୁ ଶୁଣି ପାରିଥିଲା । ପୁଅକୁ ଶୁଆଇବା ପାଇଁ ତାହାର ଯେ ଯଥେଷ୍ଟ ଯତ୍ନ ରହିଚି ତାହା ପ୍ରମାଣ କରିଦେବା ଉଦ୍ଦେଶ୍ୟରେ ସେ ସାଙ୍ଗେ ସାଙ୍ଗେ ଗୀତ ଆରମ୍ଭ କରି ଦେଇଥିଲା ।

 

‘‘ଖାଲି ସେଇ ଧୋରେ ବାୟା ଧୋ, ନାଁ ଆଉ କିଛି ଆସେ ? ଦିଅ ଦିଅ, ପୁଅକୁ ଦିଅ, ମୁଁ ତୁନି କରି ଦେବି... !’’

 

ଅଞ୍ଜଳିର କଥା ଶୁଣି ନିରଞ୍ଜନ ହସି ଉଠିଲା । କିନ୍ତୁ ପୁଅ ସେ ପର୍ଯ୍ୟନ୍ତ କାନ୍ଦୁଚି । ସେଥିଯୋଗୁ ତାକୁ କୋଳାନ୍ତର କରି ଦେବାକୁ କୌଣସି ଆପତ୍ତି କଲାନି । ତାର ଇଚ୍ଛା ହେଉଥାଏ ସେ ପଚାରନ୍ତା, ସେ ପୁଣି ଏଥିପାଇଁ ସୁଯୋଗ ପାଇବ କେମିତି, ମାତ୍ର କିଛି ପଚାରି ପାରିଲାନି । ଏତିକିବେଳେ ହଠାତ୍ ତାକୁ ଗୋବିନ୍ଦ ପଚାରିଲା, ‘‘ଅରୁ କାହିଁକି କାନ୍ଦିଲା ଦାଦା ?’’

 

ସତେତ କାହିଁକି କାନ୍ଦିଲା ଅରୁ ? ଗୋବିନ୍ଦ ମୁହଁକୁ ଅନେଇ ନିରଞ୍ଜନ ନିଜକୁ ପ୍ରଶ୍ନ କଲା-। କିନ୍ତୁ ନିଜକୁ କିମ୍ବା ଗୋବିନ୍ଦକୁ କାହାକୁ ସେ ଉତ୍ତର ଦେଇ ପାରିଲାନି । ନିଜେ ମଧ୍ୟ ସେ ଳଜ୍ଜା ଅନୁଭବ କଲା–ବାପର ଅନୀତି ଚିନ୍ତାର ଚିତ୍କାରରେ ପୁଅର ସୁଖ ସ୍ୱପ୍ନ ଭାଙ୍ଗିଯାଇଚି । ଏହି ନିଷ୍ଠୁର ସତ୍ୟକୁ ନିରଞ୍ଜନ ପ୍ରକାଶ କରିବାର ସାହସ ପାଇ ପାରିଲାନି । କେତେବେଳେକେ ସେ କଥା ଘୂରେଇ କହିଲା, ‘ତା ବାପାକୁ କିଏ ମାରୁଥିଲା ବୋଲି ସେ ସପନ ଦେଖିଲା ନା କଣ ।’

 

ଗୋବିନ୍ଦ କିରିକିରି ହେଇ ହସି କହିଲା, ‘କୁହନି ଖୁଡ଼ି, ଦାଦାଙ୍କୁ କିଏ ମାରିବ ।’

 

ଅନେଇଲା ଅଞ୍ଜଳି । ନିରଞ୍ଜନ ଖାଲି ହସି ଉଠିଲା । ପ୍ରାୟ ତିନି ମିନିଟ ପରେ ତଳ ଖଞ୍ଜାରୁ ଗିଲାସେ ପାଣି ଆଣିବାକୁ ସେ ଗୋବିନ୍ଦକୁ କହିଲା । ଗୋବିନ୍ଦ ଦୌଡ଼ି ଦୌଡ଼ି ଚାଲିଗଲା ।

 

ପୁଅକୁ ନେଇ ଅଞ୍ଜଳି ଝୁଲେଇବାରେ ଲାଗିଛି । କାନ୍ଦ ତାର ବନ୍ଦ ହେଇଗଲାଣି । ଆଖିରେ ପୁଣି ନିଦ୍ରାର ଆଗମ ହେଉଚି । ବୁଲି ବୁଲି ପୁଅକୁ ଝୁଲେଇବା ଭିତରେ ଅଞ୍ଜଳିର ଉଦରର ସ୍ଫୀତି ଆଖିରେ ଲାଗି ଯାଉଚି । ଅଞ୍ଜଳିର ରଙ୍ଗ ମଧ୍ୟ ପୁଣି ପାଲଟି ଯାଇଚି । ନିରଞ୍ଜନର ଆଖିରେ ସେସବୁ ନେଶି ହେଇ ଯାଉଚି ଯେମିତି । ପାଖକୁ ପାଖକୁ ଲାଗି ଆସିଲା ନିରଞ୍ଜନ । ତାର ଇଚ୍ଛା ହେଲା, ଆଲୋକରେ ଉଦ୍‌ଭାସିତ ଆଉ ଅନ୍ଧକାରରେ ରହିଥିବା ଉଭୟ ସନ୍ତାନସହ ଜନନୀକୁ ଟେକି ଧରି ସେ ଏ ଘରେ ନୃତ୍ୟ ଆରମ୍ଭ କରି ଦିଅନ୍ତା । କିନ୍ତୁ ସେ ଇଚ୍ଛାକୁ ସମ୍ବରଣ କରି ହାତରେ ଅଞ୍ଜଳିର କଟି ବେଷ୍ଟନ କରି ବିମୁଗ୍‌ଧ ଆଖିରେ ଅନେଇ ରହିଲା ଜନନୀକି । ଆରକ୍ତ ମୁହଁରେ ହସି ଉଠିଲା ଅଞ୍ଜଳି । ହସି ଉଠିଲା ମଧ୍ୟ ନିରଞ୍ଜନ । ସେ ହସର କୌଣସି ତୁଳନା ନାହିଁ । ସୃଷ୍ଟିର ଗୌରବ ସେଥିରେ ଭରି ରହିଚି । ଭରି ରହିଛି ପ୍ରଜନନର ଗର୍ବ । ଯେଉଁ ଦୁଇଟି ନର-ନାରୀର ନିବିଡ଼ ସହଯୋଗ ଭିତରେ ସୃଷ୍ଟି ଆଜି ମୁଖର ହୋଇ ଉଠୁଛି, ହର୍ଷ ବିଭୋର ଆଖିରେ ସେହି ଦୁଇଟି ନରନାରୀ ଚାହିଁ ରହିଲେ ଉଭୟଙ୍କୁ । ଯେପରି ଆଦାମ ଆଉ ଇଭ୍ କିମ୍ବା କଶ୍ୟପ ଆଉ ମନୁ, ସର୍ଜନ-ପାଗଳ ହେଇ ଚାହିଁ ରହିଛନ୍ତି ପରସ୍ପରକୁ ।

 

‘‘ନାରୀର ଏଇ ମୂର୍ତ୍ତି ଆରାଧ୍ୟା । ଏଠି ବିଳାସ କି ସମ୍ଭୋଗର ସ୍ଥାନ ନାହିଁ । ଯେଉଁ ବିଳାସ ସୃଷ୍ଟିର ଜନକ ତାହା କିନ୍ତୁ ବିଲୀନ ହେଇଯାଏ ସୃଷ୍ଟିରେ । ସେହି ବିଳାସ ପୁଣି ସାଧନାରେ ହେଇଯାଏ ରୂପାନ୍ତର ।’’

 

ପୁଅ ଶୋଇ ପଡ଼ିଚି । ଇଙ୍ଗିତରେ କର ବେଷ୍ଟନୀରୁ ମୁକ୍ତି ଲାଭକରି ଅଞ୍ଜଳି ପୁଅକୁ ନେଇ ଶେଯରେ ଶୋଇ ଆସିଲା । ନିରଞ୍ଜନର କଥା ତାର କାନରେ ଭେଦ କରିଚି । କିନ୍ତୁ ଯାହାର ସାଧନାର ସିଦ୍ଧି ଘଟିଚି ତା ପକ୍ଷରେ ପ୍ରଶସ୍ତି ଶୁଣିବାର ଆଉ ବିଶେଷ ଦରକାର ନ ଥାଏ । ପୁଅକୁ ଶୋଇଦେଲା ପରେ ଅଞ୍ଜଳି ହସି ହସି ସରସ କଣ୍ଠରେ କହିଲା, ‘‘ଆମର କିନ୍ତୁ ସାଧନାରୁ ସୃଷ୍ଟି....’’

 

ଗୋବିନ୍ଦ ପାଣି ଗିଲାସେ ଧରି ଆସି ପହଞ୍ଚିଲା । ତୃଷାର କୌଣସି ତାଡ଼ନା ନ ଥିଲେ ବି ଗୋବିନ୍ଦ ହାତରୁ ଗ୍ଲାସଟା ନେଇ ନିରଞ୍ଜନ ସବୁତକ ପାଣି ନିଃଶେଷ କରି ପିଇଦେଲା । ଅଞ୍ଜଳି କି ହଠାତ୍ ଏକାନ୍ତରେ ପାଇବା ପାଇଁ ସେ ତୃଷାର ଆଶ୍ରୟ ନେଇଥିଲା । ତାହାର ସଦ୍‌ବ୍ୟବହାର ନ କରି ଆଉ ଉପାୟ ନାହିଁ । ମନେମନେ ହସି ଉଠିଲା ନିରଞ୍ଜନ । ଏ କେବଳ କ୍ଷଣକର ଠକାମି, ସୃଷ୍ଟି ପାଇଁ ନିବିଡ଼ ସହଯୋଗ ଦରକାର ହେଉଥିଲେ ମଧ୍ୟ ସେହି ସୃଷ୍ଟିର ଜାଲ ଭିତରେ ଅଞ୍ଜଳି ଖସି ଯିବ ତା ପାଖରୁ ଖୁବ୍ ଦୂରକୁ । ଆଜି କେବଳ ତାହାର ଉପକ୍ରମ ହେଉଚି ।

 

ଅଞ୍ଜଳି ଖାଇବା ପାଖରୁ ଉଠି ଆସିଥିଲା । ତେଣେ ଅପା ତାର ଖାଇ ବସିଚନ୍ତି, ତାଙ୍କ ସାଙ୍ଗରେ ଖାଉଥିଲା ସେ । ଅପା ହୁଏତ ଏ ପର୍ଯ୍ୟନ୍ତ ହାତ ଟେକି ବସିଥିବେ । ତରତର ହୋଇ ଅଞ୍ଜଳି ଚାଲିଗଲା ତଳ ଖଞ୍ଜାକୁ ।

 

କିଛିକ୍ଷଣ ପରେ ନିରଞ୍ଜନ ମନରେ ଅଞ୍ଜଳିର କଥା ଖେଳିଯିବାକୁ ଲାଗିଲା । ହଁ....ଅଞ୍ଜଳି କହିଗଲା ଆମର ସୃଷ୍ଟି କିନ୍ତୁ ସାଧନା ଭିତରୁ । ନବଗ୍ରସ୍ତସ୍ତୋତ୍ର, ଠାକୁରପୂଜା ଆହୁରି କେତେ କ’ଣ.....ହଁ ବିରାଟ ସାଧନା । କିନ୍ତୁ କେହି ବିଧବା ଏ ସାଧନା କରି ସନ୍ତାନ ପାଇ ପାରିବ ? ସାଧନାକରି ନୂଆବୋଉ ପାଇବେ ଗୋବିନ୍ଦର ବାପାକୁ ? ପୁରାଣରେ ସାବିତ୍ରୀ କଥା ରହିଚି–ସାଧନା ବଳରେ ମୃତ ସ୍ୱାମୀକି ବଞ୍ଚେଇ ପାରିଥିଲା ସେ । ଆଉ କଣ ଗୋଟିଏ ନାରୀ ବାହରୁନି ସେପରି । ଆଉ କଣ ପୁରାଣ କେହି ଲେଖିବନି, ସେଥିରେ ଏଇ ଅଞ୍ଜଳିର କଥା ସ୍ଥାନ ପାଇପାରିବନି, ସ୍ଥାନ ପାଇବ ସରସୀର କଥା । ସ୍ୱାମୀର ଆରାଧନାରେ ଯେଉଁ ନାରୀ ଜୀବନ ଉତ୍ସର୍ଗ କରିଦିଏ । ସେ ଆଜି ସ୍ୱାମୀର ବହିଷ୍କାରରେ ହେଇଚି ଉତ୍‌ଫୁଲ୍ଲ । ନୂତନ ପୁରାଣର ନାୟିକା ହେବ ସରସୀ, ଅଞ୍ଜଳି ନୁହେଁ । ପୁରୁଷର ପ୍ରଭୁତ୍ୱକୁ ସରସୀ ଅସ୍ୱୀକାର କରିଚି । ଆଉ ଅଞ୍ଜଳି ମଣିଷର ଶକ୍ତି ଭିତରେ ବୋଳି ଦେଇଚି ଦେବତାର ଇଙ୍ଗିତ ।

 

ଏହାପରେ ହଠାତ୍ ଗୋବିନ୍ଦକୁ ତଳୁ ଉଠେଇ ନେଲା ନିରଞ୍ଜନ । କାଖରେ ନୁହେ, ଏକବାରେ ନେଇ କାନ୍ଧରେ ବସେଇଲା । ଦାଦା କେବେ ତାକୁ କାନ୍ଧରେ ବସେଇବାର ସେ ଅନୁଭବ କରିନି । ବର୍ତ୍ତମାନ ଦାଦାର ଏପରି ବ୍ୟବହାରରେ ସେ ଆଶ୍ଚର୍ଯ୍ୟ ହେଇଗଲା ମନେମନେ-

 

ଭାଇଥିଲେ ଗୋବିନ୍ଦକୁ ଏମିତି କେତେ ଆଦର କରୁଥାନ୍ତେ....କିନ୍ତୁ ଗୋବିନ୍ଦର ସୌଭାଗ୍ୟ ପଥରେ ଏଇ ଦେବତାମାନେ ଶତ୍ରୁ ହେଇ ଛିଡ଼ା ହେଇଚନ୍ତି । କିନ୍ତୁ ଗୋବିନ୍ଦ ସେଇ ଦେବତାମାନଙ୍କର କିଛି କ୍ଷତି କରିନି । ଏହିପରି ଭାବନା ଭିତରେ ଗୋବିନ୍ଦକୁ କାନ୍ଧରେ ବସେଇ ନାଚି ବୁଲିଲା ନିରଞ୍ଜନ । ଯେମିତି ବାଟ ପାଇଲେ ସେ ଦେବତାର ଦେଶକୁ ଯାଇ ସେମାନଙ୍କ ସହ ଥରେ ମୁକାବିଲା କରି ନିଅନ୍ତା ।

 

ଏହିପରି ବୁଲେଇବା ଭିତରେ କାନ୍ଥର ଗୋଟାଏ ଛବି ଦେହରେ ଗୋବିନ୍ଦର ମୁଣ୍ଡ ବାଜିଗଲା ଖୁବ୍ ଜୋରରେ । ଗୋବିନ୍ଦ ‘ଉହୁ’ ହେଇ ପାଟି କରି ଉଠିଲା । ଛବିଟା ମଧ୍ୟ ତଳେ ଖସି ପଡ଼ି ଟଣ୍‌ ଟଣ୍‌ ଶବ୍ଦ କଲା ।

 

ଏ ଘଟଣାରେ ନିରଞ୍ଜନ ଚମକି ପଡ଼ିଲା । ଗୋବିନ୍ଦ ସେମିତି କାନ୍ଧ ଉପରେ ବସିଚି । ସେ ସଶଙ୍କିତ । ମୁଣ୍ଡର ଆଘାତ ସେ ଭୁଲିଯାଇ ଫଟୋ ପଡ଼ିଯିବା ଯୋଗୁ ସେ ମଧ୍ୟ ବିଚଳିତ ହେଇ ପଡ଼ିଚି । ନିରଞ୍ଜନ ଆଶ୍ଚର୍ଯ୍ୟ ହେଇ ଦେଖିଲା, ଦେବ-ଦେବୀର ଛବି ନୁହେଁ, ତଳେ ପଡ଼ି ଭାଙ୍ଗିଯାଇଚି ଅଞ୍ଜଳିର ସବୁ ଚାହି ଭଲ ଫଟୋଟି.... ସେହି ବଧୂବେଶର ଫଟୋ ଖଣ୍ଡିକ । ଫଟୋଟିର ଏପରି ଦଶା ଦେଖି ଛାତି ତାର ଯେମିତି ଖଣ୍ଡଖଣ୍ଡ ହେଇଗଲା । ତାରିଦ୍ୱାରା ଭାଙ୍ଗିଯାଇଛି ତାହାର ପ୍ରିୟତମାର ଛବି ।

 

ଗୋବିନ୍ଦକୁ ପଲଙ୍କ ଉପରେ ଓହ୍ଲେଇ ଦେଇ ନିରଞ୍ଜନ ଫଟୋଟିକୁ ଯାଇ ଉଠେଇ ନେଲା । ଦେଖିଲା, କାଚ ଭାଙ୍ଗି ଯାଇ ଫଟୋ ମଧ୍ୟ ଠାଏ ଠାଏ ଆଞ୍ଚୁଡ଼ି ହେଇ ଯାଇଚି । ବଧୂବେଶରେ ତାର ପ୍ରେୟସୀ ଅଞ୍ଜଳି ଚାହିଁଚି ସେହି ଭଙ୍ଗା କାଚ ଭିତରୁ । ବିବ୍ରତ ହେଇ ପଡ଼ିଲା ନିରଞ୍ଜନ, କାହିଁକି ଏମିତି ଘଟିଲା । ଗୋବିନ୍ଦର ମୁଣ୍ଡ ବାଜି ଫଟୋ ଖସି ପଡ଼ିବା ଭିତରେ ଯେମିତି ଆଉ କିଛି ଇଙ୍ଗିତ ରହିଚି ବୋଲି ତାର ଧାରଣା ହେବାକୁ ଲାଗିଲା । ଆଶ୍ଚର୍ଯ୍ୟ, ସେଥିପାଇଁ ସେହିସବୁ ଦେବଦେବୀଙ୍କ ଛବି ବିରୁଦ୍ଧରେ ତାର ଆକ୍ରୋଶ ଜାତ ହେଇଗଲା । ନିରଞ୍ଜନର ଯଥେଷ୍ଟ ଆଘାତ ପାଇଲେବି ଦେବ-ଦେବୀବୃନ୍ଦ ଯେପରି ତାଙ୍କର ପୂଜାରିଣୀ ଅଞ୍ଜଳିର ଫଟୋ ଖଣ୍ଡିକୁ ରକ୍ଷା କରିଥାନ୍ତେ । ଦୁର୍ଘଟଣା ପଛରେ ଯେ କିଛି ବାସ୍ତବବାଦୀ କାରଣ ରହିଛି ସେ କଥା ସେ ଭାବିବାକୁ ମଧ୍ୟ ଭୁଲିଗଲା ।

 

ଏହା ଭିତରେ ଖଟ ଉପରୁ ଖସି ତଳ ଖଞ୍ଜାକୁ ପଳେଇ ଯାଇ ଖୁଡ଼ୀ ପାଖରେ ପହଞ୍ଚିଛି ଗୋବିନ୍ଦ । ଅଞ୍ଜଳି ସେତେବେଳକୁ ଖାଇ ସାରିଥିଲା । କେବଳ ନିରଞ୍ଜନ ପାଇଁ ନିଜ ହାତରେ ଦି’ଖଣ୍ଡ ପାନ ଭାଙ୍ଗି ତାର ଆସିବାର କଥା । ସେତକ କିନ୍ତୁ ହେଲାନି । ଗୋବିନ୍ଦଠାରୁ ଛବି ଭାଙ୍ଗିବା କଥା ଶୁଣି ଛାତିରୁ ତାର ଯେମିତି ଅତଡ଼ା ଖସି ପଡ଼ିଛି । ହୁଏତ ତାର ଗୋଟିଏ ଠାକୁରଙ୍କ ଛବି ଭାଙ୍ଗିଗଲା । ୟାଙ୍କର କଣ ଏବେ ସୁଦ୍ଧା ଠାକୁରଙ୍କ ଉପରୁ ଆକ୍ରୋଶ ଯାଇନି ! ଏ ଭାବନା ମନରେ ଉଠି ମନରେ ମିଳେଇଗଲା ବେଳକୁ ସେ ଆସି ଦି’ଖେପାରେ ଉପର ଖଞ୍ଜାରେ ପହଞ୍ଚିଗଲା ।

 

ଦୁଆର ମୁହଁରୁ କହିକହି ଅଞ୍ଜଳି ଘର ଭିତରକୁ ପଶିଆସିଲା–‘‘ଠାକୁରଙ୍କ କୋଉ ଛବିଟା ତମେ ଭାଙ୍ଗିଦେଲ ?’’

 

ଦୁଃଖରେ ଭାଙ୍ଗି ପଡ଼ିଚି ନିରଞ୍ଜନର ମନ । ତା ଉପରେ ଅଞ୍ଜଳିର ବଙ୍କା କଥା ତାର କାନରେ ମଧ୍ୟ ବାଜିଲା । ହୁଏତ ଗୋଟିଏ ଠାକୁରର ଛବି ଭାଙ୍ଗି ଯାଇଥିଲେ ନିରଞ୍ଜନ ଆଶ୍ୱସ୍ତ ହୋଇଥାନ୍ତା । କିନ୍ତୁ ଘଟିଚି ତାର ଓଲଟା । ଭାଙ୍ଗିଯାଇଚି ପ୍ରେୟସୀର ଛବି । ସେହି ପ୍ରିୟ ଛବିଟି ତାର ହାତରେ, ଭଙ୍ଗା କାଚ ତଳେ ପ୍ରେୟସୀ ଯେମିତି ଅଧୀର ହେଇ କାନ୍ଦୁଚି, ଏତିକିବେଳେ ପାଖରେ ଯାଇ ପହଞ୍ଚିଲା ଅଞ୍ଜଳି । ସ୍ୱାମୀ ହାତରେ ନିଜର ଭଙ୍ଗା ଛବିଟିକୁ ଦେଖି ମନର ଆଶଙ୍କା ତାର ଦୂର ହୋଇ ଆଶ୍ୱସ୍ତି ଭରି ଯିବାକୁ ଲାଗିଲା ।

 

‘‘ତା’ହେଲେ ଠାକୁରଙ୍କ ଛବିତ ଭାଙ୍ଗିନି... ।’’

 

ଅଞ୍ଜଳି ମୁହଁରୁ ଏଭଳି ମନ୍ତବ୍ୟ ଶୁଣି ନିରଞ୍ଜନ ଆହୁରି ଦୁଃଖରେ ଘାରି ହେଇଗଲା । ଯାହାର ଛବିଟି ଭାଙ୍ଗି ଯାଇଚି ବୋଲି ତାହାର ହୃଦୟ ବିଦୀର୍ଣ୍ଣ ହେଇଯାଉଚି ସେ ନିଜେ ପୁଣି କହୁଚି କଣ । ନିରଞ୍ଜନର ଇଚ୍ଛା ହେଲା, ଅଞ୍ଜଳିର ସବୁ ଠାକୁରଙ୍କ ଛବି ଛିଣ୍ଡି ପଡ଼ି ଭାଙ୍ଗି ଯାନ୍ତାକି, ସେ କି ଦୁଃଖ ପାଉଚି ସେ କଥା ଅଞ୍ଜଳି ହୃଦୟଙ୍ଗମ କରି ପାରନ୍ତା । କିନ୍ତୁ ସେ ବିଷୟରେ ସେ ଅଞ୍ଜଳିକି କିଛି ହେଲେ କହିଲାନି । ଛବି ଉପରୁ ଭଙ୍ଗା କାଚଖଣ୍ଡ ଗୁଡ଼ିକ କାଢ଼ି ଦେଇ ଫଟୋ ଖଣ୍ଡିକ ନେଇ ଟେବୁଲ ଉପରେ ରଖିଦେଲା । ଅଳ୍ପ କେତୋଟି ଜାଗା ଆଞ୍ଚୁଡ଼ି ହେଇ ଯାଇଚି, ତାକୁ ଫଟୋ ଦୋକାନରୁ ସଜାଡ଼ି ଆଣି ହେବ, ଫଟୋରେ ପୁଣି ନୂଆ କାଚ ଲଗେଇ ଦେଲେ ସବୁ ଠିକ୍‌ ହେଇଯିବ ବୋଲି ସେ ନିଜକୁ ପ୍ରବୋଧ ଦେବାକୁ ଚେଷ୍ଟା କଲା । କିନ୍ତୁ ଦିନକ ପାଇଁ ହେଲେ ମଧ୍ୟ ତାର ପ୍ରେୟସୀର ବଧୂବେଶର ଏଇ ବିକୃତି ତା ପକ୍ଷରେ ଯେମିତି ଅତି ଅସ୍ୱାଦ୍ୟ ଓ ଅସହ୍ୟ ହେଇ ଉଠିଚି । ଛବି ଉପରୁ ମୁହଁ ଫେରେଇ ସେ ନୀରବରେ ଅନେଇଲା ଅଞ୍ଜଳିକି । ସେଠୁ ଘୁଞ୍ଚି ଯାଇ ଦରଜାର କବାଟ ବନ୍ଦ କରି ଦେଇ ଆସିଲା ଅଞ୍ଜଳି । ନିରଞ୍ଜନ ଉପରେ ଲୋଟି ପଡ଼ି ଗଦ୍‌ଗଦ୍‌ କଣ୍ଠରେ କହିଲା–

 

‘‘ମୁଁ ପରା ଅଛି, ଏତେ ଦୁଃଖ କାହିଁକି !’’

 

ନିରଞ୍ଜନ ଭଲ କରି ତାନେ ଅନେଇଲା ଅଞ୍ଜଳିକି । ବାହୁବନ୍ଧନରେ ପ୍ରେୟସୀର ଦେହ ଯଷ୍ଠିକୁ ଆବୃତ କରି ଦେଲା । ଅଞ୍ଜଳିର ଗଣ୍ଡ ଉପରେ ନିଜର ଗଣ୍ଡଟି ଥାପି ଦେଇ ଆଖି ଛଳଛଳ କରି କହିଲା, ‘‘ହଁ, ତମେ ଅଛ ଅଞ୍ଜଳି, ମୁଁ ସେ କଥା ମୋଟେ ହେଲେ ଭୁଲି ଯାଇନି.... ।’’

 

ସେ ଆଉ କିଛି କହି ପାରିଲାନି । ହୁଏତ ସେ କହିବାକୁ ଯାଉଥିଲା, ସେଇ ବଧୂବେଶର ଅଞ୍ଜଳି ଆଉ ନାଇଁ । କିନ୍ତୁ ସେକଥା ସେ ପ୍ରକାଶ କରି ପାରିଲାନି । ସେଇ ବଧୂବେଶର ସ୍ମୃତି ବହନ କରିଥିବା ଜନନୀ ଓ ଅନ୍ତଃସତ୍ତ୍ୱା ପ୍ରେୟସୀର ମୁହଁରେ ଅନେକ ଦିନ ପରେ ଗୋଟିଏ ଗହୀର ଚୁମ୍ୱନ ଆଙ୍କି ଦେଲା । ଅଞ୍ଜଳି ଯେମିତି ଆତ୍ମହରା ହେଇ ପଡ଼ିଚି । ମୁହଁରେ ତାର କିଛି ହେଲେ କଥା ଫିଟୁନି । ଯେମିତି ସବୁ ଦେବତାର ଆଶୀର୍ବାଦରେ ଜୀବନ ତାର କେବଳ ପୁଣ୍ୟ ପଥରେ ଗତି କରିବାରେ ଲାଗିଚି । ସ୍ୱାମୀ ତାର କି ସୁନ୍ଦର !

 

୧୪

 

ଏହା ଭିତରେ ଧନଞ୍ଜୟକୁ ଠାବ କରିବା ପାଇଁ ନିରଞ୍ଜନ ଖୁବ୍‍ ଚେଷ୍ଟା କରିଚି, କିନ୍ତୁ ପାଇନି । ସେଥିରେ ତାର ପ୍ରାୟ ଦଶ ଦିନ ବିତି ଯାଇଚି । ସବୁ ସନ୍ଧାନ ବ୍ୟର୍ଥ ହେଇଚି । ଯେମିତି ଜଣା ଯାଇଚି, ଧନଞ୍ଜୟ ଆଉ କଟକରେ ନାହିଁ ।

 

ନିରଞ୍ଜନ ମନରେ ଆଶଙ୍କା ଛୁଇଁଲା, ଜୀବନ ପଥରେ ହତାଶ ହୋଇ ଧନଞ୍ଜୟ କିଛି ପାଗଳାମି କରି ବସିନିତ । ନିଜର ବନ୍ଧୁ ହୋଇଥିଲେ ମଧ୍ୟ ଧନଞ୍ଜୟ ପ୍ରତି ନିରଞ୍ଜନର ସହାନୁଭୂତିରେ ଯେତେ ଆନ୍ତରିକତା ପୂର୍ବରୁ ନଥିଲା, ଏହା ମଧ୍ୟରେ ତାହା ଅପ୍ରତ୍ୟାଶିତ ଭାବରେ ବଢ଼ି ଯାଇଚି । ଏହା ଘଟିଚି କିନ୍ତୁ ଧନଞ୍ଜୟ ଅନୁପସ୍ଥିତିରେ ତାହାର କବିତାଗୁଡ଼ିକୁ ପଢ଼ି ପଢ଼ି । ସେଦିନ ଦୋକାନରୁ ଧନଞ୍ଜୟର ଯେଉଁ ବହିଟି ନିରଞ୍ଜନ କିଣି ଆଣିଥିଲା, ସେଥିରୁ କେତୋଟି କବିତା ତାକୁ ଖୁବ୍‍ ଭଲ ଲାଗିଚି । କବିତାଗୁଡ଼ିକର ମର୍ମାନୁସନ୍ଧାନ ହୁଏତ ଏପର୍ଯ୍ୟନ୍ତ ନିରଞ୍ଜନ ପକ୍ଷରେ ସମ୍ଭବ ହେଇନି, ମାତ୍ର ତାର କେମିତି ଗୋଟାଏ ଧାରଣା ହେଇଚି, ସେଗୁଡ଼ିକ ସାଧାରଣ କବିତା ନୁହେଁ । ସେଥିଲାଗି ସେ ଥର ଥର କରି କବିତାଗୁଡ଼ିକୁ ଅନେକ ଥର ପଢ଼ିଚି । ସେଥିରୁ ତାର ବିଶ୍ୱାସ ହେଇଚି କବିତାଗୁଡ଼ିକର ଧାରାହିଁ ଧନଞ୍ଜୟକୁ ଅସମାଜିକ ଏବଂ ଅନର୍ଥନୈତିକ କରି ଦେଇଚି । ସେଥିଲାଗି ତାର ଜାମାରୁ ବୋତାମ ଆଉ ଚଟିରୁ ଫିତା ଛିଡ଼ି ଯାଇଚି । ଆଉ ବାଳ ଗୋଛାକରୁ ଉଡ଼ି ଯାଇଚି ତେଲ । ସେଥିରେ ବା’ ହବାକୁ ବସିଥିଲା କୋଉ ନର୍ମଦାକୁ, ସେ ମଧ୍ୟ ଶେଷକୁ ଖସି ଯାଇଚି । ସେସବୁ ହଉ ପଛକେ ଧନଞ୍ଜୟ ଭିତରେ ସାଧନା ଅଛି, ଆଉ ସେ ସାଧନା ସୃଷ୍ଟି କରିଛି ଅନନ୍ୟ ସାଧାରଣ କବିତା । ଧନଞ୍ଜୟ ଆସିଲେ ସେ ଏଥର ତାକୁ ସମ୍ୱର୍ଦ୍ଧନା କରିବ । କିନ୍ତୁ ସେ ଆଜି କୋଉଠି ? କିଛି ପାଗଳାମି କରି ବସିନି ତ !

 

ଅନେକ ଦିନ ତଳେ ଜଟଣି ରେଳ ଷ୍ଟେସନରେ ନିରଞ୍ଜନ ଗୋଟିଏ ଦୁର୍ଘଟଣାର ଦୃଶ୍ୟ ଦେଖିଥିଲା । ଧନଞ୍ଜୟର ପାଗଳାମି ବିଷୟରେ ଚିନ୍ତା କରୁ କରୁ ସେହି ଦୃଶ୍ୟଟା ତା’ ଆଖିରେ ଫୁଟି ଉଠିଲା । ରେଳର ଚକା ମାଡ଼ିଯାଇ ଲୋକଟାର ଦେହ ଖଣ୍ଡଖଣ୍ଡ ହୋଇ ଯାଇଚି । ଲୁହା ଧାରଣା ଆଉ ରେଳ ରାସ୍ତାର ପଥର ଗେଟିଗୁଡ଼ାକ ରକ୍ତରେ ଜୁଡ଼ୁବୁଡ଼ୁ ହେଇ ଭିଜି ଯାଇଚି । ଖଣ୍ଡେ ଦୂରରେ ଲୋକଟିର ମୁଣ୍ଡଟା ଅତି ବିକୃତ ଅବସ୍ଥାରେ ପଡ଼ି ରହିଛି । କି ବିଭତ୍ସ ଦୃଶ୍ୟ । ଆଜି ବି ତାହାର ଚମକ ଲାଗିଲା ନିରଞ୍ଜନ ଛାତିରେ । ସେ ଶିହରି ଉଠି ଆଖି ବୁଜିଦେଲା । ...ତା’ ହେଲେ ଧନଞ୍ଜୟ କଣ ଏମିତି କିଛି ପାଗଳାମି କରିଥିବ ? ଏହି ସବୁ ଭାବନା ଭିତରେ ନିରଞ୍ଜନର ମନେ ପଡ଼ିଲା ଗୋଟିଏ ସତ୍ୟ ଘଟଣା । ହଁ ...ଏଇ ଓଡ଼ିଶାର ଜଣେ କବି, ଭଜମନ ଖଟୁଆ ତାଙ୍କ ନାଁ.... ନିର୍ଜଳା ସାହିତ୍ୟ-ସାଧନା କରି ଶେଷକୁ ସ୍ତ୍ରୀ ଓ ଛୁଆ ପିଲାଙ୍କୁ ଭସେଇ ଦେଇ ନିଜେ ଜଙ୍ଗଲରେ ଫାଶୀ ଦେଇ ପ୍ରାଣତ୍ୟାଗ କଲେ । କି ନିର୍ମମ ଜୀବନ, ଏ ପଥରେ ଧନଞ୍ଜୟ ପାଦ ଦେଇଚି କାହିଁକି..... କଣ ଲାଭ ମିଳିବ ସାହିତ୍ୟ-ସାଧନା କରି । ଧନଞ୍ଜୟର ସାଧନା ଲାଗି ଦିନେ ହୁଏତ ଓଡ଼ିଆ ସାହିତ୍ୟର ସ୍ଫୀତି ଗଣନା କରାଯିବ, କିନ୍ତୁ ସେଦିନ ଧନଞ୍ଜୟର ଲାଭ ହେବ କ’ଣ ? ଟିକିଏ ଶୁଷ୍କ ପ୍ରଶଂସା, ଏଇଥିପାଇଁ ସାରା ଜୀବନ ଧରି ସାଧନା ! ହସି ଉଠିଲା ନିରଞ୍ଜନ । ତାଚ୍ଛଲ୍ୟର ହସ । ଜୀବନକୁ ପରିପୂର୍ଣ୍ଣ ଭାବରେ ଉପଭୋଗ କରିବା ଭିତରେ କ’ଣ ଗୌରବ ନାହିଁ ।

 

ଆଗରେ ଡାକପିଅନ ପହଞ୍ଚିଲା । ଗୋଟା ବଡ଼ ପ୍ୟାକେଟ୍‌ ବାହାରକରି ଥୋଇଲା ଟେବୁଲ ଉପରେ । ନିରଞ୍ଜନ ଦେଖିଲା ରେଜିଷ୍ଟ୍ରି ପାର୍ଶଲ... କମ୍ପାନୀରୁ ଆସିନି, ସେ ଭଲ କରି ଆଖି ଟେକି ଦେଖିଲା, ପ୍ରେରକ ସ୍ଥାନରେ ଲେଖା ହୋଇଚି ଧନଞ୍ଜୟର ନାଁ । ସେ ବ୍ୟଗ୍ର ହୋଇ ଉଠିଲା, ଧନଞ୍ଜୟ ବଞ୍ଚିଛି ... ଦୁଇ ଦିନ ତଳେ ସେ ନିଶ୍ଚୟ ବଞ୍ଚିଥିଲା... ଏହି ପାର୍ଶଲ ତାହାର ପ୍ରମାଣ... ହୁଏତ ଆଜି ମଧ୍ୟ ସେ ବଞ୍ଚିଚି । ଶୀଘ୍ର ରସିଦରେ ଦସ୍ତଖତ୍‌ କରିଦେଇ ପାର୍ଶଲ୍‌ ଖୋଲିବାରେ ଲାଗିଲା । କଣ ତା ପାଖକୁ ପଠେଇଚି ଆଉ ଧନଞ୍ଜୟ...? ପାର୍ଶଲ୍‌ ଖୋଲି ତା ଭିତରୁ ନିରଞ୍ଜନ ଆଗେ ଗୋଟା ଚିଠି ପାଇଲା । ହଁ, ଧନଞ୍ଜୟ ହାତର ଅକ୍ଷର; ଉପରେ ଦୁଇ ଦିନ ତଳର ତାରିଖ ଅଛି... ସେ ନିଶ୍ଚୟ ଦୁଇ ଦିନ ତଳେ ବଞ୍ଚିଥିଲା । ଏଣିକି ଚିଠି ପଢ଼ିବାରେ ଲାଗିଲା ନିରଞ୍ଜନ ।

 

ଚିଠି ପଢ଼ି ନିରଞ୍ଜନ ହସି ଉଠିଲା । ଧନଞ୍ଜୟ କେବଳ ବଞ୍ଚିନି... ଆଉ ପନ୍ଦର ଦିନ ଭିତରେ ବିଭା ହେଉଚି ସେ । ପାଣ୍ଡୁଲିପିଯାକ ପଠେଇ ଦେଇଚି ନିରଞ୍ଜନ ପାଖକୁ... କିଛି ଟଙ୍କା ଆଶାରେ, ବାହାଘର ଖର୍ଚ୍ଚ ପାଇଁ ।

 

ଚିଠି ପଢ଼ିସାରି ନିରଞ୍ଜନ ଗୁମ ହେଇ ବସି ରହିଲା । କି ଉତ୍କଟ କଳ୍ପନା ! ପାଣ୍ଡୁଲିପି ବିକି ସାହିତ୍ୟିକ ନିଜର ବା’ଘର କରିବ । ତା ପରେ ଆଉ ପରସ୍ତେ କାଗଜ ଖୋଲି ପାଣ୍ଡୁଲିପିଯାକ ନିରଞ୍ଜନ ବାହାର କଲା । ସଂଖ୍ୟାରେ ପାଞ୍ଚଟି । ଦୁଇଟି ପାଣ୍ଡୁଲିପି ଖୁବ୍‌ ବଡ଼ । ହୁଏତ ରାଜ୍ୟର ଅଳିଆଯାକ ସେଥିରେ ପଶିଚି । କି ବାଜେ ଲେଖେ ଧନଞ୍ଜୟ, ସେଥିରେ ପୁଣି ପାଞ୍ଚଖଣ୍ଡ ପାଣ୍ଡୁଲିପି-। ନିଜର ଭାବନା ଭିତରେ ଯୁଦ୍ଧ । ତାକୁ ସେ ଅପମାନିତ କରି ସେଦିନ ଫେରେଇ ଦେଲା-। ପୁଣି ତାରି ପାଖକୁ ପଠେଇଚି ସେ ପାଣ୍ଡୁଲିପିଗୁଡ଼ାକ । ଲୋକଟା ବଞ୍ଚିଚି...ପୁଣି ବା’ହବ । ବୟସରେ ମୋରି ସାଙ୍ଗ ହେବ...ଏତେ ଡେରିରେ ବା’ହବ ଖାଲି ପର ଝିଅକୁ ମାରିବା ସକାଶେ...-। ବଜାରରେ ସେ ଦଶ ଟଙ୍କାରେ ଖଣ୍ଡେ ପାଣ୍ଡୁଲିପି ବିକିଚି... ପାଞ୍ଚଖଣ୍ଡକୁ ପଚାଶ ଟଙ୍କା ହବ... ହଁ ବଡ଼ ବଡ଼ ଦି ଖଣ୍ଡ ଅଛି... ଧର ଆଉ କୋଡ଼ିଏ ଟଙ୍କା ହବ... ସତୁରି ଟଙ୍କା ହେଲା । ଏଇଥିରେ ହବ ବା’ଘର । ନିରଞ୍ଜନ ପୁଣି ହସି ଉଠିଲା ।

 

ଆଲମାରିର ଥାକରେ ପାଣ୍ଡୁଲିପି ଯାକ ରଖି ଦେଇ ନିରଞ୍ଜନ ନିଜର ବ୍ୟବସାୟୀ କାମରେ ମନ ଦେବାକୁ ଚେଷ୍ଟା କଲା । ଅଫିସରେ ତାର କେତେ କାମ ବାକି ରହି ଯାଉଚି । ଏଥରକ ସେ ସବୁ କ୍ରମେ ସାରି ଦେବାକୁ ମନେ ମନେ ସ୍ଥିର କଲା । କିନ୍ତୁ ବେଶି ସମୟ ସେ ସ୍ଥିର ମନରେ କାମ କରି ପାରିଲାନି । ଧନଞ୍ଜୟ ନିଜେ ନଷ୍ଟ ହେଲା, ତା ସାଙ୍ଗରେ ସମସ୍ତଙ୍କୁ ନଷ୍ଟ କରି ଦବ...ଏଇଠି ଥିଲେ ସେ ଆଜି ଦେଢ଼ଶ ଟଙ୍କା ପାଆନ୍ତାଣି... ମାତ୍ର ତା କଲାନି...ତା ପରିବର୍ତ୍ତେ ଗୁଡ଼ାଏ ଆବର୍ଜନା ବିକି ତା ପାଖରୁ ଆଜି ଟଙ୍କା ନବାକୁ ବସିଚି । ସେଦିନ ସବୁ ଗୋଳମାଳ ହେଲା ଏଇ ଧନଞ୍ଜୟ ଯୋଗୁ । ଗୋଳମାଳ...ତାକୁ ଗୋଳମାଳ କୁହାଯିବ...ତା ପଥରେ ସରସୀର ଆବିର୍ଭାବ କଣ ସତେ ଏକ ଗୋଳମାଳ ? କଲମ ବନ୍ଦ କରି ନିରଞ୍ଜନ ତାହାର ମୀମାଂସା ଖୋଜିବାକୁ ଲାଗିଲା । ସରସୀର ରୂପ ଅପେକ୍ଷା ଦେହଟା ବଡ଼ ସୁନ୍ଦର । ମାଂସଗୁଡ଼ାକ ଅଙ୍ଗପ୍ରତ୍ୟଙ୍ଗରେ ରୁନ୍ଧି ହେଇଚି ଯେମିତି । ନା, ନା, ସରସୀର ଦେହ...ସରସୀର ମାଂସରେ ତାର କି ଦରକାର ? ହଁ...ତା ବାଟରେ ସରସୀର ଦେଖାକୁ ଗୋଳମାଳ ବୋଲି କହିବାକୁ ହେବ । କିନ୍ତୁ ତାକୁ ସେ ଦାମିକା ଯୋତା ହଳେ ପିନ୍ଧେଇ ଦେଲା ସେମିତି–ନିଜ ହାତରୁ ପଚିଶ ଟଙ୍କା ଦେଇଁ । କାହିଁକି... ସରସୀର ତା’ ପ୍ରତି ଏ ବଦାନ୍ୟତା କାହିଁକି ? କିନ୍ତୁ ସୁନ୍ଦର ଯୋତା ସେ ଏତେ ଟଙ୍କା ଦେଇ ନିଜେ ସେପରି ଜୋତା କେବେହେଲେ କିଣି ନ ଥାନ୍ତା । ଅଞ୍ଜଳି ସେସବୁ କଥା ଏ ପର୍ଯ୍ୟନ୍ତ କିଛି ଜାଣିନି । ଏସବୁ କଥା ଅଞ୍ଜଳି ଜାଣି ଆଉ ଲାଭ କଣ । ବଜାରରେ ସେ କେବେ ସେମିତି ଏକୁଟିଆ ଆସି ଚାଲି ଯିବନି । ସରସୀର ପଣତ ଉଡ଼ିଆସି ପିଟି ହେଇ ଯାଉଥିଲା ତା ଦେହରେ...ଅଞ୍ଜଳିର ସବୁ ଅଙ୍ଗ ତା ଦେହରେ ଲୋଟି ଯାଏ...ତଥାପି ସେଥିରେ ତଫାତ୍‌...ହଁ...ଧନଞ୍ଜୟ କଣ ଚିଠି ଲେଖିଚି...

 

ଚିଠିଟା ସେ ପର୍ଯ୍ୟନ୍ତ ଟେବୁଲ ଉପରେ ରହିଥିଲା । ତାକୁ ଆଗ୍ରହରେ ସେ ବସି ପଢ଼ିବାକୁ ଲାଗିଲା । ଥାକରୁ ପାଣ୍ଡୁଲିପିଯାକ ଆଣି ସେ ପୁଣି ଦେଖିବାକୁ ଲାଗିଲା । ନିରଞ୍ଜନର ମନେ ପଡ଼ିଲା ତାର ବିଭାଘରରେ ଧନଞ୍ଜୟ ଗୋଟା କବିତା ଲେଖି ତାକୁ ଉପହାର ଦେଇଥିଲା । ବିବାହର ସବୁ ଯାନି ଯୌତୁକ ଭିତରେ ସେହି କବିତାଟି ତାକୁ ଲାଗିଥିଲା ଖୁବ୍‍ ଭଲ । ଆଜି ସେହି କବିତାର ଲେଖକ ଧନଞ୍ଜୟ ବା’ ହଉଚି । ତାକୁ ସେ କି ଉପହାର ଦେବ । ନିଜର ସବୁ ସମ୍ୱଳ ପଠେଇ ସେ ପୁଣି ଆଜି ତା ପାଖରେ ଶରଣ ପଶିବ । ହୁଏତ ବିପଦ ତାର ଏତେ ଯେ ସେଦିନର ଅପମାନକୁ ମଧ୍ୟ ମନରେ ସ୍ଥାନ ନ ଦେଇ କାମ କରି ବସିଚି । କିନ୍ତୁ ଧନଞ୍ଜୟ ବା’ ହେଇ କରିବ କଣ...ଚଳିବ କେମିତି...ଜୀବନରେ ଏତେ ପ୍ରଲୋଭନକୁ ଏଡ଼ି ସେ ନିଜର ସାଧନାକୁ ବଡ଼ ବୋଲି ମନେ କରିଥିଲା...ଶେଷକୁ ସେ ପୁଣି ନିରାଟ ଅନାଟନର ଜୀବନ ଧରି ବିବାହ ଚକ୍ରରେ ପଡ଼ିଗଲା-? କୋଉଠି...କାହାକୁ ବା’ ହଉଚି ସେ...କିଏ ତାକୁ ଗ୍ରହଣ କରିବା ପାଇଁ ଆଗେଇଆସିଚି...ପୁଣି ସିଏ ବା କାହାକୁ ଗ୍ରହଣ କରୁଚି...

 

ଏହିପରି ଭାବନା ଭିତରେ ଧନଞ୍ଜୟ ପ୍ରତି ନିରଞ୍ଜନର ମନ କ୍ରମେ ସଦୟ ହେଇ ଉଠିଲା । ପ୍ରତିଭା ଅଛି ଧନଞ୍ଜୟ ଭିତରେ...ତା ପଛରେ ଠିଆହେବାକୁ ହେବ । ପ୍ରତିଭାଶାଳୀ ବାଦକ ଦଧିଆ ମରି ଯାଇଚି...ତା’ ପୁଅ ନିଧିଆ ପଛରେ ସେ ଆଜି ଠିଆ ହେଇଚି ତାକୁ ଉଠେଇବାକୁ ଲାଗି...ନିଧିଆ ମଧ୍ୟ ଉଠୁଚି...ଆଉ ଏଡ଼େ ବଡ଼ ପ୍ରତିଭା ଧରି ଏହି ଯୁବକ ଧନଞ୍ଜୟ ମରିଯିବ ? ଯେଉଁମାନେ ମୁମୂର୍ଷୁ ସେମାନେ ମରନ୍ତୁ । ଶୋକସଭା ବନ୍ଦ ହେଉ, କିନ୍ତୁ ଜୀବନ୍ତମାନଙ୍କର ବଞ୍ଚିବା ପାଇଁ ବ୍ୟବସ୍ଥା ହେବା ଦରକାର । ସେହି ଜୀବନ୍ତମାନଙ୍କ ଭିତରୁ ଧନଞ୍ଜୟ ଅନ୍ୟତମ । ସେ ଆଜି ତା ପାଖରେ । ହେଇ ଆଗରେ ପଡ଼ିଚି ତାହାର ସାଧନା ରାଶି । ଏହି ପାଣ୍ଡୁଲିପିଗୁଡ଼ିକ ଛଡ଼ା ଧନଞ୍ଜୟର ସତ୍ତା ଆଉ କ’ଣ । ସେ ରକ୍ଷାକରିବ ବିକଶିତ ପ୍ରତିଭାର ଏହି ସ୍ୱାକ୍ଷରଗୁଡ଼ିକୁ । ସୁନ୍ଦର ସଂସ୍କରଣ କରି ଏସବୁ ପ୍ରକାଶ କରିଦେବ । ପ୍ରକାଶକ ଭାବରେ ସେ ସେଥିରୁ କୌଣସି ସତ୍ଵ ନେବନି । ଧନଞ୍ଜୟର ପ୍ରତିଭାର ରକ୍ଷା ପାଇଁ ଏହାର ଉତ୍କୃଷ୍ଟ ବ୍ୟବସ୍ଥା । ବହି ବିକ୍ରି ବାବଦ ସମସ୍ତ ଧନ ଧନଞ୍ଜୟ ପାଉ । ଧନଞ୍ଜୟର ବିବାହ ସାଙ୍ଗରେ ତାର କୌଣସି ସଂପର୍କ ନାହିଁ... ବିବାହ ଭିତରେ ଧନଞ୍ଜୟର ବଞ୍ଚିବାର ସେ କିଛି ହେଲେ ସମ୍ଭାବନା ଦେଖୁନି... ନା...ନା ଧନଞ୍ଜୟର ବିବାହକୁ ସେ କଦାପି ସମର୍ଥନ କରି ପାରିବନି... ପ୍ରତିଭା ପରିବର୍ତ୍ତେ ପ୍ରତିଭାଶାଳୀର ପାଗଳାମୀକି ସେ ବରଦାସ୍ତ କରି ପାରିବନି ।

 

ସେଦିନ ଅଫିସ ଫେରନ୍ତି ନିରଞ୍ଜନ ଗୋଟିଏ ପ୍ରେସକୁ ଯାଇ ଧନଞ୍ଜୟର ଖଣ୍ଡେ ବହି ଛାପିବା ପାଇଁ ଖର୍ଚ୍ଚର ହିସାବପତ୍ର ବୁଝି ଆସିଲା । ତିନି ଶ’ କି ଚାରି ଶ’ ଟଙ୍କା ଲାଗିବ । ନିରଞ୍ଜନ ଭାବିଲା; ବହିଟା ଶୀଘ୍ର ଛାପି ଦେଲେ ଧନଞ୍ଜୟର ବା’ଘର ବେଳକୁ ଗୋଟିଏ ମାତ୍‌ବରିଆ ଉପହାର ଦେଇ ହୁଅନ୍ତା । ପୁଣି ଦୋ’ ଦୋ ପାଞ୍ଚ ହେଲା, ଟଙ୍କା ଅଭାବରୁ ବା’ଘର ଯଦି ନ ହୁଏ, ଉପହାରଟା ଶୁଖିଲାରେ ପଡ଼ି ମାରାଯିବ କେବଳ । ହୁଏତ ସେହି ତିନି ଶ’ କି ଚାରି ଶ’ ଟଙ୍କାରେ ଧନଞ୍ଜୟ ବିବାହ ପଥର ବାଧାବନ୍ଧନ ଅନେକ ଅତିକ୍ରମ କରି ଚାଲିଯିବ । ହଁ... ବଡ଼ ମୁଷ୍‌କିଲ କଥା, କଣ କରାଯିବ । ଅଞ୍ଜଳି ସାଙ୍ଗରେ ପରାମର୍ଶ କଲେ କେମିତି ହୁଅନ୍ତା ।

 

‘‘ଆରେ ହୋ, ଶୁଣୁଚ !’’

 

ତଳ ଖଞ୍ଜାରେ ରତ୍ନମଣି ପୁଅକୁ ହଳଦି ଲଗେଇ ଦଉଚି । ପୁଅର ଅସହିଷ୍ଣୁ କାନ୍ଦଣା ଭାସି ଆସୁଚି ପବନରେ । ବଜାରକୁ ଚାକର ସାଙ୍ଗରେ ଯାଇଚି ଗୋବିନ୍ଦ । ଅଗଣା ପାର ହୋଇ ଆର ଖଞ୍ଜାକୁ ଅଞ୍ଜଳି ଚାଲିଯିବା ଉପରେ । ଗର୍ଭର ସ୍ଫୀତିରେ ଚାଲିବା ତାର ମନ୍ଦିଭୂତ ହେଇ ପଡ଼ିଛି-। ନିରଞ୍ଜନର ଡାକ ଶୁଣି ସେ ଥମକି ଛିଡ଼ା ହେଲା । ମୁହଁ ଫେରେଇ ଅନେଇଲା । ଠିକ୍‌ ସାମନାର ପିଣ୍ଡା ଉପରେ ଖଣ୍ଡେ ଚୌକିରେ ବସିଚି ନିରଞ୍ଜନ । ଆଗମୁହାଁ ହେଇ ଆଗେଇ ଆସିବାକୁ ଅଞ୍ଜଳି କୁଣ୍ଠାବୋଧ କଲା । ଛାତିର ଲୁଗା ତଳକୁ ଖସେଇ ଦେଇ ଯେପରି କଣ କୃତ୍ରିମତାର ଆଶ୍ରା ନେବାକୁ ଚେଷ୍ଟା କଲା । ନିରଞ୍ଜନ ସେସବୁ ଉପଭୋଗ କରିବାରେ ଲାଗିଚି । ଅଞ୍ଜଳିର ଚାଲିବାର ଢଂଗ ଦେଖି ସେ ମୁରୁକି ମୁରୁକି ହସି ଉଠିଲା । ଅଞ୍ଜଳି କିନ୍ତୁ ହଟିଲାନି, ଚାଲି ଚାଲି ଆସି ପାଖରେ ପହଞ୍ଚି କହିଲା, ‘‘ହସୁଚ କାହିଁକି, କ’ଣ ହେଇଚି କି...ଦୁଷ୍ଟ...’’

 

ନିରଞ୍ଜନ ହସି ହସି କହିଲା–‘‘କିଛି ନା, କିଛି ନା । କିଏ କହୁଚି କି କ’ଣ ହେଇଚି ବୋଲି–କବିଗୁଡ଼ାକ ନାରୀକୁ ତନ୍ୱୀ ରୂପରେ କଳ୍ପନା କରି, ବଡ଼ ଭୁଲ କରିଛନ୍ତି । ବରଞ୍ଚ ଏ ରୂପଟା ତମର ଖୁବ୍‍ ଭଲ ଦିଶୁଚି...’’

 

ପିଣ୍ଡାରେ ଠିଆ ନହେଇ ଅଞ୍ଜଳି ଏ କଥା ଶୁଣି ଘର ଭିତରକୁ ଚାଲିଗଲା । ନିରଞ୍ଜନ ଘର ଭିତରକୁ ଯାଇ ତାକୁ ଅନେଇ ପୁଣି ହସି ଉଠିଲା ।

 

‘‘ତା ହେଲେ ମତେ ଡାକିବାରେ କିଛି କାରଣ ନାହିଁ...ଏମିତି ହସୁଚ କାହିଁକି କହିଲ...-?’’ କହି ଅଞ୍ଜଳି ଘରୁ ବାହାରି ଯିବାକୁ ଉଦ୍ୟତ ହେଲା । ତାର ଗତିରୋଧ କରି ଆଗରେ ଠିଆ ହେଲା ନିରଞ୍ଜନ । ଆଖିରେ ତାର ଅଞ୍ଜଳିର ବିପୁଳ ସମ୍ପଦ ପ୍ରତିଭାତ ହେଲା ଯେମିତି । ଲୋଭ ସମ୍ୱରଣ କରି ନ ପାରି ସେ ଅଞ୍ଜଳିର ଦୁଇ କାନ୍ଧକୁ ଧରି ଛିଡ଼ା ହେଲା । ଗର୍ଭବତୀ ନାରୀର ମୂର୍ତ୍ତି ଭିତରେ ଯେମିତି ଗୋଟାଏ ଉତ୍ସବ ରଚନା ଚାଲିଚି । କିନ୍ତୁ ସେଥିରେ ବର୍ତ୍ତମାନ ପାଇଁ ପୁରୁଷର କୌଣସି ଦୈହିକ ଲାଭ ନାହିଁ । ଭବିଷ୍ୟତର ଜୟଗାନ ଭିତରେ ସୃଷ୍ଟିର କାମନା ଧରି ନିଜର ଉତ୍ସବ ମଧ୍ୟରେ ନାରୀ ଯେମିତି ନିଜେ ପୂର୍ଣ୍ଣ ହେଇ ରହିଚି । ସେଇ ଉତ୍ସବ ରଚନାରେ ଦିନେ ପୁରୁଷର ହାତ ଥିଲା-। ମାତ୍ର ସେ ଆଜି ଦୂରରେ, ସେ ଆଜି ଚାହିଁ ରହୁଚି ବାଟରେ ଆଉ କାହାର ପାଦଚାଲିକି-

 

ଯେଉଁ ପରାମର୍ଶ ପାଇଁ ଅଞ୍ଜଳିକି ପାଖକୁ ଡାକି ଥିଲା ତାହା ଆଉ ନିରଞ୍ଜନ ପକ୍ଷରେ ସମ୍ଭବ ହେଲାନି । କାନ୍ଧରୁ ତାର ହାତ ଉଠେଇ ନେଇ କହିଲା–‘‘ସେମିତି ଡାକିଥିଲି । ଖୁବ ଭଲ ଦୁଶୁଚ ତମେ...’’

 

କାନରେ ସ୍ୱାମୀର ପ୍ରଶଂସାର ସ୍ୱର ବାଜିଲେ ମଧ୍ୟ ଅଞ୍ଜଳି କିନ୍ତୁ ସେଥିରେ ଉତ୍ସାହିତ ହେଇ ପାରିଲାନି । ଅନେଇଲା ସ୍ୱାମୀର ମୁହଁକୁ, ବିରାଟ ତୃଷ୍ଣାର ଗୋଟାଏ ଘୂର୍ଣ୍ଣିବତ୍ୟା ଘୂରି ବୁଲୁଚି ସେଠି ଯେମିତି । ନବଗ୍ରହ ସ୍ତୋତ୍ର ଆଉ ଦେବାଦେବୀର ପୂଜାପାଠର ସେଠି କୌଣସି ଆଶୀର୍ବାଦ ନାହିଁ । ଅଞ୍ଜଳିର ନିରୁପାୟତା ମଧ୍ୟ ନିରଞ୍ଜନ ଅନୁଭବ କଲା । ହାତରେ ଚାପି ଧରିଲା ଅଞ୍ଜଳିର ମୁହଁଟିକୁ । ସେହି ମୁହଁ । ସେହି ଆଖି । ଯେମିତି ଦିନେ ଡାକି ନେଇ ଯାଇଥିଲା ଖୁବ୍‍ ଦୂରକୁ ଆଜି ବି ସେମିତି ଡାକି ପାରୁଚି । କିନ୍ତୁ ଯାଇ ହେଉନି । ଆଖି ଫେରେଇ ଆଣିଲା ନିରଞ୍ଜନ । ଅଞ୍ଜଳି ସେତେବେଳକୁ କାନ୍ଥର ଗୋଟିଏ ଦେବତାର ଛବି ଉପରେ ଦୃଷ୍ଟି ନିବଦ୍ଧ କରିଛି । ଆଖି କଣରେ ଜମି ଉଠିଛି ବାଷ୍ପ ବିନ୍ଦୁ ।

 

୧୫

 

କାହାରି ପରାମର୍ଶ ନକରି ନିରଞ୍ଜନ ଶେଷକୁ ତିନିଶହ ଟଙ୍କା ଧନଞ୍ଜୟକୁ ଦେବାପାଇଁ ସ୍ଥିରକଲା । ଲେଖାଗୁଡ଼ାକ ସେମିତି ଥାଉ, କେବେ ଧନଞ୍ଜୟ ଆସିଲେ ତାହାର କିଛି ବ୍ୟବସ୍ଥା ହେବ-। ଏହିପରି ନିଷ୍ପତ୍ତି କରି ବିଭାଘରର ଠିକ ଆଠଦିନ ଆଗରୁ ନିଂରଜନ ଡାକ ଯୋଗେ ଧନଞ୍ଜୟ ପାଖକୁ ଟଙ୍କାତକ ପଠାଇଦେଲା ।

 

ତାପରେ ନିରଞ୍ଜନ ନିଜ କାମରେ ଲାଗି ଯାଇଚି । ଧନଞ୍ଜୟ କେଉଁଠାରେ ଆଉ କେଉଁଭଳି ଗୋଟିଏ ଝିଅକୁ ବା’ ହେଲା ସେଥିଲାଗି ଅବଶ୍ୟ ତା’ ମନରେ ବେଳେବେଳେ ଜିଜ୍ଞାସା ଦେଖା ଦେଇଛି । କିନ୍ତୁ ଦୂରରେ ରହି ସେ ଦିଗରେ ବିଶେଷ ମୁଣ୍ଡ ଖେଳେଇବାକୁ ସେ ଚେଷ୍ଟା କରିନି । କିଛିଦିନପରେ ବ୍ୟବସାୟ ଘେନି ସେ କଟକଠାରୁ ଦୂରକୁ ଚାଲିଗଲା । ବାହାରେ ତା’ର ପ୍ରାୟ ପାଞ୍ଚ ଛ’ଦିନ କଟିଲା । ଫେରି ଆସିବା ପରେ ଅଫିସର ଚିଠି ଦେଖୁ ଦେଖୁ ସେଥିଭିତରୁ ଧନଞ୍ଜୟର ଖଣ୍ଡେ ଚିଠି ପାଇଲା । ଚିଠି ଭିତରେ ନିମନ୍ତ୍ରଣ ପତ୍ର । ସେତେବେଳକୁ ବା’ ଘର ତିନି ଦିନ ଗତ ହୋଇଗଲାଣି । ନିରଞ୍ଜନ ଭାବିଲା–ଆଉ ତ ଯାଇ ହବନି ନିଶ୍ଚୟ । ଯିବାର ଆଉ କିଛି କାରଣ ମଧ୍ୟ ନାହିଁ । ତେବେ ଧନଞ୍ଜୟ ବା’ ହେଲା କାହାକୁ ? ଚିଠି ଆଉ ନିମନ୍ତ୍ରଣ ପତ୍ରକୁ ନିରଞ୍ଜନ ଥର ଥର କରି ପଢ଼ିବାକୁ ଲାଗିଲା । ବିଶୁଦ୍ଧ ଓଡ଼ିଆ ଅକ୍ଷର ଓ ଓଡ଼ିଆ ଭାଷାରେ ଲେଖା; କିନ୍ତୁ ତାକୁ ପଢ଼ି ବୁଝିବା ଯେମିତି ନିରଞ୍ଜନ ପକ୍ଷରେ ଖୁବ୍‍ କଷ୍ଟକର ହେଇ ପଡ଼ିଲା । ଧାଡ଼ିର ଅକ୍ଷର ଯେମିତି ଗୋଟା ଖସି ପଡ଼ୁଛି । ଗୋଟା ସିଗାରେଟ୍‌ ଟାଣିଲା । ଧୂଆଁଗୁଡ଼ାକ ବାଁକାଲିଆ ମାରି ଟେବୁଲ ଉପରି ଭାଗର ଛୋଟ ଶୂନ୍ୟମଣ୍ଡଳ ଭିତରେ ଘୂରି ବୁଲିବାକୁ ଲାଗିଲା । ଚିଠିର ଅକ୍ଷରଗୁଡ଼ାକ ସେଥିରେ ଆହୁରି ନିଭି ନିଭି ଯାଉଚି । କିନ୍ତୁ ତା’ ଭିତରୁ ଦି’ଟା ମୁହଁ ଭାସି ଉଠୁଚି ଧୀରେ ଧୀରେ । ଦରଜଳା ସିଗାରେଟଟାକୁ ଫୋପାଡ଼ି ଦେଲା ନିରଞ୍ଜନ । ମୁହଁଟାକୁ ଭଲକରି ପୋଛିନେଲା ରୁମାଲରେ । କାଚ ଡେଣୁଆର ଚାପାତଳେ ଚିଠି ଆଉ ନିମନ୍ତ୍ରଣ ପତ୍ର ଟେବୁଲ ଉପରେ ପଡ଼ିରହିଚି-। ଓଡ଼ିଆ ଅକ୍ଷର ଛାପିବାରେ ପ୍ରେସ୍‌ରେ କୌଣସି ତୃଟି ଘଟିନି...ଅଧ୍ୟାପିକା ସରସୀକୁ ବା’ ହେଇଚି ଧନଞ୍ଜୟ । ନିମନ୍ତ୍ରଣ ପତ୍ରରେ ହୁଏତ ବିବାହ ସଂପନ୍ନ ହେବ ବୋଲି ଲେଖା ହେଇଚି, କିନ୍ତୁ ତିନିଦିନ ହେଲା ତାହା ସଂପନ୍ନ ହେଇ ସାରିବଣି । ନିରଞ୍ଜନ ଆଖିରେ ଖେଳିଗଲା ସରସୀର ସେଦିନର ଚେହେରା । ସୁଗଠିତ ମାଂସପୁଷ୍ଟ ଦେହଟା ଯେମିତି କେବଳ ସଂଗ୍ରାମର ଡାକରା ଦେଉଚି-। ସେହି ସଂଗ୍ରାମ ବରଣ କରି ନେଇଚି ଏବେ ଧନଞ୍ଜୟ । ଛିଃ ସରସୀ କି ନୀଚ...ଗୋଟା ଓକିଲ ସ୍ୱାମୀକୁ ଡାଇଭୋର୍ସ କରି ଶେଷରେ ବାରବୁଲା ଧନଞ୍ଜୟଟାକୁ ବା’ ହେଲା । ଆଉ ଲକ୍ଷ୍ମୀର ତେଜ୍ୟପୁତ୍ର ଭଣ୍ଡ ସାହିତ୍ୟ-ସାଧକ ଧନଞ୍ଜୟ ଆଜି ଜଣେ ଅଧ୍ୟାପିକାର ସ୍ୱାମୀ...ଆଉ କିଛି ଚିନ୍ତା କରି ପାରିଲାନି ନିରଞ୍ଜନ । କିଛି ସମୟ ସ୍ତବ୍‌ଧ ହେଇ ବସି ଦି’ତିନିଟା ସିଗାରେଟ ପୋଡ଼ିବାରେ ଲାଗିଲା ।

 

କିଛି ସମୟ ପରେ ମନେ ପଡ଼ିଲା ତାର ସେଦିନର ଘଟଣା । ବହି ଦୋକାନୀ ଦଶଟଙ୍କାରେ କିଣିଥିଲା ଧନଞ୍ଜୟର ଗୋଟା ଲେଖାକୁ...ଆଉ ସେକଥା ସରସୀ ତାକୁ ପ୍ରଥମେ ଜଣେଇ ଦେଲା । ତା ପୂର୍ବରୁ ସରସୀ ସହ ଧନଞ୍ଜୟର ଆଳାପ ହେଇଚି ନା ପରେ ? ଧନଞ୍ଜୟର ସେଇ ରୁକ୍ଷ ଛତରା ଚେହେରା ଭିତରେ ଗୋଟା ପୁରୁଷସୁଲଭ ବଳିଷ୍ଠତା ଥିଲା । ହୁଏତ ସେଇଟା ଆକର୍ଷଣ କରିଚି ସରସୀକି । ସେଦିନର ଘଟଣା ପରେ ହୁଏତ ଧନଞ୍ଜୟ ଭିତରେ ଆଉ କୌଣସି ଆଦର୍ଶ ନ ଥିଲା । ଟିଉସନ ଚାକିରି ଚାହିଁ ସେଥିରୁ ନିରାଶ ହେଇ ପାଣ୍ଡୁଲିପିକି ଦଶଟା ଟଙ୍କାରେ ବିକିବାପରେ ସାହିତ୍ୟସାଧକର ଆଉ କି ଆଦର୍ଶରେ ବିଶ୍ୱାସ ରହିପାରେ । ତା ପରେ ସେ ଝାସ ଦେଇଚି ସରସୀର ଜଳନ୍ତା ମାଂସର ଉତ୍ସବରେ । ଆଉ...ସରସୀ, କଣ କରିଥାନ୍ତା ସିଏ ? କୋଉ ଆତ୍ମମର୍ଯ୍ୟାଦା ସଂପନ୍ନ ଆଉ ସ୍ୱନାମଧନ୍ୟ ଲୋକ ତାକୁ ବରଣ କରିବାକୁ ଆଗେଇ ଆସିଥାନ୍ତା । ଖାଣ୍ଟି ଓଡ଼ିଆରେ କହିବାକୁ ଗଲେ, ସେ ଗୋଟେ ଛାଡ଼ିର ମାଇକିନା । ହୁଁ...ତାକୁ ପୁଣି ବା’ ହେଲା ଧନଞ୍ଜୟ, ଦୀର୍ଘକାଳର କୌମାର୍ଯ୍ୟବ୍ରତ ଉଦ୍‌ଯାପନ କରି । ଭାବି ଭାବି ଗୋଟାଏ ବିକୃତ ହସ ହସିଲା ନିରଞ୍ଜନ ।

 

ଚପରାସି କଣ ଗୋଟେ ଖାତା ଆଣି ଥୋଇଲା ଆଗରେ । ମୁଣ୍ଡବାଳ ଭିତରେ ଆଙ୍ଗୁଠି ପୂରେଇ ଚିଡ଼ି ଉଠି କହିଲା ନିରଞ୍ଜନ, ‘‘ଯାଃ....ଆଜି ଆଉ ହବନି ।’’ ଫେରିଗଲା ଚପରାସି । ମନେ ପଡ଼ିଲା ଅଞ୍ଜଳିର ଗର୍ଭାଳସ ରୂପ, ଛୋଟପୁଅ ଅରବିନ୍ଦର ଛନ ଛନ ମୁହଁ, ଆଉ ବାଳକ ଗୋବିନ୍ଦର ଚପଳ ଚେହେରା । ଉଠି ଠିଆ ହେଲା ନିରଞ୍ଜନ । ଘରକୁ ଯିବାକୁ ହେବ । ଘର ତାର ଖୁବ୍‍ ସୁନ୍ଦର । ନବଗ୍ରହ ସ୍ତୋତ୍ର, ଦେବପୂଜାର ଗୁଞ୍ଜନରେ ଘର ତାର ଭରା, ଆଉ ଶିଶୁର କଳହାସ୍ୟରେ ମୁଖରିତ-। ପୁଣି ତା ତଳେ ପୂରି ରହିଚି ନୂଆବୋଉ ରତ୍ନମଣିଙ୍କ ପବିତ୍ରତା । ଅଞ୍ଜଳିର ସାତ୍ତ୍ୱିକ ସାଧନା-। ଅଫିସ ଛାଡ଼ି ସେହି ଘର ଅଭିମୁଖରେ ନିରଞ୍ଜନ ଚାଲିଲା ।

 

ବାଟରେ ଦୌଡ଼ୁଚି ନିଧିଆ । ନିରଞ୍ଜନକୁ ଦେଖି ଥକା ହୋଇ ଠିଆ ହେଇ ପଡ଼ିଲା । ଯେମିତି ସେ ଖୁବ୍‍ ହାଲିଆ ହେଇଯାଇଚି । କଥା ପରିବର୍ତ୍ତେ ପାଟିରୁ ତାର ଶ୍ୱାସ ବହିବାରେ ଲାଗିଚି-। ନିରଞ୍ଜନ ମଧ୍ୟ ନିଧିଆକୁ ଏପରି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।

 

‘‘ଆରେ କଥା କଣ ? କାହିଁକି ଦୌଡ଼ୁଥିଲୁ ?’’

 

ନିରଞ୍ଜନର ପ୍ରଶ୍ନ ଶୁଣି ନିଧିଆ କଥା କହିବାକୁ ଚେଷ୍ଟା କଲା । କିନ୍ତୁ ପାରିଲାନି । ପୁଣି ନିଶ୍ୱାସ ଛାଡ଼ିବାକୁ ଲାଗିଲା । ନିରଞ୍ଜନ ଆହୁରି ଆଶ୍ଚର୍ଯ୍ୟ ହେଲା । ମା, ଝିଅ, ନାତି ବେଶ୍‌ ଭଲରେତ ଚଳୁଥିଲେ । ହଠାତ୍‌ କଣ ଏମିତିଘଟିଲା ଯେ ନିଧିଆ ଇମିତି ହାଲିଆ ହେଇପଡ଼ିଚି । କାଲି ସଂଧ୍ୟାବେଳେତ ତା ପାଖରେ ଆସି ତବଲା ବଜେଇ ଯାଇଚି । ସେତେବେଳେ କିଛିତ କହୁ ନ ଥିଲା । କ’ଣ ଘଟିଲା ସତେ ? ନିଜର ଯେତେ ଦୁଃଖ ଥିଲେ ବି ନିଧିଆର ଅବସ୍ଥା ଦେଖି ନିରଞ୍ଜନ ସେସବୁ ବିଲକୁଲ୍‌ ଭୁଲିଗଲା । ନିଧିଆର ଆହୁରି ପାଖକୁ ଘୁଞ୍ଚି ଆସି ସେ ଛିଡ଼ାହେଲା ।

 

‘‘ଆରେ କଥା କ’, ମୁଁ ଅଛି, ଭୟ କଣ !’’

 

ଛୋଟ ଅଧା କମିଜ ଖଣ୍ଡକର ପୁଳାଏ ତିନ୍ତିଗଲାଣି ଝାଳରେ । ପିନ୍ଧାକାନିରୁ ମେଞ୍ଚାଏ ଧରି ମୁହଁରୁ ଝାଳ ପୋଛିଲା ନିଧିଆ । ଦମ ରୋକି ଛଳଛଳ ଆଖିରେ କହିଲା, ‘‘ବାବୁ, ପୁଲିସ...’’

 

‘‘ଆରେ ପୁଲିସ କ’ଣ ନିଧି, ତୁ କଣ କୋଉଠି କିଛି ଚୋରି କରିଚୁ ?’’ ନିଧିଆ ମୁହଁକୁ ବଲବଲ କରି ଅନେଇଲା ନିରଞ୍ଜନ ।

 

‘‘ବାବୁ ସେଇ ବୁଢ଼ା...ସେଇ ହରିବୋଲିଆ ବୁଢ଼ା...ପୁଲିସ ଆମ ଘର ଘେରି ରହିଚନ୍ତି ବାବୁ । ବେଗି ଚାଲ...ଆମକୁ ରକ୍ଷା କର... ।’’ ଏତକ କହି ନିଧିଆ ପୁଣି ଜୋରରେ ନିଶ୍ୱାସ ଛାଡ଼ିବାକୁ ଲାଗିଲା ।

 

କିନ୍ତୁ ନିରଞ୍ଜନ ଏ ସବୁରୁ କିଛି ବୁଝି ପାରିଲାନି । ତେବେ ନିଧିଆ ଚୋରିହାରି କିଛି କରିନି । ନିଧିଆ କାନ୍ଧରେ ହାତ ପକେଇ ତାକୁ ସାହସ ଦେବାକୁ ନିରଞ୍ଜନ ଚେଷ୍ଟା କରି କହିଲା, ‘‘କଣ ଘଟିଚି ସବୁ କଥା ଖୋଲି କ’ ।’’

 

ନିଧିଆ ଗୋଟି ଗୋଟି କରି କହିଲା, ‘ମୁଁ ତମକୁ ସେକଥା ନୁଚେଇ ଥେଲି ବାବୁ, ହରିବୋଲିଆ ବୁଢ଼ା କୋଉ ଦିନୁ ଆଈକୁ ସଟ୍ଟ କରି ଆମ ପଡ଼ାରେ ଚୋରା ଗଞ୍ଜେଇ କାରବାର ଚଳେଇ ଥିଲା । ଆଈ ତା ନିଜ ଗାଁକୁ ଯାଇ ବେଳେବେଳେ କାରବାର କରି ଆସୁଥେଲା । କାଲିଠଉଁ ହରିବୋଲିଆ ବୁଢ଼ା ଧରା ହେଇଗଲାଣି । ତାଠଉଁ ଖବର ପାଇ କରି ନା କଣ କେତେ ପୁଲିସ ଆସି ଆମ ଘର ଘେରି ଗଲେଣି । ତମେ ଚଞ୍ଚଳ ଚାଲ ନଇଲେ ଆଈକି ବାନ୍ଧି ନେଇ ଯିବେ...’

 

ଏସବୁ କଥା ଶୁଣି ନିରଞ୍ଜନ ଅବାକ୍‌ ହୋଇଗଲା । ଏତେ କଥା ଘଟି ଗଲାଣି ୟା ଭିତରେ । ଚୋରା ଗଞ୍ଜେଇ ଅଫିମ କାରବାର ଯୋଗୁ ବୁଢ଼ା ପୁଲିସ ହାତରେ ପଡ଼ିଚି । ପୁଲିସ କେଶ । ସେ ଯାଇ ସେଠି କଣ କରିବ । ନା...ଯିବନି... । ‘ଯାଉ, ବୁଢ଼ୀ ବନ୍ଧା ହେଇ ଯାଉ, କିଏ ଆଉ କଣ କରିବ ।’ ଏକଥା କହିଦେଲା ପରେ ସେ ନିଧିଆ ମୁହଁକୁ ଚାହିଁଲା । ଭାରୀ ପ୍ରତିଭାବାନର ବିକାଶ ଘଟୁଚି ଏଇ ନିଧିଆ ଭିତରେ । ଆଗର ନିଧିଆ ଏବେ ଢେର ବଦଳି ଯାଇଚି । ସେହି ଜୀର୍ଣ୍ଣଶୀର୍ଣ୍ଣ ଚେହେରା ଏହି ଦି’ବର୍ଷ ଭିତରେ ତା ଦେହରୁ ପୂରାପୂରି ନିଭିଯାଇଚି କେବଳ ସେଇ ବୁଢ଼ୀ ଯୋଗୁ । ତିନିପ୍ରାଣୀ କୁଟୁମ୍ବକୁ କଟକ ସହରରେ ସମ୍ଭାଳିଛି ସେଇ ବୁଢ଼ୀ । ନିରଞ୍ଜନ ଉପରୁ ସେ କେତେ ଦାୟିତ୍ୱ ଉଠେଇ ନେଇଚି । ନିରଞ୍ଜନର କଥା ଶୁଣି ନିଧିଆର ମୁହଁ ଥନଥନ ହେଇ ଆଖିରେ ହତାଶା ଫୁଟି ଉଠିଛି । ସେସବୁ ଲକ୍ଷ୍ୟ କଲା ନିରଞ୍ଜନ । ଆଉ କିଛି କଥା ନ କହି ଗୋଟା ରିକ୍‌ସା ଡାକି ଉଠି ପଡ଼ିଲା । ପାଖରେ ବସିଲା ନିଧିଆ ।

 

ଯୋଗ ଖୁବ୍‍ ଭଲ । ଦଧିଆ ଘର ପାଖରେ ପହଞ୍ଚିଲା ପରେ ନିରଞ୍ଜନ ଜଣେ ପୁରୁଣା ବନ୍ଧୁର ଭେଟ ପାଇଲା । ପୁଲିସ ଅଫିସର ରୂପେ ସେ ତଦନ୍ତ ଦାୟିତ୍ୱରେ ଆସିଚି । ନିରଞ୍ଜନ ତାଙ୍କଠାରୁ ବୁଝିଲା ବୁଢ଼ୀ ବିରୁଦ୍ଧରେ ସେପରି ବିଶେଷ ଅଭିଯୋଗ ନାହିଁ । ଚୋରା କାରବାର ସାବ୍ୟସ୍ତ ହେଲା ପରେ ଯାହା କିଛି ହେବ । ପ୍ରଧାନ କଥା, ଚୋରାମାଲା ଘରୁ ମିଳିବା ଉପରେ ସବୁ ପ୍ରମାଣ ପ୍ରାୟ ନିର୍ଭର କରୁଚି । ତା ପରେ ସାକ୍ଷୀ ଗୁହା କଥା । ପଡ଼ାର ଲୋକେ ସେଥିପାଇଁ କେହି ହୁଏତ ବାହାରିଥାନ୍ତେ, କିନ୍ତୁ ନିରଞ୍ଜନ ଦୃଢ଼ ହେଇ ଠିଆ ହେଲା ଆଗରେ । ତାପରେ ଘର ଖାନତଲାସ ଚାଲିଲା । ବୁଢ଼ୀ ବହୁତ ଆଗରୁ ହାତ ସଫେଇ କରି ସାରିଚି । ସେଥିଲାଗି ଚୋରା ଜିନିଷର କୌଣସି ସନ୍ଧାନ ମଧ୍ୟ ମିଳିଲାନି । କୂଅ ଭିତରେ ପାଣିରେ ସେ ପର୍ଯ୍ୟନ୍ତ ଫୁଟ୍‌ଫୁଟି ଉଠୁଚି-। ଯେଉଁ ଛୋଟ ଟିଣ ବାକ୍‌ସଟି କାନି ତଳେ ଧରି ବୁଢ଼ୀ ପାଣି କାଢ଼ିବା ଲାଗି କୂଅ ମୂଳକୁ ଯାଇଥିଲା, ତା ଆଉ କେଉଁଠି ଥିବାର ଦେଖା ଗଲାନି ।

 

‘‘କୂଅରୁ କଢ଼େଇବ ନୋଟା...’’

 

ରାସ୍ତାର ଛକ ମୁଣ୍ଡରେ ଡାକି ଡାକି ଯାଉଚି କୂଅ ବୁଡ଼ାଳି । ବୁଢ଼ୀର ଛାତିରୁ ଝଲକାଏ ରକତ ଯେମିତି ଖସି ପଡ଼ିଲା । କୁଆଡ଼େ ଥେଲା ଯୋଗଣୀଖିଆ...ପୁଲିସ ବାବୁ ସାଙ୍ଗରେ ନିରଞ୍ଜନ ବାବୁ ବେଶ୍‌ ଗପ ଜମେଇଚନ୍ତି...ମାଲୋ, ଏ ନାଲୀ ପଗଡ଼ିଆଗୁଡ଼ା କେହି ତା ଡାକ ଶୁଣିବେନି । ପୁଣି ପାଞ୍ଚମିନିଟ ପରେ କୂଅ ବୁଡ଼ାଳିର ଡାକ ଶୁଭିଲା ଦୂରରେ । ବୁଢ଼ୀ ଗୋଟେ ଦୀର୍ଘ ନିଃଶ୍ୱାସ ଛାଡ଼ିଲା ।

 

‘‘ତା’ହେଲେ ଏ ଛୋଟ ପରିବାରଟି ତୋରି ଆଶ୍ରିତ ନା ?’’ ପୁଲିସ ଅଫିସର ପଚାରିଲେ ନିରଞ୍ଜନକୁ । ସେ ଏହା ଭିତରେ ସବୁ କହି ସାରିଚି । ବନ୍ଧୁ ପୁଲିସର ପ୍ରଶ୍ନ ଶୁଣି କେବଳ ହସରେ ସମ୍ମତି ଜଣେଇ ଦେଲା ।

 

ସିଗାରେଟ କେଶ୍‌ ଖୋଲି ବନ୍ଧୁକୁ ଗୋଟିଏ ବଢ଼େଇ ଦେଲା ନିରଞ୍ଜନ ।

 

‘‘ହଁ, କ’ଣ ଧନଞ୍ଜୟ କଥା କହୁଥିଲୁ ?’’ ମୁହଁରୁ ସିଗାରେଟ୍‌ର ଧୂଆଁ ଉଡ଼େଇ ପ୍ରଶ୍ନ କଲେ ପୁଲିସ ବନ୍ଧୁ ।

 

ହଁ, ପଢ଼ିଲାବେଳେ ଧନଞ୍ଜୟର ଘନିଷ୍ଠ ବନ୍ଧୁ ଥିଲା ଏଇ ବସନ୍ତ । ନିରଞ୍ଜନ ହସି ହସି କହିଲା–‘‘ଧନଞ୍ଜୟ ଏବେ ଜଣେ ମହିଳା ଅଧ୍ୟାପକଙ୍କୁ ବିଭାକଲା । ଆଉ ଧନଞ୍ଜୟର ଲେଖା ତୁ ପଢ଼ିଚୁ ? ବଡ଼ ଚମତ୍କାର ଲେଖୁଚି ଆଜିକାଲି । କିନ୍ତୁ ସେମିତି, ସେମିତି ଛତରା ଭଳି ବୁଲୁଥିଲା । ବା’ ହେଇ ତା’ର କ’ଣ ହେଇଚି କେଜାଣି...ଖଣ୍ଡେ ନିମନ୍ତ୍ରଣ ପତ୍ର ପଠେଇଥିଲା...ମୁଁ ଆଉ ଯାଇପାରିନି....’’

 

ପୁଲିସ ବନ୍ଧୁ ବସନ୍ତ ହସି ହସି କହିଲା–‘‘ଦୂର ମଫସଲକୁ ଦୌଡ଼ିଯିବା ବେକୁବି ହେଇଥାନ୍ତା...ମୁଁ ସବୁ ଖବର ରଖିଚି ବା’ଘର ତ କଟକରେ ହେଲା...ଆଉ ସେହି ଦିନଠୁ ଧନଞ୍ଜୟ ଏଇ କଟକରେ ରହିଚି, ନିଜ ସ୍ତ୍ରୀର ବସାରେ ।’’

 

ଏ ବିଷୟରେ ନିରଞ୍ଜନ ଆଉ କିଛି ଉଠେଇବା ଉଚିତ ମନେ କଲାନି । ଗଲାବେଳେ ପୁଲିସ ବନ୍ଧୁ କହିଗଲେ, ‘‘ବୁଢ଼ୀକି ଟିକେ ସାବଧାନ ହେଇ ଚଳିବାକୁ କହିବୁରେ... ।’’

 

ସମସ୍ତେ ଚାଲିଗଲା ପରେ ଘର ଭିତରକୁ ନିରଞ୍ଜନ ପଶିଗଲା । ଦଧିଆର ଘର ଭିତରକୁ ଯିବା ଏହା ତା ପକ୍ଷରେ ସର୍ବପ୍ରଥମ ଘଟଣା । ଅଗଣା ଭିତରେ ନିରଞ୍ଜନର ଗୋଡ଼ ତଳେ ବୁଢ଼ୀ ଲମ୍ବଜାଲ ହେଇ ପଡ଼ିଗଲା । ଘର ଭିତରେ କାନ୍ଦି ଉଠିଲା ଦଧିଆର ସ୍ତ୍ରୀ । ଅଗଣାର ଗୋଟା କଣରେ ଗାଈ ବାଛୁରୀ କେତୋଟି । ସେମାନେ ଯେମିତି ସଶଙ୍କ ଆଖିରେ ଅନେଇ ରହିଲେ ନିରଞ୍ଜନକୁ । ନିଧିଆ ଲୁହ ପୋଛିବାରେ ଲାଗିଛି । ଏପରି ଅବସ୍ଥାରେ କାହାକୁ ଆଉ କ’ଣ କହିବ-? ନିରଞ୍ଜନ କିଛି ଭାବି ପାରିଲାନି । ଶେଷକୁ କଡ଼ା କଥାରେ ଗାଳିଦେବା ପରିବର୍ତ୍ତେ ସମସ୍ତଙ୍କୁ ସାନ୍ତ୍ୱନାର ବାଣୀ ଶୁଣେଇ ନିରଞ୍ଜନ ଫେରିଲା ।

 

୧୬

 

ସେହି ଦିନର ରାତି ।

 

ଅଞ୍ଜଳି ଅନେକ ବେଳଯାଏ ଚେଇଁ ଶେଷରେ ଶୋଇ ପଡ଼ିଚି । ଟିକିଏ ଦୂରକୁ ଛୋଟ ଶେଯଟି ଉପରେ ଶୋଇଚି ଅରବିନ୍ଦ । ସମସ୍ତେ ଘରର ଚଟାଣରେ ଶୋଇଚନ୍ତି । ମୁଣ୍ଡ ଉପରେ ଛାତର ତଳ ପଙ୍ଖାଟା ଖୁବ୍‍ ଦୂରରେ ରହିଲାଣି, ସେଥିଲାଗି ଶେଯର ଉପର ପଟରେ ଟେବୁଲ ପଙ୍ଖା ଘୂର୍‌ଘୂର୍‌ ହେଇ ବୁଲୁଚି । ବସନ୍ତ ସମୟ ଶେଷ ହେଇ ଟିକେ ଟିକେ ଗରମ ପଡ଼ିଗଲାଣି । ଶୁକ୍ଳପକ୍ଷ-। ମାଧବୀ ନିଶାରେ ଆକାଶଟା ଖଡ଼ି ବୋଳିଲା ଭଳି ଦେଖାଯାଉଚି । ପଡ଼ିଶା ତ୍ରିପାଠୀ ଘର ଫାଟକର ମାଳତୀ ଫୁଲ ଲୋଟଣି ଭାଙ୍ଗୁଚି । ପବନରେ ବେଳେବେଳେ ଭାସି ଆସୁଚି ତାର ବାସ୍ନା-

 

ନିରଞ୍ଜନ ସେ ପର୍ଯ୍ୟନ୍ତ ଶୋଇନି । ଅନେକବେଳୁ ସେ ଅନେକ ବିଷୟ ଚିନ୍ତା କରିବାରେ ଲାଗିଚି । ଅଞ୍ଜଳି ଚେଇଁଥିଲାବେଳେ ଦୁହେଁ ମିଶି ଅନେକ ବିଷୟରେ ଗପ କରିଛନ୍ତି । ପୁଣି ନୂତନ ଅତିଥିର ଆଗମନ ହେବ...ହସି ଉଠିବ ସଂସାର ବଢ଼ିବାରେ ଲାଗିଚି...ତାର ସୀମା ହୁଏତ ଆଜି ଖୁବ୍‍ ଦୂରରେ...ବୟସରେ ରହିଚି ଯଥେଷ୍ଟ ସତେଜତା....ଗୋବିନ୍ଦ ଆଉ ଅରବିନ୍ଦ ମଣିଷ ହେବେ...ହୁଁ...ଝିଅ ହବ ନା ପୁଅ ହବ ଏଥର...ଲାଜରେ ମୁହଁ ଢାଙ୍କି ଦେଲା ଅଞ୍ଜଳି ।

 

ଅଞ୍ଜଳିର ମନେ ପଡ଼ିଲା, ବିବାହ ପରେ ପାଞ୍ଚ ବର୍ଷ କଟିଥିଲା କେବଳ ପ୍ରଣୟର ଦୋଳାରେ ଝୁଲି ଝୁଲି । କିନ୍ତୁ ତାରି ଭିତରେ ତା ସାଙ୍ଗର ଅନ୍ୟ ବୋହୁଙ୍କର ସନ୍ତାନ ହେଇ ସାରିଥିଲା । କିନ୍ତୁ ପାଞ୍ଚ ବର୍ଷ ପରେ ସେଥିପାଇଁ ଆଲୋଡ଼ନ ଉଠିଲା ତା ମନରେ । ତାପରେ ଦୀର୍ଘ ଦୁଇବର୍ଷ କଟିଗଲା । ତାପରେ ଗର୍ଭକୁ ତାର ପବିତ୍ର ଓ ସାର୍ଥକ କରି ଆସିଲା ଅରବିନ୍ଦ । ସେତେବେଳକୁ ଅରବିନ୍ଦ ଶୋଇ ପଡ଼ିଚି, ଆନନ୍ଦରେ ଗୋଟିଏ ଚୁମା ଆଙ୍କିଦେଲା ଅଞ୍ଜଳି ତା ମୁହଁରେ । ଖୁବ୍‍ ପାଖକୁ ଲାଗି ଆସିଲା ନିରଞ୍ଜନ । ଯେମିତି ଅଞ୍ଜଳି ଦେହରେ ଚାପି ହେଇ ସେ ବିଲୀନ କରି ଦିଅନ୍ତା ନିଜକୁ । କିନ୍ତୁ ସେ ଦିଗରେ ସେ ଆଉ ଆଗେଇ ପାରିଲାନି । କେବଳ ଚାହିଁ ରହିଲା ଅଞ୍ଜଳିର ଜନନୀ ମୂର୍ତ୍ତିକି...ପ୍ରଜନନର ଆରାଧନାରେ ସେ ମୂର୍ତ୍ତିରେ ଜାଗି ଉଠିଚି ଏକ ଅପୂର୍ବ ପୂର୍ଣ୍ଣତା । ଥରେ ହାତ ବୁଲେଇ ଆଣିଲା ତା ଦେହରେ । ତାପରେ ପୁଣି ଚାଲିଲା କଳ୍ପନା ମୁଖର ଆଲୋଚନା । ନିଜର ପୂର୍ଣ୍ଣତା ଭିତରେ ସନ୍ତୋଷ ଲାଭ କରୁ କରୁ ଅଞ୍ଜଳି ଶୋଇ ପଡ଼ିଲା ନିଦରେ ।

 

କିନ୍ତୁ ନିରଞ୍ଜନ ଚେଇଁଚି । ଆଖିରେ ଟିକେ ହେଲେ ନିଦ ନାହିଁ । ଟିକ୍‌ ଟିକ୍‌, ହେଇ କାନ୍ଥ ଘଡ଼ିରେ ସମୟର ପଦକ୍ଷେପ ଆଗେଇ ଯାଉଚି । ସେହିଭଳି ଆଗେଇ ଚାଲିଚି ନିରଞ୍ଜନର ଭାବନା-। କେତେ କଥା ସେ ଏ ପର୍ଯ୍ୟନ୍ତ କହିନି ଅଞ୍ଜଳିକି । ଆଜି ପୁଣି ଘଟିଯାଇଚି ଅନେକ କଥା-। କିନ୍ତୁ ସେସବୁ ଅଞ୍ଜଳିକି କହିବାକୁ ଆଉ ଦରକାର ପଡ଼ୁନି । ଅଞ୍ଜଳି ଚାଲି ଯାଉଚି ଯେମିତି ଖୁବ୍‍ ଦୂରକୁ-। ସନ୍ତାନବତୀ ହେବା ଭିତରେ ନାରୀର ଯେଉଁ ସାର୍ଥକତା ସେ ଲାଭ କରୁଚି ତା ଭିତରେ ସେ ଭୁଲିଯାଇଚି ସ୍ୱାମୀର ସନ୍ତୋଷ ବିଧାନ କଥା । ଏକ ଅଭୁକ୍ତ ଆଉ ପିଆସୀ ଆତ୍ମା ଯେ ଘୂରିବୁଲୁଚି ତାର ନିଜର ସ୍ୱାମୀ ଭିତରେ ସେ କଥା ଅଞ୍ଜଳି ହୁଏତ ଆଉ ଭାବୁନି । ରୋମନ୍ଥନର ପୌନଃ ପୁନିକତା ସୃଷ୍ଟିର ଅଭିନବ ପ୍ରକାଶ ଘଟିବା ଛଡ଼ା ଆଉ କିଛି ହେଉନି । ବିରାଟ ପାଶବିକତା ଭିତରେ କେବଳ ଆବଦ୍ଧ ରହିଚି ସର୍ଜନର ସ୍ୱପ୍ନ–ତଥାପି ତୃଷିତ ଆତ୍ମାର ଚିତ୍କାର । ସେସବୁ କିନ୍ତୁ ପହଞ୍ଚୁନି ଅଞ୍ଜଳି ପାଖରେ । ପୁଣି ହୁଏତ ବର୍ଷକ ପରେ ଫେରିବ ତାର ଚେତନା । ଆଉ ସେହି ଦୀର୍ଘ ସମୟ ଧରି ପୁରୁଷ ମଧ୍ୟ ଗତି କରିବ କେବଳ ନିର୍ବିକାର ସାଧନା ଭିତରେ । ହୁଁ...ଏ ପୁରୁଷଟା ତାହେଲେ ଗୋଟା କଣ ଯନ୍ତ୍ର...ସବୁ କାମ, ସବୁ ଚିନ୍ତା କରି ମଧ୍ୟ ଶେଷକୁ ବିରାଟ ନିଷ୍‌କ୍ରିୟତା ଭିତରେ ପଡ଼ି ରହିବ । ଅତି ଅସହ୍ୟ ଏଇ ବନ୍ଧନ । ବିନା ଦାୟିତ୍ୱରେ ଯେପରି ଏ ଗୋଟାଏ ସାଧନା-। ଅଞ୍ଜଳିଠାରୁ ଦୂରକୁ ଯାଇ ପୁଣି କଣ ଆସି ମିଶି ହବନି । ସନ୍ତାନ ଲାଭର ଉପାଦାନ ତାର ଦରକାର...ସେଥିପାଇଁ ହରିକାଠର ବ୍ୟବସ୍ଥା କାହିଁକି...କିନ୍ତୁ କେଉଁ ଦୂରକୁ ସେ ଯିବ...ସରସୀ...ଗୋଟା ଉପନ୍ୟାସର ନାୟିକା, ଶେଷକୁ ବାସ୍ତବ ରକ୍ତମାଂସର ନାରୀ ହେଇ ଉଠିଲା-। ଆଉ କଟକ ଗଳି ରାସ୍ତାର ଯାତ୍ରୀ ଶେଷକୁ ତାର ଅଧିକାରୀ ହେଇ ବସିଲା । ଓଃ...ପବନରେ ଆଉ ବାସ୍ନା ଭାସି ଆସୁଚି କାହିଁକି...କଣ ଏଇ କାଗଜର ଦେବ-ଦେବୀଗୁଡ଼ାଙ୍କୁ ତୁଷ୍ଟ କରିବାକୁ...ସେସବୁ ପୁଣି ହେଇଚି ଅଞ୍ଜଳିର ଆଶ୍ରୟ ଆଉ ମୁଁ ହେଇଚି ବଧ୍ୟ... ।

 

ଉତ୍ତେଜନାରେ ବୁଲିପଡ଼ିଲା ନିରଞ୍ଜନ । ଦେହ ତାର ଢୁ ଖାଇଗଲା ଅଞ୍ଜଳିର ଦେହରେ-। ସେଥିରେ ଅଞ୍ଜଳିର ନିଦ ପାତଳ ହେଇ ଆସିଲା...ପୁଅ କାନ୍ଦିଲାକି ଆଉ, ସେଥିପାଇଁ ତାକୁ ଡାକୁଚନ୍ତି ସ୍ୱାମୀ । କାନ ପାରିଲା ଅଞ୍ଜଳି । ନିରଞ୍ଜନ ଗୋଟା ଦୀର୍ଘଶ୍ୱାସ ଛାଡ଼ିଲା । ଅଞ୍ଜଳି ଅନେଇଲା, ଉଠି ଠିଆହେଲା ଶେଷକୁ । କାନ୍ଥ କରକୁ ଯାଇ ସ୍ୱିଚ ଟିପି ଆଲୁଅ ଜଳେଇ ଦେଲା-। ତକିଆରେ ମୁହଁ ମାଡ଼ିଦେଲା ନିରଞ୍ଜନ । ନା, ପୁଅ ମଧ୍ୟ ଉଠିନି । ବାୟୁମଣ୍ଡଳ ଥଣ୍ଡା ପଡ଼ି ଆସିଲାଣି-। ପବନରେ ଶୀତଳ ପରଶ । ସ୍ୱିଚ ଟିପି ଅଞ୍ଜଳି ପଙ୍ଖା ବନ୍ଦ କରିଦେଲା । ଆଲୁଅ ସେମିତି ଜଳୁଚି-। ନିରଞ୍ଜନ ତକିଆରେ ମୁହଁମାଡ଼ି ରହିବା ଭିତରେ ଅନୁଭବ କଲା, ମୁଣ୍ଡ ପାଖରେ ଅଞ୍ଜଳିର ପରଶ ଲାଗି ଲାଗି ଆସୁଚି ।

 

‘‘ନିଦ ହଉନି... ?’’

 

ଅଞ୍ଜଳି ଜାଣେ, ତାଙ୍କୁ ରାତିରେ ଏମିତି ବେଳେବେଳେ ନିଦ ହୁଏନା...ପୁଣି ହୁଏ...ନିଘୋର ନିଦରେ ଶୋଇ ପଡ଼ନ୍ତି, ରାତି ପାହି ଖରା ପଡ଼ିଗଲେବି ଦିନେ ଦିନେ ଉଠନ୍ତିନି ।

 

ନିରଞ୍ଜନ କିଛି କହିଲାନି । ପୁଣି କଡ଼ ଲେଉଟେଇଲା । ହୁଏତ ଭାଷା ଏଠି ଦରକାର ନାହିଁ, ସେଥିଲାଗି ନିରଞ୍ଜନର ଏ ନୀରବତା । ହୁଏତ ଅଞ୍ଜଳି ସେସବୁ ସଙ୍କେତର ଅର୍ଥ ବୁଝୁଚି । କିନ୍ତୁ ସେ ମଧ୍ୟ ନୀରବ । ନିରଞ୍ଜନର ମୁଣ୍ଡର ବାଳ ଭିତରେ ଆଙ୍ଗୁଠି ପୂରେଇ ଅଞ୍ଜଳି ସାଉଁଳେଇବାକୁ ଲାଗିଲା ।

 

କେତେବେଳେକେ ନିରଞ୍ଜନ ଅନୁଭବ କଲା ଦୁଇଟୋପା ଜଳବିନ୍ଦୁ ପଡ଼ିଲା ତାର ଗାଲ ଉପରେ । ନିରଞ୍ଜନ ଚମକି ପଡ଼ି ହାତ ଉଠେଇ ଅଞ୍ଜଳିର ମୁହଁ ଅଣ୍ଡାଳିଲା । ଅଶ୍ରୁ । ଅଞ୍ଜଳି ଆଖିର ଅଶ୍ରୁପତି ସବୁଦିନେ ନିରଞ୍ଜନ ଭିତରେ ପ୍ରବଳ ଅସହିଷ୍ଣୁତା ରହିଚି । ଯେମିତି ଅଞ୍ଜଳି ତା’ଘରକୁ ଅଶ୍ରୁ ଢାଳିବାକୁ ଆସିନି, ଆଉ ତାର ନିରୋଧ ପାଇଁ ସବୁ ଚେଷ୍ଟା ସେ କରିବ । ଉଠିପଡ଼ି ନିଜର ପାପୁଲିରେ ନିରଞ୍ଜନ ଅଞ୍ଜଳି ମୁହଁରୁ ଅଶ୍ରୁ ପୋଛିବାକୁ ଲାଗିଲା । କିନ୍ତୁ ଅଞ୍ଜଳିର ଅଶ୍ରୁ ଯେମିତି ବାଧା ମାନିବାକୁ ଚାହେଁନା । ନିରଞ୍ଜନ ଏ ପର୍ଯ୍ୟନ୍ତ କୌଣସି କଥା କହିନି–କିନ୍ତୁ ଏବେ ସେ କଣ କହିବ ତା ମଧ୍ୟ ଭାବି ପାଇଲାନି । ଆଗରେ ଅଞ୍ଜଳି, ଘର ଭିତରେ ଆଲୁଅ ବିଞ୍ଚି ହେଇ ପଡ଼ିଚି । ପାଖରେ ମଶାରି ତଳେ ଶୋଇଚି ନବଜାତ ପୁତ୍ର ଅରବିନ୍ଦ । ଅଞ୍ଜଳିର ଜଠର ଭିତରେ ଆଉ ଜଣେ ଆଗନ୍ତୁକର ପ୍ରସ୍ତୁତି । ଏସବୁ ଅଞ୍ଜଳିର କୀର୍ତ୍ତି, ଆଉ ତ୍ୟାଗର ଫଳ । ଜଗତକୁ ଜନସଂଖ୍ୟାରେ ଭରି ଦେଇ ଗତିମୁଖର କରୁଚି ସେହି ନାରୀ । ନିରଞ୍ଜନର ଛୋଟ ଘରଟିକୁ ଅପୂର୍ବ ମହିମାରେ ମଣ୍ଡିତ କରିଚି ସେହି ନାରୀ । ସେହି ନାରୀ ପୁଣି ରୋରୁଦ୍ୟମାନା ହେଇ ବସିଚି ତାରି ଆଗରେ । ସତେ ସେ କଣ ଏଡ଼େ ନିଷ୍ଠୁର, ଏସବୁର ଗୁରୁତ୍ଵ ସେ କିଛି ଉପଲବ୍‌ଧି କରୁନି ? ଧିକ୍‌କାର ଆସିଲା ନିରଞ୍ଜନର ମନରେ ।

 

ସେ ପାଖକୁ ଘୁଞ୍ଜିଯାଇ ଅଞ୍ଜଳିକି ତୋଳି ଆଣିଲା ନିଜର କୋଳକୁ । ସେଥିପାଇଁ ଟିକେ ଆୟାସ କରିବାକୁ ପଡ଼ିଲା ଆଉ ଅଞ୍ଜଳି ମଧ୍ୟ ସେଥିରେ ସହଯୋଗ ପ୍ରକାଶ କଲା । ବଡ଼ ସୁନ୍ଦର ଦିଶୁଚି ଅଞ୍ଜଳି । ଏମିତି ସେ ପୂର୍ବେ ତାକୁ କେତେ କେତେ ଥର କୋଳରେ ବସେଇଚି । ସେତେବେଳେ ଦୁନିଆର ଆଉ ସବୁ କଥା ଭୁଲିଯାଏ ନିରଞ୍ଜନ । କିନ୍ତୁ ଆଜି ଯେମିତି ତା’ ଆଉ ହେଉନି । ଯେମିତି ଅଞ୍ଜଳିର ଦେହଟା ଆଜି ଗୋଟିଏ ପୂଜାର୍ଚ୍ଚନାର ପୁଷ୍ପଥାଳି । ତାକୁ ଧରି ହେବ, ମାତ୍ର ଆଘାତ କରି ହେବନି । ଯେମିତି ଏକ ନୈସର୍ଗିକ ନିଷେଧ-ଆଦେଶର ଘୋଷଣା ।

 

ଲୁଗା କାନିରେ ଅଞ୍ଜଳିର ମୁହଁକୁ ଭଲକରି ପୋଛି ଦେଲା ନିରଞ୍ଜନ । ଅଶ୍ରୁଧାରା କ୍ରମେ କ୍ଷୀଣତର ହୋଇଆସିଛି ।

 

‘‘ଅନେକ ଦିନ ତଳେ ଗୋଟିଏ ରାତିରେ ତମେ ଏମିତି ଅଶ୍ରୁ ଢାଳିଥିଲି.... ଆଉ ମୁଁ ଗୋଟିଏ ଉପନ୍ୟାସ ପଢ଼ି ସମୟ କାଟୁଥିଲି ସେଦିନ ରାତିରେ... ତମର ମନେ ଅଛି ଅଞ୍ଜଳି ?’’

 

ଅନ୍ୟ କିଛି ଉପାୟ ନ ପାଇ କଥା ଆରମ୍ଭ କରିବାକୁ ନିରଞ୍ଜନ ଚେଷ୍ଟା କଲା । ଅଞ୍ଜଳି କିଛିକ୍ଷଣ ପରେ ମୁଣ୍ଡ ହଲାଇ ସମ୍ମତି ଦେଲା...ହଁ ତାର ମନେ ଅଛି । କିନ୍ତୁ ପାଟି ଖୋଲି ସେ କିଛି କଥା କହି ପାରିଲାନି । ଯେମିତି ନିବିଡ଼ ସହଯୋଗ ଭିତରେ ବାନ୍ଧି ହେଇ ଦୁହେଁ ଦୂରକୁ ଦୂରକୁ ଚାଲି ଯାଉଛନ୍ତି । ଆଉ ଏ କଥାର ଆଶ୍ରୟ ଗୋଟା ଛଳନା । ସବୁ ବୁଝୁଥିଲେବି ଅଞ୍ଜଳି ନିରୁପାୟ ହୋଇ ସ୍ୱାମୀର କଥା ଶୁଣିବାକୁ ଅପେକ୍ଷା କରି ରହିଲା । ହଁ, ସେ ପଢ଼ୁଥିଲେ ଗୋଟିଏ ଉପନ୍ୟାସ... ସେଥିରେ ଥିଲା ସରସୀ ଅପାର କଥା ... ତାର ସ୍ୱାମୀ ତାକୁ ମାଡ଼ ମାରେ... କିନ୍ତୁ ସେଭଳି ଦୁର୍ଭାଗ୍ୟରୁ ସେ ଆଜି ମଧ୍ୟ ଖୁବ୍‍ ଦୂରରେ ରହିଚି... ହଁ ସେଦିନ ସେଇ ସରସୀ ଅପାର କଥା ଦୁହିଁଙ୍କର ଅପଡ଼ ଭାଙ୍ଗି ଦେଇଥିଲା... ଆଉ ଆଜି...ଆଜି ତ ଅପଡ଼ ନାହିଁ... କିନ୍ତୁ ଗୋଟା ଅବ୍ୟକ୍ତ ବିଷାଦ... ସେଥିରେ ସରସୀ ଅପାର କଥା ଆଉ କି ଉପଶମ ଆଣିବ...

 

ମୁହଁ ଖୋଲି କଥା କହିଲା ଅଞ୍ଜଳି, ‘‘ତୁମକୁ କାଟୁଥିବ.... ମୁଁ ବିଛଣାରେ ବସୁଚି ।’’

 

ଏତକ କହିଦେଲା ପରେ ଅଞ୍ଜଳିର ମନେ ହେଲା, ଯେମିତି ସ୍ୱାମୀଙ୍କୁ ସେ କୋଳରେ ଧରି ବସନ୍ତା... ଗେଲ କରି ଆଜି ରାତିଟା ସେ ପୁହାଇ ଦିଅନ୍ତା... କିନ୍ତୁ ସେକଥା ସେ କହି ପାରିଲାନି... ଦେହର ଅବସ୍ଥା ମଧ୍ୟ ସେଥିପାଇଁ ଅନୁକୂଳ ନୁହେଁ । ନିଜେ ଦେହ ଖସେଇ ସ୍ୱାମୀଙ୍କ କୋଳରୁ ଖସି ପଡ଼ିଲା ବିଛଣା ଉପରକୁ । ନିରଞ୍ଜନ ହସି ଉଠିଲା କିରିକିରି ହେଇ–ଯେମିତି ଆଶ୍ୱସ୍ତିର ଅନୁଭୂତିକି ସେଥିରେ ସେ ଘୋଡ଼େଇ ଦେବାକୁ ଚେଷ୍ଟା କଲା । ସତେ... କେଡ଼େ ଭାରି ହେଇଚି ଅଞ୍ଜଳିର ଦେହ... ।

 

ଅଞ୍ଜଳି ମଧ୍ୟ ନିରଞ୍ଜନର ଅସୁବିଧା ଅନୁଭବ କରି ପାରିଥିଲା । ହସ ଭିତରୁ ତାର ଆଶ୍ୱସ୍ତି ମଧ୍ୟ ସେ ବୁଝିଛି । ନିରଞ୍ଜନର ହସକୁ ଦୃଢ଼ ସମର୍ଥନ କରି ସେ ମଧ୍ୟ ହସି ଉଠିଲା ।

 

ନିରଞ୍ଜନ ପୁଣି ତାର ବକ୍ତବ୍ୟ ଆରମ୍ଭ କଲା ।

 

‘‘ସେହି ଉପନ୍ୟାସର ଦୁଃଖିନୀ .... ପ୍ରକୃତରେ ତମରି ସରସୀ ଅପା । କିନ୍ତୁ ସେ ଆଉ ଦୁଃଖିନୀ ନୁହେ ।’’

 

ଆଶ୍ଚର୍ଯ୍ୟତା ଭିତରେ ଆନନ୍ଦିତ ହେଇ ଅଞ୍ଜଳି ପଚାରି ବସିଲା, ‘‘ତା’ ହେଲେ ତା ସ୍ୱାମୀ ଆଉ ତାକୁ ମାରୁନି । ଦି’ଜଣଙ୍କ ଭିତରେ ଭଲ ପଡ଼ିଲାଣି ତା ହେଲେ ?’’

 

ନିରଞ୍ଜନ ହସିଉଠି କହିଲା, ‘‘ଏଥର ତମର ସରସୀ ଅପା ସ୍ୱାମୀକି ମାଡ଼ ଦେଇଚି । ସେଥିରେ ସବୁ ଠିକ୍‌ ହେଇ ଯାଇଚି ।’’

 

ଅଞ୍ଜଳି ଆଉ କିଛି ପଚାରି ପାରିଲାନି । ସ୍ତ୍ରୀ ମାରିଚି ସ୍ୱାମୀକି... ନିଜର କଳ୍ପନା ଭିତରେ ଅଞ୍ଜଳି ଏ କଥାର ଅବଧାରଣା କରି ପାରିଲାନି । ହଁ, କଣ ଆଉ କରିବ... ଅତି ଦୁଃଖରେ ପଡ଼ି ସରସୀ ଅପା ଏ କଥା କରିଥିବ ସିନା.... । କିନ୍ତୁ ମୁହଁରେ ଏ କଥା ପ୍ରକାଶ କଲାନି ଅଞ୍ଜଳି । ଯେମିତି ସମଗ୍ର ନାରୀ ସମାଜ ବିରୁଦ୍ଧରେ ପୁରୁଷର ଅଭିଯୋଗ ଆଗତ ହେଇଚି, ଆଉ ନାରୀମାନଙ୍କର ପ୍ରତିନିଧିରୂପେ ଅଞ୍ଜଳି ସେଥିରେ ମ୍ରିୟମାଣ ହେଇ ପଡ଼ିଚି । ପୁଣି ସେ ଅଭିଯୋଗ ଆଗତ କରିଚି ତାର ସ୍ୱାମୀ ।

 

କେତେବେଳେ ନିରଞ୍ଜନ ପୁଣି କହିଲା, ‘‘ସରସୀ ତମ ଭଳି ଜଣେ ଅବଳା ନୁହେଁ ଅଞ୍ଜଳି ! ଶିକ୍ଷା ସାଙ୍ଗକୁ ତାହାର ସାହସ ଆଉ ଦେହର ଶକ୍ତି ମଧ୍ୟ ରହିଚି । ସେଇ ଓକିଲ ସ୍ୱାମୀକି ଛାଡ଼ପତ୍ର ଦେଇ ସେ ଏହା ଭିତରେ ଆଉ ଜଣକୁ ବା’ ହେଇଚି ।’’

 

ଅଞ୍ଜଳି ଚମକି ଉଠିଲା । ଯେମିତି ଗୋଟା ବିଛା କି ସାପ ଚଢ଼ିଗଲା ତା ଦେହରେ । ବଲବଲ କରି ଅନେଇଲା ନିରଞ୍ଜନର ମୁହଁକୁ । ଯେମିତି ତାର ଅପା ବିରୁଦ୍ଧରେ ଏ କୁଳଟା ଅଭିଯୋଗ ସେ ବରଦାସ୍ତ କରି ପାରୁନି ।

 

ନିରଞ୍ଜନ ପ୍ରଥମେ ହସି ଦେଇ ପରେ ଗମ୍ଭୀର ହେଇ କହିଲା, ‘‘ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ ଅଞ୍ଜଳି । ଏକଥା ପ୍ରକୃତରେ ଘଟିଛି, ଆଉ ସେକଥା ତମ ଅବଳା ସମାଜ ପକ୍ଷରେ ଅତି ଗର୍ବର ବିଷୟ । ଆଉ ନିଜର ଦୁଃଖକୁ ନିଭେଇ ଦେଇ ସରସୀ ଜୀବନର ଯୋଉ ଜୟ ଘୋଷଣା କରିଚି ତାକୁ ଗୌରବର ବିଷୟ ମଧ୍ୟ କହିବାକୁ ହବ । ଏଥିପାଇଁ ସରକାର ଆଇନ କରିଚି । କିନ୍ତୁ ତାକୁ ତମର ସରସୀ ଅପାହିଁ ପ୍ରଥମେ ଆମ ଭିତରୁ ନିଜ ଜୀବନରେ ଗ୍ରହଣ କରି ନେଇଚି । ସରସୀକି ଏଥିପାଇଁ ଖୁବ୍‍ ଧନ୍ୟବାଦ ଦବାର କଥା । ଆମ ଘରକୁ ତାକୁ ଡାକି ଦିନେ ସମ୍ବର୍ଦ୍ଧନା ଦେଲେ ହୁଅନ୍ତାନି ଅଞ୍ଜଳି ?’’

 

କାନ୍ଥର ଦେବଦେବୀ ଛବି ଆଲୁଅରେ ଜଳଜଳ ହେଇ ଦିଶୁଚି । ସବୁ ଛବି ଉପରେ ଥରେ ଅଞ୍ଜଳି ଆଖି ବୁଲେଇ ନେଲା । ଯେମିତି କାନରେ ସେ ଯେଉଁ ପାପ କଥା ଶୁଣୁଚି ଆଖିର ଦିବ୍ୟ ଦର୍ଶନରେ ସେସବୁ ଧୋଇଧାଇ ସଫା ହୋଇଯିବ । ଏ ଘରେ ପୁଣି ତାର ସମ୍ବର୍ଦ୍ଧନା ହେବ ... ହଉ ସେ ତାର ଭଉଣୀ... ହଉ ସେ କଲେଜର ମାଷ୍ଟ୍ରାଣୀ... ଛିଃ, ସ୍ୱାମୀକି ଛାଡ଼ି ଆଉ ଗୋଟା ଲୋକକୁ ଧରି ସେ ଶୋଉଚି । ଘୃଣାରେ ଦେହମୁଣ୍ଡ ତାର ଝିମ୍‌ ଝିମ୍‌ ହେଇ ଉଠିଲା ।

 

‘‘କିଏ ତାକୁ ବା’ହେଲା ପୁଣି ?’’ ହଠାତ୍‌ ଏ କଥା ଅଞ୍ଜଳି ପାଟିରୁ ବାହାରି ପଡ଼ିଲା ।

 

ନିରଞ୍ଜନ କହିଲା, ‘‘ସେ ମଧ୍ୟ ସେମିତି ଜଣେ ଉଦାର ଲୋକ ତାକୁ ଆମ ଧନଞ୍ଜୟ ବା’ ହେଇଚି । ଧନଞ୍ଜୟକୁ ତମେ ଜାଣିଥିବ ?’’

 

ସେଇ ତମରି ସାଙ୍ଗ ନା...ଆମ ଗୋବିନ୍ଦ ପାଇଁ ଥରେ ଯାହାକୁ ଟିଉସନ ମାଷ୍ଟର କରି ଆଣିଥିଲ । ବାଳଗୁଡ଼ାକ ଛତରାଙ୍କ ଭଳି... ଦେହରେ ଛିଣ୍ଡା ମଇଳା ଜାମା... ସେଇ ବା’ ହେଲା ?’’

 

ପ୍ରତିବାଦର ସ୍ୱର ଫୁଟି ଉଠିଲା ନିରଞ୍ଜନର ଭାଷାରେ । ସେ କହି ଉଠିଲା, ‘‘ତମେ ଧନଞ୍ଜୟକୁ ସେମିତି ବାଜେ ଲୋକ ବୋଲି ଭାବନା ଅଞ୍ଜଳି । ସେ ଜଣେ ଉଚ୍ଚ ଧରଣର ଲେଖକ । ହୁଏତ ଆମ ତମ ଭଳି ସାଧାରଣ ରୀତିନୀତିରେ ସେ ବିଶ୍ୱାସ କରେନା । କିନ୍ତୁ ତା ଭିତରେ ବିରାଟ ଲକ୍ଷ୍ୟ ରହିଚି, ଆଉ ସେ ଲକ୍ଷ ଭିତରେ ପୂରି ରହିଚି ସବୁ ମଣିଷଙ୍କ ପାଇଁ ସମାନ ସ୍ନେହ ମମତା । ସେଇ ଲକ୍ଷ୍ୟ ଭିତରେ ସେ ହୁଏତ ସରସୀର ପ୍ରସ୍ତାବକୁ ଗ୍ରହଣ କରି ତାକୁ ନିଜର ପତ୍ନୀରୂପେ ବରଣ କରିଚି ।’’

 

‘‘ଆଉ ସରସୀ ଅପାର ପୁଅ ଝିଅ କା’ ପାଖରେ ରହିଲେ ?’’

 

ହସି ଉଠି ନିରଞ୍ଜନ କହିଲା, ‘‘କ’ଣ ତମେ ସେ ଉପନ୍ୟାସ ପଢ଼ି ଏକଥା କହୁଚ ନା, ସତକଥା କିଛି ଜାଣିଚ ? ବାସ୍ତବିକ ସରସୀର ଆଦୌ ପୁଅ ଝିଅ ନାହାନ୍ତି । ନ ହେଲେ ଆଜି ସେ ନାରୀତ୍ଵର ବିଜୟ ଘୋଷଣା କରି ପାରି ନଥାନ୍ତା...’’

 

ଏ କଥାରେ ଅଞ୍ଜଳି ଆହତ ହେଲା ଯେମିତି । କିନ୍ତୁ ସ୍ୱାମୀକି ସେ ବିଷୟରେ କିଛି କହିଲାନି । ମଶାରି ଟେକି ଅରବିନ୍ଦକୁ କୋଳରେ ଧରି ତାକୁ ନିର୍ମିମେଷ ଆଖିରେ ଅନେଇ ରହିଲା-। ଅରବିନ୍ଦ କଣ ତା ଜୀବନରେ ପରାଜୟ ଘୋଷଣା କରିଚି ? ଗୋଟିଏ ଚୁମା ଦେଲା ପୁଅର ଗଣ୍ଡରେ । ଆଖି ତାର ଛଳଛଳ ହେଇ ଆସିଲା । ତା କୋଳରେ ଏ ସନ୍ତାନକୁ ଦେଇ ତାର ସ୍ୱାମୀ ଆଜି ଭିନେ କଥା କହୁଛନ୍ତି କାହିଁକି । ଶେଷରେ ଅରବିନ୍ଦକୁ ନେଇ ନିରଞ୍ଜନର କୋଳରେ ଟେକିଦେଲା । ଗଭୀର ନିଦରେ ଶିଶୁପୁତ୍ରର ଆଖି ମୁଦି ହେଇ ରହିଚି ।

 

ଅଞ୍ଜଳି ଓଦା ଓଦା କଣ୍ଠରେ କହିଲା, ‘‘କିନ୍ତୁ ଅରବିନ୍ଦ ଭିତରେ ଯେ ତମର ବିଜୟ ଘୋଷଣା ସ୍ପଷ୍ଟ ହେଇ ଉଠିଚି ସେକଥା ତମେ ମନା କରି ପାରିବନି... ତମର ବିଜୟରେ ମଧ୍ୟ ମୋର ବିଜୟ, ମୁଁ ତାକୁ ପରାଜୟ ବୋଲି କଦାପି କହି ପାରିବିନି ।’’

 

ନିଜ ଭୁଲର ଏପରି ସଂଶୋଧନ ଘଟିବ ବୋଲି ନିରଞ୍ଜନ କଳ୍ପନା କରି ନଥିଲା । ତାର ମନେ ହେଲା, ଅଞ୍ଜଳିର ପାଦ ଯୋଡ଼ିକ ଧରି ସେ କ୍ଷମା ମାଗି ବସନ୍ତା । କିନ୍ତୁ ହଠାତ୍‌ କିଛି କରି ପାରିଲାନି । ଏହି ସମୟରେ ଅଞ୍ଜଳିର କାର୍ଯ୍ୟରେ ସେ ଆହୁରି ଆଶ୍ଚର୍ଯ୍ୟ ହୋଇ ପଡ଼ିଲା । ଅଞ୍ଜଳି ସ୍ୱାମୀର ପାଦ ଯୋଡ଼ିକ ନିଜ କୋଳକୁ ଟାଣି ନେଇ ମଞ୍ଚାଳି ଦେବାକୁ ଆରମ୍ଭ କଲା । ମୁହଁରେ ତାର କଥା, ‘‘ଆଗେ ଅନେକ ସମୟରେ ମୁଁ ତମର ଗୋଡ଼ ଘଷି ଦେଉଥିଲି.... ଏବେ କିନ୍ତୁ ସୁବିଧା ହୁଏନା... ହେଲେ ବରାବର ସେକଥା ମନରେ ଥାଏ...’’

 

ନିରଞ୍ଜନ ଅବାକ୍‌ ହେଇ ଚାହିଁ ରହିଲା । କୋଳରେ ଅରବିନ୍ଦ ଶୋଇ ରହିଚି । ଏ ଏକ ଅପୂର୍ବ ଚିତ୍ର । ଯେମିତି ସୃଷ୍ଟିର ବିଜୟ ଘୋଷଣାର ଛବି । ନିରଞ୍ଜନ ମର୍ମେ ମର୍ମେ ସେକଥା ଅନୁଭବ କଲା । ପ୍ରାଣ ତାର ଗର୍ବରେ ଭରି ଯିବାକୁ ଲାଗିଲା । ସେ ମନେକଲା ଅଞ୍ଜଳିର ପ୍ରାଣ ପ୍ରାଚୁର୍ଯ୍ୟ ଭିତରେ ସରସୀର ସଂସ୍କୃତିର ଶୋଭାଯାତ୍ରା ଯେମିତି ହଜି ହଜି ଯାଉଚି ।

 

୧୭

 

ଏହା ଭିତରେ ନିରଞ୍ଜନ ମନରେ ସରସୀ ଓ ଧନଞ୍ଜୟର କଥା ବିଶେଷ ପ୍ରଭାବ ବିସ୍ତାର କରିଚି । ସେ ଦୁହିଁକି ସେ କ୍ରମେ ଯେପରି ଭଲ ପାଇବାରେ ଲାଗିଚି । ଯେମିତି ସରସୀ ଆଉ ଅଞ୍ଜଳି ଦୁଇଟି ସ୍ୱତନ୍ତ୍ର ଆଦର୍ଶର ପ୍ରତୀକ...ଏ କଥା ସେ ଭଲ ଭାବରେ ଅନୁଭବ କରିପାରିଚି । ସମାଜ ପାଇଁ ଏ ଦୁଇଟି ଯାକ ଆଦର୍ଶର ଆବଶ୍ୟକତା ରହିଚି । ସରସୀ ଭିତରେ ଜୀବନର ଓ ଅଞ୍ଜଳି ଭିତରେ ପ୍ରାଣର ବିକାଶ ଘଟିଚି । ଜୀବନଟା ଶରୀର ଧର୍ମୀ ଆଉ ପ୍ରାଣଟା ଆତ୍ମିକ । କିନ୍ତୁ ପ୍ରାଣର ବିକାଶ ଆତ୍ମିକ ହେବା ହେତୁ ତାହା ପ୍ରଚ୍ଛନ୍ନ ଆଉ ଜୀବନରେ ବିକାଶ ବାହ୍ୟିକ ହେବା ଫଳରେ ତାହା ପ୍ରକାଶ ପାଇ ସହଜରେ ଆକର୍ଷଣ କରି ପାରିଥାଏ । ଏସବୁର ଅନୁଶୀଳନ ଭିତରେ ନିରଞ୍ଜନ ନିଜକୁ ମଧ୍ୟ ଆସାମୀ କରି ଠିଆକଲା । ଆଗରେ ଠିଆ ହେଇଚି ଯେମିତି ଧନଞ୍ଜୟ, ତାର ପ୍ରତିଯୋଗୀରୂପେ । ନିରଞ୍ଜନ ମନେ ମନେ ଭାବିଲା, ହଁ... ଆମ ହୁହିଁଙ୍କ ଭିତରେ ବି ଯଥେଷ୍ଟ ସ୍ୱାତନ୍ତ୍ର୍ୟ ରହିଛି । ଜଣେ ପାଇଚି ଜୀବନ ଉପଭୋଗର ବଶୀକରଣ ମନ୍ତ୍ର, ଆଉ ଜଣେ ଲକ୍ଷ୍ୟ ସାଧନର ଯାଯାବରୀ ଖିଆଲ । ସେଇ ଯାଯାବରୀ ଖିଆଲ ଭିତରେ ଧନଞ୍ଜୟ ଆଜି ଜଣେ ଆଧ୍ୟାପିକାକୁ ପତ୍ନୀରୂପେ ଲାଭ କରିଚି । ସରସୀକି ପତ୍ନୀରୂପେ ଗ୍ରହଣ କରିବା ଭିତରେ ଗୌରବ ଅପେକ୍ଷା ଅଗୌରବର ମାତ୍ରା ଯେ ଅଧିକ, ଏକଥା ନିରଞ୍ଜନ ଭଲରୂପେ ଜାଣେ । ସେଥିପାଇଁ ସେ ଧନଞ୍ଜୟକୁ ବାହାଦୁରି ଦେଲା ବେଶୀ ।

 

ଆଉ ସରସୀ ! ଏବେ ମଧ୍ୟ ତା’ ଅଙ୍ଗର ସୁସ୍ପଷ୍ଟ ଗଠନ ଭଙ୍ଗୀ ନିରଞ୍ଜନ ଆଖିରୁ ପୂରାପୂରି ନିଭିନି । ଆଖିରେ ସେହି ଦିନର ସେଇ ଛବି, ବେଣୀଟା ମଝିରେ ଖସିପଡ଼ି ନିତମ୍ବର ପରିସରକୁ ଆହୁରି ସୁସ୍ପଷ୍ଟ କରି ଦେଇଚି । ବକ୍ଷର ଗୋଟିଏ ପାଖରୁ ଖସି ଯାଇଚି ବସ୍ତ୍ର । ବ୍ଲାଉସ୍‌ ଭିତରେ ଉନ୍ନତ ମାଂସପିଣ୍ଡ ଯେମିତି ସଂଗ୍ରାମୀ ହେଇ ଚାହିଁ ରହିଛି ।

 

ହଁ...ଏସବୁ ଜୀବନର ବିକାଶ । ଏହାପରେ ନିରଞ୍ଜନର ଆଖିରେ ଭାସି ଉଠେ ଅଞ୍ଜଳି । ସବୁ ଅଛି, ଅଥଚ କ’ଣ ଅଛି ଅଞ୍ଜଳି ଭିତରେ ସେ ସହଜରେ କିଛି ସ୍ଥିର କରି ପାରେନା । ଯେମିତି ଅଞ୍ଜଳିର ଦେହଟା ପ୍ରାଣ-ରସର ଗୋଟାଏ ସ୍ପନ୍ଦନ । ଶରୀର ବ୍ୟବଚ୍ଛେଦ କରି ସେଠି ରସର ସନ୍ଧାନ ମିଳିବନି । ପୁଣି ଶରୀରର କେଉଁ ଅଙ୍ଗଟି ଅସୁନ୍ଦର ତାହା ମଧ୍ୟ କହି ହେବନି । ଅଞ୍ଜଳିର କେବଳ ଭୁଲ ଯେ ସେ ତନୁ-ସମ୍ପଦର ପ୍ରଦର୍ଶନୀ ଉଦ୍‌ଘାଟନ କରି ପାରିନି । ଏହି ଦେଶର ଓ ମାଟିର ସେ ଏକ ଚିରନ୍ତନୀ ନାରୀ । ପରିସ୍ଥିତିର ପରିବର୍ତ୍ତନରେ ସେ ବିକ୍ଷୁବ୍‌ଧ ନୁହେଁ । ତରଙ୍ଗ ଅଛି କିନ୍ତୁ ସଂଘାତ ନାହିଁ । କେବଳ କଲ୍ଲୋଳ ପିଟି ଦେଇ କୂଳକୁ କଳନାଦରେ ମୁଖରିତ କରି ରଖିଚି । କିନ୍ତୁ ସବୁଯାକ ପ୍ରଚ୍ଛନ୍ନ । ସେଥିଯୋଗୁ ତାହାର ଶୋଭାଯାତ୍ରା ପ୍ରାଣ-ପ୍ରାଚୁର୍ଯ୍ୟରେ ପୂର୍ଣ୍ଣ ହେଲେ ମଧ୍ୟ ଆଡ଼ମ୍ବରହୀନ । ଏସବୁ ବିଷୟ ନିରଞ୍ଜନ ପୂର୍ଣ୍ଣ ରୂପେ ଉପଲବ୍‌ଧି କଲା । ଅଞ୍ଜଳିର ପ୍ରତ୍ୟେକ ବିଷୟ ଗୋଟି ଗୋଟି ଉଦ୍ଭାସିତ ହେଇ ତା ଆଗରେ ଏକ ମହିମାମଣ୍ଡିତ ନାରୀମୂର୍ତ୍ତିର ଆବିର୍ଭାବ ହେଲା ।

 

ବିଛଣାରେ ଶୋଇ ଶୋଇ ନିରଞ୍ଜନ ଏସବୁ ଚିନ୍ତାକରୁଥିଲା । ହଠାତ୍‌ ଉଠି ସେ ବସି ପଡ଼ିଲା । ଅଞ୍ଜଳିର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଇଚି । ଆଜି ଏ ଘରେ ନୂତନ ଅତିଥିର ଆବିର୍ଭାବ ହେବ । ତଳ ଖଞ୍ଜାରେ ତାର ଆୟୋଜନ ଚାଲିଚି । ନର୍ସ, ଧାଈ ସମସ୍ତେ ଆସି ଠୁଳ ହେଇଚନ୍ତି । ଶିଶୁର ଜନ୍ମ ଓ ମାତାର ପୁନର୍ଜନ୍ମ । ଏକଥା ନିରଞ୍ଜନ ଅନୁଭବ କରି କାତର ହେଇ ରହିଚି । ଉଠି ପଡ଼ି ସେ କାନ ଡେରିଲା । ପବନରେ କରୁଣ ଚିତ୍କାର ଭାସି ଆସୁଚି । କିଏ ବନ୍ଦ କରି ଦିଅନ୍ତାନି ଏ ବିପଦକୁ । ସବୁ ଦେବଦେବୀଙ୍କର ଛବିକି ଅନେଇ ଗଲା ନିରଞ୍ଜନ । ଏତେ ଠାକୁରଙ୍କ ଭିତରୁ କାହାକୁ ସେ ଡାକିବ । ସେମାନଙ୍କ ବିରୁଦ୍ଧରେ ତାର ସେଇ ପୁରାତନ ଅଭିଯୋଗ ମଧ୍ୟ ରହିଚି । ଆଖି ଫେରେଇ ଆଣିଲା ସେ । ଆଖି ପଡ଼ିଲା ଗୋବିନ୍ଦ ଆଉ ଅରବିନ୍ଦର ଫଟୋ ଉପରେ । ଏମାନଙ୍କ ସାଙ୍ଗରେ ଆଉ ଗୋଟିଏ ଶିଶୁ ଆସି ଆଜି ଯୋଗ ଦେବ । ଏତିକି । ଆଉ ଦରକାର ନାହିଁ । ପୁଣି ଭାସି ଆସିଲା ଅଞ୍ଜଳିର ଚିତ୍କାର । ନିରଞ୍ଜନ ଶିହରି ଉଠିଲା । ଦୌଡ଼ି ଚାଲିଗଲା ତଳ ଖଞ୍ଜାର ଦରଜା ଯାକେ । ପୁଣି ଫେରି ଆସିଲା । ଛାତି ଭିତରେ ତାର କିଏ ଯେମିତି କଣ ପିଟୁଚି । ସେ ଅଥୟ ହେଇ ଘର ଭିତରେ ବୁଲିବାକୁ ଲାଗିଲା ।

 

ଏତିକିବେଳେ ଅରବିନ୍ଦକୁ କାଖରେ ଧରି ସେ ଘରେ ଧଁ ଅଁ ସଁ ହେଇ ଆସି ପହଞ୍ଚିଲା ରତ୍ନମଣି । ନୀଳରଙ୍ଗର ଚକ୍ରଧାରୀ ଦେବତା ସେଇ ବିଷ୍ଣୁ ମୂର୍ତ୍ତିକି ହାତ ବଢ଼େଇ ତାକୁ ଖୋଲି ଦେବାକୁ ଇଙ୍ଗିତ ଦେଲା । ଅଞ୍ଜଳିର କାମନା ତାର ସଙ୍କଟ ସମୟରେ ନିଜର ଆରାଧ୍ୟ ଦେବତାକୁ ଦେଖି ଦୁଃଖ ମୋଚନ କରିବ । ରତ୍ନମଣି କିଛି ନ କହିଲେ ବି ଘଟଣାରୁ ନିରଞ୍ଜନ ସବୁ ବୁଝି ପାରିଲା, ଆଉ ହଠାତ୍‌ ଛବିଟାକୁ ଖୋଲି ନିଜେ ନେଇ ତଳ ଖଞ୍ଜାରେ ଦେଇ ଆସିଲା । କିନ୍ତୁ ସେଠି ରହି ପାରିଲାନି, ଅଞ୍ଜଳିର ଆର୍ତ୍ତସ୍ୱରରେ ବାୟୁମଣ୍ଡଳ ଭାରାକ୍ରାନ୍ତ ହୋଇ ପଡ଼ିଚି ।

 

ଫେରି ଆସି ଉପର ଖଞ୍ଜାର ଦକ୍ଷିଣ ପାଖ ପିଣ୍ଡାରେ ନିରଞ୍ଜନ ବସି ପଡ଼ିଲା । ଗୋଟା ଦାରୁଣ ନିର୍ବେଦ ଅବସ୍ଥା ଯେମିତି ଅତିକ୍ରମ କରିବାକୁ ପଡ଼ୁଚି । ସକାଳ ସମୟ ପ୍ରାୟ ଦଶଟାବେଳ ହେବ । ଚତୁର୍ଦ୍ଦିଗର ଉଜ୍ଜ୍ୱଳ ଆଲୋକ ଭିତରେ ନିରଞ୍ଜନ ଯେମିତି ପଥ ହରେଇବାକୁ ଲାଗିଲା । ଆଉ କିଛି ବିପଦ ପଡ଼ିବନିତ । କିନ୍ତୁ ସେ ବିପଦ କଣ ତାହା ସେ ଚିନ୍ତା କରିବାକୁ ସାହସ କରି ପାରିଲାନି । ନିଶ୍ଚଳ ହେଇ ବସି ରହିଲା କେବଳ ।

 

ପ୍ରାୟ ପାଞ୍ଚ ମିନିଟ ପରେ ଗୋଟିଏ ସଦ୍ୟଜାତ ଶିଶୁର କ୍ରନ୍ଦନ ଧ୍ୱନିରେ ତଳ ଖଞ୍ଜାର ପବନ ଚହଲି ଉଠିଲା । ଉପର ଖଞ୍ଜାରେ ତାହାର ଧକ୍‌କା ହଠାତ୍‌ ଲାଗିଲା ନିରଞ୍ଜନ କାନରେ । ଆନନ୍ଦରେ ଅଧୀର ହେଇ ସେ ଠିଆ ହେଇ ପଡ଼ିଲା । ଦୁଃଖ-ନିଶାର ଅବସାନ ହେଇଚି । ଅଞ୍ଜଳିର ସାଧନା ଅଛି, ଭକ୍ତି ଅଛି । ଐକାନ୍ତିକତା ଅଛି । ସେଥିଲାଗି ତାର ଆରଧ୍ୟ ଦେବତା ତାର ଆକୁଳ କାକୁତି ଶୁଣିଛନ୍ତି । ଏକଥା ନିରଞ୍ଜନର କ୍ରମେ ବିଶ୍ୱାସ ହେବାକୁ ଲାଗିଲା । ଶିଶୁର ଚିତ୍କାର ପୁଣି ଶୁଣାଗଲା । ନିରଞ୍ଜନ କାନ ଦେଇ ଶୁଣିଲା । ବଡ଼ ଅସ୍ୱାଭାବିକ ଶବ୍ଦ । କିନ୍ତୁ କେହି ଆସୁନାହନ୍ତି କାହିଁକି ? ପୁଅ ନା ଝିଅ କଣ ହେଲା ? ହୃଦୟର ବ୍ୟଗ୍ରତା ଭିତରେ ସେ ଆଗକୁ ଆଗକୁ ଚାଲିଲା ।

 

କିଛି ସମୟ ଭିତରେ ନର୍ସ ତାହାର କାମ ସାରି ପଦାକୁ ବାହାରି ଆସି ପାଟି କରି ଉଠିଲା–

 

‘‘ପୁଅ ହେଇଚି ପୁଅ, ମିଠେଇ ଆଣ, ବାବୁ କୁଆଡ଼େ ଗଲେ !’’

 

ନିରଞ୍ଜନ ଆଉ ଆଗେଇ ପାରିଲାନି । ଆନନ୍ଦରେ ଦ୍ରବୀଭୂତ ହେଇ ଛିଡ଼ାହେଇ ରହିଲା-। ନାଚି ଉଠିଲା ରତ୍ନମଣି । ଗୋବିନ୍ଦ ଦୌଡ଼ିଗଲା ଦାଦା ପାଖକୁ । ରୁଣ୍ଡ ହୋଇଥିବା ପଡ଼ୋଶୀ ନାରୀମାନେ ଆନନ୍ଦର ଗୁଞ୍ଜନ ତୋଳିଦେଲେ । ନିଧିଆର ଆଈ ଆସି ମିଶିଚି ସେମାନଙ୍କ ଭିତରେ-। ତା କାଖରେ ଅରବିନ୍ଦକୁ ଟେକି ଦେଇ ରତ୍ନମଣି ପ୍ରସୂତୀ ଘରକୁ ଧାଇଁଗଲା । କେମିତି ଅଛୁ ଅଞ୍ଜୁ-! ଅଞ୍ଜଳିକି ଦେଖି ବିସ୍ମିତ ହୋଇଗଲା ରତ୍ନମଣି । ସେ ସେପର୍ଯ୍ୟନ୍ତ ଚାହିଁ ରହିଚି ସେଇ ଠାକୁରଙ୍କ ଛବିକି । ରତ୍ନମଣି ମନେ ମନେ ଭାବିଲା: ଧନ୍ୟ ଅଞ୍ଜଳିର ନିଷ୍ଠା ! ଆଲୋ ବଳ ବଅସ ଅଛି, ଛୁଆପିଲା ଆଉ କଣ ହୁଅନ୍ତା ନାଇଁ...ଆଉ ଏତେ ନିଷ୍ଠା ଭକତି କାହିଁକି, ସେଥିରେ ତାହାର ଯେମିତି ଇର୍ଷାହେଲା । ଛାତି ଭିତରେ ତାର କିଏ ଚାବୁକ୍‌ ପିଟିଲା ଯେମିତି । ମନ ତାର ପୁଣି ବଦଳିଗଲା-। ଭଲ...ଭଲ....ଅଞ୍ଜଳିଯୋଗୁଁ ଏ ଘର ସୁବର୍ଣ୍ଣ ହେଇଚି...ନ୍ୟାୟ ଆଉ ଆଚାର ଧର୍ମରେ ପୂରି ରହିଚି...ଏଠି ଅଧର୍ମ କି ପାପ ପଶି ପାରିବନି...ଏସବୁ ଅଞ୍ଜଳିର କୀର୍ତ୍ତି...ନିରଞ୍ଜନର ଉଜୁତି ସବୁ ଅଞ୍ଜଳି ଯୋଗୁ... ! ଅଞ୍ଜଳିପ୍ରତି ରତ୍ନମଣିର ମନରେ ଯେମିତି କୃତଜ୍ଞତା ଭରିଯିବାକୁ ଲାଗିଲା-

 

ଫେରିଆସି ନିଧିଆ ଆଈଠଉଁ ରତ୍ନମଣି ପୁଅକୁ ନିଜ କୋଳକୁ ନେଲା । ଉଠିଆରୀ ଉଠିବାଯାକେ ତାକୁ କେମିତି ସେ ସମ୍ଭାଳି ରଖିବ ତାହାର ଏହି ଚିନ୍ତା । ତେବେ ପିଲାଟା ଏହା ଭିତରେ ତାକୁ ଟିକେ ଆଦରି ଯାଇଚି । ସେତିକି ତା ପକ୍ଷରେ ଆଶ୍ୱାସନା ବିଷୟ । ...ସେ ପାଖରେ ନିରଞ୍ଜନ କା’ ସାଙ୍ଗରେ ଗପିଲେଣି । କିଏ ? ଅଞ୍ଜଳି କଥା ତାଙ୍କୁ ଟିକେ କହିଦେଇ ଆସନ୍ତି । ଭଲ ଅଛି ଅଞ୍ଜଳି । ଭାବି ଭାବି ଆଗକୁ ଗଲା ରତ୍ନମଣି । ଓ...ଗୋବିନ୍ଦର ମାଷ୍ଟର ପ୍ରଣବ ବାବୁ ! ମୁଣ୍ଡ ଉପରେ ଲୁଗା ସଜାଡ଼ି ଦେଲା ରତ୍ନମଣି...ନାକ ତଳେ ଧାରେ କଳାନିଶ । ସବୁବେଳେ ଧୋବ ପଂଜାବୀ ପିନ୍ଧନ୍ତି...ରଙ୍ଗଟା ଆଉ ଟିକେ ସଫା ହୋଇଥିଲେ...ଯେମିତି...ଆରେ ଗୋବିନ୍ଦ...

 

ଆଉ ଆଗକୁ ଗଲାନି ରତ୍ନମଣି । ଫେରି ଆସି ପୁଣି ଗୋବିନ୍ଦକୁ ଡାକିଲା । ବୋଉ ଡାକ ଶୁଣି ଗୋବିନ୍ଦ କୁଆଡ଼େ ଥିଲା ଆସି ପହଞ୍ଚିଗଲା ।

 

ବୋଉ କଥା ଶୁଣିବା ଆଗରୁ ଗୋବିନ୍ଦ ଆଗେ ପାଟିକରି କହିଲା, ‘‘ଆରେ ଅରବିନ୍ଦ, ଆମର ଆଜି ଗୋଟିଏ ଭାଇ ହେଲା । ଆମେ ତିନି ଭାଇ ହେଲେ । ବୋଉ, ଗାଁରେ ଆଉ କେତେଭାଇ ଅଛନ୍ତି...’’

 

ରତ୍ନମଣି ଆକଟ କରି କହିଲା, ‘‘ଛି, ଭାଇଙ୍କି ଗଣନ୍ତିନି । ଯା, ଦାଦାଙ୍କୁ କହିଦେବୁ ଯା, ଖୁଡ଼ି ଦିହ ଖୁବ୍‍ ଭଲ ଅଛି ।’’

 

ଗୋବିନ୍ଦ ଦୌଡ଼ି ଦୌଡ଼ି ଖବର ଦେବାକୁ ଚାଲିଗଲା । ଅରବିନ୍ଦ କହିବାରେ ଲାଗିଲା, ‘‘ବାଇ....ବାଇ....ବାଇ....’’

 

୧୮

 

ନିରଞ୍ଜନର ମନ ଏହା ଭିତରେ ସଂପୂର୍ଣ୍ଣ ବଦଳିଯାଇଚି । ଆନନ୍ଦର ପରିପୂର୍ଣ୍ଣତାକୁ ସେ ଯେମିତି ଏବେ ଖାଲି ଅନୁଭବ କରିବାରେ ଲାଗିଚି । ଆଉ ସେହି ଆନନ୍ଦର କେନ୍ଦ୍ରସ୍ଥଳ ହେଇଚି ଅଞ୍ଜଳି । ବେଳେବେଳେ ତାର ଇଚ୍ଛା ହୁଏ ଯେମିତି ସେ ଖୁବ୍‍ ବଡ଼ ପାଟିକରି ‘ଅଞ୍ଜଳି ଅଞ୍ଜଳି’ ବୋଲି କହି ବୁଲନ୍ତା । ଆଉ ଉଦଣ୍ଡ ନୃତ୍ୟ ରଚି ଦିଅନ୍ତା ଅଞ୍ଜଳିର ଛୁଆ ଦୁଇଟିକି ଧରି । କିନ୍ତୁ ମନ କଥା ତାର ମନରେ ରହେ, ସେସବୁ କରିବା ପାଇଁ ଯେମିତି ବୟସ କିମ୍ବା ପରିସ୍ଥିତି ଆଉ ଅନୁକୂଳ ନୁହେଁ । ଗୋବିନ୍ଦ ବଡ଼ ହେଲାଣି, ନୂଆବୋଉ ଅଛନ୍ତି, ଚାକର କୁରୁପାଟା ମଧ୍ୟ ଯୁବା ହେଇ ଉଠିଲାଣି, ଏ ସମସ୍ତଙ୍କୁ ଆଉ ଅସ୍ୱୀକାର କରି ହେବନି । ତେବେ ମନ ତାର ସମ୍ଭାଳି ହୁଏନା, ନିରୋଳା ସମୟ ଦେଖି ଦେଖି ତଳଖଞ୍ଜାକୁ କାମଥିବା ବାହାନାରେ ଯାଇ ପ୍ରସୂତୀଘରକୁ ଉଙ୍କି ମାରି ଛୁଆ ଆଉ ତା’ର ମାଆକୁ ଉଜ୍ଜ୍ୱଳ ଆଖିରେ ଅନେଇ ରହେ । ନିରଞ୍ଜନର ଏଇ ଢଙ୍ଗ ଆଉ ଚପଳତା ଦେଖି ଅଞ୍ଜଳି ହସି ଉଠେ । ଛୁଆକୁ ଆଙ୍ଗୁଠି ଦେଖେଇ ଆଖିରେ ଇସାରା ଦିଏ । ମନେ ମନେ ଭାବେ, ସାନ ପୁଅଟି ବଡ଼ ଚାହି ଆହୁରି ସୁନ୍ଦର ହବ...ଏଥର ସିଏ ମତେ ଆହୁରି ଭଲ ପାଇବେ । ପୁଣି ଆଖି ପିଛୁଳାକେ ପଛ କଥା ସବୁ ମନେ ପଡ଼ିଯାଏ...ଆଉ କିଛି ଭାବିପାରେ ନା । ପୁଣି ଇସାରା ଦେଇ ହସି ଦିଏ ।

 

‘‘ଯିବି ? ଛୁଇଁଦେବି ଏକା !’’

 

ଏତକ ଧୀରେ ଧୀରେ କହି ପଛକୁ ଅନେଇ ଦିଏ ନିରଞ୍ଜନ । ନୂଆବୋଉ ଦୂରରେ, ଗୋବିନ୍ଦ ଆଉ ଅରବିନ୍ଦକୁ କଥା କହି ଖେଳଉଚନ୍ତି । ଆଉ ଟିକେ ଘର ଭିତରକୁ ପଶିଯାଏ ।

ଅଞ୍ଜଳିର ଆଶଙ୍କା ହୁଏ ସତେ ଆସି ଛୁଇଁ ଦେବେ କି ? ଉଠିଆରି ଉଠିବାକୁ ଆହୁରି ତିନିଦିନ । ସେତକ କଣ ସେ ଜାଣି ନଥିବେ । କିନ୍ତୁ ବାରଣ କରିପାରେନା । ଛୁଇଁଲେ ଛୁଇଁବେ ପଛକେ, କଣ କରିବି ଆଉ, ତାଙ୍କରି ଠେଇଁ ତ ସବୁ... । ଅନେଇ ରହେ ନିରଞ୍ଜନ ଆଖିକି ।

ନିରଞ୍ଜନ ଆଉ କିନ୍ତୁ ଆଗାଏନା । ପିଲାଟାକୁ ଅନେଇ ସବୁ କଥା ଭୁଲିଯାଏ । ଭାରି ଗୋରାଟା ହବ । ନାକଟା ବି ଉଞ୍ଚ ଅଛି । ମୁଣ୍ଡରେ କେତେ ବାଳ ମ ? ‘‘ଅଞ୍ଜଳି, ତମେ କ’ଣ ଖାଇଥିଲ ମ...ପୁଅ ମୁଣ୍ଡରେ ଏତେ ବାଳହେଲା । କିନ୍ତୁ ଆ ପାଇଁ ତମେ ଏଥର ଭାରି କଷ୍ଟପାଇଲ ଏକା...ମୋର ମନ ହଉଥାଏ...’’

‘‘କଣ ?’’

‘‘ନା କିଛି ନାହିଁ, ଦେହ ତମର ଭାରି ଶୁଖିଯାଇଚି...’’

ଅଞ୍ଜଳି ହସିଦେଇ ଅନାଏ ପୁଅକୁ । ହଁ, ଦେହର ମାଂସ ସବୁ ଏଇ ପୁଅ ଘିତି ଆଇଚି...ଭାବି ଭାବି ନିରଞ୍ଜନ ମଧ୍ୟ ପୁଅକୁ ଅନାଏ । ନିକଟରେ କାହାର ପାଦଶବ୍ଦ ଶୁଭିଲା । ନିରଞ୍ଜନ ଦୁଆରମୁହଁକୁ ଆସି ବଡ଼ ପାଟିରେ କହିଲା, ‘‘ସେଇ ମୋ ଛୋଟ ବାକ୍‌ସର ଚାବିଟା କୋଉଠି ରଖିଚ ମୁଁ ତ ପାଉନି ?’’

କେବଳ ଖଣ୍ଡେ ହସ ହସି ଦେଲା ଅଞ୍ଜଳି । ନିରଞ୍ଜନ ଚାଲିଗଲା ଦୂରକୁ । ନିକଟରେ ନୂଆବୋଉଙ୍କ ପାଦଶବ୍ଦ । ଗୋବିନ୍ଦ ମଧ୍ୟ କ’ଣ କହି କହି ଆସୁଚି । ଆହୁରି ଦୂରକୁ ଚାଲିଗଲା ନିରଞ୍ଜନ । ଆତ୍ମା ତାର ପଡ଼ି ରହିଲା ଯେମିତି ଅଞ୍ଜଳି ଆଉ ଛୋଟ ଶିଶୁଟି ପାଖରେ ।

 

ଖରାବେଳେ ଗୋବିନ୍ଦ ଆଉ ଅରବିନ୍ଦକୁ ଧରି ଧରି ଦିନେ ଦିନେ ନିରଞ୍ଜନ ହସଖୁସି ଓ ଖେଳରେ ମାତିଯାଏ । ଯେମିତି ନିଜର ଛୋଟ ଘରର ପରିସ୍ଥିତି ଭିତରେ ସେ ଖଣ୍ଡେ ସ୍ୱର୍ଗ ଭୂମି ରଚନା କରିଦେବ ବୋଲି ଚିନ୍ତା କରିଚି, ନିରଞ୍ଜନର କାର୍ଯ୍ୟ ଦେଖିଲେ ସେହି କଥା ମନେ ହୁଏ । ଉଠିଆରି ଉଠିଲା ପରେ ଅଞ୍ଜଳି ମଧ୍ୟ ଛୋଟ ଶିଶୁଟିକୁ ଧରି ପାଖକୁ ଚାଲି ଆସିଚି । ସେଥିରେ ଆନନ୍ଦର ପରିବେଶ ଯେପରି ପୂର୍ଣ୍ଣାଙ୍ଗ ହେଇ ପଡ଼ିଚି । ନିଜର ପାଖର ତିନୋଟି ଶିଶୁଙ୍କୁ ଅନେଇ ନିରଞ୍ଜନ ଭାବେ, ବାସ୍ତବିକ ଏଇ ଶିଶୁମାନଙ୍କଠାରେହିଁ ସ୍ୱର୍ଗ ରହିଚି, ସେଥିଲାଗି ଯୀଶୁ ପିଲାମାନଙ୍କୁ ଏତେ ଭଲ ପାଉଥିଲେ । ଆଉ ସେଇ ସ୍ୱର୍ଗ ସୃଷ୍ଟି କରିଚି ଏଇ ଶିଶୁମାନଙ୍କର ମା–ଅଞ୍ଜଳି ସେମାନଙ୍କ ଭିତରୁ ଅନ୍ୟତମ ।

 

ସୁବିଧା ଦେଖି ଅଞ୍ଜଳି ବେଳେବେଳେ ଆସି ସ୍ୱାମୀର ଖୁବ୍‍ ପାଖକୁ ଲାଗି ବସିଯାଏ । ଦୁଇଟି ପିଲାର ମା ହେଲାଣି । କୋଉ କଥାକୁ ନିଜ ଭିତରେ ଆଉ ଭୟ ନାହିଁ ଯେମିତି । ତେବେ ରତ୍ନମଣିକି ତାର ଏବେ ବି ଡର ରହିଚି । ତା ଆଗରେ ସେ ସ୍ୱାମୀର ଘନିଷ୍ଠ ସାନ୍ନିଧ୍ୟ ଉପଭୋଗ କରିବାକୁ ସାହସ ପାଇ ପାରେନା । କିନ୍ତୁ ଘରର କବାଟ ଦେଲେ ସେ ଭୟ ଦୂର ହେଇଯାଏ । ଅନେକ ସମୟରେ ଗୋବିନ୍ଦ ଆଉ ଅରବିନ୍ଦ ଖରାବେଳେ ରତ୍ନମଣି ପାଖରେ ରହନ୍ତି । ଛୋଟ ଶିଶୁଟିକୁ ଧରି ଅଞ୍ଜଳି ରହେ ସ୍ୱାମୀ ପାଖରେ । ଶିଶୁଟିକୁ ନିରଞ୍ଜନ ନେଇ ନିଜର ଛାତି ଉପରେ ପକାଏ । ଅରବିନ୍ଦକୁ ଧରିଲା ବେଳର ସେଇ ଅନାଡ଼ି ଭାବ ଏବେ ତାର ଢେର କଟି ଯାଇଛି । ଗତ ଦୁଇଟି ବର୍ଷ ଭିତରେ ସେ ଯେମିତି ଖୁବ୍‍ ଅଭିଜ୍ଞ ଆଉ ବୟସ୍କ ହେଇ ପଡ଼ିଚି । ବର୍ତ୍ତମାନ ସେ ମସ୍ତବଡ଼ ଗୃହସ୍ଥ । ଏ ଧାରଣା କ୍ରମେ ତା ମନରେ ଦୃଢ଼ ହେଇଯାଇଚି । ଦାମ୍ପତ୍ୟ ସୁଖ ଏବେ ବାତ୍ସଲ୍ୟ ସୁଖରେ ପରିଣତ ହେଇଯାଇଚି । ଦୁଇଟି ସନ୍ତାନର ଜନନୀକି ଧରି କେତେବେଳେ କେମିତି ସେଇ ଆଦିମ ତାଡ଼ନାର ମୁକାବିଲା କରି ନିଆ ଯାଇପାରେ; କିନ୍ତୁ ନିଧୁବନ ରଚନା ଆଉ ସମ୍ଭବ ନୁହେଁ । ବେଳେବେଳେ ମନେ ପଡ଼ିଯାଏ ଛୋଟ ଶିଶୁର ଜନ୍ମବେଳର ଅଞ୍ଜଳିର ଯନ୍ତ୍ରଣା, ସେତେବେଳେ ଚମକି ଉଠି ନିରଞ୍ଜନ ମନେ ମନେ ଆହୁରି ଦୂରେଇ ଯାଏ । ହୁଏତ ଦେହଟା ତାର ହଲିଯାଇଥିଲା ସେଥିରେ । କାନ୍ଦି ଉଠେ ଶିଶୁଟି ଛାତି ଉପରେ । ତାକୁ ଟିକେ ଚିପି ଧରେ ନିରଞ୍ଜନ, ଟିକେ ଥାପୁଡ଼େଇ ଦିଏ । କିନ୍ତୁ ସେ ହଠାତ୍‌ ତୁନି ହୁଏନା । ଅଞ୍ଜଳି ଉଠି ତାକୁ ନିଜର କୋଳକୁ ନିଏ-। ନିରଞ୍ଜନ କାନ ପାରି ଶୁଣେ, ପୁଅର କାନ୍ଦିବା ସ୍ୱରଟା ସୁଖକର ନୁହେଁ । ଏକଥା ସେ ଶିଶୁର ଜନ୍ମଦିନରୁହିଁ ଅନୁମାନ କରିଚି । ହୁଏତ ପିଲାଟା ଦୁଷ୍ଟ ପ୍ରକୃତିର ହେବ । ଅଣ୍ଡିରା ପିଲା-। ସ୍ୱର ସାଙ୍ଗରେ କିଛି ଯାଏ ଆସେନା । ଏ କଥାରେ ଅଞ୍ଜଳିକି ମଧ୍ୟ କିଛି କହେନା ।

 

କାହିଁକି କେଜାଣି ଅଞ୍ଜଳି କୋଳରେ ମଧ୍ୟ ଛୁଆଟା ତୁନି ହେଲାନି । ଛାତିରୁ ଲୁଗା ଆଡ଼େଇ ଅଞ୍ଜଳି ତାକୁ ଅମୋଘ ଔଷଧ ଦେଇ ଶୋଇପକାଇଲା । ତା ପରେ ତାକୁ ନେଇ ସେ ଝୁଲାରେ ଶୋଇଦେଲା । ଖଟର ଧାରକୁଲାଗି ଝୁଲା । ନିରଞ୍ଜନ ଆସ୍ତେ ଆସ୍ତେ ଝୁଲା ହଲେଇବାକୁ ଲାଗିଲା । ଏମିତି ବେଳ କଟିଯାଏ ଅନେକ ସମୟରେ । ନିରଞ୍ଜନ କାନ୍ଥର ଦେବଦେବୀ ଛବିଗୁଡ଼ାକୁ ଅନେଇ ଅନେଇ ଭାବେ, ଏମାନଙ୍କ ପାଖରେ ଅଞ୍ଜଳିର ପୂଜା ଅର୍ଚ୍ଚନା ସାର୍ଥକ ହେଇଚି-

 

ଦିନେ ଖରାବେଳେ ଶୋଇ ପଡ଼ିଚି ନିରଞ୍ଜନ । ଅଞ୍ଜଳି ତାକୁ ହଲେଇ ହଲେଇ ଉଠେଇ ଦେଇ କହିଲା, ‘‘କିଏ ତମକୁ ଡାକୁଚି ।’’

 

ନିରଞ୍ଜନ ନିଦ ବାଉଳା ଅବସ୍ଥାରେ ବାହାରର ଡାକ ଶୁଣିବାକୁ ଚେଷ୍ଟାକଲା, ହଁ, ତାରି ନାଁ ଧରି କିଏ ଡାକୁଚି । ଉଠି ପଡ଼ିଲା ସେ । କେବଳ ‘‘ନିରଞ୍ଜନ ! ନିରଞ୍ଜନ’’ ବୋଲି ତାକୁ କିଏ ଡାକୁଚି କଟକ ସହରରେ ? ନିଜ ଘରର କବାଟ ଫିଟେଇ ସେ ବାହାରକୁ ଆସି ଦରଜା କବାଟ ଖୋଲିଦେଲା । ଏକ ସୌମ୍ୟକାନ୍ତି ଯୁବକ । ବୟସରେ ନିରଞ୍ଜନଠାରୁ ଯେମିତି ଢେର ସାନ ହେବ-। ପୋଷାକ ପରିଧାନର ପରିପାଟୀ, ପରିଧେୟ ପୁଣି ଦାମିକା । ହଠାତ୍‌ ଚିହ୍ନି ପାରିଲାନି ନିରଞ୍ଜନ-। ଯେମିତି ପରିଚିତ ଖଣ୍ଡେ ଧୂଳିଆ ମେଘ ଦେହରେ ଇନ୍ଦ୍ରଧନୁ ଝଟକି ଉଠିଚି । କିନ୍ତୁ ସେଥିପାଇଁ ବେଶୀ ଡେରି ହେଲାନି । ଭଦ୍ରଲୋକ ଅପମାନିତ ମନେ କରିବାର ଯଥେଷ୍ଟ ଆଗରୁ ‘‘ଆରେ ଧନଞ୍ଜୟ’’ ବୋଲି ପାଟି କରି ଯୁବକଟିକୁ ନିରଞ୍ଜନ କୁଣ୍ଢେଇ ଧରିଲା ।

 

ଏହି ସେଦିନର ସାହିତ୍ୟ-ସାଧକ ଧନଞ୍ଜୟ । ତାହାର ପୁରାତନ ବନ୍ଧୁ । ଆଜି ଅଧ୍ୟାପିକା ସରସୀ ଦେବୀଙ୍କ ସ୍ୱାମୀ । ନିରଞ୍ଜନ ଏକାବେଳକେ ଧନଞ୍ଜୟର ସବୁଗୁଡ଼ିକ ଅବସ୍ଥାକୁ ଆଲିଙ୍ଗନ କରିନେଲା ଯେପରି ।

 

ଏହାପରେ ନିରଞ୍ଜନର ଆଖି ପଡ଼ିଲା ରାସ୍ତା ଉପରେ । ଖଣ୍ଡେ ସାଇକେଲ ରିକ୍‌ସା ରହିଚି । ସେଥିରୁ ପଦାକୁ ଦୋହଲି ଉଠୁଚି ଆକାଶୀ ରଙ୍ଗର ରେଶମ ଶାଢ଼ିର କେତେକ ଅଂଶ । ନିରଞ୍ଜନ ଆଗକୁ ବାହାରିଗଲା । ଦେଖିଲା, ରିକ୍‌ସାରେ ସରସୀ । ଆସନ୍ତୁ, ଆସନ୍ତୁ, କହି ନିରଞ୍ଜନ ହାତ ବଢ଼େଇ ଦେଲା; ଯେମିତି ଶେକ୍‌ହ୍ୟାଣ୍ଡ ଆଶାରେ, କିନ୍ତୁ ତାହାର ହାତକୁ ନିବିଡ଼ ଭାବରେ ଭିଡ଼ି ଧରି ଉଠି ଆସିଲା ସରସୀ । ଦେହରେ ସେହିଭଳି ଯୌବନ ଓ ମାଂସର ଉତ୍ସବ । ତାହାର ଆକର୍ଷଣରେ ଟିକେ ଦୋହଲି ପଡ଼ିଲା ଯେମିତି ନିରଞ୍ଜନ । ପରମୁହୂର୍ତ୍ତରେ ରୂପ ଯୌବନସମ୍ପନ୍ନା ସରସୀ ମାଟିର ଧରଣୀରେ ପାଦ ରଖି ନିରଞ୍ଜନ ସାଙ୍ଗରେ ତାହାର ଘରକୁ ଆସିଲା ।

 

ସମସ୍ତେ ବୈଠକଖାନାରେ ଆସି ବସିଲେ । ସେତେବେଳକୁ ଅଞ୍ଜଳି ଉଠି ଆସି କୌଶଳରେ ସମସ୍ତଙ୍କୁ ଦେଖି ସାରିଚି । ଧନଞ୍ଜୟକୁ ସେ କେତେଥର ଦେଖିଥିଲା ଆଗରୁ । ତାର ଏ ପରିବର୍ତ୍ତନ ଭିତରେ ମଧ୍ୟ ସେ ତାକୁ ଚିହ୍ନିବାରେ ତିଳେ ହେଲେ ଭୁଲ କରିନି । ତାହାର ବିବାହର କାହାଣୀ ସେ ନିରଞ୍ଜନଠାରୁ ଶୁଣିଛି । ସେଥିଲାଗି ନାରୀ ମୂର୍ତ୍ତିଟିକି ଚିହ୍ନିବାରେ ତାର ମଧ୍ୟ ଭୁଲ ହେଇନି । ଆନନ୍ଦ ଓ ବିସ୍ମୟରେ ତା କଣ୍ଠରେ ନୀରବରେ ଫୁଟି ଉଠିଲା ‘ସରସୀ ଅପା ।’ ସରସୀର ରୂପ ଓ ପରିପାଟୀ ତା ଆଖିରେ ନାଚିଗଲା । ସତେମ ସରସୀ ଅପା କେଡ଼େ ସୁନ୍ଦର । ଆଉ ଭଲ ବରଟିଏତ, ଧନଞ୍ଜୟ ବାବୁ ସେତେବେଳେ ଏମିତି କାହିଁ ଦିଶୁଥିଲେ । ଆଲୋ, ସରସୀ ଅପାକୁ ସେ ଛୁଇଁଲେ । ମୋର ବଡ଼ ଭଉଣୀ, ତାଙ୍କର ଦେଢ଼ଶାଶୁ ହବ... । ଏ ଭାବନା ଭିତରେ ଅଞ୍ଜଳିର ପାଟି କରି ଉଠିବାକୁ ଇଚ୍ଛା ହେଲା । କିନ୍ତୁ ଆଖି ତାର ଆହୁରି ଚମକି ପଡ଼ିଲା । ସରସୀ ଅପା ତାଙ୍କର ଗୋଟିଏ ହାତକୁ ଧରି ଧରି ଆସୁଚି । ଘଇତା ଛାଡ଼ରି...ଆଲୋ, ତୁ ପୁଣି ବନ୍ଧୁବାନ୍ଧବ ଘରକୁ କାହିଁକି ଆଇଚୁ... ।

 

ଅଞ୍ଜଳି ଆଉ କିଛି ଭାବିବାକୁ ସହ୍ୟ କରି ପାରିଲାନି । ପୁଅକୁ ଝୁଲାରେ ଥରେ ଅନେଇ ଦେଇ ଦୌଡ଼ି ଦୌଡ଼ି ତଳ ଖଞ୍ଜାକୁ ଚାଲିଗଲା । ସମସ୍ତଙ୍କୁ ଜଣେଇ ଦେଲା ସେମାନଙ୍କ ଉପସ୍ଥିତି । ରତ୍ନମଣି ଭିତରେ ଆଗ୍ରହ ଜଳି ଉଠିଲା । ବାବୁଙ୍କ ଫରମାସି ଆଶାକରି ଉପର ଖଞ୍ଜାକୁ ଚାଲିଗଲା କୁରୁପା । କେତେଖଣ୍ଡ ପାନ ଓ ସିଗାରେଟ ଥୋଇ ଗୋଟିଏ ଥାଳିଆ ଗୋବିନ୍ଦ ହାତରେ ଧରେଇ ଦେଇ ରତ୍ନମଣି ବାହାରି ପଡ଼ିଲା । କିନ୍ତୁ ତାକୁ ବେଶିଦୂର ଯିବାକୁ ପଡ଼ିଲାନି । ସମସ୍ତଙ୍କ ଆଗରେ ଆସି ହସି ହସି ଛିଡ଼ା ହେଇଗଲା ସରସୀ । ଚେହେରାରୁ ଅନୁମାନକରି ରତ୍ନମଣିକି ଭୂମିଷ୍ଠ ପ୍ରଣାମ କଲା । ଆଉ ଅଞ୍ଜଳିକି କୋଳକୁ ଭିଡ଼ିନେଲା ପରେ ତଳୁ ଉଠେଇ ନେଲା ଅରବିନ୍ଦକୁ ।

 

ପ୍ରାୟ ପଇଁଚାଳିଶ ମିନିଟ ଯାଏ ସରସୀ ରହିଲା ନିରଞ୍ଜନ ଘରେ । ସେତିକି ସମୟ ଭିତରେ ବହୁ ଆଦର ଅଭ୍ୟର୍ଥନା ଓ ଆଦାନପ୍ରଦାନ ହେଇଗଲା । ଗୋବିନ୍ଦକୁ, ଅରବିନ୍ଦକୁ ଆଉ ଛୋଟ ପୁଅଟିକି କୋଡ଼ିଏ କୋଡ଼ିଏ ଟଙ୍କା ଦେଇଗଲା ସରସୀ । କୁରୁପା ଚାକରକୁ ଦେଲା ପାଞ୍ଚଟଙ୍କା । ଅଞ୍ଜଳିକି ପିନ୍ଧେଇ ଦେଲା ଦାମିକା ପଥରବସା ଗୋଟିଏ ମୁଦି । ଅଞ୍ଜଳିର ଭ୍ୟାନିଟିକି ଅନେକ ବେଳଯାଏ ଅନେଇ ରହିଲା ଗୋବିନ୍ଦ । ଯେମିତି ସେଥିରେ ଆହୁରି କେତେ କଣ ଭର୍ତ୍ତି ହେଇଚି । ଶେଷରେ ଗୋବିନ୍ଦର ଆକାଂକ୍ଷାର ଉଦ୍ଦେଶ୍ୟ ବୁଝି ସରସୀ ବ୍ୟାଗ ଫିଟେଇ ଖଣ୍ଡେ ଛୋଟ ରୁମାଲ କାଢ଼ି ଗୋବିନ୍ଦକୁ ଦେଲା । ବାସ୍ନାରେ ଭୁରୁଭୁରୁ ହେଉଚି ରୁମାଲ ଖଣ୍ଡକ । ଟଙ୍କାରେ ତାର କାମନା ମେଣ୍ଟି ନ ଥିଲା, ରୁମାଲ ଖଣ୍ଡକ ପାଇଲାକ୍ଷଣି ଆନନ୍ଦରେ ଅଧୀର ହେଇ ଚିଲଭଳି ଛୁଟି ପଳେଇଲା ଗୋବିନ୍ଦ ।

 

ସରସୀ ଓ ଧନଞ୍ଜୟ ଚାଲିଯିବା ପରେ ସେମାନଙ୍କ ପ୍ରତି ଅଞ୍ଜଳିର ଧାରଣା ପ୍ରାୟ ବଦଳିଗଲା । ତାରି ମାଉସୀ ଝିଅ ଭଉଣୀ–ସରସୀ ଅପା–ଏମ୍‌: ଏ: ପାଶ କରି କଲେଜରେ ପ୍ରଫେସର ହେଇଚି–କଣ ହେଲା, ତା ଭଳି ଜଣେ ଲୋକ ସ୍ୱାମୀଠଉଁ ମାଡ଼ ଖାଇ ଆଉ ପଡ଼ି ରହିଥାନ୍ତା, ଭଲ କରିଚି–ଭଲ କରିଚି । ଶିକ୍ଷିତା ସ୍ତ୍ରୀ, ସିଏ ଯା କରିପାରିବ, ତା କଣ ସମସ୍ତେ କରି ପାରିବେ...ଧନଞ୍ଜୟ ବାବୁ ବି ଭାରି ସୁନ୍ଦର ଲୋକ...

 

ଅଞ୍ଜଳିର ଏହିପରି ଅନେକ କଥା ଶୁଣିଲା ରତ୍ନମଣି । କିନ୍ତୁ କିଛି କହିଲାନି । କୋଉ କାଳରୁ ସେ ବିଧବା ହେଇଚି ସେକଥା ସେ ଭୁଲିଯିବାକୁ ବସିଲାଣି...ପୁଣି ସ୍ୱାମୀକି ଛାଡ଼ି ମାଇପେ ଆହୁରି ସ୍ୱାମୀ କରୁଛନ୍ତି, ସେ ଆଜି ଦେଖିଲା । ଅଞ୍ଜଳି ମୁହଁରୁ ତାହାର ଅନେକ ପ୍ରଶଂସା ମଧ୍ୟ ଶୁଣିଲା । ଯେମିତି ଶିକ୍ଷିତା ଆଉ ଅଶିକ୍ଷିତା ସ୍ତ୍ରୀ ଲୋକର ପ୍ରାଣ ଭିନ୍ନ । ଏତିକିବେଳେ ସେଇ ବାସ୍ନା ରୁମାଲଟା ଆଣି ତା ନାକରେ ଶୁଘେଂଇଦେଲା ଗୋବିନ୍ଦ । ସତେ ମ, ରୁମାଲର ବାସନା କେଡ଼େ ମଧୁର । ଆଉ କେଡ଼େ ମଧୁର ହେଇ ନଥିବ ସେମାନଙ୍କର ଜୀବନ । ପର ମୁହୂର୍ତ୍ତରେ ରୁମାଲ ଆଉ ତାର ବାସ୍ନାକୁ ଭୁଲିଗଲା ରତ୍ନମଣି । କେବଳ ଗୋବିନ୍ଦକୁ ସେ ପାଇଲା ଖୁବ୍‍ ପାଖରେ । ତା ଭାଗ୍ୟରେ ଆଉ କିଛି ନାହିଁ । ଏହି ଗୋବିନ୍ଦହିଁ ତାହାର ପରମ ସମ୍ପଦ–ତାହାର ସାନିଧ୍ୟ, ତାର ସବୁ । ଗୋବିନ୍ଦକୁ କାଖ କରି ଦୁଆରେ ଘେରାଏ ବୁଲି ଆସିଲା ରତ୍ନମଣି ।

 

ଅନେକ ଦିନ ପରେ ସେଦିନ ନିରଞ୍ଜନର ମନଟାବି କେମିତିଟିକେ ବେବାଗିଆ ଧରିଲା-। କିନ୍ତୁ ସେ ସେଥିରେ ସଂକ୍ରାମିତ ହେଲାନି । ମନକୁ ପୂରା ବାଗ ଭିତରେ ରଖିବାକୁ ସନ୍ଧ୍ୟାବେଳେ ସଙ୍ଗୀତର ଆୟୋଜନ ଲାଗି ଡକେଇ ପଠେଇଲା ନିଧିଆକୁ । ନିଧିଆ ଏବେ ବଜାବଜିରେ ଖୁବ ପାରି ଗଲାଣି । ତବଲାଟା ତା ଆଙ୍ଗୁଠିରେ ଏବେ ଖୁବ ସ୍ପଷ୍ଟ ହେଇ ଉଠୁଚି ।

 

ସଙ୍ଗୀତ ଆରମ୍ଭ ହେଲା ବୈଠକଘରେ । ସେଦିନ ଆଉ ଗୋବିନ୍ଦର ପାଠପଢ଼ା ସେଠି ହେଲାନି । ହେଲା ତଳଖଞ୍ଜାର ଗୋଟିଏ କୋଠରୀରେ । ବେଳେବେଳେ ଏହିପରି ବ୍ୟତିକ୍ରମ ଘଟିଥାଏ । ପ୍ରଣବ ତଳଖଞ୍ଜାରେ ଯାଇ ଗୋବିନ୍ଦକୁ ପାଠ ପଢ଼େଇବାରେ ପ୍ରାୟ ଅଭ୍ୟସ୍ତ ହେଇ ଗଲାଣି । ବେଳେବେଳେ ତଳଖଞ୍ଜାରେ ପ୍ରଣବ ପାଇଁ ଚର୍ବ୍ୟ ଚୋଷ୍ୟ ପେୟର ମଧ୍ୟ ବ୍ୟବସ୍ଥା ହୋଇଯାଏ । ସେ ଗୋବିନ୍ଦର ମାଷ୍ଟର । ଗୋବିନ୍ଦ ଏ ଘରେ ସବୁଠାରୁ ସ୍ନେହ ଓ ଆଦରର ପାତ୍ର । ସୁତରାଂ ପ୍ରଣବର ଆଦର ଆପ୍ୟାୟନ ପାଇଁ କାହାରି ଆପତ୍ତି ନ ଥାଏ ।

 

କିନ୍ତୁ ନିରଞ୍ଜନର ମନ ଭୁଲା ସଙ୍ଗୀତ ସାଧନା ବେଶି ଦୂର ଆଗେଇ ପାରିଲାନି । ଅଞ୍ଜଳି ଓ ରତ୍ନମଣିର ଆକୁଳ ଚିତ୍କାରରେ ସବୁ ସ୍ତବ୍‌ଧ ହେଇଗଲା । ଚିତ୍କାର ପରେ ପରେ ଅଞ୍ଜଳି କାନ୍ଦିବା ଆରମ୍ଭ କରି ଦେଇଚି । ଅରବିନ୍ଦକୁ ଚାକର ହାତରେ ତଳଖଞ୍ଜାକୁ ବିଦା କରିଦେଲା । ଛୋଟ ପୁଅର କଣ ହେଇ ଯାଉଚି, ଗୋଡ଼ ଛନ୍ଦିରି ହାତ ମୁଠା ମୁଠା କରି ଦେଉଚି । ଆଖିର ଡୋଳା ରହି ରହି ଓଲଟାଇ ପକଉଚି । ଅଞ୍ଜଳିର କାନ୍ଦଣାରେ ପଡ଼ାର ଲୋକମାନେ ମଧ୍ୟ ଉଠି ଆସିଲେ ।

 

ବୈଠକ ଘରୁ ଧାଇଁ ଆସି ନିରଞ୍ଜନ ଅବାକ୍‌ ହେଇ ଅନେଇ ରହିଲା ପୁଅକୁ । ମାତ୍ର ପନ୍ଦର ଦିନର ଛୁଆ, ଦିନବେଳେ ଖୁବ ଭଲ ଥିଲା, କଣ ହେଲା ହଠାତ୍‌ । ପାଖରେ ନଇଁପଡ଼ି ନିରଞ୍ଜନ ଛୁଆଟିର ଛାତିର ସ୍ପନ୍ଦନ ଦେଖିବାକୁ ଚେଷ୍ଟା କଲା । ତାର ଆଖିରେ ପଡ଼ିଲା ପୁଅ ଦେହରେ ଠାଏଠାଏ ମନ୍ଦାମନ୍ଦା ନେଳିଆ ଦାଗ ଫୁଟି ଉଠିଚି । କେତୋଟି ସ୍ଥାନ ନାଲିଆ ନାଲିଆ ମଧ୍ୟ ହେଇ ଯାଇଚି । ପୁଅର ଏପରି ଅବସ୍ଥା ଦେଖି ସେ ମଧ୍ୟ ଭିତରେ ଭିତରେ ଭାଙ୍ଗି ପଡ଼ିଲା । କିନ୍ତୁ ବାହାରେ ଦୃଢ଼ତା ପ୍ରକାଶ କରି ଅଞ୍ଜଳି ପ୍ରଭୃତିଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କଲା । ଅଞ୍ଜଳି ସେତେବେଳକୁ ତାର ଆରାଧ୍ୟ ଦେବତାଙ୍କ ପାଖରେ ଆରାଧନା ଆରମ୍ଭ କରି ଦେଇଚି; ଯେମିତି ଯା’ କିଛି ହେବ ସେଇଠି, ଏ ମଣିଷଙ୍କ ହାତରେ କିଛି ନାହିଁ ।

 

ଆଉ କାହା ହାତରେ କାମ ନ କରାଇ ନିଜେ ସାଇକେଲଟା ଧରି ନିରଞ୍ଜନ ଡାକ୍ତର ଡାକିବାକୁ ଚାଲିଗଲା । ପ୍ରାୟ ଦଶ ମିନିଟ ପରେ ସେ ଡାକ୍ତର ଧରି ଆସି ପହଞ୍ଚିଲା । କିନ୍ତୁ ସେତିକି ସମୟ ଭିତରେ ପିଲାଟିର ଅବସ୍ଥା ଆହୁରି ଖରାପ ହେଇ ଯାଇଚି । ରୋଗ ନିରୂପଣ କରି ନ ପାରିଲେ ମଧ୍ୟ ଡାକ୍ତର ଅଗତ୍ୟା ଚିକିତ୍ସା କରିବାରେ ଲାଗିଗଲେ । କେତୋଟି ଅମୋଘ ଔଷଧ ଓ ଇଞ୍ଜେକ୍‌ସନ ଦୈବକୃପାରୁ ଆବିଷ୍କୃତ ହୋଇଚି । ତାହାରି ଉପରେ ଭରସା ରଖି ଡାକ୍ତର ନିଜର ଦକ୍ଷତା ଓ ଅଭିଜ୍ଞତା ଛୋଟ ପିଲାଟିର ଦେହ ଖଣ୍ଡକରେ ପ୍ରୟୋଗ କରିବାରେ ଲାଗିଲେ । ପ୍ରାୟ ଅଧ ଘଣ୍ଟାଏ ଖଣ୍ଡେ ତାଙ୍କର ଏଭଳି ଚିକିତ୍ସାର ନାନାପ୍ରକ୍ରିୟା ଚାଲିଲା । କିନ୍ତୁ ଶିଶୁଟି ଦେହରେ କୌଣସି ଅନୁକୂଳ ପରିବର୍ତ୍ତନ ଦେଖାଗଲାନି । ସକାଳଯାଏ ଅପେକ୍ଷା କରିବାକୁ କହି ଅବଶେଷରେ ଡାକ୍ତର ବିଦାୟ ଦେଇଗଲେ । ଡାକ୍ତରଟି ବୟସ୍କ; ଆଉ ଖୁବ୍‌ ଉତ୍ତମ ଲୋକ । ନିଜର ଅଭିଜ୍ଞତା ଓ ଚିକିତ୍ସାପ୍ରଣାଳୀ ଉପରେ ତାଙ୍କର ଖୁବ ବିଶ୍ୱାସ ଥିଲେବି ଏ କ୍ଷେତ୍ରରେ ସେ ଯେମିତି ସନ୍ଦେହରେ ପଡ଼ି ଯାଇଚନ୍ତି । ସେଥିପାଇଁ ଗଲାବେଳେ ସେ କୌଣସି ଅର୍ଥ ଗ୍ରହଣ ନ କରି ଔଷଧପତ୍ରର ଦାମ ପରେ ନେବେ ବୋଲି କହି ଚାଲିଗଲେ । ନିରଞ୍ଜନର ଇଚ୍ଛା ହେଉଥାଏ, ଯେତେ ଟଙ୍କା ପଡ଼ୁ ପଛକେ, ତାଙ୍କୁ ଯେମିତି ଆଜି ରାତି ଯାକ ଏଠି ଅଟକେଇ ରଖନ୍ତା । କିନ୍ତୁ ଡାକ୍ତରଙ୍କ ମନୋଭାବ ଦେଖି ସେ ଆଉ କହିବାକୁ ସାହସ କରି ପାରିଲାନି । ତା ପରେ ଅଞ୍ଜଳିର ଆରାଧନା ରହିଛି....ସେଥିରେ କଣ ସଙ୍କଟର ଅବସାନ ହେବନି । ସବୁ ଭାବି ଶେଷକୁ ନୀରବ ରହିଲା ନିରଞ୍ଜନ ।

 

ପ୍ରାୟ ଘଣ୍ଟାକ ଭିତରେ ଶିଶୁର ଅବସ୍ଥାରେ ସାମାନ୍ୟ ଉନ୍ନତି ଦେଖାଗଲା । କିନ୍ତୁ ପାଞ୍ଚ ମିନିଟ ପରେ ପୁଣି ବ୍ୟତିକ୍ରମ । ଏହି ସମୟରେ ପୂର୍ବୋକ୍ତ ଡାକ୍ତର ହଠାତ୍‌ ଆସି ପହଞ୍ଚିଲେ । ତାଙ୍କ ସାଙ୍ଗରେ ଆଉ ଜଣେ ବଡ଼ ଡାକ୍ତରଙ୍କୁ ସେ ଆଣିଛନ୍ତି । ଉଭୟେ ମିଶି ଶିଶୁଟିକୁ ଖୁବ ପରୀକ୍ଷା କରିବାକୁ ଲାଗିଲେ । ମାତ୍ର ଆଶାର କୌଣସି ସନ୍ଧାନ ପାଇଲାଭଳି ସେମାନଙ୍କ ଭାବଭଙ୍ଗୀରୁ ଜଣାଗଲାନି । ବଡ଼ ଡାକ୍ତର ଜଣକ ପୂର୍ବବର୍ତ୍ତୀ ଡାକ୍ତରଙ୍କ ଔଷଧ ପ୍ରୟୋଗର ସବୁ ବିବରଣୀ ସଂଗ୍ରହ କଲେ । ତାଙ୍କର ଯେମିତି ବିଶ୍ୱାସ ହେଲା, ଚିକିତ୍ସା ଠିକ୍‌ ଧାରାରେ ଚାଲିଚି । ଯାହା ଔଷଧ ଦିଆ ହେଇଚି ସେଥିରେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ପରେ ହୁଏତ ଅନ୍ୟ ଚିକିତ୍ସା ଚାଲିବ । ସମସ୍ତଙ୍କୁ ଆଶ୍ୱାସନା ଦେଇ ସେମାନେ ଶେଷରେ ଚାଲିଗଲେ । ନିରଞ୍ଜନ ବଡ଼ ଡାକ୍ତରଙ୍କୁ ପଚାଶଟି ଟଙ୍କା ବିଦାକି ଦେଲା । ସେତକ ଚଟ୍‌କରି ପକେଟରେ ପକେଇ ଗମ୍ଭୀର ମୁହଁରେ ସେ ମଟରରେ ଚଢ଼ି ବାହାରି ଗଲେ । ତାଙ୍କ ଭାବଭଙ୍ଗୀରୁ ଜଣାଗଲା, ଯେମିତି ଅବସ୍ଥା ଖୁବ ସାଙ୍ଘାତିକ ଆଉ ଏ ବିଦାକି ଅତି ସାମାନ୍ୟ । ନିରଞ୍ଜନ କିନ୍ତୁ ନିରୂପାୟ ହେଇ କେବଳ ଅନେଇ ରହିଲା ପଛରେ ।

 

ଏହା ଭିତରେ ଗୋବିନ୍ଦ ଆଉ ଅରବିନ୍ଦକୁ ଖୋଇ ପେଇ ଶୁଆଇ ଦିଆ ହେଇଚି । ଅନ୍ୟ ସମସ୍ତେ ଅଭୁକ୍ତ ଆଉ ଅନିଦ୍ରା । ରାତି ପ୍ରାୟ ଗୋଟାଏ ବାଜି ଗଲାଣି । ରାତିଟା କୌଣସି ମତେ କଟିଯାଉ, ସକାଳେ ନୂତନ ଚିକିତ୍ସା ଚାଲିବ–ନିରଞ୍ଜନ ମନେ ମନେ ଏହି ଆଶା ଧରି ବସିଚି । ଶିଶୁଟିର ପାଖରେ ବସି ରହିଚି ଅଞ୍ଜଳି । ତା ପାଖକୁ ରତ୍ନମଣି । ନିରଞ୍ଜନ ବସି ରହିଚି ଟିକିଏ ଦୂରକୁ । ଟିକିଏ ଦୂର ଛଡ଼ାରେ ବସି ଚାକର କୁରୁପା ଢୋଳଉଚି । ଖବର ପାଇ ନିରଞ୍ଜନ ଅଫିସର ଦୁଇଜଣଯାକ କିରାଣି ମଧ୍ୟ ଆସିଛନ୍ତି । ପ୍ରବଣ ମଧ୍ୟ ରହି ଯାଇଚି । ସମସ୍ତେ ବୈଠକଖାନାରେ ବସି ଶୁଭ ମୁହୂର୍ତ୍ତର ପ୍ରତୀକ୍ଷା କରୁଚନ୍ତି । କିନ୍ତୁ ସେ ମୁହୂର୍ତ୍ତ ଆଉ ଆସିଲାନି । ଠିକ୍‌ ରାତି ସାଢ଼େ ଗୋଟାବେଳେ ନିରଞ୍ଜନର ଘରଟି ବୁକୁଫଟା କରୁଣ ଚିତ୍କାର ଓ ଆକୁଳ କ୍ରନ୍ଦନର କେନ୍ଦ୍ରଭୂମିରେ ପରିଣତ ହେଲା । ଯେଉଁ ଶିଶୁଟି ଠିକ୍‌ ପନ୍ଦର ଦିନ ତଳେ ଏ ଘରେ ଅଭିନବ ଆନନ୍ଦର ପ୍ରଦୀପ ଜାଳି ଦେଇଥିଲା, ତାହା ଆଜି ହଠାତ୍‌ ନିର୍ବାପିତ ହେଇଗଲା ।

 

ଚଟାଣରେ ମୁଣ୍ଡ ପିଟିଦେଲା ଅଞ୍ଜଳି । ନିରଞ୍ଜନ ମଧ୍ୟ ସାହସ ହରେଇ ଭୋ ଭୋ ହେଇ କାନ୍ଦିଉଠିଲା । ରତ୍ନମଣିର କାନ୍ଦଣାର ସ୍ୱର ଗଗନ ପବନ ମଥିତ କରି ଏକ ଅନନୁଭୂତ ଆର୍ତ୍ତ-କାତର ପରିସ୍ଥିତି ସୃଷ୍ଟି କରିଦେଲା ।

 

କିଛିକ୍ଷଣ ପରେ ନିରଞ୍ଜନ ଆଖି ଦିଟାକୁ ମେଲା କରି ଶିଶୁଟିକୁ ଚାହିଁ ରହିଲା ଅସ୍ୱାଭାବିକ ଭାବରେ । ତା’ପରେ ତାକୁ ଅତି ଧୀରେ ତୋଳି ଆଣିଲା କୋଳକୁ । ଘରସାରା ବୁଲି ବୁଲି କାନ୍ଥରେ ସଜ୍ଜିତ ହୋଇଥିବା ସବୁ ଦେବଦେବୀଙ୍କ ଛବିକୁ କରୁଣ ଆଖିରେ ଚାହିଁଲା । କୋଳରେ ପୁଅ ଯେମିତି ତାର ଶୋଇ ରହିଚି, ଏହି ଦେବତାମାନଙ୍କ ଆଶୀର୍ବାଦରେ ସେ ପୁଣି ଜାଗିଉଠିବ । କ୍ଷଣକପରେ ଗୋଟାଏ ବିରାଟ ଚିତ୍କାର କରି ସେ ହସିଉଠିଲା । ତାପରେ ମୃତ ଶିଶୁଟିକି ଆଣି ଶୁଆଇଦେଲା ଝୁଲାରେ । ପାଗଳ ପରି ଝୁଲାଟାକୁ ବସି ଦୋହଲାଇବାରେ ଲାଗିଲା-। ନାରୀ କଣ୍ଠର କରୁଣ କ୍ରନ୍ଦନ ସେପର୍ଯ୍ୟନ୍ତ ଅବିରାମ ଗତିରେ ଚାଲିଚି । ରତ୍ନମଣି ଦେଖିଲାଣି, ଅଞ୍ଜଳିର ମୁଣ୍ଡଫାଟି ରକ୍ତ ବୋହିବାରେ ଲାଗିଚି, କିନ୍ତୁ ସେ ନିରୁପାୟ ହେଇ ଅନେଇ ରହିଚି କେବଳ ।

 

୧୯

 

ଛୋଟ ପୁଅଟି ମରିଯିବା ଦିନଠାରୁ ଅଞ୍ଜଳି ପ୍ରାୟ ବୋକା ପାଲଟିଗଲା । ପିଲାଟିର ମୃତ୍ୟୁ ତା ପକ୍ଷରେ ଯେପରି ବିରାଟ ଏକ ବିପର୍ଯ୍ୟୟ ସୃଷ୍ଟିକରି ଦେଇଗଲା । ପୂର୍ବର ନୀତି, ନିଷ୍ଠା, କର୍ତ୍ତବ୍ୟପରାୟଣତା ପାଳନ କରି ଚଳିବା ତା ପକ୍ଷରେ ଆଉ ପ୍ରାୟ ସଂଭବ ହେଲାନି । ଜଳକା ପରି ଅନେକ ସମୟରେ ଚାହିଁ ରହେ ଅରବିନ୍ଦକୁ । ଯେମିତି ସବୁ ମାୟା, ଗୋଟାଏ ବୁଦ୍‌ବୁଦ୍‌ ଭଳି ଏହି ଶିଶୁର ବିକାଶ, କିଛି ସ୍ଥାୟୀ ନୁହେଁ । ଚମକିପଡ଼େ ପରମୁହୂର୍ତ୍ତରେ । ଅରବିନ୍ଦକୁ ଖୁବ୍‌ ଜୋରରେ ଯାକି ଧରେ ନିଜର ବକ୍ଷରେ ନା ନା.....ମାୟା ନୁହେଁ....ସେ ଏଇ ଦେହର ଅଂଶ...... । ପୁଣି ଭାବେ, ନା ନା....ତା ଦେହର ଅଂଶ ସେଇ ଛୋଟ ଛୁଆଟି...ସେ ଗୋଟିଏ ପାଣି ଫୁଟୁକା ଭଳି କୁଆଡ଼େ ନିଭି ଯାଇଚି । ଏ ତାର ବାପାର ଅଂଶ...ପରମ ପବିତ୍ର ଲୋକ ତାର ବାପା....ତାରି ଅଂଶ । ବାପାର ମନ ତାର ବଜ୍ର ଭଳି କଠିନ....ସେଇ ବାପର ପୁଅ ଅରବିନ୍ଦ....ସେ ବଜ୍ର ହେଇ ରହିବ..... । ଭାବି ଭାବି ଅରବିନ୍ଦକୁ ଧରି ଜୋର୍‌ରେ ଚୁମା ଖାଏ । ଅରବିନ୍ଦକୁ କୋଳରେ ଧରି ଚାରିଆଡ଼େ ତନ୍ନତନ୍ନ କରି ବୁଲେ । କୋଉଠି ଯେମିତି ଶୋଇପଡ଼ିଚି ତାର ସାନ ପୁଅଟି । ହଜି ଯାଇଚି । ତାକୁ ଖୋଜି ଆଉ ବାହାର କରି ହବନି ? ଚାଲିଗଲା ଦାଣ୍ଡ ଦୁଆର ମୁହଁକୁ । ଏଇବାଟେ ସେଦିନ ତାକୁ ନେଇ ଚାଲିଗଲେ । କୁଆଡ଼େ ନେଲେ ? କୋଉଠି ରଖିଲେ ତାକୁ ? କୋଉଠି ରହିଲା ସେ ଆଜିଯାଏ ? ଖରା କାକରରେ କୋଉଠି ରହିଚି ? କ’ଣ ଖାଉଛି ?

 

ଆଖିରେ ତାର ପୁଅର ଗୋରା ଦେହର ମାଂସ ପିଣ୍ଡୁଳାଟି ନାଚି ଉଠିଲା । ତାର ଆଖି, ନାକ, କଳା ବାଳକେରାକ ସବୁ ଗୋଟି ଗୋଟି ହେଇ ଖେଳିଗଲା । ଆଉ ଚାହିଁ ପାରିଲାନି ସେ ଆଗକୁ ଯେମିତି ନିପଟ ଶଠତା ଧରି ତା ମୁହଁକୁ ଚାହିଁଚି ଏଇ ପୃଥିବୀ । ମୁହଁ ବୁଲେଇ ଫେରି ଠିଆ ହେଲା ଖଞ୍ଜାଆଡ଼କୁ । ହଠାତ୍‌ ଆଖି ପଡ଼ିଲା ତାର ଦ୍ୱାରବନ୍ଧ ଉପରେ । ନବଗ୍ରହର ଚିତ୍ର । ଅନେଇ ରହିଲା ନିର୍ନିମେଷ ଆଖିରେ । ଝରଝର କରି ଲୁହ ବୋହିଗଲା ତାର ଆଖିରୁ ।

 

ନିରଞ୍ଜନ କେତେକ ଭାବରେ ପ୍ରକୃତିସ୍ଥ ହୋଇଥିଲେ ମଧ୍ୟ ପୁତ୍ରଶୋକ ଭୁଲିନି । ସେଥିରେ ଅଞ୍ଜଳିର କାତରତା ତାକୁ ଅଧିକ ବିଭ୍ରାନ୍ତ କରିଦେଇଚି । ତାର ଆଶ୍ରୟ ହେଇଚି ଗୋବିନ୍ଦ-। ଯେମିତି ଅରବିନ୍ଦ ଉପରେ ତାର ଭରସା ନାହିଁ । ଦେବତାର ଆଶୀର୍ବାଦ ବିରୁଦ୍ଧରେ ଅଭିଯାନ କରି ଯେମିତି ଗୋବିନ୍ଦ ଛିଡ଼ା ହେଇଚି । ଭିକ୍ଷା ଅଶ୍ରେୟ । ସେଇ ଅଶ୍ରେୟତାକୁ ପଦାଘାତ କରିଚି ଗୋବିନ୍ଦର ବିକାଶ । ଗୋବିନ୍ଦର ଜନ୍ମ ପାଇଁ ଯଜ୍ଞ ହେଇନି, ସାଧନା ହେଇନି, କାହାରିଠାରେ ଭିକ୍ଷା କରାଯାଇନି । ସେ ମନୁଷ୍ୟ ପରି ଆସିଚି ପୃଥିବୀକି । ବଞ୍ଚିବ ମନୁଷ୍ୟପରି । ଗୋବିନ୍ଦର କଥା ଭାବି ସେ ଖୁବ ଗର୍ବ ଅନୁଭବ କରେ । ଅରବିନ୍ଦକୁ ଅନେଇ ଅନେଇ ତା ଭିତରେ ଦୟା ଆସେ । ସହସ୍ର ଭିକ୍ଷାରେ ରହିଚି ଏଇ ଥାଳ । ତଥାପି ଗୋବିନ୍ଦ ଭାଇଙ୍କର ଦାୟାଦ, ଆଉ ଅରବିନ୍ଦ ତାହାରି... । ଅରବିନ୍ଦ ଭିତରୁ କେମିତି ଭିକ୍ଷାର ସେଇ ଲାଞ୍ଛନଗୁଡ଼ାକୁ କାଢ଼ି ଦେବାକୁ ହେବ, ଅନେକ ସମୟରେ ସେ ତାହାର ଚିନ୍ତା କରେ ।

 

ରତ୍ନମଣି ଏ ଘଟଣାରେ କମ ମର୍ମାହତ ହେଇନି । ଗୋଟି ଗୋଟି ହେଇ ଶିଶୁଙ୍କର ଆବିର୍ଭାବରେ ସେ ଯେମିତି କ୍ରମେ ଆତ୍ମହରା ହେଇ ଉଠୁଥିଲା । ଯେଉଁ ଆନନ୍ଦର ସଂସାର ତାର ବିନିଷ୍ଟ ହେଇଚି ତା’ ଭିତରେ ତାହାରି ସଂଧାନର ଉଦଗ୍ର ବ୍ୟାକୁଳତା ଭରି ରହିଥିଲା । ଜନ୍ମଲୀଳାର ବିକାଶ ଭିତରେ ସେ ଦେଖୁଥିଲା ତାହାରି ସ୍ୱପ୍ନ । ତାହା ଏବେ ଆଂଶିକ ନଷ୍ଟ ହୋଇଗଲା । କିନ୍ତୁ ଅଞ୍ଜଳିର ମତି ବରାବର ଧର୍ମରେ ରହିଚି......ତାର ପୁଣି ଉଜୁତି ହବ । ଅଞ୍ଜଳିର ପୁଣି ପିଲା ହବ । ଏ ବିଶ୍ୱାସ ରତ୍ନମଣିର ବଦ୍ଧମୂଳ ହେଇ ରହିଚି । ସେଥିପାଇଁ ସେ ଚାହେଁ, ଅଞ୍ଜଳି ସବୁ ଦୁଃଖ ଭୁଲିଯାଇ ପୁଣି ସ୍ୱାମୀ ସୋହାଗିନୀ ହେଉ.....ଦିନ ପୁଣି ଫେରି ଆସିବ । ଛୁଆ କଣ ଆଉ ମରିବେନି....କିନ୍ତୁ ସେ କେଡ଼େ ସୁନ୍ଦର ପୁଅଟିଏ ହେଇଥିଲା, ଯେମିତି ମଲା ପୁଅ ମଧୁସୂଦନ । ଆଖିରୁ ଲୁହ ପୋଛିନିଏ ରତ୍ନମଣି ।

 

ଦିନେ ଦିନେ ଅଞ୍ଜଳିକି ଧରି ବାସ୍ନାତେଲ ବୋଳିଦେଇ ତାର ମୁଣ୍ଡ ବାନ୍ଧିଦେବାକୁ ଚେଷ୍ଟା କରେ ରତ୍ନମଣି । ସେତେବେଳେ ଅଞ୍ଜଳି କୌଣସି ଆପତ୍ତି କରେନା । ପ୍ରସାଧନ ପରେ ଖୁବ୍‌ ଲୋଭନୀୟ ଦିଶେ ଅଞ୍ଜଳିର ମୁହଁ । ଆଗରେ ତାର ଦର୍ପଣ ଦେଖାଏ ରତ୍ନମଣି । ପିଠିରେ ତାର ନାଉ ହେଇ ଖେଳୁଥାଏ ଅରବିନ୍ଦ । ଅଞ୍ଜଳି ବହୁ କଷ୍ଟରେ ଶୁଖିଲା ହସଟିଏ ହସି ଦିଏ । କିନ୍ତୁ ଅଞ୍ଜଳିର ସେ ପ୍ରସାଧନ ପରିପାଟୀ ବେଶି ସମୟ ରହେନା । ରତ୍ନମଣି ଦେଖେ ପ୍ରାୟ ପାଞ୍ଚ ମିନିଟ ପରେ ବାଳସବୁ ତାର ମୁକୁଳା ହେଇ ଝୁଲୁଚି । ଅଳ୍ପ ସମୟ ଭିତରେ ସଫା ବାସି ଲୁଗାଟା ମଇଳା ହେଇ ଗଲାଣି । ଅଞ୍ଜଳିର ମନ ଫେରେଇବା ପାଇଁ ରତ୍ନମଣି ପୁଣି ନାନା ଉପାୟ ଚିନ୍ତାକରେ । କିନ୍ତୁ ସହଜରେ କିଛି କୂଳକିନାରା ପାଏନା ।

 

ଏହିପରି ଅବସ୍ଥା ଭିତରେ ତିନିମାସ ଗତ ହୋଇଗଲା । କିଂନ୍ତୁ ଅଞ୍ଜଳିର ସେହି ଏକ ଭାବ, ମନ ତାର କେଉଁଥିରେ ହେଲେ ବସିଲାନି । ବିଶେଷ କାର୍ଯ୍ୟବ୍ୟସ୍ତ ରହି ଏହା ଭିତରେ ନିରଞ୍ଜନ ଅତୀତର ସବୁ ଘଟଣାକୁ ଗୋଟା ଦୁଃସ୍ୱପ୍ନ ଭଳି ଭୁଲିଯିବାକୁ ଚେଷ୍ଟାକରି କେତେକାଂଶରେ ସଫଳ ହେଇଚି । ମାତ୍ର ସେ ବିବ୍ରତ ହେଇପଡ଼ିଚି ଅଞ୍ଜଳି ଲାଗି । ଯେମିତି ବୃନ୍ତରୁ ଖସି ଝଡ଼ରେ ଉଡ଼ି ଉଡ଼ି ଗୋଟିଏ ଚମ୍ପାଫୁଲର ଯାହା ଦଶା ହୁଏ ଅଞ୍ଜଳିର ଅବସ୍ଥା ପ୍ରାୟ ସେହିଭଳି ହେଇଚି । ଅଞ୍ଜଳିକୁ ଦେଖି ନିରଞ୍ଜନର ଖୁବ ଦୟା ହୁଏ । ବିଧାତାକୁ ପାଇଲେ ସେ ଯେମିତି ତାର କାନ ମୋଡ଼ି ଦିଅନ୍ତା, ଆଉ ତାକୁ ଆଦେଶ ଦେଇ ଅଞ୍ଜଳି କୋଳରେ ଶହେଟି ପୁତ୍ର ଜନ୍ମବିଧାନ କରି ଦିଅନ୍ତା । ପାଖକୁ ଲାଗି ଆସି ବେଳେବେଳେ ଅଞ୍ଜଳିକି କଣ କହିବାକୁ ଚେଷ୍ଟାକରେ, ପାରେନା । ଅଞ୍ଜଳିକି ଭିଡ଼ିଧରି ପୂର୍ବର ସେଇ ନୀଡ଼ ଭିତରକୁ ଫେରିଯାଇ ସଂସାରକୁ ଭୁଲିଯିବାକୁ ମଧ୍ୟ ସେ ଇଚ୍ଛାକରେ । କିନ୍ତୁ ସାହସ ପାଏନା । ଧରାଛୁଆଁର ଖୁବ ଦୂରକୁ ଚାଲି ଯାଉଛି ଯେମିତି ଅଞ୍ଜଳି । ପଛରୁ ନିରଞ୍ଜନ କେବଳ ହତାଶ ହେଇ ଅନେଇ ରହେ । ତାରି ସ୍ତ୍ରୀ, ତାରି ପୁତ୍ର, ସମସ୍ତେ କିନ୍ତୁ ଦୂରକୁ ଦୂରକୁ ଚାଲିଯାଇଛନ୍ତି । ଧରି ହୁଏନା କାହାକୁ । ଭାଙ୍ଗିପଡ଼େ ନିରଞ୍ଜନ ।

 

ଜୀବନର ଗତି ତା’ହେଲେ କ’ଣ । କର୍ମ ! କେତେ କାମ ପୁଣି ସିଏ କରିବ । କାମ କରି କରି ଫେରିଆସେ ଘରକୁ–ଯେଉଁ ଘର ଦିନେ କେବଳ ଆନନ୍ଦର ନୀଡ଼ ଥିଲା, ସେଠିକି ସେ ଆଜି ଆଉ କାହିଁକି ଫେରିବ । କିନ୍ତୁ ସ୍ୱୟଂଚାଳିତ ହେଇ ଗୋଡ଼ ଦି’ଟା ତାର ଚାଲି ଚାଲି ଆସି ଘର ଦୁଆର ଆଗରେ ଲାଗିଯାଏ । କାନ୍ଥକୁ ଧରି ପିଣ୍ଢା ଉପରେ ଅରବିନ୍ଦ ‘‘ବା ବା’’ କହି ଚାଲିଆସେ । ତାହାରି ଦାୟାଦ ଏହି ଶିଶୁଟି । ପୃଥିବୀରେ ଏହି ଶିଶୁଟି ତାହାରି ସ୍ମୃତିରକ୍ଷା କରିବ । ଅରବିନ୍ଦକୁ କୋଳ କରିନିଏ, ନିରଞ୍ଜନ । ନିତି ନିତି ନୂଆ ନୂଆ ଖେଳନା ଆଣି ଘର ଭର୍ତ୍ତି କରିଦିଏ । ସେଥିରୁ କେତୋଟି ଖେଳନା ମଧ୍ୟ ଅରବିନ୍ଦ ଭାଙ୍ଗିଦେଇ ସାରିଲାଣି । ଭଙ୍ଗା ଖେଳନାଗୁଡ଼ାକ ନିରଞ୍ଜନ ଆଖିରେ ବିଚିତ୍ର ଭାବନା ଧରି ଫୁଟି ଉଠେ । ତା ହେଲେ ତାର ସେଇ ଛୋଟ ଛୁଆଟିକି ଏଇ ଖେଳନା ପରି କିଏ କଣ ଭାଙ୍ଗିଦେଲା ? ତା ପରେ ଖେଳନାଗୁଡ଼ାକୁ ନ ଭାଙ୍ଗିବାକୁ ସେ ଅରବିନ୍ଦକୁ ବୁଝାଇବାରେ ଲାଗେ । ପରମୁହୂର୍ତ୍ତରେ ଅରବିନ୍ଦ ହୁଏତ ଆଉ ଗୋଟିଏ ଖେଳନା ଭାଙ୍ଗିଦିଏ । ନିରଞ୍ଜନ ନିରୁପାୟ ହେଇ ଅନେଇ ରହେ ନିଜର ପୁଅକୁ । ସ୍ରଷ୍ଟାବୋଲି ଯଦି କେହି ଅଛି ତା ହେଲେ ସେ ଏଇ ଅରବିନ୍ଦ ଭଳି ଗୋଟିଏ ଶିଶୁ । ସେ ଗଢ଼େ ଆଉ ଭାଙ୍ଗେ । ତାର ଭାଙ୍ଗିବାରେ ଅନ୍ୟର ଯେ କେତେ ଦୁଃଖ ହୁଏ, ସେ ଆଦୌ ସେ କଥା ଜାଣେ ନା ।

 

ଏ ସବୁ ଯେତେ ଚିନ୍ତା କଲେବି ନିରଞ୍ଜନ କିନ୍ତୁ ଅଞ୍ଜଳିକି କିଛି କହି ପାରେ ନା । ରାତିରେ ଏକାଠି ଶୋଇ ଅଞ୍ଜଳିର ମୁହଁ ଉପରେ ମୁହଁ ରଖି ତାକୁ କେତେ କଥା କହି ଯିବାକୁ ନିରଞ୍ଜନର ଇଚ୍ଛା ହୁଏ । କିନ୍ତୁ କାର୍ଯ୍ୟରେ କିଛି କରି ହୁଏ ନା । ଅଞ୍ଜଳି ବିଲକୁଲ ବଦଳି ଯାଇଚି । ଯେମିତି ଅରବିନ୍ଦ ଉପରେବି ତାର ଆଉ ଆସ୍ଥା ନାହିଁ । କାନ୍ଥର ଦେବଦେବୀ ଚିତ୍ରଗୁଡ଼ିକରେ ବହୁତ ଧୂଳି ଜମି ଗଲାଣି, ତେଣିକି ମଧ୍ୟ ଅଞ୍ଜଳିର ଆଉ ନିଘା ନାହିଁ । ଯେମିତି ଅନାସକ୍ତ ଆଉ ନିର୍ବିକାର ଭାବ । ନିରଞ୍ଜନ ସଂପୂର୍ଣ୍ଣ ରୂପେ ନିରାଶ ହେଇପଡ଼େ ।

 

ଶେଷକୁ ନିରଞ୍ଜନ ସ୍ଥିର କଲା, ଅଞ୍ଜଳିର ସ୍ଥାନ ପରିବର୍ତ୍ତନ ଦରକାର । କିଛିଦିନ ସେ ଯାଇ ରହୁ ତାର ବାପ ଘରେ । କିମ୍ୱା ତାର ଭାଇ ପାଖରେ ପୁରୀରେ । ସେଠି ଅବକାରୀ ବିଭାଗର ଅଫିସରେ ଅଛି ତାର ଭାଇ । ହଁ, ପୁରୀକି ଯାଉ । ରତ୍ନମଣି ମଧ୍ୟ ସେ ପ୍ରସ୍ତାବକୁ ସମର୍ଥନ କଲା । ଅବଶେଷରେ ତାହାହିଁ ହେଲା । ଅଞ୍ଜଳିର ଭାଇ ନିରଞ୍ଜନର ଅନୁରୋଧ ରଖି ତାକୁ ଆସି ପୁରୀକି ନେଇଗଲା ।

 

ଘରେ ରହିଲେ ରତ୍ନମଣି ଆଉ ଗୋବିନ୍ଦ । ନିଜେ ନିରଞ୍ଜନ । ଆଉ ଚାକର କୁରୁପା । ସନ୍ଧ୍ୟାରେ ଆସନ୍ତି ଗୋବିନ୍ଦର ମାଷ୍ଟର ପ୍ରଣବ ବାବୁ ।

 

ଏଣିକି ଦିନର ଅଧିକାଂଶ ସମୟ ନିରଞ୍ଜନ ପଦାରେ ରହେ । ସନ୍ଧ୍ୟାରେ ଫେରି ଗାଉଣା ବାଜଣାରେ କଟେଇଦିଏ ଅନେକ ବେଳ । ନିଧିଆ ଦିନେ ଦିନେ ତବଲା ପିଟିପିଟି ହାଲିଆ ହେଇଯାଏ । ତଥାପି ନିରଞ୍ଜନର ସଙ୍ଗୀତ ଚର୍ଚ୍ଚା ସରେନା । ଶେଷକୁ ରତ୍ନମଣିର ଆବଦାର୍‌ରେ ସଙ୍ଗୀତ ଆସର ବନ୍ଦ ହୁଏ ।

 

କିଛିଦିନପରେ ବ୍ୟବସାୟ କାମରେ ନିରଞ୍ଜନ ବାହାରିଲା କଟକରୁ ଦୂରକୁ । ବିଭିନ୍ନ ଜାଗାରେ ବିଭିନ୍ନ ବିଷୟର ସମାଧାନ କରି ଆସିବାକୁ ହେବ । ପନ୍ଦର ଦିନ ଲାଗିଯିବ । ସେହି ଅନୁସାରେ ସେ ନୂଆବୋଉକୁ ସବୁ ଜଣେଇ ଦିନେ ନିରଞ୍ଜନ ଜନତା ଗାଡ଼ି ଧରି ବାହାରିଗଲା ପଦାକୁ ।

 

କିନ୍ତୁ ନିରଞ୍ଜନ ବେଶିଦିନ ବାହାରେ ରହି ପାରିଲାନି । ତାର ଖାଲି ମନେହେଲା, ଗୋବିନ୍ଦ ଯେମିତି ଭାରି ତାକୁ ଖୋଜୁଛି । ସାତଟି ଦିନ ପରେ ସେ କଟକ ଅଭିମୁଖରେ ଫେରିଲା । ଓଃ, କଟକ ଷ୍ଟେସନ ! ଯେମିତି ଅତି ପରିଚିତ ନିଜର କ୍ୟାନଭିସ୍‌ ଇଜିଚେୟାର ଖଣ୍ଡକ । ଗାଡ଼ିରୁ ଓହ୍ଲେଇ ମନଇଚ୍ଛା ଥରେ ଷ୍ଟେସନ ସାରା ବୁଲିଗଲା ନିରଞ୍ଜନ । ଆଗରେ ଦୁଇ ତିନୋଟି ଦକ୍ଷିଣୀ ଯୁବତୀ । ବେଣୀରେ ଚମ୍ପାଫୁଲର ଗୁଚ୍ଛ । ସନ୍ଧ୍ୟାର ବିଜୁଳି ଆଲୁଅ ଭିତରେ ସେମାନଙ୍କର ବେଶ ପରିପାଟୀ ଖୁବ ସୁନ୍ଦର ଦିଶୁଚି । ରୁମାଲ କାଢ଼ି ମୁହଁ ପୋଛିଲା ନିରଞ୍ଜନ । କେଉଁ ଦୀର୍ଘ କାଳ ତଳେ ରୁମାଲରେ ବାସନା ଅତର ମାରି ଦେଇଥିଲା ଅଞ୍ଜଳି । ସବୁ ଉଡ଼ିଗଲାଣି । ପୁଣି ଥରେ ରୁମାଲ ବୁଲେଇ ଆଣିଲା ମୁହଁରେ ।

 

ଚାଲି ଚାଲି ନିରଞ୍ଜନ ଷ୍ଟେସନ ବାହାରକୁ ଆସିଲା । ଖଣ୍ଡେ ରିକ୍‌ସା ଉଦ୍ଦେଶ୍ୟରେ ଅନେଇଲା ଆଗକୁ ।

 

‘‘ଆରେ ନିରଞ୍ଜନ ବାବୁ ! ନମସ୍କାର, ନମସ୍କାର ।’’

 

ପରିଚିତ ସ୍ୱର । ନିରଞ୍ଜନ ଦେଖିଲା । ଆଗରେ ଆସି ପହଞ୍ଚିଛି ସରସୀ । ଓଠରେ ହସ-। ଦେହରେ ମଧ୍ୟ ମାଂସର ସେହି ଉଚ୍ଛ୍ୱାସ । ହାତ ଉଠେଇ ନିରଞ୍ଜନ ପ୍ରତିନମସ୍କାର କଲା-

 

‘‘ମୁଁ ଆପଣଙ୍କର ସବୁ ଘଟଣା ଜାଣିଛି । ମୁଁ ଯେଉଁଦିନ ଆପଣଙ୍କ ପାଖକୁ ଗଲି ସେଇଦିନ ଆପଣଙ୍କର ବିପର୍ଯ୍ୟୟ ଘଟିଲା । ସେଥିଲାଗି ଆଜି ଯାଏ ମୁହଁ ଲୁଚା ଦେଇ ରହିଚି । ଆଜି ପୁଣି ଦେଖା । ମୁଁ ଆଉ ଯିବିନି । ଏଥର ଆପଣ ଆମ ଘରକୁ ଆସନ୍ତୁ । ମୋ କ୍ୱାର୍ଟରଟା ହେଇ ଅଳ୍ପ ଦୂରରେ ।’’

 

ସବୁଯାକ ସରସୀର କଥା । କଥା କହିବାର ଭଙ୍ଗୀ ମଧ୍ୟ ଅପୂର୍ବ । ଗୋଟାଏ ମାଦକତା ଅଛି । କିନ୍ତୁ ନିରଞ୍ଜନ ନୀରବ । ସେ ଅନୁଭବ କଲା ତା ହାତକୁ ଭିଡ଼ି ନେଇ ଯାଉଚି ସରସୀ ଗୋଟା ସାଇକେଲ ରିକ୍‌ସା ଉପରକୁ । କିଛିହେଲେ ସେ ବାଧା ଦେଇ ପାରିଲାନି । ନୀରବରେ ଯାଇ ବସିଲା । ବଡ଼ ଚମଡ଼ା ବ୍ୟାଗ ଖଣ୍ଡକ ରଖିଲା ଆଗରେ । ଦିହିଁଙ୍କର ଦେହ ଅନେକ ସ୍ଥଳରେ ଲାଗି ଯାଇଚି ।

 

ପୁଣି ସରସୀର କଥା । ‘‘ଅଞ୍ଜଳି ପୁରୀ ଯାଇଚି ମୁଁ ଜାଣେ, ବିଜୁ ଭାଇଙ୍କ ପାଖରେ ଅଛି-। ଆପଣ ଆଉକିଛି ଖବର ପାଇଚନ୍ତି ?’’

 

ନିରଞ୍ଜନ ମୁହଁ ଟେକିଲା । ସରସୀ ଲିପ୍‌ଷ୍ଟିକ୍‌ ଘଷିଚି ଓଠରେ ।

 

‘‘ନା, ମୁଁ କିଛି ଖବର ପାଇନି । ସାତଦିନ ହେଲା ମୁଁ କଟକରେ ନଥିଲି । ହୁଏତ ୟା ଭିତରେ ଚିଠିପତ୍ର କିଛି ଆସିଥିବ....’’

 

‘‘ମୁଁ କାଲି ବିଜୁଭାଇଙ୍କଠୁ ଚିଠି ପାଇଚି, ଗୋଟା ଆଶ୍ଚର୍ଯ୍ୟ ଖବର... ।’’ ରିକ୍‌ସା ଚାଲିଚି, ସରସୀ ଉତ୍‌ଫୁଲ୍ଲ ହେଇ କହି ଉଠିଲା, ‘‘ଅଞ୍ଜଳି ୟା ଭିତରେ ପାଗଳ ହେଇ ଯାଇଥିଲା....’’

 

ସରସୀର ହାତଟାକୁ ମୁଠେଇ ଧରିଲା ନିରଞ୍ଜନ, ଆଖିରେ କେବଳ ପ୍ରଶ୍ନ । କିଛି ବିପଦର ଆଶଙ୍କା କରି ସରସୀ ହଠାତ୍‌ ଶେଷ ଧାଡ଼ିଟା କହି ବସିଲା, ‘‘କିନ୍ତୁ ସେ ହଠାତ୍‌ ଭଲ ହେଇ ଯାଇଚି । ଦିନେ ସମୁଦ୍ର କୂଳରେ ବୁଲୁ ବୁଲୁ ସେ ସମୁଦ୍ରକୁ ଡେଇଁ ପଡ଼ିଲା । ତାପରେ ତାକୁ ବହୁକଷ୍ଟରେ ପାଣିରୁ ଉଦ୍ଧାର କରାଗଲା । କିନ୍ତୁ ଆଶ୍ଚର୍ଯ୍ୟକଥା, ତା ପରଠଉଁ ସେ ସଂପୂର୍ଣ୍ଣ ଭଲ ହେଇଯାଇଚି ବୋଲି ବିଜୁଭାଇ ଲେଖିଚନ୍ତି ।’’

 

ନିରଞ୍ଜନ ଉଦ୍‌ଗ୍ରୀବ ହେଇ ପଚାରିଲା, ‘‘ଏସବୁ ସତ, ଅଛି ଆପଣଙ୍କର ପାଖରେ ସେ ଚିଠି ?’’

 

‘‘ଆରେ, ମୁଁ ଆଉ କଣ ମିଛରେ କହୁଚି !’’

 

ଉଭୟେ ଆସି ସରସୀର ଘରେ ପହଞ୍ଚିଲେ । ଚିଠି ଦେଖିଲା ନିରଞ୍ଜନ ସବୁକଥା ସତ ।

 

ମୁହଁରୁ ଝାଳ ପୋଛୁ ପୋଛୁ ଗୋଟାଏ ସୋଫାରେ ବସିପଡ଼ିଲା ନିରଞ୍ଜନ । ତାର କିଛି ପିଇବାକୁ ଇଚ୍ଛା ହେଉଥିଲା, କିନ୍ତୁ ତା ପରିବର୍ତ୍ତରେ ଗୋଟା ସିଗାରେଟ ବସି ଟାଣିଲା । ତେବେ ଭଲ ହେଇ ଯାଇଚି ଅଞ୍ଜଳି । ଆଶ୍ୱସ୍ତିର ନିଶ୍ୱାସ ଗୋଟିଏ ବହିଗଲା ।

 

ଏହି ସମୟରେ ଗ୍ଲାସ୍‌ରେ ସରବତ ଧରି ପହଞ୍ଚିଲା ସରସୀ । ନିରଞ୍ଜନ ତା ହାତରୁ ଗ୍ଲାସଟା ଛଡ଼େଇ ନେଇ ଢକ୍‌ ଢକ୍‌ କରି ପିଇଗଲା । ତା ପରେ ସୋଫା ଉପରକୁ ଗୋଡ଼ ଟେକି ସେ ଲମ୍ୱ ହେଇ ଶୋଇ ପଡ଼ିଲା । ମିନିଟିକ ଭିତରେ ନିଦ ଘୋଟିଗଲା ଆଖିରେ ।

 

ପ୍ରାୟ ଦଶଟାବେଳେ ସରସୀ ଡାକରେ ନିରଞ୍ଜନ ଉଠି ବସିଲା । ଆଗର ଟେବୁଲରେ ରାତି ଭୋଜନର ଆୟୋଜନ ହେଇଚି । ଆଗରେ ଧନଞ୍ଜୟ ବସିଚି । କର ମର୍ଦ୍ଦନ କରି ହାତଟାକୁ ତାର ଖୁବ ଜୋରରେ ଦୋହଲାଇ ଦେଲା ନିରଞ୍ଜନ । ଖାଇ ସାରି ସେ ଏଗାରଟା ବେଳେ ଫେରିଲା ଘରକୁ ।

 

ସରସୀର କ୍ୱାଟରଠାରୁ ନିରଞ୍ଜନର ଘର ପ୍ରାୟ ଦୁଇମାଇଲ ବାଟ । ପ୍ରଧାନ ରାସ୍ତା ଭାଙ୍ଗି ଗୋଟିଏ ଗଳି ଭିତରେ ଘର । ଗଳି ମୁଣ୍ଡରେ ସାଇକେଲ ରିକ୍‌ସାର ବତୀ ନିଭିଗଲା । ତେଲଙ୍ଗା ରିକ୍‌ସାବାଲା । କୋଉଦିନ ପୁଲିସର ଚାବୁକ ବାଜିଚି ପିଠିରେ, ସେଥିଲାଗି ପୁଲିସର ନାମଗନ୍ଧ ନଥିବା ଗଳିରେ ମଧ୍ୟ ସେ ବିନା ଆଲୁଅରେ ରିକ୍‌ସା ଚଳେଇବାକୁ ମଙ୍ଗିଲାନି । ବ୍ୟାଗଖଣ୍ଡିକୁ କାନ୍ଧରେ ବସେଇ ନିରଞ୍ଜନ ଘରଯାଏ ଚାଲି ଚାଲି ଆସିଲା ।

 

ଦ୍ୱାର ମୁହଁରେ ପହଞ୍ଚି ନିରଞ୍ଜନ ଆଶ୍ଚର୍ଯ୍ୟ ହେଲା । ଚାରିଆଡ଼େ ଶୂନଶାନ । ଗୋବିନ୍ଦ ପଢ଼ୁନି, ତା ମାଷ୍ଟରର ପାଟି ଶୁଣା ଯାଉନି । ନୂଆବୋଉ ଆଉ କୁରୁପା କଣ କରୁଛନ୍ତି । କାହାରି ହେଲେ ପାଟି ଶୁଭୁନି । କଣ ହେଲା ? ବିପଦ ଆଶଙ୍କାରେ ନିରଞ୍ଜନର ଗୋଟିକ ଯାକ ଛାତି ଥରିଗଲା ।

 

କବାଟ ଭିତରୁ ଦିଆ ହେଇଚି । ମନର ବ୍ୟସ୍ତତା ଭିତରେ ନିରଞ୍ଜନ କବାଟରେ ଜୋର୍‌ରେ ଧକ୍‌କା ମାରିଲା । ଦୁଇ ତିନି ଧକ୍‌କା ପରେ କବାଟ ଖୋଲିଲା । ଆଗରେ ଠିଆ ହେଲା ଗୋବିନ୍ଦର ମାଷ୍ଟର ପ୍ରଣବ ବାବୁ କିନ୍ତୁ ତା ଆଗରେ ନିରଞ୍ଜନକୁ ଦେଖି ସେ ଭୟରେ କାଠ ପାଲଟିଗଲା । ନିରଞ୍ଜନ ଏହାର ରହସ୍ୟ କିଛି ବୁଝିପାରିଲା ନି । କେବଳ ସନ୍ଦେହରେ ବିଚଳିତ ହେଇ ପଡ଼ିଲା ।

 

‘‘ଗୋବିନ୍ଦ’’ ‘‘ଗୋବିନ୍ଦ’’ ଡାକି ପଶିଗଲା ଭିତରକୁ ।

 

ଅଗଣା ଭିତରକୁ ଯାଉଁ ଯାଉଁ ହଠାତ୍‌ ନିଜ ଘର ଭିତରେ ତାର ଆଖି ପଡ଼ିଲା । ଘରଟା ଖୋଲା, ପୁଣି ବିଜୁଳି ଆଲୁଅ ବିଞ୍ଚି ହେଇ ପଡ଼ିଚି ଘର ସାରା । ପଙ୍ଖାବୁଲିବାର ଶବ୍ଦ ମଧ୍ୟ ଶୁଭୁଛି । ଘର ଭିତରକୁ ପଶିଗଲା ନିରଞ୍ଜନ । କବାଟ କଣରେ କାଠ ପିତୁଳା ପରି ଛିଡ଼ାହେଇଚି ତାରି ନୂଆବୋଉ ରତ୍ନମଣି । ଘରଟା ଅତର ଗନ୍ଧରେ ମହକି ଉଠୁଚି । ପଲଙ୍କ ଉପରେ ଅଞ୍ଜଳିର ବିଛଣା ସବୁ ବିଶ୍ରସ୍ତ ହେଇ ପଡ଼ିଚି । କାନ୍ଥରେ ତାଙ୍କ ଆରାଧ୍ୟ ଦେବତାର ଛବି । ନିରଞ୍ଜନର ଆଖିରୁ ନିଆଁ ଖସି ପଡ଼ିବାକୁ ଲାଗିଲା ।

 

ଘରୁ ବାହାରି ଆସି ନିରଞ୍ଜନ ବାହାର ପିଣ୍ଡାରେ ବସି ପଡ଼ିଲା । ସେଇ ପକ୍‌କା ଚଟାଣରେ ମୁଣ୍ଡଟାକୁ ଖୁବ ଜୋରରେ ପିଟି ଦେଲେ ସେ ଯେମିତି ରକ୍ଷା ପାଇ ପାରନ୍ତା । କିନ୍ତୁ ପରମୂହୁର୍ତ୍ତରେ ନିଜକୁ ସେ ଖୁବ ଅଦ୍ଭୁତ ଭାବରେ ରକ୍ଷାକଲା । ଘର ଭିତରକୁ ଫେରିଯାଇ ରତ୍ନମଣିର ଗୋଡ଼ ତଳେ ଲମ୍ୱ ହେଇ ପଡ଼ିଯାଇ କହିଲା, ‘‘ମୋର ଗୋବିନ୍ଦ କୋଉଠି ଅଛି କୁହ ନୂଆବୋଉ ! ତାକୁ ଦେଖିବା ପାଇଁ ମୁଁ ସବୁକାମ ଛାଡ଼ିକରି ପଳେଇ ଆସିଚି । କୁହ ନୂଆବୋଉ ।’’

 

ରତ୍ନମଣି ନୀରବ ।

 

କିନ୍ତୁ ରତ୍ନମଣିର ସେ ନୀରବତା ନିରଞ୍ଜନ ପକ୍ଷରେ ଅତି ଅସହ୍ୟ ହେଲା । ତଳୁ ଉଠି ସେ ଠିଆ ହେଇପଡ଼ି ଚିତ୍କାର କରି କହିଲା–‘‘ଗୋବିନ୍ଦ କାହିଁ ନୂଆବୋଉ ?’’

 

ରତ୍ନମଣି ଲଜ୍ଜା, ଅପମାନ, ଆତ୍ମଗ୍ଳାନି ଓ ଭୟରେ ଥରିବାକୁ ଲାଗିଲା । ଥରି ଥରି ସେ ଦୁଲ୍‌ କରି ତଳେ କଚାଡ଼ି ହେଇ ପଡ଼ିଲା । ଏହି ସମୟରେ ଦ୍ୱାର ମୁହଁରେ ଗୋବିନ୍ଦ ଆଉ କୁରୁପାର ସ୍ୱର ଶୁଣାଗଲା । ନିରଞ୍ଜନ ଦୌଡ଼ି ଯାଇ ଗୋବିନ୍ଦକୁ କୋଳରେ ପୂରେଇ ଅଗଣାରେ ଅଥୟ ହେଇ ବୁଲିବାକୁ ଲାଗିଲା । ପ୍ରଣବ ଏହା ଭିତରେ ନରକର ଏକ କୃମି ପରି ନିଜର ସତ୍ତା ଅନ୍ତର୍ହିତ କରି ନେଇଚି ।

 

ଗୋବିନ୍ଦଠାରୁ ନିରଞ୍ଜନ ଜାଣିଲା, କୁରୁପା ସାଙ୍ଗରେ ସିଏ ଥିଏଟର ଦେଖି ଯାଇଥିଲା । କୁରୁପା ପାଖରେ ଗୋବିନ୍ଦକୁ ଦାଣ୍ଡଘରେ ବସେଇ ଦେଇ ନିରଞ୍ଜନ ରତ୍ନମଣି ପାଖରେ ଯାଇ ପହଞ୍ଚିଲା । ସେତେବେଳକୁ ରତ୍ନମଣି ଉଠି ବସିଚି । ତାର ଗୋଡ଼କୁ ଧରି ନିରଞ୍ଜନ ପୁଣି ଲମ୍ୱହୋଇ ପଡ଼ି କରୁଣ ସ୍ୱରରେ କହିଲା, ‘‘ମୁଁ ଗୋବିନ୍ଦକୁ ପାଇ ଆଉ ସବୁ କଥା ଭୁଲି ଯାଇଚି ନୂଆବୋଉ । ତମେ ମଧ୍ୟ ଭୁଲିଯାଅ ।’’

 

ରଚନାକାଳ : ମଇ ୫ ତାରିଖ ୧୯୫୬

Image